Unknown

 

 

 

 

 

 

 

 

 

 

ଆମ ପୁରୁଣା କାହାଣୀ

(ପ୍ରଥମ ଭାଗ)

ଶ୍ରୀ ବଟକୃଷ୍ଟ ପ୍ରହରାଜ

 

ଅତିଥି ସେବା

 

ବ୍ରାହ୍ମଣର ନାଁ ହେଉଛି କୃଷ୍ଣ ମିଶ୍ର, ସମସ୍ତେ କୁଷାନ୍ନା ବୋଲି ଡାକନ୍ତି । ଘର ମଙ୍ଗରାଜପୁର । ଜମିବାଡ଼ି’ ନାହିଁ, ଭିଖ ମାଗି ଦିନ କଟାଏ । ଘରେ ମାମୁଁ ମାଈଁ ଦୁଇ ପ୍ରାଣୀ । ଦୁଇ ଚାରି ବର୍ଷ ହେଲା କୁଷାନ୍ନା କାର୍ତ୍ତିକ ହବିଷ କରିବ ବୋଲି ଚେଷ୍ଟା କରି ନିରାଶ ହୋଇଥିଲା । ଭିଖଦୁଃଖ ମାଗି ନିଜ ସ୍ତ୍ରୀକୁ ମାସକ ପାଇଁ ଖାଇବାକୁ ଚାଉଳ ପତ୍ର ଦେଇ କୁଆଁର ପୁନିଅଁ ଦିନ ସକାଳୁ ବାହାରି ରାଜାଙ୍କ ନଅରରେ ପହଞ୍ଚିଲା ।

 

କଚିରୀ ଲାଗିଛି । ମନ୍ତ୍ରୀ କଚିରୀ ଘର ଦୁଆର ମୁହଁକୁ ବସିଛନ୍ତି, ରଜା ବସିଛନ୍ତି ଭିତର ପଟକୁ । ବ୍ରାହ୍ମଣ ମନ୍ତ୍ରୀଙ୍କୁ କିଛି ନ ପଚାରି ରଜାଙ୍କ ପାଖକୁ ମାଡ଼ି ଯାଉଥିଲା, ମନ୍ତ୍ରୀ ତାକୁ ପଛରୁ ଡାକି କହିଲେ, ‘‘ତୋର କଅଣ ଗୁହାରୀ ଅଛି କହ ।’’ ବ୍ରାହ୍ମଣ—‘‘ମୋର ମହାରାଜାଙ୍କ ପାଖରେ କାମ ଅଛି, ତୁମ ପାଖରେ କିଛିନାହିଁ’’ ବୋଲି କହି ରଜାଙ୍କ ଛାମୁକୁ ଚାଲିଗଲା । ଏ କଥା ଦେଖି ମନ୍ତ୍ରୀ ମନେମନେ ନିଆଁ ବାଣ । ମନ୍ତ୍ରୀ ତ ଭଲ କରି ଜାଣନ୍ତି, ରଜା ତାଙ୍କରି କଥାରେ ଚାଲନ୍ତି । ମନେ ମନେ ବିଚାରିଲେ, ‘‘ଆଚ୍ଛା ଯାଉ, ଦେଖାଯିବ ଯେ !’’

 

କୁଷନ୍ନା ଯାଇ ରାଜାଙ୍କ ଛାମୁରେ ପହଞ୍ଚି ଆଶୀର୍ବାଦ କରି ହାତ ଯୋଡ଼ି ଠିଆ ହେଲା । ରାଜା ପଚାରିଲେ ‘‘କଣ କହୁଛି ?’’ କଣ କହୁଛ ?’’ କୁଷାନ୍ନା କହିଲା.‘‘ ମଣିମା, ମୁଁ ଗରିବ । ଆସିଛି ଛାମୁଙ୍କର ଠାକୁରଘରେ କାର୍ତ୍ତିକ ହବିଷ କରିବି ବୋଲି ।’’ ରାଜା ହିଁ କହି ଆସୁଥିଲେ, ତେଣେ ମନ୍ତ୍ରୀ ଟାକିକରି ବସିଥିଲେ, ସାଙ୍ଗେ ସାଙ୍ଗେ ଉଠି ଆସି ରାଜାଙ୍କ ପାଖରେ ପହଞ୍ଚି କହିଲେ, ‘‘ନାହିଁ ମଣିମା-! ଆମର ଯେଉଁ ପଚିଶଜଣ ବ୍ରାହ୍ମଣ ହବିଷ ପାଇଁ ବରଣୀ ହେବାର କଥା ସେମାନେ ଆଗରୁ ବରଣୀ ହୋଇ ଗଲେଣି ।’’ ଏକଥା ଶୁଣି ରାଜା କହିଲେ, ‘‘ଗୋସାଇଁ, ତୁମେ ତେବେ ଯାଅ-। ଆଉ କୁଆଡ଼େ ଦେଖ ।’ କୁଷାନ୍ନା କହିଲା, ‘‘ମଣିମା, ପଚିଶ ଜଣ ବ୍ରାହ୍ମଣ ବରଣୀ ହୋଇ ସାରିଛନ୍ତି, ମୋ ପରି ଆଉ ଜଣେ ଅରକ୍ଷିତ ରହିଗଲେ କଅଣ ଛାମୁଙ୍କର ଅସରନ୍ତି କୁବେର ଭଣ୍ଡାର ସରିଯିବ-? ମୁଁ ବଡ଼ ଆଶା କରି ଆସିଛି ।’’

 

ଏ କଥା ଶୁଣି ରଜା, ‘‘ହଉ ତେବେ ବୋଲି କହୁ କହୁ ମନ୍ତ୍ରୀ ବୋଲି ପଡ଼ି କହିଲେ, ‘‘ନା ନା, ତା କିପରି ହେବ ? ଯାହା ପୂର୍ବରୁ ଧାରା ଅଛି ନା ଯେ ଜଣେ ଆସି ପହଞ୍ଚିବେ, ୟାଙ୍କୁ ଅଧିକା କରି ରଖିବା, ପୁଣି ଟିକିଏ ଛାଡ଼ି ଆଉ ଦଶ ଜଣ ପହଞ୍ଚିବେ, ତାଙ୍କୁ ତ ଆଉ ନାହିଁ କରି ପାରିବା ନାହିଁ-! ମେଣ୍ଢା ଧୋଉ ଧୋଉ ନିର୍ବାଳ, ବ୍ରାହ୍ମଣଙ୍କୁ ଖୋଉ ଖୋଉ ଭଣ୍ଡାର ଶୂନ୍ୟ ।’’ ଏ କଥା ଶୁଣି ରାଜା କହିଲେ, ‘‘ନାହିଁ ଗୋସାଇଁ, ସେ କଥା ହୋଇ ପାରିବ ନାହିଁ । ରାସ୍ତା ଦେଖ—

 

ବ୍ରାହ୍ମଣ ବିଚାରା ବଡ଼ ମନ ଦୁଃଖରେ ଘରକୁ ଫେରିଲା । ବାଟରେ ଚନ୍ଦନପୁର ଗାଁ ପଡ଼ିଲା । ସେହି ଗାଁର ହରି ମହାପାତ୍ର ତା ପିଣ୍ଡାରେ ବସିଥିଲା । ସେ କୁଷାନ୍ନାକୁ ଆଗରୁ ଚିହ୍ନେ । ଦୁହେଁଯାକ ଅନେକଥର ସାଙ୍ଗହୋଇ ଭିଖମାଗି ଯାଇଛନ୍ତି, ବ୍ରାହ୍ମଣ ଭୋଜନୀକୁ ଯାଇଛନ୍ତି । ସେ କୁଷାନ୍ନାକୁ ଦେଖି ପିଣ୍ଡାକୁ ଡାକିଲା । କୁଷାନ୍ନା ତା ପିଣ୍ଡାକୁ ଯାଇ ବସିଲାରୁ ହରି ପଚାରିଲା, ‘‘କିହୋ କୁଷାନ୍ନା ! ଆଜି କାହିଁକି ଭାରି ଶୁଖିଲାଟା ଦେଖା ଯାଉଚ ? ହେଦ ଭଲ ନାହିଁ କି ?’’ କୁଷାନ୍ନା କହିଲା, ‘‘ନାହିଁରେ ବାପ । ଆଜି ସକାଳୁ କାହା ମୁହଁ ଚାହିଁ ଥିଲି । ହବିଷ କରିବି ବୋଲି ରଜା ଘରକୁ ଯାଇଥିଲି ଯେ ରଜା ମତେ ରଖିବେ ବୋଲି ମଙ୍ଗି ଯାଇଥିଲେ, ସେ ବେହିପୋ ମନ୍ତ୍ରୀଟା ସବୁ ଭଣ୍ଡୁର କରିଦେଲା । ଚେଡ଼ୀପୋର ବଂଶ ବୁଡ଼ୁ; ତା ଡିହରେ ବିଲୁଆ ଡିଅନ୍ତୁ ।’’ ଏ କଥା ଶୁଣି ହରି କହିଲା, ‘‘ନନା, ଟିକିଏ ବସ, କି ମୁଁ ଘର ଭିତରୁ ଆସେ,’’ କହି ଖଞ୍ଜା ଭିତରକୁ ଚାଲିଗଲା । ହରିର ରାଣ୍ଡମାଆଟି ଛଡ଼ା ଆଉ କେହି ନାହିଁ । ଭାରି ଗରିବ, ଭିଖମାଗି ଚଳେ । ମାକୁ ଡାକିକରି କହିଲା, ‘‘ବୋଉ ମ ! କାଲିଠାରୁ ତୁ ତ କାର୍ତ୍ତିକ ହବିଷ କରିବୁ । ମୋ ପାଇଁ କଅଣ ଆଉ ଉଷୁନା ରାନ୍ଧିବୁ ? ମୋର ବି କାଲିଠାରୁ ମାସକଯାକ ହବିଷ । ମଙ୍ଗରାଜପୁରର କୁଷାନ୍ନା ହବିଷ କରିବ ବୋଲି ବଡ଼ ଆଶାରେ ରଜାଘରକୁ ଯାଇଥିଲା । ରଜା ମଙ୍ଗି ଯାଇଥିଲେ । କୁଆଡ଼େ ସେ ମନ୍ତ୍ରୀଟା ରଜାଙ୍କୁ ଶିଖାଇ ତାଙ୍କୁ ବାହୁଡ଼ାଇ ଦେଲା । ବ୍ରାହ୍ମଣ ବିଚାରାଟି ବଡ଼ ସନ୍ତାପରେ ଫେରି ଯାଉଛି । ସେ ଆମ ଘରେ ରହି ହବିଷ କଲେ ହୁଅନ୍ତା ନାହିଁ ?’’ ବୁଢ଼ୀ, କହିଲା, ‘‘ହଇରେ ପୁଅ ! ତୁ ତ ଭିଖଦୁଃଖ ମାଗି କରି ଆଣିବୁ । ମୁଁ ମୁଠାଏ ଫୁଟାଇ ଦେବା ଲୋକ । ତେବେ ତୋର ଯେବେ ବଳ ପାଉଛି ତାଙ୍କୁ ରହିବାକୁ କହ । ହଉ, ଯେଉଁ ଭଗବାନ ଦୁଇ ପ୍ରାଣୀଙ୍କୁ ଚଳାଇ ନେବେ, ସେ କଅଣ ଆଉ ଜଣକୁ ଓପାସ ରଖିବେ ? ଭଲ କଥା, ତାଙ୍କୁ ରହିବାକୁ କହ ଯା ।’’ ଏ କଥା ଶୁଣି ହରି ବଡ଼ ଆନନ୍ଦରେ ଗୁଆଟିଏ ଧରି ଦାଣ୍ଡ ପିଣ୍ଡାକୁ ଆସି କୁଷାନ୍ନାଙ୍କ ହାତରେ ଗୁଆଟି ଦେଇ କହିଲା; ‘‘କୁଷାନ୍ନା । ମୁଁ ତୁମକୁ ବରଣ କଲି, ତୁମେ ଆମ ଘରେ ରହି ହବିଷ କରିବ ।’’ ଏ କଥା ଶୁଣି କୁଷାନ୍ନା ତା ମୁହଁକୁ ଅନାଇ ବିଚାରିଲା—ଆରେ ଏ ତ ମୋଠାରୁ ବଳି ସାତ ଭିଖାରୀ । ଏ ପୁଣି ମତେ ରଖିବ କଅଣ । ଆଚ୍ଛା, ଗୁଆ ଦେଇ ନିମନ୍ତ୍ରଣ କଲାଣି; ନାସ୍ତି କରି ଦେବି କିପରି ? ତେବେ କେତେ ଦିନ ଯାଉଛି ଦେଖାଯାଉ । ହଁ ଭରି ତାଙ୍କ ଘରେ ରହିଲା ।

 

ଯେଉଁ ଭଗବାନ ଦୁଇଜଣଙ୍କୁ ଚଳାଇ ନେଲେ ସେ କଅଣ ଆଉ ଜଣଙ୍କୁ ଓପାସ ରଖନ୍ତେ-! ମାସଟିଯାକ ସୁରୁଖୁରୁରେ ଚଳିଗଲା । କାର୍ତ୍ତିକ ପୁନିଅଁ ଦିନ ସନ୍ଧ୍ୟା ହବିଷ ପରେ କୁଷାନ୍ନା କହିଲା, ‘‘ହରି ମ ! ମୁଁ କାଲି ଭୋରରୁ ଘରକୁ ଯିବି ।’’ ଏକଥା ଶୁଣି ହରିଆ ମା ବୁଢ଼ୀ କହିଲା, ‘‘ପୁଅ ! ଯା ନା କଅଣ ଗୋଟାଏ କଥା ! କାଲି ସକାଳୁ ଏହିଠାରେ ଛାଡ଼ଖାଇ କରି ଯିବ ନା !’’ କୁଷାନ୍ନା ଶୋଇବାକୁ ଗଲାରୁ ହରି ତା ବୋଉକୁ ପଚାରିଲା, ‘‘କାଲି ଛାଡ଼ଖାଇ ପାଇଁ ଘରେ କଅଣ କଅଣ ସବୁ ଅଛି ?’’ ବୁଢ଼ୀ କହିଲା, ‘‘ଯାହା ଥିଲା ଆଜି ସବୁ ଝାଡ଼୍ ଝୁଡ଼ୁ । ଖୁଦ୍ ମୁଣ୍ଡି ସୁଦ୍ଧା ଘରେ ନାହିଁ-। କାଲି ବଡ଼ିଭୋରରୁ କୁଆଡ଼ୁ କଅଣ ଆଣିଲେ ଯାଇଁ ଚୁଲୀକୁ ହାଣ୍ଡି ଯିବ ।’’ ହରି ଆସି ଶୋଇଲା-। ତାକୁ ଭଲ ନିଦ ହେଲା ନାହିଁ । କିପରି କଅଣ କରିବ ? ଖାଇବା କଥା, ପୁଣି କୁଷାନ୍ନାକୁ କୁଆଡ଼ୁ ଗାମଛା କନା ଖଣ୍ଡିଏ ଆଉ ସିଉକାଏ ନିତାନ୍ତ କମରେ ବିଦାକି ଦେବାକୁ ହେବ । ଏହିପରି ଭାବୁ ଭାବୁ ତାକୁ ନିଦ ହୋଇଗଲା । ପୂର୍ବ ଦିଗରେ ସିନ୍ଦୁରା ଫାଟିଲା ବେଳକୁ ତା ନିଦ ଭାଙ୍ଗିଲା-। ଧଡ଼ପଡ଼ ହୋଇ ଉଠି ଦାନ୍ତ ପତ୍ର ଘଷି, ଗାଧୁଆ ପାଧୁଆ କରି ବାହାରି ପଡ଼ିଲା । ଗ୍ରାମଦେବତୀଙ୍କ ପାଖରେ ମୁଣ୍ଡିଆ ମାରି ଜଣାଇଲା, ‘‘ମା, ଆଜି ଯାହା ମିଳିବ କୁଷାନ୍ନାଙ୍କ ପିଛା ଖରଚ କରିବି-।’’ ଦୋସଡ଼କୀ ଛକ ମୁଣ୍ଡରେ ହେଲାବେଳକୁ ନବଘନ ସାହୁ ମହାଜନ ପୁଅ ଘୋଡ଼ା ଝପଟାଇ ଆସୁଛି-। ହରି ତା ଆଗରେ ଠିଆ ହୋଇ କଲ୍ୟାଣ କରି ହାତ ପତାଇଲା । ମହାଜନ ପୁଅ ଗନ୍ତା ମୁଣାରେ ହାତ ପୂରାଇ ଗୋଟିଏ ସୁନା ମୋହର କାଢ଼ି ହରି ଆତକୁ ପକାଇ ଦେଇ ଘୋଡ଼ା ଝପଟାଇଲା-। ସକାଳ ହୋଇ ଯାଇଥାଏ । ହରି ମୋହରଟି ଦେଖି ବିଚାରିଲା—ମହାଜନ ପୁଅ ପଇସା ବୋଲି ଭୁଲରେ ମୋହରଟି ଦେଇ ଯାଇଛି । ପଛରୁ ଡାକିଲାରୁ ମହାଜନ ପୁଅ ଘୋଡ଼ା ଠିଆ କଲା । ହରି ତା ପାଖକୁ ଯାଇ କହିଲା, ‘‘ପଇସା ବୋଲି ଭୁଲରେ ମୋହରଟିଏ ଦେଇ ପକାଇଛ ।’’ ମହାଜନ ପୁଅ କହିଲା, ‘‘ନାହିଁ ମ ଗୋସେଇଁ ! ମୋ ପାଖରେ କଅଣ ପଇସା ଥିଲା ? ଆସିଲାବେଳେ ଗଣ୍ଡାଏ ଖଣ୍ଡେ ମୋହର ଗନ୍ତା ମୁଣାରେ ପକାଇ ଦେଇଥିଲି ।’’ ପୁଣି ଘୋଡ଼ା ଝପଟାଇ ଚାଲିଗଲା-। ଏତକ ଶୁଣି ହରି ମନ କୁଣ୍ଢେମୋଟ ହୋଇଗଲା, ଗୋଡ଼ ଚାରି ହାତରେ ପଡ଼ିଲା । ଦାମୋଦରପୁର ବଜାରରେ ପହଞ୍ଚି ଗୋଟିଏ ଭାରୁଆ ସଜିଲ କରି ନିକ ସରୁ ଚାଉଳ, ହରଡ଼ ଜାଇ, ପରିବା ପତ୍ର ତାତ୍ପର୍ଯ୍ୟ କରି କିଣିଲା । କାପୁଡ଼ିଆ ଦୋକାନକୁ ଯାଇ ଚାରିଫୁଲିଆ ମାଣିଆବନ୍ଦି ଯଥା ଦୋଷଡ଼ା, ହଂସବସା ମୁହୁଣ୍ଡା ଯାନେକାଦେଈପୁରିଆ ନେଡ଼ି ବହଳର ଖଣ୍ଡିଏ ଚଉତାରୀ ଗାମୁଛା କିରିକରି ଘରକୁ ଫେରିଲା । ଦେଖିଲା ଆହୁରି ଦଶ ଟଙ୍କା ବଳୁଛି । ଘରେ ପହଞ୍ଚି ମା ଆଗରେ ସବୁ ଥୋଇଦେଲା । ବୁଢ଼ୀ ଏ ସବୁ ସରଞ୍ଜାମ ଦେଖି ଆବାକାବା । ହରି ଠିକେ ଠିକେ ମହାଜନ ପୁଅ କଥା କହିଗଲା । ବୁଢ଼ୀ ଆନନ୍ଦରେ, ‘‘ଭଗବାନ ବଡ଼ ଲୋକ’’ ବୋଲି କହି ରୋଷେଇ ବାସରେ ଲାଗିଗଲା । ଲହମାକରେ ଛଅ ତିଅଣ ନଅ ଭଜା କରି ଦେଲା । କୁଷାନ୍ନା, ହରି ବସିକରି ମନବୋଧ କରି ଖାଇଲେ । ଟିକକ ପରେ କୁଷାନ୍ନା ଘରକୁ ଯିବାକୁ ବାହାରିଲା । ହରି ଆଣି ଲୁଗା ଦୋଷଡ଼ା, ଗାମୁଛା ଦେଲା; ଆଉ ଯେଉଁ ଦଶ ଟଙ୍କା ବଳିଥିଲା ନିର୍ଲୋଭ ହୋଇ ସେତକ ବି କୁଷାନ୍ନାଙ୍କୁ ବିଦାକି ଦେଲା । କୁଷାନ୍ନା ଏ ସବୁ ଦେଖି ହରି ମୁହଁକୁ ଓ ବୁଢ଼ୀ ମୁହଁକୁ ଚାହିଁ ମନେ ମନେ ବିଚାରିଲା, ଲୋକଦେଖାଣିଆକୁ ହରିଆ ସିନା ଭିଖ ମାଗେ; ନୋହିଲେ ବୁଢ଼ୀ ହାତରେ ଭରା ମାଲ-!’ ନଇିଆର କେଉଁ ଶିରାରେ ପାଣି ପଶୁଛି ସେ ବା କାହୁଁ ଜାଣିବ । ଖୁସି ହୋଇ ହରିକୁ ଆଶୀର୍ବାଦ କରି ଚାଲିଗଲା ।

 

ଚନ୍ଦନପୁର ଗାଁ ମୁଣ୍ଡରେ ହେଲାବେଳକୁ ରଜାଘରେ ଯେଉଁ ପଚିଶ ଜଣ ବ୍ରାହ୍ମଣ ବରଣୀ ହୋଇ ହବିଷ କରୁଥିଲେ ସେମାନେ ଫେରୁଛନ୍ତି । କୁଷାନ୍ନାଙ୍କୁ ଦେଖି ସେମାନଙ୍କ ଭିତରୁ ଗଣି ରଥେ ପଚାରିଲେ, ‘‘କିହୋ କୁଷାନ୍ନା, ଆଜି କଅଣ ଭାରି ଜାମାଯୋଡ଼ି ହୋଇ କୁଆଡ଼ୁ ଆସିଲ ?’’ କୁଷାନ୍ନା ବାଇଶିପଳିଆ ହସଟାଏ ହସି ଦେଇ କହିଲେ, ‘‘ବୁଝିଲ ନା ରଥ ଆପଣେ ! ଆରେ ଖୋଦା ଦେଏଗା ତ ଛପର ଫାଡ଼କେ ଦେଏଗା । ସେ ଦିନତ ରଜା ମଙ୍ଗି ଯାଇଥିଲେ; ସେ ବେହିପୋ ମନ୍ତ୍ରୀଟା ରଜାକୁ ଶିଖାଇ ମତେ ଫେରେଇ ଦେଲା । ବଡ଼ ମନ ଦୁଃଖରେ ଘରକୁ ଫେରୁଥିଲି । ଚନ୍ଦନପୁର ହରି ମହାପାତ୍ର ହବିଷ କରିବାକୁ ତା ଘରେ ମତେ ରଖିଲା ।’’ କୁଷାନ୍ନାଙ୍କ କଥା ନ ସରୁଣୁ ମାଗୁଣି ଦାସ ପଚାରିଲେ, ‘‘ଆରେ କେଉଁ ହରି ମହାପାତ୍ର ମ ?’’ କୁଷାନ୍ନା କହିଲା, ‘ଆରେ ପାଡ଼ୁଷୀଙ୍କ ଆଗ ଦୁଆରୀ ଟାଙ୍ଗେରା ଲୋକନି ମହାପାତ୍ର ପୁଅ ହରିଆ ମ ! ହେଇ ଦେଖ ଏ ଲୁଗା ଦେଇଛି, ଏ ଦୋଷଡ଼ା ଦେଇଛି, ଏ ଗାମୁଛା ଦେଇଛି, ପୁଣି ଏ ଦଶ ଟଙ୍କା ଦକ୍ଷିଣା ଦେଇଛି । ଲୋକ ଦେଖାଣିଆକୁ ସିନା ହରିଆ ଭିଖ ମାଗେ, ନୋହିଲେ ବୁଢ଼ୀ ହାତରେ ମାଲ୍ ଭରା ।’’ ଏହା କହି ସବୁ ଦେଖାଇ ଅଣ୍ଟାରୁ ଫଶ୍‍କିନା ଦଶ ଟଙ୍କା ବାହାର କରି ସେମାନଙ୍କୁ ଦେଖାଇ ବାଟେ ବାଟେ ଚାଲିଗଲା । କୁଷାନ୍ନା ଚାଲିଯିବା ପରେ ଗଣିରଥେ କହିଲେ, ‘‘ବୁଝିଲ ନା ଦାସେ ଆପଣେ ! ଦେଖିଲ, ଭିଖମଗା ହରିଆ କୁଷା ମିଶ୍ରକୁ ରଖି ଲୁଗାପଟା ଆଉ ଦକ୍ଷିଣା ମିଶାଇ ପଚାଶ ଟଙ୍କା ଦେଲା । ଆଉ ଆମେ ରଜାଘରୁ ବିଦାକି ପାଇଲୁଁ କଅଣନା, ଦଶତୁଠିଆ କରିଆ ଖଣ୍ଡେ ଖଣ୍ଡେ ଆଉ ଚାରି ଚାରି ଗଣ୍ଡା ପଇସା । ଚାଲ ସମସ୍ତେ ଫେରାଇ ଦେଇ ଆସିବା ।’’ କଥାଟା ସମସ୍ତଙ୍କ ମନକୁ ଚୁମ୍ୱିଗଲା । ସେଠାରୁ ସମସ୍ତେ ଏକା ରାହା ଧରି ବାହୁଡ଼ିଲେ ।

 

ରଜାଘରେ ଆସି ପହଞ୍ଚିଲେ । କଚିରୀ ଲାଗିଛି । ରଜା ମନ୍ତ୍ରୀ ବସିଛନ୍ତି । ରଜାଙ୍କ ଆଗରେ ସେ ପଚିଶ ଖଣ୍ଡି କରିଆ ଆଉ ସେ ପଚିଶ ସଉକା ଥୋଇ ଦେଇ ସମସ୍ତେ ଚାଲି ଆସୁଥିଲେ, ମନ୍ତ୍ରୀ ପଛରୁ ଡାକି ପଚାରିଲେ, ‘‘କିହୋ, କଥା କଅଣ ? କଥା ନାହିଁ, ବାର୍ତ୍ତା ନାହିଁ, ତୁମ୍ଭମାନଙ୍କୁ ବିଦାକି ଦିଆ ଯାଇଥିଲା ଫେରାଇ ଦେଉଛ କାହିଁକି ?’’ ଗଣି ରଥେ କହିଲେ, ‘‘ନାହିଁ ମଣିମା, ମାସକ ଯାକ ରହି ହବିଷ କଲୁଁ । ଛାମୁଙ୍କୁ ଆଶୀର୍ବାଦ କରି ଯାଉଛୁଁ ବିଦାକି ନେବୁଁ କାହିଁକି-?’’ ରଜା କହିଲେ, ‘‘ଆଚ୍ଛା କଥା, ଏ କଥାଟା କଅଣ ଫିଟାଇ କରି କହିଲେ ସିନା ଜାଣିବା । ମନ କଥା ମନରେ ରଖି ଚାଲିଗଲେ କଅଣ ହବ ?’’ ଗଣି ରଥେ କହିଲେ, ‘‘ମଣିମା, ସେ ଦିନ ଚାମୁ ସେ ମଙ୍ଗରାଜପୁଣିଆ କୁଷା ମିଶ୍ରଙ୍କୁ ଫେରାଇ ଦେଲେ । ତାକୁ ଚନ୍ଦନପୁରର ହରି ମହାପାତ୍ର ମାସକ ଯାକ ରଖି ହବିଷ କରାଇଲା । ଆଜି ନିକୁଛ ପକ୍ଷରେ ପଚାଶ ଟଙ୍କାର ନିଜିଷ ପତ୍ର ଦେଇ ମେଲାଣି କଲା । ଲୁଗା ଦେଖିବ କଅଣ, ଦୋଷଡ଼ା ଦେଖିବ କଅଣ, ଗାମୁଛା ଦେଖିବ କଅଣ । ଆଉ ବିଦାକି ଦଶ ଟଙ୍କା । ଭିଖମଗା ରାଣ୍ଡୀ ପୁଅ ଅନନ୍ତା ହରିଆ ଏତେ କଥା ଦେଲା । ଆଉ ଆମେ ମହାରାଜାଙ୍କ ଘରୁ ପାଇଲୁଁ କଅଣ ନା, ଦଶତୁଠିଆ କରିଆ ଖଣ୍ଡେ ଖଣ୍ଡେ, ଆଉ ସିଉକା ଲେଖାଁଏ ପଇସା । ଏ ସବୁ ରଖନ୍ତୁ, ଖାଇଲୁ ପିଇଲୁଁ, ଖୁସି ମନରେ ଆଶୀର୍ବାଦ କରି ଯାଉଛୁଁ ।’’ ବ୍ରାହ୍ମଣମାନେ ବହୁତ କଟାଳ କରିବାରୁ ରଜା ଶେଷରେ ହଳେ ହଳେ କରି ଲୁଗା ଆଉ ଦୁଇ ଦୁଇ ଟଙ୍କା ବିଦାକି ଦେଇ ମେଲାଣି ଦେଲେ ।

 

ବ୍ରାହ୍ମଣମାନେ ଚାଲିଗଲାରୁ ମନ୍ତ୍ରୀ କହିଲେ, ‘‘ମଣିମା, ଏପରି ତଣ୍ଡରେ ଆଉ ଏତେ ଅପମାନରେ ଚନ୍ଦନପୁର ହରିଆ ଆମକୁ ପାଇଲା । ତାକୁ ଆଚ୍ଛା କରି ପାନେ ନ ଦେଲେ ପ୍ରଜାପାଟକମାନେ ଉପରମୁହାଁ ହୋଇଯିବେ ।’’ ଏତକ କହି ପାଇକମାନଙ୍କୁ ଡାକି ଚନ୍ଦନପୁର ହରିଆକୁ ତହିଁ ଆରଦିନ ସକାଳୁ ଆଣି ଛାମୁରେ ହାଜର କରିବାକୁ ହୁକୁମ୍ ଦେଲେ ।

 

ତହିଁ ଆରଦିନ ବଡ଼ି ଭୋରରୁ ହରିଆ ମା ବୁଢ଼ୀ ଢାଳଟି ଧରି ଦାଣ୍ଡ କୂଅରୁ ପାଣି ଆଣିବ ବୋଲି ଦାଣ୍ଡ କବାଟ ପିଟାଇଲା ବେଳକୁ ଦୁଆର ମୁହଁରେ ପାଇକମାନଙ୍କୁ ଦେଖି, ଧଡ଼୍ କିନା ଦାଣ୍ଡ କବାଟଟାକୁ ପକାଇଦେଇ ଘର ଭିତରକୁ ଆସି ପୁଅକୁ ଉଠାଇକରି କହିଲା, ‘‘ହରିଆରେ ସର୍ବନାଶ କଲୁ । କାଲି ସେ ସୁନା ମୋହରଟି କାହାଠାରୁ ଚୋରାଇ କରି ଆଣି କହିଲୁ କଅଣ ନା ମହାଜନପୁଅ ଦେଲା । ଏ କଥା ଶୁଣି ହରିଆ ଆଖି ମଳି ମଳି କହିଲା, ‘‘ନାହିଁ ଲୋ ବୋଉ, ମତେ ମହାଜନ ପୁଅ ନିଜ ହାତରେ ଦେଲା, ମୁଁ ଚୋରି କରିବି କିଆଁ ମ ?’’ ବୁଢ଼ୀ କହିଲା, ‘‘ଆମେ ତ ଏ ନିଷ୍କର ଡିହ ଖଣ୍ଡକରେ ପଡ଼ିଥାଏଁ, ଭିଖ ମାଗିଲେ ଭାତ ଖାଉଛୁଁ, ଆମେ ରାଜାର ପ୍ରଜା ନା ସାହୁର ଖାତକ ? ଆମ ଦୁଆରେ ପାଇକ ବସନ୍ତେ କାହିଁକି ?’’ ହରି ନିଦ ମଳ ମଳ ହୋଇ ଉଠି ଦାଣ୍ଡ ଦୁଆର ଫିଟାଇ ପଦାକୁ ବାହାରିବା ମାତ୍ରେ ପାଇକମାନେ ପଚାରିଲେ, ‘‘ତୁମ ନା ହରି ମହାପାତ୍ର-?’’ ହରି ହଁ କଲାରୁ ସେମାନେ କହିଲେ, ‘‘ଛାମୁରୁ ଡକରା ହୋଇଛି, ଚଞ୍ଚଳ ଚାଲ ।’’ ହରି ମୁହଁହାତ ଧୋଇ ଝାଡ଼ାଝପଟ ଫେରି ସାରି ଯିବା କଥା ପାଇଁ କହିବାରୁ ସେମାନେ ତା ନ ଶୁଣି ତାକୁ ଧକ୍କା ମାରି ମାରି ଘେନିଗଲେ ।

 

ଘମାଘୋଟ୍ କଚିରୀ ଲାଗିଛି । ରଜା ମନ୍ତ୍ରୀ ବସିଛନ୍ତି । ପାଇକମାନେ ହରିକୁ ନେଇ ଛାମୁରେ ହାଜର କଲେ । ମନ୍ତ୍ରୀ ହରିର ଗୋଡ଼ଠାରୁ ମୁଣ୍ଡ ପର୍ଯ୍ୟନ୍ତ ଥରେ କଟମଟ କରି ଅନାଇ ଦେଇ ରାଗରେ ପଚାରିଲେ, ‘‘ତୋ ନା ହରି ମହାପାତ୍ର ? ତୋ ଘର ଚନ୍ଦନପୁର ?’’ ହରି ‘‘ଆଜ୍ଞା ହଁ’’ ବୋଲି କହୁ କହୁ ମନ୍ତ୍ରୀ ଗର୍ଜ୍ଜନ କରି ଉଠିଲେ, ‘‘ତୁ ଆମ ରାଇଜରେ ଗୋଟିଏ ଭାରି ଧନାଶେଠ ହୋଇଗଲୁଣି । ଆମେ ତ ମଂଗରାଜପୁର କୃଷ୍ଣ ମିଶ୍ରଙ୍କୁ ଫେରାଇଦେଲୁ, ତାକୁ ରଖିବାକୁ ତତେ କିଏ କହିଲା ?’’ ମନ୍ତ୍ରୀଙ୍କର ତମ୍ୱି ତୋଫାନ ଦେଖି ବ୍ରାହ୍ମଣ ପାଟି ଅଠା ଅଠା ହୋଇଗଲା । ମନ୍ତ୍ରୀ ଏକା ଧୁମ୍ ଲଗାଇଲେ, ‘‘ତୋତେ ତାଙ୍କୁ ରଖିବାକୁ କିଏ କହିଲା ?’’ ହରି ଆଉ କହିବ କଅଣ ? ବାଲୁ ବାଲୁ କରି ମୁହଁକୁ ଅନାଇଲା । ମନ୍ତ୍ରୀ ରାଗରେ ଗୋଟି ପଣେ ପାଚି ଯାଇ କହିଲେ, କହୁଛୁ ନା ଘୋଡ଼ା କୋରଡ଼ା ଆସିବ ?’’ ଏକଥା ଶୁଣି ହରି ଅତର୍ଚ୍ଛରେ କହି ପକାଇଲା ‘‘ମୋତେ ଈଶ୍ୱର କହିଲେ ।’’ ଏକଥା ଶୁଣି ମନ୍ତ୍ରୀ ଆହୁରି ପାଚିଯାଇ ଗର୍ଜ୍ଜନ କରି କହିଲେ, ‘‘ଆଜ୍ଞା ଯା, କେଉଁ ଈଶ୍ୱର ତୋତେ କହିଲେ ତାଙ୍କୁ ଆଣି ସାତ ଦିନ ଭିତରେ କଚିରୀରେ ହାଜର କରିବୁ, ନୋହିଲେ ତୋତେ ଆଉ ତୋ ବଂଶଯାକଙ୍କୁ ଶୂଳି ଦିଆଯିବ ।’’ ଏହାପରେ ହରି ବିଚାରୀ ବଡ଼ ଦୁଃଖରେ ଘରକୁ ଫେରିଲା । ହରିଆ ମା ବୁଢ଼ୀ ସକାଳ ପହରୁ ବାସୀ ମୁହଁରେ ପାଣି ନ ଦେଇ ପୁଅର ବାଟକୁ ଚାହିଁକରି ବସିଥିଲା । ପୁଅର ଶୁଖିଲା ମୁହଁ ଦେଖି ପଚାରିଲା, ‘‘କିରେ ବାପ । କଥା କଅଣ ?’’ ହରି କହିଲା, ‘‘ନାହିଁ ଲୋ ବୋଉ ! ମୁଁ ଚୋରି କରନ୍ତି କିଆଁ ? ସେ ଦିନ କୁଷାନ୍ନା କହୁନଥିଲା ରଜା ରଖିବାକୁ ମଙ୍ଗି ଯାଇଥିଲା, ସେ ଚଣ୍ଡାଳ ମନ୍ତ୍ରୀଟା କଥାରେ ପଡ଼ି ତାକୁ ବାହୁଡ଼ାଇ ଦେଲେ । ତାକୁ ଆମେ ରଖିଲୁଁ ବୋଲି ମନ୍ତ୍ରୀ ଆମ ଉପରେ କୋପାନଳ ।’’ ତା ପରେ ସେ ପଚିଶ ଜଣ ବ୍ରାହ୍ମଣଙ୍କ କଥା ଓ ସେ କିପରି ଘୋଡ଼ା କୋରଡ଼ା ନାଁ ଶୁଣି ଅତର୍ଚ୍ଛରେ ‘‘ଈଶ୍ୱର କହିଲେ’’ ବୋଲି କହିପକାଇଲା ଓ ମନ୍ତ୍ରୀ କିପରି ଈଶ୍ୱରଙ୍କୁ ଡାକି ଆଣିବାକୁ କହିଲେ ସବୁ କଥା ଠିକେଠିକେ ମା ଆଗରେ କହିଗଲାରୁ ବୁଢ଼ୀ ପଚାରିଲା ‘‘ଏବେ କି ବିଚାର ?’’ ହରି କହିଲା, ‘‘ଯାଉଛି ଈଶ୍ୱରଙ୍କୁ ଖୋଜିବି ।’’ ଏତେ ଦୁଃଖରେ ବି ଏ କଥା ଶୁଣି ବୁଢ଼ୀ ମୁହଁରେ ହସ ବାହାରି ପଡ଼ିଲା । ବୁଢ଼ୀ କହିଲା, ‘‘ହଇରେ ତୁ, ପୁଅ ଏଡ଼ିକି ବାତୁଳ ହେଲୁ । କେତେ କେତେ ମୁନି ଋଷି ତପସ୍ୟା କରି କରି ଉଇହୁଙ୍କା ପାଲଟି ଗଲେ, ଈଶ୍ୱରଙ୍କ ଦେଖା ପାଇଲେ ନାହିଁ । ତୁ ଏବେ ଯାଇ ଈଶ୍ୱରଙ୍କୁ ଖୋଜିକରି ସାଙ୍ଗରେ ଘେନି ଆସିବୁ । ଯେ କି ଅନିର୍ଭା କଥା କହୁଛୁ ମ ?’’ ହରି କହିଲା, ‘‘ଆମେ କିଏ ? ମାସେ କାଳ ଜଣେ ଲୋକକୁ ଖୁଆଇ ପିଆଇ ରଖିବା କିଏ ? ଈଶ୍ୱର ଆମ ମନରେ ରହି କୁଷାନ୍ନାକୁ ରଖିବାକୁ ଆମକୁ ବୁଦ୍ଧି ବତାଇଲେ । ତେବେ ଯାଉଛି ଖୋଜିବି ଯାହା ହେବାର ହେଉ ପଛକେ ।’’ ମା ମନା କରୁ କରୁ ଏକ କାନିକିଆ ହୋଇ ବାହାରି ପଡ଼ିଲା । ଗଲାବେଳେ ମନେ ମନେ ପ୍ରତିଜ୍ଞା କଲା, ଈଶ୍ୱରଙ୍କୁ ନ ଦେଖିବା ପର୍ଯ୍ୟନ୍ତ ଗାଧୋଇବ ନାହିଁ କି ଖାଇବ ନାହିଁ କି ବସିବ ନାହିଁ କି ଶୋଇବ ନାହିଁ ।

 

ବାଟରେ ଯାହାକୁ ଦେଖେ ପଚାରେ, ‘‘ଈଶ୍ୱରଙ୍କୁ ଦେଖିଛ କି ?’’ ଲୋକେ ଏ କଥା ଶୁଣି ତାକୁ ବାଇଆ ବୋଲି ବିଚାରି ବାଟ କଟାଇ ମୁହଁ ମୋଡ଼ି ଚାଲି ଯାଆନ୍ତି । କେତେ ଠେଇଁ ପିଲାମାନେ ତାକୁ ଟେକା ଫିଙ୍ଗନ୍ତି ଓ ମାରିବାକୁ ଗୋଡ଼ାନ୍ତି । ପୁରୁଷ ସ୍ତ୍ରୀ, ଟୋକା, ବୁଢ଼ା, ଗାଈଗୋରୁ, ଛେଳି ମେଣ୍ଢା, ଗଛପତ୍ର, ଚଢ଼େଇ ତିରୁଗୁଣୀ ଯାହାକୁ ଦେଖେ ସେହି ଏକା କଥା ପଚାରେ । ସମସ୍ତେ ଦୂର୍ ଦୂର୍ ମାର୍ ମାର୍ କରନ୍ତି । ଅଖିଆ ଅପିଆ, ଅଗାଧୁଆ, କି ଦିନ କି ରାତି ଏକା ଲୟରେ ଚାଲିଥାଏ । ସେହି ଏକା କଥା ପଚାରୁଥାଏ । ଏହିପରି ଛଅଦିନ ବିତିଗଲା । ଗୋଟାଏ ବଣ ପଡ଼ିଲା । ଗୋଡ଼ ଏଣେ ବୋଇଲେ ତେଣେ ପଡ଼ୁଥାଏ । ପାଦେ ପାଦେ କଣ୍ଟା ମାଡ଼ି ଗୋଡ଼ କଣ୍ଟାରେ ରାଞ୍ଚୁଡ଼ି ହୋଇ ଲହୁଣୁହାଣ । କଣ୍ଟାରେ ଲାଗି ପିନ୍ଧିବା ଲୁଗା ଖଣ୍ଡିକ କୁଟକୁଟା ହୋଇଗଲାଣି । ଫୁଲସଞ୍ଜ ବେଳ; ବ୍ରାହ୍ମଣ ଆଉ ଚାଲି ନ ପାରି ଝୋଲାମରା ହୋଇ ଗୋଟିଏ ପତ୍ର କୁଡ଼ିଆ ଆଗରେ ବସିପଡ଼ିଲା । ଦଣ୍ଡେ ଖଣ୍ଡେ ଯାଇଛି କି ନାହିଁ ଦେଖିଲା, ଏକ ପାଞ୍ଚହାତ ମରଦ ଚିତାଏ ଉଞ୍ଚର ଗୋଟାଏ ଖଣତି ଧରି ଆଗେ ଆଗେ ଆସୁଛି; ତା ପଛରେ କଳା ମଚମଚ ହୋଇ କୁନ୍ଦିଲା ଭଳି ଦେହ ଏକ ଶଉରୁଣୀ ଟୋକେଇଟ ଫଳ ମୁଣ୍ଡାଇ କରି ଆସୁଛି ।

 

ଖଣ୍ଡେ ଦୂରରୁ ଶଅରର ଦୃଷ୍ଟି ବ୍ରାହ୍ମଣ ଉପରେ ପଡ଼ିବାରୁ ଶଅର ଭାରି ଖୁସି ହୋଇ ମନେ ମନେ ପଚାରିଲା, ‘‘ଆଜି ମୋର ବଡ଼ ଭାଗ୍ୟ । ପିଲାଟି ଦିନରୁ ଆସି ଦରବୁଢ଼ା ହେଲି, ଆଜି ପର୍ଯ୍ୟନ୍ତ କୌଣସି ଅତିଥିର ପାଦ ମୋ ଦୁଆରେ ପଡ଼ି ନ ଥିଲା ।’’ ଶଉରୁଣୀ ଫଳ ବୋଝଟି ଘେନି କୁଡ଼ିଆ ଭିତରକୁ ଗଲା; ଶଅର ଆସି ବ୍ରାହ୍ମଣଙ୍କୁ ସାଷ୍ଟାଙ୍ଗ ଦଣ୍ଡବତ କରି କୁଶଳ ପଚାରିଲା । ଛଅ ଦିନ ହେଲା ଜଳାହାର ନାହିଁ । ଶୋଇବା ନାହିଁ । ବ୍ରାହ୍ମଣ ପାଟି ଖନି ବାଜି ଯାଉଛି । ଜିଭ ତାଳୁକାରେ ଲାଗି ଯାଇଛି । ର ଠ କରି ବ୍ରାହ୍ମଣ ସବୁ କଥା କହିଗଲା । ସବୁ କଥା ଶୁଣି ଶଅର ବିଚାର କଲା ଯେ କୌଣସି ପ୍ରକାରେ ଭୁଲା ଭୁଲି କରି ତାକୁ ଦିଇଟା କଅଣ ନ ଖୁଆଇଲେ ତା ପ୍ରାଣ ଛାଡ଼ିଯିବ । ଅତିଥି ଦେଖି ସେ ଖୁସି ହେଉ ଥିଲା କଅଣ, ଅତିଥି ଯେ ତାରି ଦୁଆରେ ପ୍ରାଣ ହରାଇବ ! ଏହି କଥା ଭାବି କହିଲା, ‘‘ଗୋସାଇଁ ! ତୁମେ ନ ଖାଇ ନ ପିଇ ତୁଚ୍ଛାଟାରେ ଏତେ ହଇରାଣ ହେଲ । ମୋ ପାଖକୁ ଆସିଥିଲେ ମୁଁ କେଉଁଦିନୁ ଈଶ୍ୱରଙ୍କୁ କୁହାବୋଲା କରି ତୁମ ସାଙ୍ଗରେ ପଠାଇ ଦେଇ ସାରନ୍ତିଣି ? ଈଶ୍ୱର କଅଣ ଗାଁ ଗଣ୍ଡାରେ ରହନ୍ତି ଯେ ତୁମେ ତାଙ୍କୁ ପାଇବ-। ଏହି ଆଗରେ ଯେଉଁ ନିକାଞ୍ଚନ ବଣ ଦିଶୁଛି ଈଶ୍ୱର ତାରି ଭିତରେ ରହନ୍ତି । ସମସ୍ତେ ଶୋଇଲେ ନିଶବଦ ରାତିରେ ଈଶ୍ୱର ପାର୍ବତୀ ବାସୁଆ ବଳଦରେ ବସି ଦୁନିଆର ହାଲ୍ ଚାଲ୍ ବୁଝିବାକୁ ବାହାରନ୍ତି । ମୋ ବାପକୁ ପାର୍ବତୀ ଧର୍ମ୍ମପୁଅ କରିଥିଲେ । ବାପା ମଲାବେଳେ ଆମ କଥା ବୁଝିବାକୁ ତାଙ୍କୁ କହି ଯାଇଛନ୍ତି । ଈଶ୍ୱର ପାର୍ବତୀ ଆଗ ଆମ କଥା ବୁଝିଲେ ଯାଇଁ ଯୁଆଡ଼େ ଯାଆନ୍ତି । ତୁମେ ଚଞ୍ଚଳ ଉଠି ଗାଧୁଆ ପାଧୁଆ କରି ଦିଟା କଅଣ ଫଳାହାର କରି ପକାଅ । ଈଶ୍ୱର ଆସିଲା ମାତ୍ରେ ମୁଁ ନେହୁରା ହୋଇ କହି ଯେପରି ହେଉ ତୁମ ସାଙ୍ଗରେ ନିଶ୍ଚୟ ତାଙ୍କୁ ପଠାଇଦେବି । ସେ ମୋ କଥା କେଭେଁ ଭାଙ୍ଗିବେ ନାହିଁ । ଉଠିବ ଟି ଉଠ । ହେଳା କରନା ।’’ ଏ କଥା ଶୁଣି ହରି ପ୍ରଥମେ ବିଶ୍ୱାସ କରି ପାରିଲା ନାହିଁ । ପୁଣି ଭାବିଲା କେଜାଣି କାଳେ ହୋଇଥିବ । ଖନେଇ ଖନେଇ କରି କହିଲା, ‘‘ତୁମ କଥା ମତେ ପରତେ ଲାଗୁନି ।’’ ଶଅର ଦେଖିଲା, ଯେ କୌଣସି ପ୍ରକାରେ ବ୍ରାହ୍ମଣ ମନରେ ବିଶ୍ୱାସ ନ ଜନ୍ମାଇଲେ ସବୁ ଭଣ୍ଡୁର ହୋଇଯିବ । ପାହାନ୍ତିଆ ପହରକୁ ବ୍ରାହ୍ମଣ ମୋ ଦୁଆରେ ସଡ଼ିକରି ମରିବ । ଏହିପରି ଭାବି ବ୍ରାହ୍ମଣର ପାଦ ଛୁଇଁ କରି କହିଲା, ‘‘ଦେଖ ଗୋସାଇଁ, ଆପଣ ବ୍ରାହ୍ମଣ, ଅଠରବର୍ଣ୍ଣର ରଜା, ଛତିଶ ବର୍ଣ୍ଣର ଗୁରୁ, ପୁଣି ମୋ ଦୁଆରେ ଅତିଥି, ସାକ୍ଷାତ୍ ପରମେଶ୍ୱର । ମୁଁ ଆପଣଙ୍କ ପାଦ ଛୁଇଁ ନିୟମ କରୁଛି, ଯେ କୌଣସି ପ୍ରକାରେ ଈଶ୍ୱରଙ୍କୁ ଆପଣଙ୍କ ସାଙ୍ଗରେ ପଠେଇବି, ପଠେଇବି । ଆପଣ ମନରେ କିଛି କିମ୍ୱା ନ କରି ଚଞ୍ଚଳ ଉଠିବ ଟି ! ତାଙ୍କର ଆସିବାବେଳ ହୋଇଯାଇଛି, ଆଗରୁ କାମ ସାରିବଟି !’’ ଏ କଥା ଶୁଣି ବ୍ରାହ୍ମଣ କହିଲା, ‘‘ଦେଏଖେ-! ତୋ କଥାରେ ବିଶ୍ୱାସ କରି ମୁଁ ଗାଧୁଆ ପାଧୁଆ କରିବି । କଅଣ କହୁଛୁ ଠିକ୍ କରି କହ ।’’ ଶବର କହିଲା, ‘‘ଜାଇଁଲ ! ତୁମ ଦେହ ଛୁଇଁ ନିୟମ କଲି, ତେବେ ବି ପରତେ ଯାଉନାହିଁ । ମୁଁ କଅଣ ଏଡ଼େ ଗମାର ହୋଇଛି ଯେ ମିଛ କଥାରେ ଆପଣଙ୍କ ଦେହଛୁଇଁ ଜାଣୁଜାଣୁ ଅହିନର୍କରେ ଘାଣ୍ଟିହେବି । ଉଠ, ଗାଧୁଆ ପାଧୁଆ କରିପକାଅ । ଈଶ୍ୱରଙ୍କୁ ତୁମ ସାଙ୍ଗରେ ପଠାଇବା କଥା ମତେ ଲାଗେ, ଉଠ ସଞ୍ଜବତୀ ଲାଗି ଗଲାଣି, ଆଉ ଡେରି କର ନା-।’’ ବ୍ରାହ୍ମଣ କଷ୍ଟେ ମଷ୍ଟେ ଉଠିକରି ଠିଆ ହୋଇ କହିଲା, ‘‘ଦେଖ, ତୁମ କଥା ମାନି ଉଠିଲି, ଧର୍ମ ଅଧର୍ମ ତୁମର । ଈଶ୍ୱରଙ୍କୁ ନ ଦେଖିଲେ ଜଳ ସ୍ପର୍ଶ କରିବି ନାହିଁ ବୋଲି ପ୍ରତିଜ୍ଞା କରିଥିଲି; ତୁମ କଥାରେ ବିଶ୍ୱାସ କରି ଉଠିଲି-।’’ ଶଅର ଧଡ଼ପଡ଼ ହୋଇ ଯାଇ ଦି ଚାରିଟା ପୋଇଚାନ୍ଦିଆ ମଞ୍ଜି ଆଣି ବ୍ରାହ୍ମଣଙ୍କୁ ଦେଇ କହିଲା, ‘‘ନନା, ଏହାକୁ ଏ ପଥର ଉପରେ ଛେଚି ଦିଅ, ତେଲ ବାହାରିବ-। ଭଲ କରି ଦେହରେ ମୁଣ୍ଡରେ ଲଗାଇ ପକାଅ । ଡାହାଣୀଆଁ ସଞ୍ଜବେଳଟା, ନୋହିଲେ ଲସମ ଧରିବ । ବ୍ରାହ୍ମଣ ମଞ୍ଜି ଛେଚି ଲଗାଇଲାରୁ ଶଅର ଦୁଇଟି ଶାଳପତ୍ର ଠୋଲା କରି ଦେଇ, ବ୍ରାହ୍ମଣଙ୍କୁ ନେଇ ଗୋଟିଏ ଝରଣା ଦେଖାଇ ଦେଲା । ବ୍ରାହ୍ମଣ ଗାଧୋଇ ପାଧୋଇ ଶାଳପତ୍ର ଠୋଲାରେ ପାଣି ଆଣି ଫେରିଲା । ଶଅର ତା ଦୁଆରେ ଖଣ୍ଡିଏ ମିରିଗ ଛାଲ ପାରିଦେଇ କହିଲା ‘‘ନନା ଟିକିଏ ବସିଯାଅ । ସେବା ପୂଜା ସାରି ଦିଅ ।’’ ବ୍ରାହ୍ମଣ ବସିବାରୁ ଶଅର କୁନିଆ ଭିତରକୁ ଯାଇ ଶଉରୁଣୀକୁ କହିଲା, ‘‘ଫଳ ବୋଝଟା ଦେବୁଟି, ଆଗ ଅତିଥି ସେବା କରି ପାରିଲେ ଯାହା ବଳିବ ଆମେ ଖାଇବା ।’’ ଶଉରୁଣୀର ପେଟ ଭୋକରେ ହାଉ ହାଉ ହୋଇ ଜଳୁଥାଏ । ଏକଥା ଶୁଣି ଚିଡ଼ିକରି କହିଲା, ‘‘ରଅଖମ ତୋ ଅତିଥି, ଏଣେ ମୋ ପେଟ ଅତିଥି ଯେ ଭୋଗରେ ରଡ଼ି ଛାଡ଼ିଲାଗଣି ! ତୋ ଅଧକ ନେ, ଅତିଥି ସେବା କର, ନୋହିଲେ ପାଣିକି ପକାଇ ଦେ କି ନିଜେ ଗିଳ୍‍, ମୋ ଅଧକରୁ ଗୋଟିଏ କମି ହୋଇ ପାରିବ ନାହିଁ ।’’ ଏହା କହି ଫଳମୂଳରୁ ଅଧେ ଗୋଟିଏ ପାଚିଆରେ ଆଣି ଶଅର ଆଗରେ ଫୋପାଡ଼ି ଦେଇ, ନିଜ ଅଧକ ଧରି ଖାଇବସିଲା । ଶଅର ଫଳ ପାଚିଆଟି ଆଣି ବ୍ରାହ୍ମଣ ଅଗରେ ଥୋଇଲା । ଶଉରୁଣୀ କଥାତକ ସବୁ ବ୍ରାହ୍ମଣକୁ ଶୁଭୁଥିଲା । ବ୍ରାହ୍ମଣ କହିଲା ‘‘ବୁଝିଲ ନା ପୁତା, ମୋର ଜମା ଖାଇବାକୁ ଇଚ୍ଛା ନାହିଁ । ମତେ ଗୋଟାଏ ଖଣ୍ଡେ ଦେଇ ବାକିତକ ତୁମେ ଖାଇଦିଅ । ମୋର କଅଣ ଖାଇବାରେ ମନଅଛି ! ମୋ ମନ ଯାଇ ସେହି ଈଶ୍ୱରଙ୍କଠାରେ ।’’ ଶଅର କହିଲା, ‘‘ନନା, ତୁମେ ସେ ଅଲକ୍ଷଣୀ କଥା ଶୁଣିଲ କି ? ତୁମେ ଆଗ ପେଟ ପୂରାଇ ଖାଇବଟି ! ବଣରେ କଅଣ ଫଳ ମୂଳ ଅଭାବ ହୋଇଛି ! ମୁଁ ଯାଇ ଲହମାକରେ ଆହୁରି ଦଶ ଟୋକେଇ ଫଳ ଘେନି ଆଣିବି । ତୁମେ ମନବୋଧ କରି ଖାଅନା !’’ ଏହା କହି ଦିଖଣ୍ଡ କାଠ ଆଣି ନିଆଁ କରି ଦେଇ, କେଉଁ ଫଳ ମୂଳକୁ ପୋଡ଼ିବାକୁ ହେବ, କାହାକୁ କଞ୍ଚା ଖାଇବାକୁ ହେବ ସବୁ ବତେଇ ଦେଲା । ବ୍ରାହ୍ମଣ ଠିକ୍ ଠାକ୍ କରି ପତ୍ରରେ ବାଢ଼ି ଶ୍ରୀବିଷ୍ଣୁ କରିବା ପୂର୍ବରୁ ପୁଣି ଥରେ କହିଲା, ‘‘ଦେଏଖେ ପୁତା, ମୁଁ ତୋ କଥାରେ ଖାଇଲି, ଧର୍ମ ଅଧର୍ମ ତୋର ।’’ ଶଅର କହିଲା, ‘‘ମୁଁ ତୁମ ସାଙ୍ଗରେ ଯେ ପରକାରେ ହେଉ ଈଶ୍ୱରଙ୍କୁ ପଠାଇ ଦେବି, ତୁମେ ଆଗ ପେଟ ପୂରା ବରି ଖାଇ ଦବଟି !’’ ଏ କଥା ଶୁଣି ହରି ଖୁସି ମନରେ ମନବୋଧ କରି ଖାଇଲା, ହାତ ଧୋଇଲା । ଶଅର ଗୋଟିଏ କଷାଫଳ ଆଣି ପାଟିରେ ପକାଇବାକୁ ତାଙ୍କୁ ଦେଲା ।

 

ଏହି ସମୟରେ କଅଣ ହେଲା ନା, ତାଙ୍କ କୁଡ଼ିଆ ପାଖରେ ଗୋଟାଏ ମହାବଳ ବାଘ ନିର୍ଘାତ ହେଣ୍ଟାଳ ଛାଡ଼ିଲା । ଚାହୁଁ ଚାହୁଁ ବାଘ ଆସି ତାଙ୍କ ଆଗରେ ହାଜର । ଛାତିଏ ଉଞ୍ଚ ଏକ ପଟାହାରିଆ ମହାବଳ । ନିଶ ଫୁଲାଇ, ଚଉକ ପକାଇ, ଲାଙ୍ଗୁଡ଼ ବାଡ଼େଇ ଛାଡ଼ିଲା ଗର୍ଜନ । ଏ ରଡ଼ି ଶୁଣି ବ୍ରାହ୍ମଣ ଭୟରେ ଆସି ଶଅରକୁ କୁଣ୍ଢାଇକରି ଧଇଳା, ଶଉରୁଣୀ ବି ବିକଳରେ କୁଡ଼ିଆ ଭିତରକୁ ଆସି ଶଅରକୁ କୁଣ୍ଢାଇଲା । ବାଘ ଥିଲା ଥିଲା ମାଇଲା ଡିଆଁ । ଲେଡ଼ାଟାଏ ମାରି ଗୋଟାଏ ପାଖକୁ ବ୍ରାହ୍ମଣକୁ ଫିଙ୍ଗି ଦେଲା, ଆର ପାଖକୁ ଶଉରୁଣୀକୁ ଫୋପାଡ଼ି ଦେଲା, ଶଅରର ତଣ୍ଟି ଚିପି ଖଣ୍ଡେ ଦୂରକୁ ପକାଇଦେଇ ପୁଣି ବସି ଗର୍ଜନ କରି ଲାଙ୍ଗୁଡ଼ ବାଡ଼େଇଲା । ଛାନିଆରେ ଶଉରୁଣୀ ଓ ବ୍ରାହ୍ମଣ ଦୁହେଁଯାକ ତଳେ ପଡ଼ିଗଲେ । ପୁଣି ବାଘ ମାଇଲା ଡିଆଁ, ଲେଡ଼ାଏ ମାରି ବ୍ରାହ୍ମଣକୁ ଗୋଟାଏ ପାଖକୁ ଫୋପାଡ଼ି ଦେଇ ଶଉରୁଣୀର ତଣ୍ଟି ଚିପି ଶଅର ପାଖକୁ ପକାଇ ଦେଲା । ବ୍ରାହ୍ମଣ ବିଚାରା ଏହା ପରେ ତା ପାଳି ପଡ଼ିବ ବୋଲି ଜାଣି ଅତର୍ଚ୍ଛରେ ମୁହଁମାଡ଼ି ପଡ଼ିଥାଏ-। ଏହି ସମୟରେ ତାକୁ ଶୁଭିଲା; ‘‘ହେ ବ୍ରାହ୍ମଣ, ଉଠ୍ ଉଠ୍ ।’’ ଏ କଥା ଶୁଣି ସେ ବିଚାରିଲା, ଆରେ ମଣିଷ ଆସିଗଲେ, ବାଘ ପଳାଇଲା । ମୁଣ୍ଡ ଟେକି ଚାହିଁଲା ବେଳକୁ ନିଶଫୁଲାଇ ଚଉକ ପକାଇ ଆଗରେ ବସି ବାଘ ତାକୁ କଟମଟକରି ଚାହିଁଛି । ଚାହିଁ ଜଳକା ହୋଇ ବାଘ ମୁହଁକୁ ଅନାଇ ରହିଲା-। ବାଘ କହିଲା, ‘‘ତତେ ମାରିବି ।’’ ବାଘ ପାଟିରୁ ମଣିଷ କଥାଶୁଣି ବ୍ରାହ୍ମଣ କାବା ହୋଇଗଲା-। ପୁଣି ବାଘ କହିଲା, ‘‘ତତେ ମାରିକରି ଖାଇବି ।’’ ବ୍ରାହ୍ମଣ ତ ଆଗରୁ ମୁଣ୍ଡକୁ ପାଣି ଛଡ଼ାଇ ଦେଇ ଥାଏ । ଦରଦରଖଣ୍ଡିଆ କରି କହିଲା, ‘‘ଶଅର ଈଶ୍ୱରଙ୍କୁ ମୋ ସାଙ୍ଗରେ ପଠାଇ ଦେବ ବୋଲି କହିଥିଲା, ତାକୁତ ମାରିଦେଲୁ । ତେଣେ ଗଲେ ରଜା ମାରିବ, ଏଣେ ତୁ ଏବେ ମାରିବୁ, ମାର୍ ।’’ ବାଘ କଅଁଳେଇ କରି କହିଲା ‘‘ଆରେ ମୁଁ ଆଉ ତତେ ମାରିବି ନାହିଁ । ଉଠି କରି ବସ । ରଜା କଅଣ ମାରିବ ବୋଲି କହିଲୁ ? କିଛି ଭୟ ନାହିଁ ଉଠ୍ । ବ୍ରାହ୍ମଣ ଡରି ଡରି କରି ଉଠିଲା, ଏକା ନିଶ୍ୱାସକେ ସବୁ କଥା କହିଗଲା । ତା କଥା ଶୁଣି ବାଘ କହିଲା, ‘‘ଆରେ, ମୁଁ ଈଶ୍ୱର ।’’ ବ୍ରାହ୍ମଣ କହିଲା, ‘‘ମତେ ସମ୍ଭବ ହେଉଛି, ଆପଣ ଈଶ୍ୱର ହେବେ । କାରଣ ପିଲାଙ୍କୁ କଥାରେ କହନ୍ତି ବାଘ ମାମୁ ଏ କଥା କହିଲା ସେ କଥା କହିଲା । ମାତ୍ର ପଶୁଜନ୍ତୁ ମଣିଷ ପରି ଏପରି ବିରୋଳ କଥାଭାଷା କରିବାର ଦେଖା ନାହିଁ କି ଶୁଣା ନାହିଁ । ପୁଣି ଆପଣଙ୍କ ଦେହରୁ ଗୋଟାଏ ତେଜ ବାହାରୁଛି, ସେଥିଯୋଗୁଁ ଦିହୁଡ଼ୀ ଜଳିଲାପରି ଚାରିଆଡ଼ ହାଲୋରମୟ ଦିଶୁଛି । ଯଦି ଆପଣ ଈଶ୍ୱର ତେବେ ମୋ ସାଙ୍ଗରେ ଟିକିଏ ଚାଲନ୍ତୁ, ରଜାକୁ କହିଦେବେ, କୁଷାନ୍ନାଙ୍କୁ ରଖିବାକୁ ମୁଁ ଏହାକୁ କହିଥିଲି । ନୋହିଲେ ସେ ମୂର୍ଖ ରଜା ମନ୍ତ୍ରୀ କଥାରେ ପଡ଼ି ମତେ ଆଉ ମୋ ମାଆକୁ ଶୂଳୀରେ ଚଢ଼ାଇବ ।’’ ଏ କଥା ଶୁଣି ବାଘ କହିଲା ‘‘କିଛି ଡର ନାହିଁ, ମୁଁ ଯାହା କହୁଛି ଲୟ କରି ଶୁଣ୍ । କିଛି ଚିନ୍ତା ନାହିଁ । କାଲି ବଡ଼ି ଭୋରରୁ ଯାଇ କରି ରଜାକୁ କହିବୁ, ମୋର କାଲି ଈଶ୍ୱରଙ୍କ ସାଙ୍ଗରେ ଦେଖା ହେଲା, ସେ ଏଠାକୁ ଆସିବାକୁ ମନାକଲେ । କହିଲେ—‘‘ଯେଉଁ ଅଧର୍ମୀ ରଜା ମନ୍ତ୍ରୀ ବୋଲରେ ପଡ଼ି ଅତିଥିକୁ ଦୁଆରୁ ଫେରାଇ ଦେଲା; ପୁଣି ତାକୁ ଆଉ ଜଣେ ରଖିଲା ବୋଲି ତା ବଂଶକୁ ଶୂଳୀ ଦେବ ବୋଲି ବସିଛି, ଏପରି ପାମର ରଜାକୁ ଈଶ୍ୱର କଣ ଦେଖା ଦେବେ ?’’ ବାଘ କଥା ନ ସରୁଣୁଁ ବ୍ରାହ୍ମଣ କହିଲା, ‘‘ଆଜ୍ଞା ! ଏ କଥା ଶୁଣିଲାକ୍ଷଣି ସେ ଚଣ୍ଡାଳ ମତେ ସାଙ୍ଗେ ସାଙ୍ଗେ ମାରି ପକାଇବ-।’’ ସେଥିରୁ ବାଘ କହିଲା, ‘‘ଦେଏଖେ, ମୋଟେ ଡରିବୁ ନାହିଁ-! ମୁଁ ତୋ ସାଙ୍ଗେ ସାଙ୍ଗେ ଅଛି । ସେ ତୋ ଦେହରେ ଟିପ ଛୁଆଁଇ ପାରିବ ନାହିଁ । କହିବୁ, ଈଶ୍ୱର ଖାଲି ଏତିକି କହି ନାହାନ୍ତି । ସେ ଆଉରି କହିଛନ୍ତି, ଆଜି ରାତି ଠିକ୍ ଏତିକିବେଳେ ରଜାଙ୍କର ଗୋଟିଏ ପୁଅ ଜନ୍ମ ହୋଇଛି, ଆଉ ତାଙ୍କର ହାଡ଼ିଆଣୀର ଗୋଟିଏ ଝିଅ ବି ହୋଇଛି । ସେ ଦୁହିଁଙ୍କୁ ଏକାଠେଇଁ ଶୁଆଇ ଦେଲେ ଈଶ୍ୱର ଯାହା କହିବାର କହିବେ । ଦେଏଖେ, ଭୁଲିବୁ ନାହିଁ, ମୁଁ ତୋ ସାଙ୍ଗେ ସାଙ୍ଗେ ଥିବି । ଲୟ ରଖି ସବୁ କହିବୁ । ମୁଁ ଯାଉଛି ।’’ ଏତକ କହି ବାଘ ସାଙ୍ଗେ ସାଙ୍ଗେ ସେହି ଥାନରେ ଉଭେଇ ଗଲା । ହରି ବିଚାରାଟି ଜଳ ଜଳ କରି ଅନାଇ ରହିଲା । ବିଚାରିଲା, ‘‘ମୁଁ ଆଉ କଅଣ ସପନ ଦେଖୁଛି ?’’ ଆଖି ମଳି ମଳି ପୁଣି ଚାରିଆଡ଼କୁ ଚାହିଁଲା । ଶଅର ଶଉରୁଣୀ ଦିଟା ମରି କରି ଲମ୍ୱ ଜାଲ ହୋଇ ପଡ଼ିଛନ୍ତି । ମଳା ମଳା ହୋଇ ରକତ ଜମା ହୋଇଛି । ତାକୁ ଭାରି ଡର ମାଡ଼ିଲା । ଏ ସବୁ କଥା ସତ ନା ସପନ କିଛି ଠିକ୍ କରି ପାରୁ ନ ଥାଏ-। ଏହିପରି ହୋଇ ରାତି ପାହିଲା । କୁଆ, କୋଇଲି, କୁମ୍ଭାଟୁଆ ରାବ ଦେଲେ । ସୂର୍ଯ୍ୟ ଉଇଁଲେ-। ତା ମନରେ ଦମ୍ଭ ଆସିଲା । ଯାହା ହେବାର ହେଉ ପଛକେ, ସବୁ କଥା ଯାଇ କରି ରଜାଙ୍କ ଆଗରେ କହିବ ବୋଲି ଠିକ୍ କରି ଗୋଟିଏ ଗୋଟିଏ ଫେରିଲା ।

 

କଚିରୀ ଲାଗିଛି । ରଜା ମନ୍ତ୍ରୀ ବସିଛନ୍ତି । ବ୍ରାହ୍ମଣ ଯାଇ ପହଞ୍ଚିଲା । ତାକୁ ଦେଖି ରଜା ପଚାରିଲେ, ‘‘କିରେ ! ଈଶ୍ୱରଙ୍କୁ ଆଣିଲୁ ?’’ ମନ୍ତ୍ରୀ ଥଟ୍ଟା କରି କହିଲେ, ‘‘ଈଶ୍ୱରଙ୍କୁ ବୋଧହୁଏ ଅଣ୍ଟାରେ ଖୋସିକରି ଆଣିଛି ।’’ ବ୍ରାହ୍ମଣ ମନ୍ତ୍ରୀ କଥାରେ କାନ ନ ଦେଇ କହିଲା, ‘‘ମଣିମା ! କାଲି ରାତିରେ ଈଶ୍ୱରଙ୍କ ସାଙ୍ଗରେ ଦେଖାହେଲା । ଏ ମୁଣ୍ଡ ରହିଲେ ସେ ଯାହା କହିଛନ୍ତି କହିବି ।’’ ଏ କଥା ଶୁଣି ମନ୍ତ୍ରୀ ଠୋ ଠୋ ହସି ଉଠି କହିଲେ, ‘‘ତୋର ତ ମୁଣ୍ଡ ରହିବା କଥା ସବୁ ଜଣା ଗଲାଣି । ଆଚ୍ଛା, ତୋର ତ ଈଶ୍ୱରଙ୍କ ସାଙ୍ଗରେ ଦେଖା ହୋଇଗଲା । ସେ କଅଣ ସବୁ କହିଲେ, କହିଲୁ ! କେତେ ଗାଲୁ ପେଲୁଛୁ, ପେଲ୍ ।’’ ସେଥିରୁ ବ୍ରାହ୍ମଣ କହିଲା, ‘‘ଈଶ୍ୱରଙ୍କ ସାଙ୍ଗରେ କାଲି ରାତିରେ ଭେଟ ହେଲା । ସେ ଏଠାକୁ ଆସିବାକୁ ନାସ୍ତି କଲେ । କହିଲେ–ଯେଉଁ ରାଜା ମନ୍ତ୍ରୀ ବୋଲରେ ପଡ଼ି ଅତିଥିକୁ ଦୁଆରୁ ଫେରାଇ ଦେଲା, ସେହି ଅତିଥିକୁ ଆଉ ଜଣେ ରଖିଲା ବୋଲି ତା ବଂଶକୁ ଶୂଳୀ ଦେବାକୁ ବାହାରିଛି ତା ପରି ପାପିଷ୍ଠ ରଜାକୁ ମୁଁ ଦେଖା ଦେବି !’’ ଏ କଥା ଶୁଣିଲାକ୍ଷଣି ମନ୍ତ୍ରୀ ରାଗରେ ଗର୍ଜ୍ଜନ କରି ଉଠିଲେ—‘‘କିଏ ଅଛରେ, ଏ ଶଳାକୁ ଚଞ୍ଚଳ ଆମ ଆଗରୁ ନେଇ ଶୂଳୀ ଦିଅ-। ଶଳାଟା ଛୋଟ ତୁଣ୍ଡରେ କେଡ଼େ ବଡ଼ କଥା କହୁଛି । ଚଞ୍ଚଳ ଆମ ଆଗରୁ ନେଇ ଡାହାଳ କୁକୁର କାମୁଡ଼ାଇ ଏହାକୁ ବଧ କର ।’’ ଏ କଥା ଶୁଣି ବ୍ରାହ୍ମଣ ଭୟ ନ କରି ତେଜରେ କହିଲା, ‘‘ଦେଖ, ଈଶ୍ୱର କହିଛନ୍ତି ମୋ ଦେହରେ ଟିପ ଛୁଆଇଁଲେ ସେ ତୁମକୁ ଠିକ୍ କରି ଦେବେ । କଥାଟା ଶେଷ ପର୍ଯ୍ୟନ୍ତ ନ ଶୁଣି ଏପରି ହେଉଛ କିଆଁ ?’’ ମନ୍ତ୍ରୀ ବି ରାଗରେ ଗୋଟିକଯାକ ଥରି ଉଠି କହିଲେ, ‘‘ତତେ ତ ମରଣ ବାଉଳା ଧରିଲାରି । କଣ ଗପି ଯାଉଛୁ ଯା, ଦେଖାଯିବ ଯେ ।’’ ବ୍ରାହ୍ମଣ ସେହିପରି ଠୋ ଠୋ ହସି କହିଲା, ‘‘ଈଶ୍ୱର କହିଛନ୍ତି, ଗଲା ରାତି ପହରେ କି ପାଞ୍ଚଘଡ଼ି ମଧ୍ୟରେ ମହାରାଜାଙ୍କର ଗୋଟିଏ ପୁଅ ହୋଇଛି ।’’ ମନ୍ତ୍ରୀ ତା କଥା ଶେଷ ପର୍ଯ୍ୟନ୍ତ ନ ଶୁଣି ପୁଣି ଠୋ ଠୋ ହୋଇ ହସି କହିଲେ, ‘‘ଓହୋ ! ଈଶ୍ୱର ତତେ କେଡ଼େ ଗୁପ୍ତ କଥାଟିଏ କହିଛନ୍ତି । ଆରେ କାଲି ରାତିରେ ପାଟକୁମାର ଜନ୍ମ ହୋଇଛନ୍ତି ବୋଲି ଏ ଦୁଇ ଶହ କୋଶ ରାଜ୍ୟ କମ୍ପୁଛି । କେଡ଼େ ଗଣ୍ଠି କଥାଟିଏ ଈଶ୍ୱର କହିଲେ ! ଆଚ୍ଛା, କହତ ଦେଖି, ଆଉ କି କି ଗୁପତ କଥାସବୁ ଈଶ୍ୱର କହିଛନ୍ତି ?’’ ବ୍ରାହ୍ମଣ କହିଲା, ‘‘ଆହୁରି କହିଛନ୍ତି—ଯେଉଁ ହାଡ଼ିଆଣୀ ଛାମୁଙ୍କର ପାଇଖାନା ସଫା କରେ କାଲି ରାତି ସେତିକିବେଳେ ତାର ବି ଗୋଟିଏ ଝିଅ ହୋଇଛି । ସେ ଦୁହିଁଙ୍କୁ ଏକାଠେଇଁ ଶୁଆଇ ଦେଲେ ଈଶ୍ୱର ଯାହା କହିବାର କହିବେ ।’’ ଏ କଥା ଶୁଣି ମନ୍ତ୍ରୀ କହିଲେ, ‘‘ହଇରେ ବାହାପିଆ ! ତୁ ପରା ସେହି ହାଡ଼ିଆଣୀ ଘର ବାଟେ ଅଇଲୁ । ତା ଝିଅ ହେବା କଥା ବୁଝି କରି ଆସିଛୁ ନା ?’’ ରଜାଙ୍କୁ କହିଲେ, ‘‘ମଣିମା, ଏ ବ୍ରାହ୍ମଣଟାକୁ ସହଜ ଠଉରାନ୍ତୁ ନାହିଁ; ଏଇଟା ଗୋଟାଏ ନିପଟି ପାହୁଆ । ମନେ ମନେ ଗୋଟାଏ ଫିକର ପାଞ୍ଚିକରି ଆସିଛି । ଭାବିଛି, ରଜାପୁଅ ଆଉ ହାଡ଼ିଆଣୀ ଝିଅକୁ ଏକାଠେଇ ଶୁଆଇବେ, ନା ମୋ କଥା ବୁଝିବେ । ମୁଁ ପାହୁମାରି ଖସି ଆସିବି । ଆଚ୍ଛା, ଏହାରି ଜିଗରକୁ ପାଟକୁମାରଙ୍କୁ ଆଣି ଏଠାରେ ଶୁଆଇବା ଆଉ ହାଡ଼ିଆଣୀ ଝିଅକୁ ବି ଅଣାଇ ତାଙ୍କ ପାଖରେ ଶୁଆଇବା । ପାଟକୁମାରଙ୍କର କିଛି ଜାତି ବାହାରି ଯିବ ନାହିଁ ମ । କିଏ ଅଛରେ ? ଆଠ ଦଶଟା ଦା ଆଣି ଘଷି ନିଆଁରେ ପଚାଇ କରି ରଖ, ଆଉ କଂସାଏ ଧାନୁଆଁ ଲଙ୍କାମରିଚ ବାଛି କରି ରଖ । ଏହାରି କଥାକୁ ସେ ଦୁହିଁଙ୍କି ଆଣି ଏକାଠେଇଁ ଶୁଆଇବା । ଈଶ୍ୱର ତ ଯାହା କହିବେ ତା ଆଗରୁ ଜଳ ଜଳ ହୋଇ ଦିଶୁଛି । ତାପରେ ସେ ପାଚିଲା ଦାଆରେ ଏ ପାହୁଆର ଦେହଯାକ ଛକି କାଟି ତା ଦେହରେ ଧାନୁଆ ଲଙ୍କାମରିଚ ବଟା ବୋଲି ରାଜ୍ୟଯାକ ବୁଲାଇ ଶୂଳୀ ଦେବା । ଦେଖିବା, କେଉଁ ଈଶ୍ୱର ବାପ ଆସି ତା ପିଠିରେ ପଡ଼ିବ ।’’ ରାଜକୁମାରଙ୍କୁ ଆଣିବାକୁ ସାଙ୍ଗେ ସାଙ୍ଗେ ହୁକୁମ୍ ପଡ଼ିଲା । ହାଡ଼ିଆଣୀକୁ ତା ଝିଅକୁ ଆଣିବାକୁ ବି ହୁକୁମ ହେଲା । ସଭାରେ ମଖମଲ ଗଦି ଓ ମଖମଲ ମୁଚୁଳା ପଡ଼ିଲା । ସେ ବିଛରାକୁ ଟିକିଏ ଛାଡ଼ି ହାଡ଼ିଆଣୀ ଝିଅ ପାଇଁ ଖଣ୍ଡିଏ ପରୁଡ଼ି ମଶିଣା ପଡ଼ିଲା । ଟିକିଏ ଛାଡ଼ି ମୁଦୁସୁଲି ପାଟକୁମାରଙ୍କୁ ଆଣି ମଖମଲ ଗଦି ଉପରେ ଶୁଆଇ ଦେଲା । ଥାଟପଟାଳୀ ଲୋକ ରହସ୍ୟ ଦେଖିବାକୁ ଜମା ହୋଇଛନ୍ତି । ରାଜକୁମାରଙ୍କୁ ଦେଖି ସମସ୍ତଙ୍କ ପେଟ ପୂରିଗଲା । ଭାରି କଉତୁକିଆ ଦିଶୁଚନ୍ତି । ଏହି ସମୟରେ ହାଡ଼ିଆଣୀ ତା ଝିଅକୁ ଆଣି ପରୁଡ଼ି ମଶିଣାରେ ଶୁଆଇଦେବା ମାତ୍ରେ ରାଜକୁମାର ଆର ପାଖକୁ ମୁହଁ ବୁଲାଇ ଦେଲେ । ଦିନକର ପିଲା, ସମସ୍ତେ ‘‘ଆହା ! ପାଟକୁମାର ଅଣେଇ ହୋଇ ପଡ଼ିଲେ’’ ବୋଲି ପାଟିତୁଣ୍ଡ କଲେ । ଏତିକିବେଳେ କଅଣ ହେଲା ନା ସେ ଦିନକର ପିଲା ହାଡ଼ିଆଣୀ ଝିଅଟି ଠୋଷରେ କହିଲା, ‘‘ମଲାମୋର । ତେଣିକି କାହିଁକି ମୁହଁ ବୁଲାଇ ଦେଉଛ ମ ? ମୋ ଆଡ଼କୁ ଟିକିଏ ଚାହୁଁ ନାହଁ ?’’ ଏ କଥା ଶୁଣି ସମସ୍ତେ କାବା ହୋଇ ଶୂନଶାନ ହୋଇଗଲେ । ପାଟକୁମାର ମୁହଁ ନ ବୁଲାଇ ଭାରି ମଧୁର ସ୍ୱରରେ କହିଲେ, ‘‘ଅଲକ୍ଷରି, ନାହାକାଟି, ତୁ କାଲି ରାତିରେ ଅତିଥିକୁ ଦୁଆରୁ ଫେରେଇ ଦେଇଛୁ; ଏ ଜନ୍ମ କଅଣ ? ଆଉ ଲକ୍ଷେ ଜନ୍ମରେ ତୋର ମୋର ମୁହଁ ଚାହାଁଚାହିଁ ନାହିଁ ।’’ ଏତକ କହି ସବୁ ଚୁପ୍‍ଚାପ୍‍ । ଏ ସବୁ ଶୁଣି ରଜା, ମନ୍ତ୍ରୀ, ସାଧବ, କଟୁଆଳ, ଆଉ ସବୁ ଦେଖଣାହାରୀ ସମସ୍ତେ ଅବାକ୍ ହୋଇଗଲେ । ଟିକକ ପରେ ରଜା କହିଲେ, ’’ଆରେ, କିଏ ଅଛ ରେ, ବ୍ରାହ୍ମଣଙ୍କୁ ଗୋଡ଼ ଧୋଇବାକୁ ପାଣି ଦିଅ, ଆଉ ପାଟକୁମାରକୁ ଉଆସକୁ ନିଅ; ହାଡ଼ିଆଣୀ ବି ତା ଝିଅକୁ ଘେନିଯାଉ ।’’ ସାଙ୍ଗେ ସାଙ୍ଗେ ସେହିପରି କରାଗଲା । ବ୍ରାହ୍ମଣ ଗୋଡ଼ ଧୋଇ କରି ଆସିଲେ । ରଜା ତାଙ୍କୁ ଆପଣା ପାଖରେ ବସାଇ ପଚାରିଲେ ‘‘ମହାପାତ୍ରେ, ଏ କଥା କଅଣ ?’’ ବ୍ରାହ୍ମଣ ଠିକେ ଠିକେ ଈଶ୍ୱରଙ୍କୁ ଖୋଜିବା କଥା, ଶଅର ଶଉରୁଣୀ ଭେଟ କଥା, ବାଘ କଥା, ଟିକକ ଠାରୁ କହିଗଲା । ଶେଷରେ କହିଲା, ‘‘ସେହି ଶଅର ବୋଧହୁଏ ଆପଣଙ୍କ ପାଟକୁମାର ହୋଇ ଜନ୍ମ ହୋଇଛନ୍ତି, ଆଉ ସେ ଶଉରୁଣୀ ହାଡ଼ିଆଣୀ ଝିଅ ହୋଇଛି ।’’ ରଜା ଘଡ଼ିଏ କାଳ ଗୁମ୍ ହୋଇ କଥାଟାକୁ ଭାବିକହିଲେ, ‘‘ଦେଖ, କାଲି ରାତିରେ ଦୁହେଁଯାକ ସ୍ୱାମୀ ସ୍ତ୍ରୀ ହୋଇ ରହିଥିଲେ । ଜେଣ ଅତିଥି ସେବା କଲା ବୋଲି ମୋ ଘରେ ଆସି ପାଟକୁମାର ହୋଇ ଜନ୍ମ ହେଲା । ଆଉ ଜଣେ ଅତିଥିଙ୍କୁ ହତାଦର କଲା ବୋଲି ହାଡ଼ିଆଣୀ ଝିଅ ହୋଇ ନର୍କ ଘାଣ୍ଟିବାକୁ ଜନ୍ମ ହେଲା । ଆଚ୍ଛା, ମୋର ଏ ମନ୍ତ୍ରୀ ତ ଆରଜନ୍ମରେ ମତେ ଘୁଷୁରି ଲାଞ୍ଜରେ ଟିଙ୍କ ହୋଇ ଜନ୍ମ ହେବାର ବରାଦ କଲାଣି ।’’ ଏତକ ଭାବି କହିଲେ, ‘‘ଆରେ, ଦାଆ ତତେଇଛ ପରା । ଆଚ୍ଛା, ଆମର ଏ ମନ୍ତ୍ରୀଙ୍କୁ ନିଅ । ଏହାଙ୍କଠାରେ ଦି ଚାରି ପଟା ତାତିଲା ଦାଆରେ ଚିଆଁ ଦେଇ ରାଜ୍ୟରୁ ବାହାର କରି ଦିଅ । ଆଉ ଗନ୍ତାଘରୁ ପାଟ, ମଠା ଓ ସୁନା କୁଣ୍ଡଳ ଆଣି ଏ ବ୍ରାହ୍ମଣଙ୍କୁ ପିନ୍ଧାଇ ଦିଅ । ଏ ଆଜିଠାରୁ ଆମର ମନ୍ତ୍ରୀ ହୋଇ ରହିଲେ ।’’

 

ହୁକୁମ ମୁତାବକ ମନ୍ତ୍ରୀଙ୍କୁ ଚିଆଁଦେଇ ରାଜ୍ୟରୁ ବାହାର କରି ଦିଆଗଲା ଓ ଶ୍ରୀହରିହର ମହାପାତ୍ର ପରମଗୁରୁ ସେହି ଦିନଠାରୁ ମନ୍ତ୍ରୀ ହୋଇ ସୁଖରେ ରହିଲେ ।

Image

 

ପୂର୍ବଜନ୍ମ ତପସ୍ୟାର ଫଳ

 

ନେପାଳ ଦେଶ ପାଖରେ ଭୂପାଳ ଦେଶ । ରାଜାଙ୍କର ନା ଚନ୍ଦ୍ରଶେଖର । ଶତ୍ରୁ ରଜାମାନେ ଭୂପାଳ ଦେଶ ଉପରେ ଚଢ଼ାଉ କଲେ । ଭୂପାଳଦେଶ ପାଇକମାନେ ପଛଘୁଞ୍ଚା ଦେଲେ । କିପରି ଭାବରେ ଶତ୍ରୁମାନଙ୍କୁ ହଟାଇବାକୁ ହେବ ଏହି କଥା ବିଚାର କରିବାପାଇଁ ଜରା, ମନ୍ତ୍ରୀ, ସାଧବ, କଟୁଆଳ ଓ ସେନାପତି ମନ୍ତ୍ରଣା ଘରେ ଠୁଳ ହେଲେ । କି କି ଉପାୟରେ ଲଢ଼େଇ କରିବାକୁ ହେବ, କେଉଁ କେଉଁ ଘାଟୀମାନଙ୍କୁ କେତେ କେତେ ଚତୁରଙ୍ଗ ବଳ ଘେନି କିଏ କିଏ ଯିବ‌େ ସବୁ ଠିକ୍‍ଠାକ୍‍ ହୋଇଗଲା । ଅନ୍ୟାନ୍ୟ ବନ୍ଦୋବସ୍ତର ଭାର ମନ୍ତ୍ରୀଙ୍କ ଉପରେ ଦେଇ ରଜା ସଭା ଘରୁ ବାହାରକୁ ଆସିଲେ । ଖରାଦିନ, ସନ୍ଧ୍ୟା ହୋଇ ଯାଇଥାଏ । ରାଣୀ ହଂସପୁର ବଗିଚାରୁ ମଲ୍ଲୀ, ଯୂଈ, ନିଆଳୀ ଫୁଲର ବାସନା ବୋଲି ହୋଇ ଦକ୍ଷିଣା ପବନ ବହୁଛି । ରଜାଙ୍କର ସେ ବଗିଚାରେ ଟିକିଏ ବୁଲିବାକୁ ମନ ହେଲା । ସଭାଘରର ପଛ ପାଖକୁ ରାଣୀହଂସପୁର ବଗିଚାର ପାଚିରୀ ଲାଗିଛି । ମାଲ୍ୟାଣୀମାନେ ବାହାରୁ ଆସି ପାଣି ଦେବାକୁ ଯିବାପାଇଁ ସେହି ପାଖକୁ ଗୋଟିଏ ଗଳି କବାଟ ଅଛି । ପଦା ପାଖରୁ ଚାବିପଡ଼େ । ସକାଳୁ ପାଇକ ଆସି ତାଲା ଫିଟାଏ । ମାଲ୍ୟାଣୀମାନେ ବଗିଚାରେ କାମ କରିବାକୁ ପଶନ୍ତି । ପୁଣି ତାଲା ପଡ଼େ । ସନ୍ଧ୍ୟାକୁ ପାଇକ ପୁଣି ଆସି ତାଲା ଫିଟାଏ, ମାଲ୍ୟାଣୀମାନେ ବାହାରି ଯାଆନ୍ତି । ତାପରେ ପାଇକ ବଗିଚାଯାକ ତନଖି କରି ଆସି ପଦା ପାଖରେ ଚାବି ଲଗାଇ ଘରକୁ ଯାଏ । ସନ୍ଧ୍ୟା ଗଡ଼ି ଯାଇଥାଏ । ମାଲ୍ୟାଣୀମାନେ ଚାଲିଗଲେ । ପାଇକ ବଗିଚା ଭିତରେ କିଏ କୁଆଡ଼େ ଅଛି କି ନାହିଁ ବୋଲି ଚାରିଆଡ଼ ନିରେଖି କରି ଦେଖଛି । ସେ ଗଳି କବାଟ ମେଲା ଅଛି । ରଜା ବିଚାରିଲେ, ‘‘ଭିତରେ ରାଣୀହଂସପୁର ବାଟେ ବୁଲି କରି କିଏ ଯାଉଛି; ଗଳି କବାଟ ତ ମେଲା ଅଛି, ଏହିବାଟେ ଯିବି ।’’ ରଜା ଯେପରି ବଗିଚା ଭିତରକୁ ପଶିଛନ୍ତି, ପାଇକ ହାତରେ ତ ବନ୍ଧୁକ ଥିଲା; କଲା ଗୁଳି । କାରଣ ରଜାଙ୍କର ହୁକୁମ ଥାଏ, କେହି ପୁରୁଷ ଲୋକ ବଗିଚାରେ ପାଦ ଦେଲେ ସାଙ୍ଗେ ସାଙ୍ଗେ କିଛି ନ ବିଚାରି ଗୁଳି କରିବ । ଚାଣୀହଂସପୁର ବଗିଚାରେ ଅନ୍ୟପୁରୁଷ ଅବା କହିଁକି ପଶିବ ? ପାଇକ ଗୁଳି କରି ସାରି ଏଡ଼େ ସଉକୀ ପୁରୁଷଟାଏ କିଏ, ଯେ କି ସନ୍ଧ୍ୟାବେଳେ ରାଣୀହଂସପୁର ବଗିଚାରେ ପଶିବାକୁ ସାହସ କଲା ବୋଲି ଦେଖିବାକୁ ରାଗରେ ଆସି ଦେଖେ ତ ନିଜେ ରଜା ରକ୍ତ ସ୍ନାହାନ ହୋଇ ପଡ଼ିଛନ୍ତି । ପ୍ରାଣ ଛାଡ଼ିଗଲାଣି । ତାକୁ ଚାରିଆଡ଼ ଅନ୍ଧାର ଦିଶିଲା । ହାତରୁ ବନ୍ଧୁକ ଖସିପଡ଼ିଲା । ସେ ମୁଣ୍ଡରେ ହାତ ଦେଇ ବସି ପଡ଼ିଲା ।

 

ଏଣେ ମନ୍ତ୍ରୀ ସବୁ କଥା ଠିକ୍ ଠିକ୍ କରି ସମସ୍ତଙ୍କୁ ବିଦାୟ ଦେଇ ପଦାକୁ ଆସିଲେ । ବଗିଚା ଗଳି କବାଟ ମେଲା ଥିବାର ଦେଖି ବିଚାରିଲେ, ‘‘ରଜା ତ ଆସିଲେ, ଗୋଟାଏ ଢୁ କରି ଆବାଜ ହେଲା, ପୁଣି ଏତେ ରାତିରେ ବଗିଚା ଗଳି କବାଟ ମେଲା ହୋଇଛି, କଥା କଅଣ ?’’ ସେ ଯାଇକରି କବାଟ ପାଖରେ ପହଞ୍ଚି ଭିତରକୁ ଅନାଇଲେ । ଦେଖିଲେ, ରଜା ରକ୍ତ ସୁଡ଼ୁବୁଡ଼ୁ ହୋଇ ପଡ଼ିଛନ୍ତି; ପାଇକ ମୁଣ୍ଡରେ ହାତ ଦେଇ ତାଙ୍କ ପାଖରେ ବସିଛି । ଭିତରକୁ ପଶି କବାଟରେ ଭିତର ପଟୁ ଶିକୁଳି ଦେଇ ଦେଖନ୍ତି ତ ରଜାଙ୍କର ଜୀବ ଛାଡ଼ିଯାଇଛି । ସେ ମଧ୍ୟ ଛାନିଆ ହୋଇ ରଜାଙ୍କ ପାଖରେ ବସି ପଡ଼ିଲେ । କିଛିକ୍ଷଣ ପରେ ଭାବିଲେ, ‘‘ଏ କି ସର୍ବନାଶ ହେଲା ! ରଜାଙ୍କର ମରିବା ଖବର ଶୁଣିଲେ ଆମ ପାଇକ ଓ ରାଉତମାନଙ୍କର ସାହସ କମିଯିବ । ଶତ୍ରୁ ପକ୍ଷ ତେଜି ଉଠିବେ । ସବୁ ବିଭ୍ରାଟ ହୋଇଯିବ । ତହିଁ କି ପୁଣି ରଜାଙ୍କର ପୁଅ ନାହିଁ । କିଏ ଗାଦିରେ ବସିବ ?’’ ପୁଣି ଦମ୍ଭ ବାନ୍ଧି ମନରେ କଅଣ ଭାବି ପାଇକକୁ କହିଲେ, ‘‘ଆରେ ! ବସିଛୁ କଅଣ, ଉଠୁ ।’’ ପାଇକ ଥରି ଥରି ଉଠି ଠିଆହେଲା । ମନ୍ତ୍ରୀ କହିଲେ, ‘‘ଯା, କୋଡ଼ିକାଙ୍କ କେଉଁଠାରେ ଅଛି ଅଞ୍ଚଳ ଆଣି ଏଠାରେ ଗୋଟାଏ ଗାତ ଖୋଳି । ମନ୍ତ୍ରୀଙ୍କ କଥାରେ ପାଇକ ଯାଇ କୋଡ଼ି, କାଙ୍କ ଆଣି ବେଳେ ଗହୀରାର ଗୋଟାଏ ଗାତ ଖୋଳିଲା । ମନ୍ତ୍ରୀ ଓ ପାଇକ ଧରାଧରି କରି ରଜାଙ୍କର ଶବକୁ ନେଇ ତା ଭିତରେ ପୂରାଇଲେ । ରକ୍ତ ମାଟି ସବୁ ଟିକକଠୁଁ ଚାଞ୍ଛିକରି ସେ ଗାତ ଭିତରେ ପକାଇ ଗାତରେ ମାଟି ଚଳାଇଦେଇ କୋଡ଼ି ପଛରେ ତା ଉପର ବାଡ଼ିଆ ବାଡ଼େଇ କରି ସମତୁଲ କରିଦେଲେ । ତା ଉପରେ ଫୁଲ କୁଣ୍ଡ ମାନ ଆଣି ଥୋଇଲେ । ସବୁ ସରିଲାରୁ ମନ୍ତ୍ରୀ ପାଇକକୁ କହିଲେ, ‘‘ଦେଏଖେ; ତୁ ଏକଥା କାହାରି ଆଗରେ କହିବୁ ନାହିଁ । ଯା, ତୋ ପିଲାପିଲି ଘେନି ଅନ୍ୟ ଦେଶକୁ ପଳା ।’’ ପାଇକ ବିଚାରା ଶୂଳୀ ପାଇବ ବୋଲି ଭାବିଥିଲା । ମନ୍ତ୍ରୀଙ୍କର ଏକଥା ଶୁଣି ଗଳି କବାଟ ଫିଟାଇ ଦେଇ ଚମ୍ପଟ । ମନ୍ତ୍ରୀ ଗଳି କବାଟ ଦେବାକୁ ଯାଇଛନ୍ତି, ଦେଖିଲେ ଜଣେ ବାବାଜୀ ସେହିବାଟେ ଯାଉଛି । ଦଇବର ଘଟସୂତ୍ରକୁ ଦେଖ । ସେ ବାବାଜୀର ଚେହେରା ରାଜାଙ୍କ ଚେହେରା ସାଙ୍ଗରେ କେତେକାଂଶରେ ମିଳିଯାଉଛି । ହଠାତ୍ ମନ୍ତ୍ରୀଙ୍କୁ ଗୋଟାଏ ଉପାୟ ଦିଶିଗଲା । ମନ୍ତ୍ରୀ ବାବାଜୀଙ୍କୁ ଡାକି ବଗିଚା ଭିତରକୁ ଆଣି ଭିତର ପଟୁ ଶୀକୁଳି ଦେଲେ । ଗୋଟାଏ ଗଛ ମୂଳରେ ସେ ଓ ବାବାଜୀ ଦୁହେଁଯାକ ବସିଲାରୁ ମନ୍ତ୍ରୀର ରଜାଙ୍କ ମରିବା, ରାଜ୍ୟ ଶତ୍ରୁ ଘେରିବା କଥା କହି ଶେଷରେ କହିଲେ, ‘‘ଦେଖ ବାବାଜୀ, ମୁଁ ଆଜିଠାରୁ ତୁମକୁ ରାଜା କଲି । ମାତ୍ର ତୁମର ମୋର ଏହି ସତ୍ୟ ରହିଲା, ମତେ ନ ପଚାରି ତୁମେ କୌଣସି କଥା କରିବ ନାହିଁ ।’’ ବାବାଜୀ ଏକଥା ଶୁଣି କାବା ହୋଇଗଲା । ତାର ବାକ୍ୟ ସ୍ଫୁରିଲା ନାହିଁ । ଦଣ୍ଡେ ଖଣ୍ଡେ ଯିବାରୁ ବଡ଼ ଧୀର ଭାବରେ କହିଲା, ‘‘ନାହିଁ ବାବା । ମୁଁ ବାବାଜୀ ଲୋକ, ମୁଁ ଫେର୍ ରଜା ହେବି ?’’ ମନ୍ତ୍ରୀ କହିଲେ, ‘‘କିଛି ଚିନ୍ତା ନାହିଁ; ତାର ବାଟ ମୁଁ କରିବି । ମାତ୍ର ମତେ ନ ପଚାରି କିଛି କରିବ ନାହିଁ, ଏହି କଥା ରହିଲା ।’’ ବାବାଜୀ ମଙ୍ଗିଯିବାରୁ ମନ୍ତ୍ରୀ ବାବାଜୀଙ୍କୁ ସାଙ୍ଗରେ ନେଇ ବଗିଚା ଭିତର ରଙ୍ଗମହଲର କବାଟ ଫିଟାଇ ଭିତରକୁ ଗଲେ । ସେ ଘରେ ଖଟ, ପଲଙ୍କ, ଚୌକି, ବିଛଣା, ଢାଳ, ଗିଲାସ ଆଦି ସବୁ ଅଛି । ମନ୍ତ୍ରୀ ଶୋଇଲା ଘରେ ନେଇ ବାବାଜୀଙ୍କୁ ରଖି କହିଲେ, ‘‘ଦେଖ, ତୁମେ ମୋଟେ ପଦାକୁ ବାହାରିବ ନାହିଁ କି କାହାକୁ ଦେଖା ଦେବ ନାହିଁ । ଆଉ ସବୁ ଯାହା କରିବାର ମୁଁ କରିବି ।’’ ରଙ୍ଗମହଲକୁ ଯିବାକୁ ଗୋଟିଏ ବାଟ, ମନ୍ତ୍ରୀ ସେ ଦୁଆରେ ପଦା ପାଖରୁ ଶୀକୁଳି ଦେଇ ବଗିଚା ଭିତରେ ଯାଇ ରାଣୀହଂସପୁର ବାଡ଼ି କବାଟରେ ଡାକ ଛାଡ଼ିଲେ । ଏତେ ରାତିରେ ଭିତର ବଗିଚାରେ କିଏ ଡାକୁଛି ବୋଲି, ପୋଇଲୀ, ପରିବାରୀମାନେ ଧାଇଁ ଆସି ମନ୍ତ୍ରୀଙ୍କୁ ଦେଖି ତାଟକା ହୋଇଗଲେ । ମନ୍ତ୍ରୀ ସେମାନଙ୍କୁ କହିଲେ, ‘‘ମଣିମାଙ୍କ ଦେହ ଶକ୍ତ ବେମାର; ଶୀଘ୍ର ଛାମୁକରଣ ଓ ପଢ଼ିହାରୀଙ୍କୁ ଡାକିଦିଅ, ଆଉ ବୈଦ୍ୟଙ୍କୁ ଚଞ୍ଚଳ ଡକାଇ ପଠାଅ । ସାଙ୍ଗେ ସାଙ୍ଗେ କଥାଟା ଚାରିଆଡ଼େ ବ୍ୟାପିଗଲା । ରାଣୀ ଦାସୀମାନଙ୍କୁ ଧରି ରଜାଙ୍କୁ ଦେଖିବାକୁ ଧାଇଁ ଅଇଲେ । ମନ୍ତ୍ରୀତ ଦୁଆର ମୁହଁରେ ଜଗି କରି ବସି ଥାଆନ୍ତି । ଗୋଟିଏ ଦାସୀ ଆସି କହିଲା, ‘‘ମନ୍ତ୍ରୀ ସାଆନ୍ତେ, ଟିକିଏ ତେଣିକି ଯିବଟି, ପାଟରାଣୀ ଭିତରକୁ ବିଜେ କରିବେ ।’’ ଦାସୀ ଆଗରେ ଥାଏ, ରାଣୀ ତା ପଛରେ ଥାଆନ୍ତି । ମନ୍ତ୍ରୀ ହାତ ଯୋଡ଼ି କହିଲେ, ‘‘ମଣିମା ! ମୋ ଛଡ଼ା ଅନ୍ୟ କୌଣସି ଲୋକ ମହାରାଜାଙ୍କୁ ଦେଖିବ ନାହିଁ । କଥାଟା କହିଦେଲେ ସବୁ ବୁଝିଯିବେ । ତିନିବର୍ଷ ତଳେ ମହାରାଜ ଓ ମୁଁ କାଶୀ ଯାଇଥିଲୁଁ, ଆପଣ ତ ଜାଣନ୍ତି । କାଶୀର ଜଣେ ବଡ଼ ସର୍ବଜ୍ଞ ପଣ୍ଡିତ ମହାରାଜାଙ୍କ ହାତ ଦେଖି କହିଥିଲେ ଯେ ତିନିବର୍ଷ ପରେ ଦିନେ ସନ୍ଧ୍ୟାକୁ ମହାରାଜାଙ୍କୁ ଗୋଟିଏ ଅଚିହ୍ନା ବ୍ୟାଧି ଘୋଟିଯିବ; ସେ କଳାକାଠ ପଡ଼ିଯିବେ । ଯଦି କୌଣସି ଲୋକ ତାଙ୍କୁ ସାଙ୍ଗେ ସାଙ୍ଗେ ନେଇ ଗୋଟାଏ ଘରେ ବନ୍ଦ କରିଦେବ ତାହେଲେ ସେ ରକ୍ଷା ପାଇଯିବେ ଓ ଯେଉଁ ଲୋକ ପ୍ରଥମରେ ତାଙ୍କୁ ଛୁଇଁଥିବ ତା ଛଡ଼ା ଅନ୍ୟ ଲୋକର ଛାଇ ତାଙ୍କ ଉପରେ ପଡ଼ିଲେ ସାଙ୍ଗେ ସାଙ୍ଗେ ତାଙ୍କର ପ୍ରାଣ ଛାଡ଼ିଯିବ । ଆପଣ ଛାନିଆ ହୋଇଯିବେ ବୋଲି ମହାରାଜ ଆପଣଙ୍କୁ ସେ ବିଷୟ କହି ନ ଥିଲେ । ମୋର କି ରଜାଙ୍କର ସେ କଥା ମନେ ନ ଥିଲା । ସଭା କାମ ସାରି ମହାରାଜା ପଛ ଗଳି କବାଟ ବାଟେ ବଗିଚାକୁ ଆସିଲେ । ସୁଭାଗ୍ୟକୁ ମୁଁ ବି ତାଙ୍କ ପଛେ ପଛେ ଆସିଲି ନୋହିଲେ ସବୁ କାମ ସରନ୍ତାଣି-।’’ ରାଣୀ ପଚାରିଲେ, ‘‘ମନ୍ତ୍ରୀ, ତୁମକୁ ଜଗନ୍ନାଥଙ୍କ ଦ୍ୱାହି, ଠିକ୍ କରି କୁହ ରଜା ନିଶ୍ଚୟ ବଞ୍ଚିବେଟି ।’ ମନ୍ତ୍ରୀ କହିଲେ, ‘‘ଆପଣ ନିଶ୍ଚିନ୍ତ ହୁଅନ୍ତୁ, ଅନ୍ୟ ଲୋକର ଛାଇ ନ ପଡ଼ିଲେ ସେ ନିଶ୍ଚୟ ଆରୋଗ୍ୟ ହୋଇଯିବେ ।’’ ରାଣୀ କହିଲେ, ‘‘ତୁମେ ସବୁବେଳେ ସାବଧାନ ରହିବ; ସବୁ ଭରସା ତୁମ ଉପରେ-। ମୁଁ ଯାଉଛି ନଅରକୁ ।’’ ରାଣୀ ମନ ଦୁଃଖରେ ଚାଲିଗଲେ ।

 

ଚାହୁଁ ଚାହୁଁ ବୈଦ୍ୟ, ଗୁଣିଆ, ତାନ୍ତ୍ରିକମାନେ ଆସି ରୁଣ୍ଡ ହେଲେ । ମାତ୍ର ରାଜାଙ୍କଠାରେ ତ କାହାରି ଛାଇ ପଡ଼ିବ ନାହିଁ । ତେଣୁ ମନ୍ତ୍ରୀଙ୍କ ତୁଣ୍ଡରୁ ରୋଗର ନିଦାନ ବୁଝି କରି, କିଏ ଓଷଦ ଦେଲା, କିଏ କାଟପାଣି ଦେଲା କିଏ ଡେଉଁରିଆ ଦେଲା । ମନ୍ତ୍ରୀ ସେ ସବୁ ଭିତରକୁ ନେଇ ଅଳିଆ ଗଦାରେ ଫିଙ୍ଗି ଦେଲେ ।

 

ଗାଧୁଆ, ଖିଆ, ସବୁ ତାରି ଭିତରେ । ରଜା ଗୋଟାଏ ଘରେ କବାଟ କୀଳି ପଶନ୍ତି; ଖଟଣୀ ଲୋକେ ଆସି ପାଣିଦେବା, ଘରଦ୍ୱାର ଓଳାଇବା କାମ କରି ଦେଇ ଚାଲିଯାଆନ୍ତି । ପଦାରେ ରୋଷେଇ କରି ସୁଆରମାନେ ଦାଣ୍ଡ ଘରେ ଦୁଇଠାଆ କରି ବାଢ଼ି ଦିଅନ୍ତି । ରଜା ମନ୍ତ୍ରୀ ଭିତର ପଟୁ କବାଟ କୀଳି ଖାଇ ବସନ୍ତି । ରଜାଙ୍କ ଠାଆରେ ମନ୍ତ୍ରୀ ବସନ୍ତି; ମନ୍ତ୍ରୀଙ୍କ ଠାଆରେ ବାବାଜୀ ରଜା ବସନ୍ତି । ବାବାଜୀ ପିଟି ଚାଲିଯାଏ; ମାତ୍ର ମନ୍ତ୍ରୀ ଗୁଣ୍ଡାଏ ଖଣ୍ଡେ ଖାଇ ସବୁ ଛାଡ଼ି ଯାଆନ୍ତି । ଘରକୁ ଯାଇ ଲୁଚେଇ କରି ଖାଇ ଆସନ୍ତି । କିନ୍ତୁ ସମସ୍ତେ ଜାଣନ୍ତି, ରଜା କିଛି ଖାଉନାହାନ୍ତି । ମନ୍ତ୍ରୀ ରାଜ କାର୍ଯ୍ୟ ବୁଝିବାକୁ କିମ୍ୱା ଘରକୁ ଗଲାବେଳେ କବାଟରେ ତାଲା ପଡ଼େ; ପାଇକମାନେ ଜଗି କରି ବସନ୍ତି ।

 

ରଜାଙ୍କର ଦେହ ଖବର ବୁଝିବାକୁ ଗଡ଼ର ଓ ରାଇଜର ପ୍ରଧାନ ଲୋକମାନେ ଆସନ୍ତି । ମନ୍ତ୍ରୀ ଘର ଭିତରେ ରହି ପଞ୍ଜର ଫାଙ୍କ ବାଟେ ସମସ୍ତଙ୍କୁ ଚିହ୍ନାଇ ଦିଅନ୍ତି । ଆଉ ସେମାନଙ୍କର ସମସ୍ତ ବିଷୟ ରଜାଙ୍କୁ କହନ୍ତି । କାରଣ ରଜା ଯେତେବେଳେ ପଦାକୁ ବାହାରିବେ ଯେପରି କାହାକୁ ଅଚିହ୍ନା ବାରିବେ ନାହିଁ । ଚାରିଆଠ ଦିନ ପରେ ଦିନେ ମନ୍ତ୍ରୀ ରାଜବୈଦ୍ୟଙ୍କୁ ଡାକି କହିଲେ, ‘‘ବୁଝିଲ ନା ବୈଦ୍ୟରତ୍ନେ ! ରଜା ତ କିଛି ଖାଉ ନାହାଁନ୍ତି । ଯାହା ବା ଚଢ଼େଇଟାକର ଆଧାର ତୁଣ୍ଡକୁ ନେଉଛନ୍ତି ସେଥିରେ ବି ଅଜୀର୍ଣ୍ଣ ଧରୁଛି ।’’ ବୈଦ୍ୟରତ୍ନେ ଭଲ ଜୀର୍ଣ୍ଣ କାରକ ଓଷଦ ତିଆରି କରିଦେଲେ । ତୁଚ୍ଛାକୁ ତ ବାବାଜୀ ଚଉବନୀ ଗ୍ରାସ ଚଢ଼େଇ ଦେଉଥିଲା; ତହିଁରେ ପୁଣି ଜୀର୍ଣ୍ଣକାରକ ଓଷଦ ଖାଇ ଘିଅ, ଦୁଧ, ସର ଲବଣୀ ପିଟି ଚାଲିଗଲା । ଦିନକୁ ଦି ଆଙ୍ଗୁଳି କରି ଫୁଲିଲା । ଚାରି ଛ ମାସ ପରେ ଘରେ ହାତୀ । ଦେହରେ ଟିପମାରି ଦେଲେ ରକ୍ତ ବାହାରି ପଡ଼ିବ । ମନ୍ତ୍ରୀ ଦେଖିଲେ ଏଣିକି ଆଉ କିଛି ଭୟର କାରଣ ନାହିଁ । ଗୋଟାଏ ଭଲ ଦିନ ଠିକ୍ କରି ଚାରିଆଡ଼େ ନାଗରା ଦିଆଗଲା ଯେ ଅମୂକ ଦିନ ରାଜା ସଭାକୁ ବିଜେ କରିବେ ।

 

ଦରବାରକୁ ବିଜେ କରିବା ଦିନ ଆସିଲା । ସନ୍ଧ୍ୟାକୁ ରଜା ବେଶ ହୋଇ ପାଟ ହାତୀ ଉପରେ ବିଜେ କଲେ । ଆଲଟ, ଚାମର ପଡ଼ିଲା । ଭାଟମାନେ ସ୍ତୁତି ଗାଇଲେ, ମଙ୍ଗଳାଷ୍ଟକ ପଢ଼ିଲେ । ଯୋଡ଼ି କାହାଳୀ, ତେଲିଙ୍ଗି ବାଜା ବାଜିଲା । ରଜା ହାତୀରୁ ଓହ୍ଲାଇ ସିଂହାସନରେ ବିଜେ କଲେ । ସାଆନ୍ତ, ପାତ୍ର, ବଡ଼ ବଡ଼ ପ୍ରଜା ପାଟକମାନେ ନାନାଦି ଭେଟି ଆଣି ଛାମୁରେ ଦାଖଲ କଲେ । ମନ୍ତ୍ରୀ ତ ପଞ୍ଜର କଣାବାଟେ ସମସ୍ତଙ୍କୁ ଚିହ୍ନାଇ ଦେଇଥିଲେ । ରଜା ସେମାନଙ୍କ ନାଁ ଧରି ଡାକି ସେମାନଙ୍କର ଖବର ଅନ୍ତର ପଚାରିଲେ । କାଳେ କିଛି ବିଭ୍ରାଟ ଘଟିଯିବ ବୋଲି ମନ୍ତ୍ରୀ ବି ରଜାଙ୍କ ପାଖେ ପାଖେ ଛକି କରି ଥାଆନ୍ତି । ରଜାଙ୍କର ଚେହେରା ଦେଖି ସମସ୍ତେ ଭାରି ଖୁସି ହେଲେ । ମାତ୍ର ଯେଉଁମାନେ ରଜାଙ୍କ ପାଖରେ ଚଳାଚଳ ହେଉଥିଲେ ସେଥିମଧ୍ୟରୁ ଜଣେ ଅନ୍ୟମାନଙ୍କୁ କହିଲା, ‘‘କିହୋ, ଏତ ଆମ ରଜାଙ୍କ ପରି ଦିଶୁ ନାହାନ୍ତି ।’’ ସେମାନଙ୍କ ମଧ୍ୟରେ ଜଣେ ପୁରୁଖା ଲୋକ କହିଲା, ‘‘ଆରେ ଓଲୁ ! ଏତକ ବୁଝି ପାରୁନାହୁଁ ? ରଜାଙ୍କୁ ତ ଗୋଟାଏ ଅଚିହ୍ନା ବ୍ୟାଧି ଘୋଟି ଯାଇ ଚେହେରାଟାକୁ କଳା ପକାଇ ଦେଇଥିଲା । କଉଡ଼ିଆ ଓଷଦଗୁଡ଼ାକ ଖାଇ ଗୋଟାଏ ଭିନ୍ନ ଚେହେରା ଫିଟିଗଲା । ନୋହିଲେ ଆମ ରଜା କୁଆଡ଼େ ଉଡ଼ିଗଲେ, ଏ ସ୍ୱର୍ଗରୁ ଖସି ପଡ଼ିଲେ ।’’ କଥାଟା ସମସ୍ତଙ୍କ ମନକୁ ପାଇଗଲା । ତହିଁରେ ପୁଣି ବାବାଜୀ ରଜା ଚେହେରା ସାଙ୍ଗରେ ସତ ରଜାଙ୍କର ଚେହେରାର ଅନେକ ମେଳ ଥିଲା । ସଭା ଶେଷ ହେଲା । ରାଜା ଉଆସକୁ ବିଜେ ନ କରି ପୁଣି ସେହି ବଗିଚା ଘରକୁ ଆସିଲେ । ମନ୍ତ୍ରୀ ସାଙ୍ଗେ ସାଙ୍ଗେ ଜଗି କରି ଥାଆନ୍ତି । କାଳେ କିଏ କଅଣ ପଚାରି ଦେବ, ରଜା ଧରା ପଡ଼ିଯିବେ । ରଜା ଉଆସକୁ ନ ଯାଇ ପୁଣି ବଗିଚା ଘରକୁ ଯିବାରୁ ରାଣୀ ପୋଇଲୀ ପରିବାରୀମାନଙ୍କ ଗହଣରେ ରଜାଙ୍କୁ ଭେଟିବା ପାଇଁ ଆସିଲେ । ମନ୍ତ୍ରୀ ତ ଦୁଆର ମୁହଁରେ ଜଗି କରି ଥାଆନ୍ତି । କହିଲେ, କେବଳ ମହାରାଣୀ ଭିତରକୁ ଯାଆନ୍ତୁ, ତୁମ୍ଭେମାନେ ପଦାରେ ରହ । କାଲିଠାରୁ ରଜା ଉଆସକୁ ଗଲେ ସମସ୍ତେ ଯିବା ଆସିବା କରିବ ।’’ ମନ୍ତ୍ରୀଙ୍କ କଥା ମାନି ରାଣୀ ଏକୁଟିଆ ଭିତରକୁ ଗଲେ । ସେ ରଜାଙ୍କୁ ଦେଖିବାକୁ ଏପରି ଉଚ୍ଛନ୍ନ ହେଉଥାଆନ୍ତି ଯେ ମନ୍ତ୍ରୀ, ‘‘ମଣିମା ! ଟିକିଏ ଶୁଣନ୍ତୁ’’ ବୋଲି କହୁ କହୁ ରଜା ଯେଉଁ ଘରେ ଥିଲେ ତା ଦୁଆର ମୁହଁରେ ପହଞ୍ଚି ବାବାଜୀ ରଜାକୁ ଦେଖି ହଠାତ୍ ବୁଲି ପଡ଼ି ଫେରି ଆସିଲେ । ମନ୍ତ୍ରୀଙ୍କୁ ଆଗରେ ଦେଖି ବଡ଼ ରାଗରେ ପଚାରିଲେ, ‘‘ମନ୍ତ୍ରୀ, ଏ ତ ରଜା ନୁହନ୍ତି, ତେବେ ଏ କିଏ ? ସତ କଥା କୁହ, ନୋହିଲେ ଭାରି ଅନିଷ୍ଟ ହେବ ।’’

 

ମନ୍ତ୍ରୀ ଧୀରେ ଧୀରେ ସବୁ କଥା କହି ଶେଷରେ କହିଲେ, ‘‘ମୁଁ ରାଜ୍ୟରକ୍ଷା ଯୋଗୁଁ ଏ କୌଶଳ କରିଛି । ଛାମୁଙ୍କର ତ ପୁଅପାତି ନାହାନ୍ତି ଯେ ରଜା ହେବେ । ଅନ୍ୟ ଲୋକ ରାଜ୍ୟ ନେଲେ ଆପଣଙ୍କୁ ତଡ଼ିଦେବ, ନଚେତ୍ ଆପଣଙ୍କ ଉପରେ ଅତ୍ୟାଚାର କରିବେ ।’’ ଏ କଥା ଶୁଣି ରାଣୀ ସେହିପରି ରାଗରେ କହିଲେ, ‘‘ତେବେ ତୁମେ କଅଣ ଭାବିଛ ମୁଁ ପର ପୁରୁଷ ସାଙ୍ଗରେ ରାଣୀ ହୋଇ ରହିବି ?’’ ମନ୍ତ୍ରୀ କହିଲେ, ‘‘ନା ମଣିମା, ଆପଣ ଆମ୍ଭମାନଙ୍କର ମା, ମୁଁ ଏପରି ପାପ କଥା କହିପାରେଁ ? ତେବେ ମୁଁ ଗୋଟିଏ ପାଞ୍ଚ କରିଛି । ଆପଣ ଉଆସକୁ ଫେରିଯାଇ କହିବେ ଯେ—ଆପଣ ମାନସିକ କରିଥିଲେ, ରଜାଙ୍କ ଦେହ ଆରୋଗ୍ୟ ହେଲେ କାଶୀ ବାସ କରିବେ ବୋଲି । କାଲି ସକାଳୁ ମନ୍ତ୍ରୀ ଯିବେ ବୋଲି କହିବେ । କାଶୀକୁ ଯାଇ ସେଠାରେ ରହିବେ । ମାସକୁ ମାସ ପାଞ୍ଚ ହଜାର କରି ଟଙ୍କା ପଠାଯିବ । ସେବା, ପୂଜା, ଦାନ, ଧ୍ୟାନ କରି ମଣିମା ରହିବେ । ଏ ବାବାଜୀ ରଜାକୁ ଆଉ ଗୋଟାଏ ବାହା କରି ଦେବା, ସେ ରଜା ହୋଇ ରହିବ ।’’ ରାଣୀ ଭାବି ଚିନ୍ତି ମନ୍ତ୍ରୀ ଯେ ଭଲ କଥା କହୁଛନ୍ତି ବୋଲି ଠିକ୍ କଲେ ଓ ତହିଁ ଆରଦିନ କ୍ଷେତ୍ରବାସ କରିବାକୁ ଗଲେ । ଏହାର ମାସେ ଖଣ୍ଡକ ପରେ ରଜା ବିଭା ହୋଇ ନୂଆ ରାଣୀ ଆଣି ରହିଲେ ।

 

ରଜା ପୂର୍ବ ସତ୍ର ଅନୁସାରେ ମନ୍ତ୍ରୀଙ୍କ ସବୁ କଥା ପଚାରି କାର୍ଯ୍ୟ କରନ୍ତି । ଦିନେ ମନ୍ତ୍ରୀ ସକାଳ କଚିରୀ କାମ ଶେଷ କରି ଘୋଡ଼ାରେ ଘରକୁ ଫେରୁଛନ୍ତି, ବାଟରେ ଦେଖିଲେ ଗୋଟିଏ ବୁଢ଼ା ବ୍ରାହ୍ମଣ ମସିଆ ଲୁଗା ପିନ୍ଧି ନଅର ଆଡ଼େ ଯାଉଛି । ମନ୍ତ୍ରୀ ଚାଲିଗଲେ । ସେ ବ୍ରାହ୍ମଣ ଯାଇ ରଜାଙ୍କ ସିଂହାଦ୍ୱାରରେ ବେଦଧ୍ୱନି କଲେ । ଗନ୍ଧର୍ବ କଣ୍ଠ ପରି କଣ୍ଠ । ରଜା ଦେବାର୍ଚ୍ଚନରେ ବସିଥିଲେ; ବେଦ ଧ୍ୱନୀ ଶୁଣି କହିଲେ, ‘‘ଏଡ଼େ ସୁନ୍ଦର ମିଠା ସ୍ୱରରେ କିଏ ଗାଉଛନ୍ତି ? ଶୀଘ୍ର ତାଙ୍କୁ ଏଠାକୁ ଘେନି ଆସି ।’’ ପଢ଼ିଆରୀ ଯାଇ ବ୍ରାହ୍ମଣଙ୍କୁ ଛାମୁରେ ଆଣି ଭେଟ କରାଇଲା । ରଜାଙ୍କ ଆଜ୍ଞାରେ ବ୍ରାହ୍ମଣ ଗୋଡ଼ ହାତ ଧୋଇ ଆସନରେ ରଜାଙ୍କ ଆଗରେ ବସିଲେ । ରଜା କହିବାରୁ ବ୍ରାହ୍ମଣ ପୂର୍ବପରି ମିଠା ସ୍ୱରେ ସାମ ବେଦ ଗାଇଲେ । ରଜା ମୁଗ୍ଧ ହୋଇ ଆସିବାର କାରଣ ପଚାରିବାରୁ ବ୍ରାହ୍ମଣ କହିଲେ, ‘‘ମଣିମା, ମୋ ଘର ସୁପାଳ ଶାସନ । ମୁଁ ଭାରି ଗରିବ । ମୋର ଅନେକ ଗୁଡ଼ିଏ କୁଟୁମ୍ୱ । ବଳ ବୟସ ଥିଲା, ବଡ଼ ବଡ଼ ଲୋକମାନଙ୍କ ପାଖକୁ ଯାଇ ବେଦ ଗାୟନ କରି ଅର୍ଥ ଆଣି କୁଟୁମ୍ୱ ପୋଷୁଥିଲି । ଏଣିକି ବଳ ରହିଲା, ଆଉ କୁଆଡ଼େ ଯା ଆସ କରିପାରୁ ନାହିଁ-। ତେଣୁ ଛାମୁଙ୍କୁ ଆଶ୍ରା କରିଆସିଛି ।’’ ରଜାତ ଭାରି ଖୁସି ହୋଇ ଯାଇଥିଲେ । ସାଙ୍ଗେ ସାଙ୍ଗେ ଛାମୁ କରଣଙ୍କୁ ଡକରା ହେଲା । ସୁପାଳ ଶାସନରେ ଥିବା ଖମାର ଜମିରୁ ବାଟିଏ ଅଉଲ ଜମି ନିଷ୍କର ରୂପେ ବ୍ରାହ୍ମଣଙ୍କ ନାଁରେ ତମ୍ୱା ପାତିଆ ସନନ୍ଦ ଦିଆଗଲା ଓ ଦାନ ସାଙ୍ଗକୁ ଶହେଟି ସୁନା ମୋହର ଦକ୍ଷିଣା ଦିଆଗଲା । ଗନ୍ତା ଘରୁ ପାଟ ଖଦି ଓ ମଗର ମୁହାଁ କୁଣ୍ଡଳ ଆଣି ପନ୍ଧିବାକୁ ଦିଆଗଲା । ବ୍ରାହ୍ମଣ ଭୋଜନ କରି ମନ ଖୁସିରେ ରଜାଙ୍କୁ ଲକ୍ଷ ଲକ୍ଷ ଆଶୀର୍ବାଦ କରି ଫେରିଲେ ।

 

ମନ୍ତ୍ରୀ ଖାଇପିଇ ଟିକିଏ ବିଶ୍ରାମ କରି ଘୋଡ଼ାରେ ଫେରୁଥିଲେ । ବ୍ରାହ୍ମଣଙ୍କୁ ଦେଖି ମନେ ମନେ ଭାବିଲେ, ମୁଁ ତ ଗଲାବେଳେ ଏହି ବ୍ରାହ୍ମଣଙ୍କୁ ମସିଆ ଲୁଗା ଖଣ୍ଡିଏ ପିନ୍ଧି ଯିବାର ଦେଖିଥିଲି । ଏହି ଲାଗେ ତ ପାଟ ପିତାମ୍ୱରୀ କୁଣ୍ଡଳ ପିନ୍ଧି ଫେରୁଛନ୍ତି ! ଆଚ୍ଛା, ପଚାରିବା । ପଚାରିଲେ, ‘‘ଗୋସେଇଁ, କୁଆଡ଼େ ଯାଇଥିଲ କି ?’’ ବ୍ରାହ୍ମଣ କହିଲେ, ‘‘ମହାରାଜାଙ୍କ ଛାମୁକୁ ଯାଇଥିଲି ।’’ ମନ୍ତ୍ରୀ ପଚାରିଲେ ‘‘କିଛି ମିଳିଲା ?’’ ବ୍ରାହ୍ମଣ କହିଲେ, ‘‘ଆଜ୍ଞା, ବାଟିଏ ନିଷ୍କର ଜମି ଓ ଶହେଟି ମୋହର ମିଳିଲା । ଆଉ ଏ ପାଟ ଖଦି, ଏ କୁଣ୍ଡଳ ଯୋଡ଼ିକ ମିଳିଲା । ସାକ୍ଷାତ୍ ଦାତା କର୍ଣ୍ଣ-।’’ ମନ୍ତ୍ରୀଙ୍କର ହାଡ଼ ଜଳି ଉଠିଲା । ବିଚାରିଲେ, ‘‘ଦେଖ, ମତେ ନ ପଚାରି କିଛି କରିବ ନାହିଁ ବୋଲି କହିଥିଲା । ଏ ତ ଘରେ ନ ପଶୁଣୁ ଚାଳ ବାଜିଲାଣି । ଏହିପରି ଗୋଟିଏ ଗୋଟିଏ କଥା କରି ଶେଷକୁ ତାର ସାହସ ପାଇଯିବ । ମତେ କୌଣସି କଥାରେ ଆଉ ପଚାରିବ ନାହିଁ । ଟିକିଏ ନିଜ ରୂପ ନ ଦେଖେଇଲେ ଚଳିବ ନାହିଁ ।’’ ଭାରି ଖପା ହୋଇ କଚିରୀରେ ପହଞ୍ଚିଲେ । ନିଜ ଚୌକିରେ ବସି କାମ କଲେ । ରଜା ତା ପାଖ ଘରେ ବସି ଥାଆନ୍ତି । କଅଣ ଗୋଟାଏ ଦରକାର ପଡ଼ିଲା-। ମନ୍ତ୍ରୀଙ୍କୁ ଡାକି ଆଣିବାକୁ ପାଇକକୁ କହିଲେ । ଛାମୁ ପାଇକ ଯାଇ ମନ୍ତ୍ରୀଙ୍କୁ କହିଲା, ‘‘ଛାମୁରୁ ଡକରା ହେଉଛି ।’’ ମନ୍ତ୍ରୀ ରାଗିଯାଇ କହିଲେ ‘‘ଯା କହିବୁ ସେ ଆସି ପାରିବେ ନାହିଁ ।’’ ପାଇକ ବିଚାରିଲା, କଅଣ କାମରେ ବ୍ୟସ୍ତ ଅଛନ୍ତି; ଟିକିଏ ଛାଡ଼ି ଆସିବେ ଯେ । ରଜାଙ୍କୁ ଯାଇ କହିଲା, ‘‘ଆସୁଛନ୍ତି’’ । ମନ୍ତ୍ରୀ ନ ଆସିବାରୁ ରଜା ପୁଣି ତାଙ୍କୁ ଡକାଇ ପଠାଇଲେ । ଛାମୁ ପାଇକ ଯାଇ ପୁଣି ଡାକିଲାରୁ ମନ୍ତ୍ରୀ ସେହିପରି ରାଗରେ କହିଲେ, ‘‘ଯା କହିବଦେବୁ ମୁଁ ଯିବି ନାହିଁ । ଥରେ କହିଲି, ଶୁଭିଲା ନାହିଁ ? ତୁ କଣ କାଲ ନା ଜଡ଼ା ?’’ ପାଇକ ଫେରିଗଲା । ଚାକର ଲୋକ, କିପରି ରଜାଙ୍କୁ କହିବ ମନ୍ତ୍ରୀ ଆସିବାକୁ ମନା କଲେ ବୋଲି । ଯାଇକରି କହିଲା, ‘‘ଆଜ୍ଞା, ଆସୁଛନ୍ତି ।’’ ପୁଣି ଘଡ଼ିଏ ଗଲା । ମନ୍ତ୍ରୀ ନ ଆସିବାରୁ ରଜା କହିଲେ, ‘‘ଯା ଚଞ୍ଚଳ ଡାକି ଆଣ । ଭାରି ଜରୁରୀ କାମ ଅଛି ।’’ ପାଇକ ଯାଇ ପୁଣି ମନ୍ତ୍ରୀଙ୍କୁ କହିଲା, ‘‘ଆଜ୍ଞା, କଅଣ ଜରୁରୀ କାମ ଅଛି, ତିନିଥର କହିଲେଣି, ଟିକିଏ ଚଞ୍ଚଳ ଆସନ୍ତୁ ।’’ ଏ କଥା ଶୁଣି ମନ୍ତ୍ରୀ ଅଧିକ ରାଗିଯାଇ ଉଠିକରି ପାଇକକୁ ଚାପୁଡ଼ାଏ କଷି ଦେଇ କହିଲେ, ‘‘ଶଳା ଦଶଥର କହିଲିଣି, ତୋ କାନରେ କଅଣ ବିଣ୍ଡା ମଡ଼ା ହୋଇଛି ? ଯା ରଜାକୁ କହିବୁ, ମନ୍ତ୍ରୀ ଆସି ପାରିବେ ନାହିଁ ।’’ ଚାକର ବିଚାରା ଚାପୁଡ଼ାଏ ଖାଇ ଯାଇକରି ରଜାଙ୍କ ଆଗରେ ସବୁ କଥା କହିଦେଲା । ରଜା ବଡ଼ ପାଟିରେ ହୁମୁମ୍ ଦେଲେ, ‘‘ଯାଅ ତାକୁ ତଣ୍ଟିଆ ମାରି ମାରି ଏଠାକୁ ଘେନି ଆସ ।’’ ରାଜା ଏଡ଼େ ପାଟି କରି କହିବାରୁ ମନ୍ତ୍ରୀ ସବୁ ଶୁଣି ପାରିଲେ । ତାଙ୍କ ମୁଣ୍ଡରୁ ପିତ୍ତ ଖସି ପଡ଼ିଲା । ବିଚାରିଲେ, ‘‘କିରେ ବାବା, ଯାହା କହନ୍ତି, ରୋପିଲା ଗଛକୁ କୁଣ୍ଢ ପାଏ ନାହିଁ । ମୁଁ ତ ହାଣକୁରାଢ଼ୀ ବେକକୁ ଆଣିଛି । ଏଇଲେ କାହାକୁ କହିବି ଏଇଟା ରଜା ନୁହେଁ । ରଜାର ହୁକୁମ୍ ନ ଶୁଣି ମୋ ହୁକୁମ ଶୁଣିବ କିଏ ? ଗଜ ମୂର୍ଖଟାଏ, ରାଗର ଚୋଟରେ କଥାଟା ବଳି ପଡ଼ିଲା । ବର୍ତ୍ତମାନ କରେଁ କଅଣ ।’’ ଲଣ୍ଡଭଣ୍ଡ ହୋଇ ଯାଇକରି ରଜାଙ୍କ ପାଖରେ ପହଞ୍ଚିଲେ-। ରଜା କହିଲେ, ‘‘ଦେଖ ମନ୍ତ୍ରୀ, ତୁମକୁ ସାତ ଦିନ ସମୟ ଦେଲି । ଏହି ସାତଦିନ ଭିତରେଗୋଟିଏ ସୁନା ପଦ୍ମଫୁଲ ଆଣି ଦେବ, ନୋହିଲେ ଶୂଳି ପାଇବ । ସୁନାରେ ତିଆରି ପଦ୍ମଫୁଲ ନୁହେଁ, ସୁନା ପଦ୍ମ ପାଣିରେ ଫୁଟିଥିବ ।’’ ଏ କଥା ଶୁଣି ମନ୍ତ୍ରୀଙ୍କ ଦେହରୁ ଗୋଟାଏ ଝାଳ ବୋହିଗଲା-। ବିଚାରିଲେ ‘‘ଶୁଣିଛି ଆକାଶ ଗଙ୍ଗାରେ ସୁନା ପଦ୍ମ ଫୁଟେ । ପୃଥିବୀରେ ସୁନା ପଦ୍ମ କେଉଁଠାରେ ମିଳିବ ? ଏତେ କଥା କଲି, ଶେଷରେ କପାଳରେ ଶୂଳୀରେ ଚଢ଼ିବାର ଥିଲା । ନିପଟି ମୂର୍ଖଟାଏ-। ଯାହା କହୁଛି ସେଇଆ କରିବ ।’’ ବଡ଼ ଦୁଃଖରେ ଫେରିଲେ । କଥାଟା ସାଙ୍ଗେ ସାଙ୍ଗେ ଚାରିଆଡ଼େ ବ୍ୟାପିଗଲା । ମନ୍ତ୍ରୀଙ୍କର ସ୍ତ୍ରୀ ମଧ୍ୟ ଆଗରୁ ଶୁଣିଥିଲେ, ମନ୍ତ୍ରୀଙ୍କ ଶୁଖିଲା ମୁହଁ ଦେଖି କହିଲେ, ଯାହା କପାଳରେ ଅଛି ଘଟିବ, ଆଉ ଏପରି ଅଧୈର୍ଯ୍ୟ ହେଲେ କଅଣ ହେବ । ତେବେ ଯାଅ, ରଜାଙ୍କୁ ପଚାର, ପୃଥିବୀରେ ସୁନାପଦ୍ମ କେଉଁଠାରେ ମିଳିବ ଯେ ଆଣିବି । ଯଦି ଶୂଳି ଦେବାର କଥା, ତେବେ ଶୀଘ୍ର ଦିଅନ୍ତୁ; ଏପରି ଦୋଷଛଡ଼ା ହୁକମ ଦେଉଛନ୍ତି କାହିଁକି ?’’ କଅଣ କରିବେ ମନ୍ତ୍ରୀ ଯାଇ ରଜାଙ୍କ ପାଖରେ ପହଞ୍ଚିଲେ । ମନ୍ତ୍ରୀଙ୍କୁ ଦେଖି ରଜା ପଚାରିଲେ, ‘‘ଫୁଲ ପାଇ ଏତେ ବେଳଯାଏ ଯାଇନାହିଁ ?’’ ମନ୍ତ୍ରୀ ତ ମୁଣ୍ଡକୁ ପାଣି ଛଡ଼ାଇ କରି ଯାଇଥିଲେ, ଛାତି ଦମ୍ଭ କରି କହିଲେ ‘‘ମଣିମା ! ସୁନା ପଦ୍ମ କଅଣ ଏ ବ୍ରହ୍ମାଣ୍ଡ ମଣ୍ଡଳରେ ମିଳିବ ଯେ ମୁଁ ଆଣିବି ।’’ ରଜା କହିଲେ, ‘‘ବ୍ରହ୍ମାଣ୍ଡରେ ମିଳିବ ନାହିଁ । ଆମେ କଅଣ ମଦଖାଉ ଯେ ତୁମକୁ ଆଣିବାକୁ କହିଲୁ ?’’ ଏ କଥା ଶୁଣି ମନ୍ତ୍ରୀ ମନେ ମନେ ବିଚାରିଲେ, ‘‘କିରେ ବାବା ! ବେଳକୁ ବେଳତ ତୋଡ଼ ବଢ଼ିଲା ।’’ ପଚାରିଲେ ‘ଆଜ୍ଞା, କେଉଁଠାରେ ମିଳିବ ?’’ ରଜା କହିଲେ, ‘‘ଏହି ଉତ୍ତର ଦିଗକୁ ନାକ ସଳଖା ଯାଅ ପାଇବ ।’’ ମନ୍ତ୍ରୀ ଆଉ ଘରକୁ ଯିବେ କଅଣ, ଉତ୍ତର ଦିଗକୁ ନାକ ସଳଖା ବାହାରିଲେ । ବାଟରେ ଯାହାକୁ ଦେଖନ୍ତି ପଚାରନ୍ତି, ‘‘ତୁମ ଗାଁରେ ପଦ୍ମ ପୋଖରୀ ଅଛି ? କିଏ ବା ନାହିଁ କହେ କିଏ ବା କହେ ‘‘ଗାଁ ମୁଣ୍ଡ ମହାଦେବଙ୍କ ଦେଉଳ ଆଗରେ ଗୋଟାଏ ବଡ଼ ପୋଖରୀ ଅଛି । ଭରା ପଦ୍ମଫୁଲ ଫୁଟିଛି ।’’ ତାପରେ ମନ୍ତ୍ରୀ ପଚାରନ୍ତି, ‘‘ଆଚ୍ଛା, ସେଥିରେ ଭଲା ସୁନା ପଦ୍ମ ଫୁଟେ ?’’ କେହି ଜଣେ କହିଲା; ‘‘ଆରେ ଏଇଟା ବେହିଆ ନା ବତିବୋର । ଆରେ ଆମ ଗାଁ ପୋଖରୀରେ ସୁନାପଦ୍ମ ଫୁଟୁଥିଲେ ଆମେ ତ କୁବେର ହୋଇ ବସିଥାଆନ୍ତୁ । ମୁଣ୍ଡ ଝାଳ ତୁଣ୍ଡରେ ମାରି ରାତିଦିନ ଖଟି ଖଟି ମରନ୍ତୁ କାହିଁକି ?’’ ପୁଣି ବାଟ ଚାଲନ୍ତି, ପୁଣି ସେହିକଥା ପଚାରନ୍ତି ଓ ଶୋଧା ଖାଆନ୍ତି । କିଛିଦୂର ଗଲାରୁ ହିମାଳୟ ପର୍ବତର ବଣ ପଡ଼ିଲା । ତେବେ ବି ନାକ ସଳଖା ଚାଲିଥାଆନ୍ତି । ସନ୍ଧ୍ୟା ହେଲା, ଘୋର ଜଙ୍ଗଲ ପଡ଼ିଲା । ପୁଡ଼ାରୁ ଫିଟାଇ ଦିଟା ପିଠା ଖାଇ, ଗୋଟିଏ ଝରଣାରୁ ପାଣି ପିଇଲେ । ଗୋଟାଏ ବଡ଼ ଡେଙ୍ଗା ଗଛର ଦୋକନାରେ ବସି ରାତିଟି କଟାଇଲେ । ପୁଣି ସକାଳୁ ଗଛରୁ ଓହ୍ଲାଇ ଚାଲିଲେ । ବଣ କମିଆସିଲା-। ବରଫ ଥାନ ପଡ଼ିଲା । ମନ୍ତ୍ରୀ କିଛି ନ ମାନି ଚାଲିଲେ । ଚଢ଼ଉ ଜୋତା ଓ ବନୋତର ଅଙ୍ଗା ମଡ଼େଇ ଥାଆନ୍ତି; ତେବେ ବି ଗୋଡ଼ ହାତ କୋଲ ମାରିଗଲା, ଦାନ୍ତକୁ ଦାନ୍ତ ବାଜିଲା । ବିଚାରିଲେ, ଏଥର ପ୍ରାଣ ଛାଡ଼ିଯିବ । ତେବେ ବି ସାହସ ବାନ୍ଧି ଚାଲିଥାଆନ୍ତି । କେତେ କୋଶ ଗଲାରୁ ପାହାଡ଼ର ଉତୁରାଣୀ ପଡ଼ିଲା । ତାପରେ ସମାନ ଥାନ, ତାପରେ ଫୁଲ ଫଳ ବଗିଚା, ଛୋଟ ଛୋଟ କୁଡ଼ିଆଘର । ତହିଁରେ ବସି ଋଷିମାନେ ବେଦମନ୍ତ୍ର ପଢ଼ୁଛନ୍ତି । ସେହି ନାକ ସଳଖା ଚାଲି ଥାଆନ୍ତି । କିଛିଦୂର ଗଲାରୁ ଗୋଟାଏ ପୋଖରୀ ପଡ଼ିଲା । ଦେଖିଲା ବେଳକୁ ସତକୁ ସତ ସୁନା ପଦ୍ମ ଫୁଟିଛି । ମନ୍ତ୍ରୀଙ୍କ ମନ ଭାରି ଖୁସି ହୋଇଗଲା । ଭାବିଲେ, ‘‘ବାବାଜି ଅନେକଆଡ଼ ବୁଲିଛି-। ବୋଧହୁଏ ଏଠାକୁ ଆସିଛି । ନଚେତ୍ କୌଣସି ସାଧୁ ଠାରୁ ସୁନା ପଦ୍ମ କଥା ଶୁଣିଛି । ପାଣିରେ ପଶି ପଦ୍ମଫୁଲ ଆଣିବେ ବୋଲି ଲୁଗା ପଟା ଭିଡ଼ି ବାହାରିଛନ୍ତି, ଏହି ସମୟରେ ଜଣେ ଋଷି ଦଉଡ଼ିଆସି ତାଙ୍କୁ ଧରିପକାଇ କହିଲେ, ‘‘ଆରେ ବାବା ମରିଯିବ । ଏ ପାଣି ତୁମ ଦେହରେ ବାଜିବା ମାତ୍ରେ ତୁମ ପ୍ରାଣ ଛାଡ଼ିଯିବ ।’’ ଏହି ସମୟରେ ପଞ୍ଝାଟିଏ ଚଢ଼େଇ ଉଡ଼ିକରି ଯାଉଥିଲେ, ପୋଖରୀ ଉପରେ ହେବା ମାତ୍ରେ ସମସ୍ତେ ମରିକରି ସେହି ପୋଖରୀ ପାଣିରେ ପଡ଼ିଲେ-। ଏ କଥା ଦେଖି ଋଷି କହିଲେ, ‘‘ଦେଖିଲ ବାବା, ଏତେ ଦୂରରେ ପକ୍ଷୀମାନେ ଯାଉଥିଲେ । ପାଣିର ବିଷଜ୍ୱାଳାରେ ମରିକରି ପଡ଼ିଲେ । ତୁମେ ଜାଣୁ ଜାଣୁ ପ୍ରାଣ ହରାଇବାକୁ ଯାଉଥିଲ ।’’ ମନ୍ତ୍ରୀ ସେ ଋଷିଙ୍କୁ ଦଣ୍ଡବତ କରି ପଚାରିଲେ ଆଜ୍ଞା ମୁଁ ଭୂପାଳ ଦେଶ ମନ୍ତ୍ରୀ; ରାଜା ମୋତେ ସୁନା ପଦ୍ମ ନେବାକୁ ପଠାଇଛନ୍ତି ।’’ ଋଷି କହିଲେ, ‘ରାମ୍ ବୋଲ, ଫୁଲ ନେବା କଥା ଦୂରେ ଥାଉ ଫୁଲ ଛୁଇଁବା ମାତ୍ରେ ମରିଯିବ । ନରଲୋକର ସେ ଫୁଲ ଛୁଇଁବାର ଯୁ ନାହିଁ । ରାତିରେ ସପ୍ତର୍ଷିମାନେ ଆସି ଏ ଫୁଲ ନିଅନ୍ତି । ମନୁଷ୍ୟ ହୋଇ ତୁମେ ସେ ଫୁଲ କିପରି ନେବ । ଦେଖ ସନ୍ଧ୍ୟା ହୋଇ ଆସୁଛି, ମୋ ଗୁରୁଙ୍କର ପାରଣା ବେଳ ହୋଇଗଲାଣି; ତୁମେ ମୋ ସାଙ୍ଗରେ ଆସ, ରାତିକ ଆମ ଆଶ୍ରମରେ ରହିଯିବ ।’’ ମନ୍ତ୍ରୀ ଋଷିଙ୍କର ପଛେ ପଛେ ଗଲେ । ଆଶ୍ରମରେ ଯାଇ ପହଞ୍ଚିଲେ; ଦେଖିଲେ ଦୁଆରେ ଅତଡ଼ାଏ ନିଆଁ ଜଳୁଛି । ମନ୍ତ୍ରୀ ପଚାରିଲେ, ‘‘ଆପଣଙ୍କ ଗୁରୁଦେବ କାହାନ୍ତି ? ଋଷି କହିଲେ, ‘‘ଟିକିଏ ବସ କି, ଦର୍ଶନ କରିବ ।’’ ମନ୍ତ୍ରୀ ଗୁରୁଦେବଙ୍କ ଦର୍ଶନ ଅପେକ୍ଷାରେ ବସି ବିଚାରିଲେ, ‘‘ଗୁରୁଦେବଙ୍କୁ ଗୋଟିଏ ସୁନା ପଦ୍ମ ପାଇବା ପାଇଁ ଜଣାଇବି, କାଳେ ଦୟା କରି କୌଣସି ବାଟ ବତାଇ ଦେବେ ।’’ ଠିକ୍ ସନ୍ଧ୍ୟା ବେଳକୁ ଦୁଆର ନିଆଁ ଲିଭି ଆସିଲା । ଦେଖିଲା ବେଳକୁ ଗୁରୁଦେବ ଦରପୋଡ଼ା କାଠ ଖୁଣ୍ଟଟି ପରି ତା ଭିତରେ ଏକ ଧ୍ୟାନରେ ବସିଛନ୍ତି । ଦେହ ପୋଡ଼ା ଅଙ୍ଗାର ପରି ଦିଶୁଛି । ଋଷି ଯାଇ ତା ଭିତରୁ ଗୁରୁଦେବଙ୍କୁ ଟେକି କରି ଘର ଭିତରକୁ ଆଣି ଖଣ୍ଡିଏ ମିରିଗ ଛାଲ ଉପରେ ବସାଇଲେ । ଟିକକ ପରେ କମଣ୍ଡଳୁରୁ ପାଣି ଆଣି ତାଙ୍କ ତୁଣ୍ଡରେ ଦେଲେ । ଗୁରୁଦେବଙ୍କର କଥା ନାହିଁ କି ବାର୍ତ୍ତା ନାହିଁ । ଏକ ଧ୍ୟାନରେ ବସିଛନ୍ତି । ଏପରି ଅବସ୍ତାରେ ମନ୍ତ୍ରୀ ବା ତାଙ୍କୁ କଅଣ ପଚାରିବେ । ଥକା ମରା ହୋଇ ବସି ରହିଲେ । ଅଳ୍ପ ସମୟ ପରେ ସେ ଋଷି ତାଙ୍କୁ ପ୍ରସାଦ ସେବା କରିବାକୁ ଡାକିଲେ । ମନ୍ତ୍ରୀ ଖାଇ ବସିବା ସମୟରେ ସେ ଋଷିଙ୍କୁ ପଚାରିଲେ, ‘‘ମହାରାଜ ! ଏକଥା କଅଣ ମୁଁ ତ କିଛି ବୁଝି ପାରୁନାହିଁ ।’’ ଋଷି କହିଲେ, ‘‘ଗୁରୁଦେବ ପଞ୍ଚାଗ୍ନି ତପସ୍ୟା କରୁଛନ୍ତି । ଚାରିପାଖରେ ଅଗ୍ନି, ଉପରେ ସୂର୍ଯ୍ୟ ।’’ ମନ୍ତ୍ରୀ ପଚାରିଲେ କହିଁକି ଏପରି କଠୋର ତପସ୍ୟା କରୁଛନ୍ତି ?’’ ଋଷି କହିଲେ, ମୋ ଗୁରୁଦେବ କଅଣ ଏକୁଟିଆ ତପସ୍ୟା କରୁଛନ୍ତି ? କେତେକେତେ ମୁନି ଋଷି କେତେ ପ୍ରକାର ତପସ୍ୟା କରୁଛନ୍ତି । କିଏ ଆର ଜନ୍ମରେ ରଜା ହେବା ପାଇଁ, କିଏବା ବଡ଼ ଧନୀ ହେବା ପାଇଁ କିଏବା ବୈକୁଣ୍ଠରେ ବସିବା ପାଇଁ, ଦିଗ୍‍ବିଜୟୀ ପଣ୍ଡିତ ହେବା ପାଇଁ ଏସବୁ କଠୋର ତପସ୍ୟା କରୁଛନ୍ତି ।’’ ମନ୍ତ୍ରୀ ଖାଇକରି ଶୋଇଲାବେଳେ ଭାବିଲେ, ସେ ତ ଭାରି ଚତୁର ଲୋକ । ହଠାତ୍ କଥାଟାର ମଞ୍ଜି ଚିପି ନେଲେ । ସେ ମନରେ ବିଚାର କଲେ ଆରେ ବାବାଜି ରଜା ହେବ ବୋଲି ଆର ଜନ୍ମରେ ଘୋର ତପସ୍ୟା କରିଥିଲେ । ତପସ୍ୟାରେ କିଛି ବିଘ୍ନଥିବାରୁ ଦିନା କେତେ ବାବାଜି ହୋଇ ବୁଲିଲେ, ଶେଷରେ ରାଜଗାଦିରେ ବସିଲେ । ମତେ ନପଚାରି ବ୍ରାହ୍ମଣଙ୍କୁ ଏତେଗୁଡ଼ାଏ ଦେଇଦେଲାରୁ ମୁଁ ରାଗହେଲି । ତାଙ୍କର ପୂର୍ବଜନ୍ମର କଥା ମନେ ପଡ଼ିଲା, ତେଣୁ ସେ ସୁନା ପଦ୍ମ ପାଇଁ ପଠାଇଲେ । ସେ କେତେ ତପସ୍ୟା କରି ରଜା ହୋଇଛନ୍ତି, ମୁଁ ତାଙ୍କୁ ରଜା କଲି ବୋଲି ମନରେ ଗର୍ବ କରିବାରୁ ଏହା ସବୁ ଦେଖିବାକୁ ପଠାଇଲେ ।’’ ଭାବନା କରି ଶୋଇଲେ । ସକାଳ ହେଲାରୁ ଫେରିଲେ, ବହୁତ କଷ୍ଟରେ ବରଫ ଓ ବଣ ଜଙ୍ଗଲ ପାର ହୋଇ ଦିନକ ପରେ ଆସି ନଅରରେ ପହଞ୍ଚିଲେ । ରଜା ତାଙ୍କର ଆସିବା କଥା ଶୁଣି ସାଙ୍ଗେ ସାଙ୍ଗେ ତାଙ୍କୁ ଛାମୁକୁ ଡକାଇ ପଚାରିଲେ, ‘‘ମନ୍ତ୍ରୀ, ସୁନା ପଦ୍ମ ଆଣିଲ-?’’ ମନ୍ତ୍ରୀ ହାତଯୋଡ଼ି ବଡ଼ ନିଊନ ହୋଇ କହିଲେ ‘‘ମଣିମା, ଏ ଦାସର ସମସ୍ତ ଦୋଷ ମାର୍ଜନା ହେଉ’’ । ରଜା କହିଲେ, ‘ସୁନାପଦ୍ମ ଦେଖିଲ ?’’ ମନ୍ତ୍ରୀ କହିଲେ, ‘ଆଜ୍ଞା, କାହିଁକି ଆଉ ସେକଥା କହିବା ହେଉଛନ୍ତି । ଦାସର ସହସ୍ର ଦୋଷ କ୍ଷମା କରାଯାଉ । ରଜା କହିଲେ, ଆହା ବୁଲି ବୁଲି କେତେ ଶୁଖିଲା ଦିଶୁଛ । ଯାଅ ଖିଆପିଆ କରି ବିଶ୍ରାମ କର । ମନ୍ତ୍ରୀ ଘରକୁ ଯାଇ ଖିଆପିଆ କରି ପୁଣି ଆସି କାମରେ ଲାଗିଲେ । ସେହିଦିନ ଠାରୁ ମନ୍ତ୍ରୀ ରଜାଙ୍କୁ ଭାରି ଭକ୍ତି କରି ଚଳିଲେ ଓ ରଜା ସବୁକଥା ମନ୍ତ୍ରୀଙ୍କ ସଙ୍ଗରେ ପରାମର୍ଶ କରି କଲେ । ସୁଖରେ ରାଜ୍ୟ ଚଳିଲା ।

Image

 

ଲୋଭୀ ମହାଜନ

 

ମଙ୍ଗଳ ପୁଣିଆ କୈବଲ୍ୟ–ଅତି ବୁଦ୍ଧି, ଭାରି ବଡ଼ ମହାଜନ, ଅଚାଳଚଳ ସମ୍ପତ୍ତି । କୈବଲ୍ୟର ବାପ ଅଜାଙ୍କ ପଦବୀ ଥିଲା ସୁବୁଦ୍ଧି; ମାତ୍ର କୈବଲ୍ୟକୁ ରଜା ଅତିବୁଦ୍ଧି ପଦବୀ ଦେଲେ-। ଅତିବୁଦ୍ଧିର ବୟସ ଯାହାଁ ଯାହାଁ ବଢ଼ିଲା, ଲୋଭ ତାକୁ ତାହାଁ ତାହାଁ ଗ୍ରାସ କଲା । ବୁଢ଼ାକୁ ରାତିଯାକ ନିଦ ହୁଏ ନାହିଁ । ମୂଷା କେଉଁଠାରେ ଖୁଡ଼୍‍କରି ହେଲେ ଅତିବୁଦ୍ଧି ଦୀପ ଧରି ଘର ଚାରିପାଖ ସାତ ଥର ବୁଲି ଆସେ । ଘର ପଛରେ ବଡ଼ ବଗିଚା । ପନି ପରିବା ଠାରୁ ଆରମ୍ଭ କରି ଆମ୍ୱ, ପଣସ, ଲେମ୍ୱୁ, ଟଭା, କେଉଁ ଗଛ ଯେ ନାହିଁ ଏହା କିଏ କହି ପାରିବ ନାହିଁ । ମଝିରେ ଗୋଟାଏ ବଡ଼ ତୁଳସୀ ବଣ ।

 

ରାତି ଅଧ, ସମସ୍ତେ ଯେ ଯାହା ଖଞ୍ଜାରେ ଶୋଇ ପଡ଼ିଲେ । ଚାରିଆଡ଼ ନିଶୂନ । ବୁଢ଼ା ଖଟ ଉପରେ ବସି ଘୁମାଉ ଥାଏ । ଏହି ସମୟରେ ବାଡ଼ିପଟ ବଗିଚାରେ କିଏ କଥାବାର୍ତ୍ତା ହେଲା ପରି ଶୁଭିଲା । ବୁଢ଼ା ବିଚାରିଲା, କିଏ ବାଡ଼ି ଭିତରକୁ ଝାଡ଼ାଫେରି ଯାଇଛି । ତଥାପି ତା ମନଟା ଥୟ ହେଲାନାହିଁ । ଉଠିକରି ଖଞ୍ଜା ଭିତରକୁ ଆସି ଦେଖେ ତ ବାଡ଼ି କବାଟ ଭିତର ପଟର ଶିକୁଳି ଲାଗିଛି । ବୁଢ଼ା ମନେ ମନେ ଠିକ୍ କଲା ନିଶ୍ଚୟ ବଗିଚାରେ ଚୋର ପଶିଛନ୍ତି । ଥିରି ଥିରି କରି ବାଡ଼ି କବାଟ ଫିଟାଇ ବାଡ଼ି ଦୁଆର ମୁହଁରେ ଚାରିଆଡ଼କୁ ଛକି ଛକି ଅନାଇଲା, ତା ପରେ କାନ୍ଥ କଡ଼େ କଡ଼େ ଛପି ଛପି ଟିକିଏ ଟିକିଏ ଆଗକୁ ଗଲାରୁ ଦେଖିଲା ତୁଳସୀ ବଣଟା ହାଲୋରମୟ ହୋଇଛି । ନବରତ୍ନ ଜଡ଼ଉ ଗୋଟିଏ ସୁନାର ସିଂହାସନରେ ଜଣେ ତେଜୋମୟ ପୁରୁଷ ବସିଛନ୍ତି, ମୁଣ୍ଡରେ ସୁନାର ମୁକୁଟ । ତାଙ୍କ ଦୁଇ ପାଖରେ ଚାରି ଜଣ ଲୋକ ହାତ ଯୋଡ଼ି ଠିଆ ହୋଇଛନ୍ତି । ଯେ ସିଂହାସନରେ ବସିଚନ୍ତି, କହିଲେ—ମନ୍ତ୍ରୀ, ଯାହାକୁ ଯାହାକୁ ଯାହା ସବୁ ଦେବାକୁ କହିଥିଲି ଦେଇ ଦେଲ ।’’ ସିଂହାସନ ପାଖରେ ସଭା ଆଗରେ ଯେ ଠିଆ ହୋଇଥିଲେ ସେ କହିଲେ, ‘‘ହଁ ସବୁ ଦେଇ ଦେଇଛି । କାଲିକି କାହାକୁ କଅଣ ଦିଆଯିବ ?’’ ଯେ ସିଂହାସନରେ ବସିଥିଲେ, କହିଲେ, ‘ଆଚ୍ଛା, ଏହି ମଙ୍ଗଳପୁରର କହ୍ନେଇ ଗଉଡ଼କୁ କାଲି ଶହେ ଟଙ୍କା ଦେବ । ଆର ସାହିର ନନ୍ଦ ପଧାନର ପୁଅଟିଏ ହୋଇଛି, ସେ ଭାରି ଗରିବ । ପିଲାଟି ଦୁଧ ଟୋପାଏ ପାଉନାହିଁ, ତାକୁ କାଲି ଗୋଟିଏ ଭଲ ଦୁହାଁଳିଆ ଗାଈ ଦେବ । ଆଉ କୈବଲ୍ୟ ଅତିବୁଦ୍ଧିର କୋଠିଆ ମହନି ଭୋଇକୁ ଦଶ ହଜାର ଟଙ୍କା ଦେବ ।’’ ମନ୍ତ୍ରୀ ପଚାରିଲେ, ‘‘ମହନି ଭୋଇକୁ କେତେ ଦେବି ?’’ ସିଂହାସନରେ ଯେ ବସିଥିଲେ, କହିଲେ ‘‘ଦଶ ହଜାର ଟଙ୍କା, ଆଚ୍ଛା କାହାକୁ କିପରି ଦେବ କହିଲ ?’’ ମନ୍ତ୍ରୀ କହିଲେ ‘‘ଆଜ୍ଞା ! ନନ୍ଦ ପଧାନର ବାରି ଘରଟା ମେଲା ପଡ଼ିଛି, ଆଜି ରାତି ପାହାନ୍ତିଆରୁ ଗୋଟିଏ ଦୁହାଁଳିଆ ଗାଈ ଆଉ ତାର ବାଛୁରୀ ନେଇ ତାର ସେ ଘରେ ଛାଡ଼ିଦେଇ ଆସିବି । ଆଉ କହ୍ନେଇ ଉଠି କାଲି ବଡ଼ି ସକାଳୁ ଗାଁ ମୁଣ୍ଡ ପୋଖରୀ ହୁଡ଼ାରେ ଝାଡ଼ା ଫେରି ବସିବ, ସେଠାରେ ଶହେ ଟଙ୍କା ପକାଇଦେବି, ସେ ପାଇକରି ନେବ । ମହନି ଭୋଇର ତ ବଖରାଏ ବୋଲି ଘର । ସେ ଘରେ ଘଇତା ମାଇପ ଶୋଇଥିବେ, ତା ଚାଳ କଣା କରି ଦଶ ହଜାର ଟଙ୍କା କାଲି ରାତିକୁ ଅଜାଡ଼ି ଦେବି-। ଯେ ସିଂହାସନରେ ବସିଥିଲେ, କହିଲେ ହଉ ଏହିପରି ଭାବରେ ଦେଇ ଦେବ ହେଳା କରିବ ନାହିଁ ।’’ ଏହା ପରେ ସମସ୍ତେ ସେହି ଥାନରୁ ଉଭେଇ ଗଲେ । ଚାରିଆଡ଼େ ଅନ୍ଧାର ହୋଇଗଲା-। ଅତିବୁଦ୍ଧି ଦଣ୍ଡେ ଖଣ୍ଡ ସେଠାରେ କାବା ଭୂତ ହୋଇ ଠିଆ ହେଲା । ତାପରେ ଘରକୁ ଆସି ବାଡ଼ି କବାଟ ଦେଇ ଖଟ ଉପରେ ବସି ଭାବିଲା, ‘‘କି ଆଚମ୍ୱିତ କଥା । ଏ ଭୂତପ୍ରେତଙ୍କର କାଣ୍ଡ । କାଲି ସକାଳୁ ଗୁଣିଆ ଡାକି ଥାନଟାକୁ କିଳାଇ ଦେଲେ ହେବ ।’’ ନାନା ଆଡ଼ୁ ନାନା କଥା ଭାବି ଭାବି ବୁଢ଼ାକୁ ଆଉ ନିଦ ନ ହୁଏ । ସକାଳ ହେଲା । ବୁଢ଼ା ଝଟ୍ ପାହାନ୍ତିଆରୁ ଉଠି ଭାବିଲା—ଆଚ୍ଛା, ଦେଖିବା କଥାଗୁଡ଼ାକ ଫଳୁଛି କି ନାହିଁ ।’’ ମୁହଁ ହାତ ଧୋଇ ଗାଁ ମୁଣ୍ଡ ପୋଖରୀ ଆଡ଼କୁ ଗଲା-। ଦେଖିଲା, କହ୍ନେଇ ଲସର ପସର ହୋଇ ଧପାଳିଛି । ଅତିବୁଦ୍ଧି ପଚାରିଲା, ‘‘ବେହେରା ପୁଅ, ଏଡ଼େ ତୋରାରେ ଧାଇଁଛ କୁଆଡ଼େ ?’’ କହ୍ନେଇ, ‘‘ଘରେ କାମ ଅଛି’’ ବୋଲି କହି ଚାଲି ଯାଉଥିଲା, ଅତିବୁଦ୍ଧି କହିଲା, ‘‘ମୁଁ ସବୁ ଜାଣେ, ସେ ବୁଦା ମୂଳରୁ ତୁ ଶହେ ଟଙ୍କା ପାଇଛୁ ।’’ କହ୍ନେଇର ହାଲୁକ ଶୁଖି ଗଲା, ପାଟି ଅଠା ଅଠା ହୋଇଗଲା ଭାବିଲା ‘‘ବୁଢ଼ା କଅଣ ସର୍ବଜ୍ଞ’’ । ଢୋକ ଗିଳି ନିଊନ ହୋଇ କହିଲା, ‘‘ମହାଜନ ସାଆନ୍ତେ, ମୁଁ ବଡ଼ ଗରିବ, ଭଗବାନ ଦେଲେ, ଆପଣ ଆଉ ସେଥିରେ ଲୋଭ ବଳାନ୍ତୁ ନାହିଁ । ଭଗବାନ କେଉଁ କଥାରେ ଆପଣଙ୍କର ଊଣା କରିଛନ୍ତି ।’’ ଅତିବୁଦ୍ଧି କହିଲା, ‘‘ଆରେ ମୁଁ ସେ ଟଙ୍କାରେ ଲୋଭ କରୁ ନାହିଁମ ? ମତେ ଟିକିଏ କର୍ଣ୍ଣ ପିଶାଚୀ ବିଦ୍ୟା ଜଣା, ତୁ ଯା-।’’ କହ୍ନେଇ ଭାବିଥିଲା ବୃଦ୍ଧ ଲୋଭୀଟାଏ, ଏ ଟଙ୍କାରୁ ନିଶ୍ଚୟ ଭାଗ ନେବ ।’’ ମାତ୍ର ମହାଜନ ପାଟିରୁ ‘‘ଯା’’ ପଦ ବାହାରୁ ବାହାରୁ ଦେଲା ଚମ୍ପଟ । ବୁଢ଼ା ବିଚାରିଲା ‘‘ମୁଁ ଭୂତ ପ୍ରେତ ବୋଲି ଭାବିଥିଲି, ସେ ଭୂତ ନୁହେଁ, ପ୍ରକୃତରେ ବିହି ବିଧାତା ସେ । ଆଚ୍ଛା ! ନନ୍ଦ ପଧାନ କଥାଟା ବିଡ଼ିବା-।’’ ଅତିବୁଦ୍ଧି ଯାଇ ନନ୍ଦ ପଧାନ ଦୁଆର ମୁହଁରେ ହେଲାବେଳକୁ ପଧାନ ବାପୁଡ଼ା ଚାଖେଣ୍ଡେ ଲମ୍ୱର ପିଙ୍କାଟାଏ ଟାଣି ଘରୁ ବାହରୁଛି । ମହାଜନଙ୍କୁ ଦେଖି ଓଲିକି ହେବାରୁ ଅତିବୁଦ୍ଧି ପଚାରିଲା, ‘‘କିରେ ପଧାନ ପୁଅ, ତୁମର ପରା ପିଲାଟିଏ ହୋଇଛି । ଗାଈଟିଏ କୁଆଡ଼ୁ ଦେଖ ।’’ ପଧାନ କହିଲା, ‘‘ମହାଜନେ କାଲି ଗୋଟିଏ ଗାଈ କିଣିଛି ।’’ କିଏ କିପରି ଚଳେ ଅତିବୁଦ୍ଧିକୁ ସବୁ ଜଣା, ସେ କହିଲା ‘‘ଆରେ ନନ୍ଦ ! ଧାଈ ଆଗରେ ପେଟ ଛପାଉଛୁ । ମୁଁ ସର୍ବଜ୍ଞ ପାଠ ଜାଣେ । ଗାଈ କିଣିଛୁ ନା ଏହି ପାହାନ୍ତିଆରେ ଅନହୂତି ଆସି ପହଞ୍ଚିଛି । ନନ୍ଦ ଦେଖିଲା ବୁଢ଼ା କୁଆଡ଼ୁ ଟେର ପାଇଛି । ହାତ ଯୋଡ଼ି କରି କହିଲା ‘ଆଜ୍ଞା ଆପଣ ହେଲେ ବାପ ମୁଁ ପୁଅ, ଆପଣ ମଣିଷ ଚରାଉଛନ୍ତି ମୁଁ ଗାଈ ଚରାଉଛି-। ଆପଣଙ୍କ ପାଖରେ ଲୁଚେଇବି କଅଣ । ଆଜ୍ଞା ଗାଈ କିଏ ମୁଁ କିଏ ? କାଲି ରାତି ପାହାନ୍ତିଆକୁ ମୋ କପାଳକୁ କୁଆଡ଼ୁ ଆସି ପହଞ୍ଚିଲା ।’’ ଅତିବୁଦ୍ଧି କହିଲା, ‘‘ହେଉ ଭଲ କଥା ।’’ କହି ଘରକୁ ଫେରି ବିଚାରିଲା, ‘‘ଆରେ ପଇସାଟିଏ କେତେ କଷ୍ଟରେ ଆସୁଛି, ମହନାଟା ଶୂନ୍ୟେ ଶୂନ୍ୟେ ପାଞ୍ଚ ଦଶ ହଜାର ଟଙ୍କା ମାରିନେବ । ଗୋଟାଏ କିଛି ଫିକର କରି ସେ ଟଙ୍କାତକ ମୁଁ ମାରି ଆଣିବି-।’’ ବୁଢ଼ା ବସି ଉପାୟ ଚିନ୍ତା କଲା । ବେଳ ପହରେ ଖଣ୍ଡେ ଅଛି ବୁଢ଼ା ମହନାକୁ ପାଖକୁ ଡାକି କଅଁଳେଇ କରି କହିଲା ‘‘ବୁଝିଲୁ ନା ମହନି, ଗୋଟାଏ କଥା କହିବି, ତୋତେ ରଖିବାକୁ ହେବ-। ଆଜି ମୋ ଜାତକ ବୁଝାମଣା ହେଲା; ମତେ ବର୍ତ୍ତମାନ ଶନିସପ୍ତାର ଶେଷ ବେଳ ପଡ଼ିଛି । ପାଠ ଡାକୁଛି ମୁଁ ଆଜି ରାତିକ କୌଣସି ବାଉରି ଘରେ କଟାଇବି । ନୋହିଲେ ମୋ ଜୀବନ ଉପରେ ଦାଉଘାତ ପଡ଼ିବ । ତୋରତ ଏକୁଟିଆ ଘର । ମୁଁ ଆଜି ରାତିକ ତୋ ଘରେ ଶୋଇବି । ତୁ ସନ୍ଧ୍ୟା ଗଡ଼ି ଗଲେ ତୋ ବୋହୂକୁ ଘେନି ମୋ ଗୁହାଳ ଚାଲିଆରେ ରହିବୁ । ଦେଖେ ଏକଥା ଦିକାନରୁ ତିନିକାନ ହେବ ନାହିଁ ।’’ ଏ କଥା ଶୁଣି ମହନି କହିଲା ‘‘ସାଆନ୍ତେ, ତମେ ଆପଣ ଏ କି ଅନୀତି କଥା କହୁଛ । ମୁଁ କେତେକର ତମେ ଆପଣ କେତେ କର, ଆପଣ ମୋ ଘରେ ଶୋଇବେ-?’’ ଅତିବୁଦ୍ଧି ଆହୁରି କଅଁଳେଇ କରି କହିଲା, ‘‘ବୁଝିଲୁ ନା ମହନି, କର୍ମ ପଡ଼ିଛି । ଏହି କର୍ମ ଅଭାଗ୍ୟକୁ ନଳରାଜା ଘୋଡ଼ା ଘାସ କାଟିଲେ; ମୁଁ କିବା ଛାର, ତେବେ ଶୁଣୁ, ସନ୍ଧ୍ୟାକ ତୋ ଘରୁ ହାଣ୍ଡି କୁଣ୍ଢେଇ ପଦାକୁ ଫୋପାଡ଼ି ଦେଇ ଘର ଲିପାପୋଛା କରି ବୋହୂକୁ ଘେନି ଚାଲି ଆସି ମୋ ଗୁହାଳ ପାଖ ଚାଲିଆରେ ରହିବୁ । କାଲି ସକାଳୁ ହାଣ୍ଡି କୁଣ୍ଢେଇ କିଣାକିଣି କରିବାକୁ ଯାହା ପାଞ୍ଚଦଶ ପଡ଼ିବ ଦେବି, ତୁ ମନରେ କିଛି କିମ୍ୱା କରନା ।’’ ମହନି କହିଲା ‘‘ସାଆନ୍ତେ ମତେ ତହିଁରେ ବଳାଅନା-। ମୁଁ ବାଉରୀ ମାତ୍ରକ ଲୋକ । ଆର ଜନ୍ମରେ କଅଣ କରିଥିଲି ଯେ ଏ ଜନ୍ମରେ ନର୍କରେ ଘାଣ୍ଟି ହେଉଛି-। ଆସି ଦରବୁଢ଼ା ହେଲି, ବାଳକ ମୁଖ ଦେଖିଲି ନାହିଁ । ଆପଣ ଅନ୍ୟ କାହାଘର ଦେଖନ୍ତୁ-। ମୋ କଥା ହୋଇ ପାରିବ ନାହିଁ-।’’ ଅତିବୁଦ୍ଧି ପ୍ରଥମରେ ଶହେ ତାପରେ ଦୁଇଶ, ଶେଷକୁ ହଜାରେ ପର୍ଯ୍ୟନ୍ତ ଯାଚିଲା । ମନେ ମନେ ବିଚାରିଲା ‘‘ନଉ;ଆଉତ ଚାରି ହଜାର ଲାଭ ରହିଲାଣି, ମଙ୍ଗିଯାଉ ।’’ ଘର ଭିତରକୁ ଯାଇ ଗୋଟିଏ ହଜାର ଟଙ୍କିଆ ତୋଡ଼ା ଆଣି ମହନି ହାତରେ ଗୁଞ୍ଜିଦେଇ କହିଲା, ‘‘ନେ ଏ ହଜାରକ ଧର-। ଆରେ ଜୀବନ ବଡ଼ ନା ଟଙ୍କା ବଡ଼, ଆରେ ଟଙ୍କା ମୁଁ କମେଇଛି ନା ଟଙ୍କା ମତେ କମେଇଛି ମ-। ଗରିବ ଲୋକ ଭଲରେ ଚଳିବୁ ଏଣେ ମୋ ଦଶା ବି କଟିଯିବ-।’’ ମହନି ଏତେ ପୁଡ଼ାଏ ଟଙ୍କା ଦେଖି ଭୋଳ ହୋଇଯାଇ କହିଲା ‘‘ସାଆନ୍ତଙ୍କ ତୋରାଣିରେ ମୋ ପିଣ୍ଡ, ମନା କରିବି କିପରି । ହଉ ତେବେ ସନ୍ଧ୍ୟାକୁ ତରାକୁ (ମହନିର ବୋହୂ) ଘେନି କରି ଆସି ଗୁହାଳ ଚାଲିଆରେ ରାତିକ ରହିଯିବି ।’’ ଟଙ୍କା ଘେନି ଚାଲିଗଲା । ତରା ଆଗରେ ସବୁ କଥା କହିଲା । ଘରଦ୍ୱାର ଲିପାପୋଛା କଲା । ହାଣ୍ଡିକୁଣ୍ଢେଇ, କନାକତରା ପଦାରେ ଥୋଇ ଦେଇ ତରାକୁ ସାଙ୍ଗରେ ଘେନି ମହାଜନ ଗୁହାଳ ଚାଲିଆରେ ରହିଲା । ସମସ୍ତେ ଶୋଇଲାରୁ, ମହାଜନକୁ ସାଙ୍ଗରେ ନେଇ ତା ଘରେ ଛାଡ଼ିଦେଇ ଫେରି ଆସିଲା । ଅତିବୁଦ୍ଧି ଗଲାବେଳେ ସାଙ୍ଗରେ ଗୋଟାଏ ଟୋକେଇ ନେଇ ଯାଇଥିଲା । ଟଙ୍କା ଗୁଡ଼ାକ ତଳେ ପଡ଼ି ଝଣଝଣ ଶୁଭିବ, କାଳେ କିଏ ଶୁଣିବ । ପୁଣି ଟଙ୍କାତକ ଟୋକେଇରେ ପୂରେଇ ଘରକୁ ଆଣିବ । ଅତିବୁଦ୍ଧି ଚିତ୍ ହୋଇ ଶୋଇ ଚାଳକୁ ଏକା ଦୃଷ୍ଟିରେ ଅନାଇ ଥାଏ । କେଉଁଠାରେ ମୂଷା ଖସ୍ ଖସ୍ କଲେ, ଧଡ଼ପଡ଼ ହୋଇ ଉଠି ଟୋକେଇଟା ସେହି ସିଧାରେ ଧରେ । ଏହିପରି ଟୋକେଇ ଧରି ଘର ଏ ମୁଣ୍ଡରୁ ସେ ମୁଣ୍ଡ ପର୍ଯ୍ୟନ୍ତ ହଜାର ଥର ଧାଁ ଧପଡ଼ କରୁ କରୁ ପାହାନ୍ତି କୁକୁଡ଼ା ଡାକ ଶୁଭିଲା । ଟଙ୍କା ନ ଫଙ୍କା । କୁଆ କା କଲା । ଅତିବୁଦ୍ଧି ବଡ଼ ତାଟକା ହୋଇ ଘରକୁ ଫେରିଲା । ବାଉରି ଯାଇଁ ତା ଘରେ ରହିଲା । ବାଉରାଣୀ କହିଲା, ‘‘ବୁଢ଼ା ସିନା ଅକଳରେ ପଡ଼ି ଟଙ୍କା ଦେଇଛି, କାଳେ ଛଡ଼େଇ ନେବ, ଚାଲ କୁଆଡ଼େ ପଳେଇବା ।’’ ମାତ୍ର ବାଉରୀ କହିଲା, ‘‘ହଉ ନେଲେ ନବ, ପକେଇଲା ଛେପ ଯଦି ପୁଣି ଢୋକିବ, ଢୋକୁ । କେଉଁ ଏବେ ଆମର ଝାଳ ବୁହା ମାଲ ହୋଇଛି ଯେ, ନିଜ ଢିହ ଛାଡ଼ି ପରେଇବା ।’’ ଯାଇ କରି ମହାଜନ ଘରେ ପାଇଟିପତ୍ର କଲେ । ମହାଜନ ଟଙ୍କା ନ ମାଗିବାରୁ ସେମାନଙ୍କ ମନରେ ଦମ୍ଭ ଆସିଲା । ସନ୍ଧ୍ୟାକୁ ଘରକୁ ଫେରିଲେ । ଅତିବୁଦ୍ଧିର ଭୋକ ଶୋଷ ନାହିଁ-। ଭାବିଲା ‘‘କଅଣ ହେଲା । ଦିଟା କଥା ସତ ହେଲା, ମହନା ଭୋଇ ବେଳକୁ ବାପ ପୁଅ ଦୁହେଁ ରାତି ଅନିଦିରା ଘୁମୁରା ପଛ ମେଲା । ଅକାରଣେ ହାତକୁ ହାତ ହଜାରେ ଟଙ୍କା ବଢ଼ାଇ ଦେଲି-। ଏବେ କରୁଛି କଅଣ ?’’ ଦିନଟିଯାକ ହନ୍ତସନ୍ତ ହୋଇ କଟିଲା । ରାତି ହେଲା ଖିଆପିଆ କରି ଯେ ଯାହା ଖଞ୍ଜାରେ ଶୋଇ ପଡ଼ିଲେ । ତୁଚ୍ଛା ଦିନରେ ତ ବୁଢ଼ାକୁ ନିଦ ହୁଏ ନାହିଁ । ତହିଁରେ ପୁଣି ଏ ଟଙ୍କା ବାଉଳା ଧରିଛି । ଗାଲରେ ହାତ ଦେଇ ଖଟ ଉପରେ ବସି ଭାଳେଣି କରୁଥାଏ, ରାତି ଅଧ, ପୁଣି ବାଡ଼ି ଭିତରେ ଟୁପୁରୁଟାପର ଶୁଭିଲି । ବୁଢ଼ା ଝଟ କରି ଉଠି ବାଡ଼ି କବାଟ ଫିଟାଇ କାନ୍ଥ କଡ଼େ କଡ଼େ ଛପି କରି ଯାଇ ଉଣ୍ଡିଲା । ପୁଣି ସେହି ସିଂହାସନ, ସେହି ତେଜୋମୟ ପୁରୁଷ, ସେହି ମନ୍ତ୍ରୀ ଆଗ ପରି ସବୁ କଥା, ସେ ତେଜୋମୟ ପୁରୁଷ କହିଲେ ‘‘ମନ୍ତ୍ରୀ ଯାହାକୁ ଯାହା ଦେବାକୁ କହିଥିଲି, ସବୁ ଦେଇ ଦେଲ ।’’ ମନ୍ତ୍ରୀ ହାତଯୋଡ଼ି କହିଲେ ‘‘ନନ୍ଦ ପଧାନଙ୍କୁ ଗାଈ ବାଛୁରୀ ଆଉ କହ୍ନେଇ ଗଉଡ଼କୁ ଶହେ ଟଙ୍କା ଦେଇ ଦେଲି । କେବଳ ମହନି ଭୋଇର ପାଞ୍ଚହଜାର ବାକି ରହିଗଲା ।’’ ଏ କଥା ଶୁଣି ସେ ତେଜୋମୟ ପୁରୁଷ ରାଗିଯାଇ ବଡ଼ ପାଟି କରି କହିଲେ ‘‘କେମତ୍, ଦୁଇଜଣକୁ ଦେଲ ଆଉ ଜଣକର କାହିଁକି ବାକି ରଖିଲ ? ଆମ କଥାଟା ତୁମର ଖାତର ହେଲା ନାହିଁ । ଆଚ୍ଛା, ମୁଁ ତ ହୁକୁମ୍ ଦେଲି ତୁମେ ନ ଦେଇ କାହିଁକି ବାକି ରଖିଲ ?’’ ମନ୍ତ୍ରୀ ବରଡ଼ା ପତ୍ର ପରି ଗୋଟିକଯାକ ଥରି ଥରି ହାତ ଯୋଡ଼ି ଜଣାଇଲେ ‘‘ମଣିମା, ମୋର ଅପରାଧ ମାଫ୍ ହେଉ । ସେ ଦୁଇଜଣଙ୍କୁ ସେହି ପାହାନ୍ତିଆରେ ଆଉ ଆର ଦିନ ବଢ଼ି ସକାଳୁ ଦେଇ ଦେଲି । ଆଉ କାଲି ରାତିରେ ମହନି ଭୋଇ ଚାଳ କଣା କରି ପାଞ୍ଚ ହଜାର ଟଙ୍କା ଗଳାଇ ପକାଇବି ବୋଲି ଗଣି ବାନ୍ଧିକରି ରଖିଲି । ରାତି ପହରକ ଠାରେ ଅପ୍ସରାମାନଙ୍କର ନୃତ୍ୟ ଦେଖିବାକୁ ଇନ୍ଦ୍ର ଡକାଇ ପଠାଇଲେ । ଇନ୍ଦ୍ରଙ୍କ ଆଜ୍ଞାକୁ ଅବଜ୍ଞା କରନ୍ତି କିପରି ? ଗଲି ଫେରୁ ଫେରୁ ସକାଳ ହୋଇଗଲା, ଦିନଟାରେ ଚାଳ କଣା କରି ଟଙ୍କା ପକାନ୍ତି କିପରି ? ତେବେ କାଲି ରାତି ଅଧକୁ, ମହନି ଭୋଇ ଚାଳ କଣା କରି ପାଞ୍ଚ ହଜାର ଟଙ୍କା ଗଳେଇ ପକେଇବି ।’’ ତେଜୋମୟ ପୁରୁଷ କହିଲେ, ‘‘ଦେଖ, କାଲି ରାତିରେ ମହନି ଭୋଇ ଟଙ୍କା ନ ପାଇଲେ ତୁମର ମୁଣ୍ଡକାଟ ଶାସ୍ତି । କାଲି ରାତିରେ ମହନି ଭୋଇ ତା ଟଙ୍କା ପାଇ ପାରିଲେ, ଆଉ କିଏ କଅଣ ପାଇବ ବରାଦ କରିବି ।’’ ଏହା ପରେ ସମସ୍ତେ ଉଭେଇ ଗଲେ । ବୁଢ଼ା ପିଣ୍ଡରେ ପ୍ରାଣ ପଶିଲା । ବାଡ଼ି କବାଟ ଦେଇ ଘର ଖଟ ଉପରେ ବସି ଭାବିଲା ‘‘ମହନା ଆଉ ହଜାରେ ନେବ । ଆଗରୁ ହଜାରେ ନେଇଛି । ତେବେ ଆଉ ତିନି ହଜାର ମୁନାଫା । ମନ୍ଦ କଅଣ ?’’ ବୁଢ଼ା ନିଶ୍ଚିନ୍ତରେ ଶୋଇଲା ।

 

ସକାଳ ହେଲା । ବୁଢ଼ା ଗାଧୁଆ ପାଧୁଆ କରି ନିଶ୍ଚିନ୍ତରେ ପୁଞ୍ଜିଏ ପଖାଳ ଖାଇ ପଦାକୁ ବାହାରିଲା । ମୂଲିଆମାନେ କାମରେ ଲାଗିଛନ୍ତି । ମହନା ବି ତାଙ୍କ ସାଙ୍ଗରେ କାମ କରୁଛି । ବୁଢ଼ା ମହନାକୁ ଡାକି ନିକାଞ୍ଚନ ଥାନକୁ ନେଇ କହିଲା, ବୁଝିଲୁ ନା ମହନି କଥାଟା ଅଗ୍ରନ୍ଥ ହୋଇଗଲା । ସେ ଦିନ ସେ ନାହାକଟା ଗଣିବାରେ ଭୁଲ କରିଦେଲା । ତୁଚ୍ଛାଟାକୁ ସେ ଦିନ ଗୁଡ଼ାଏ କଷ୍ଟ ପାଇଲି-। ଆଜି ଠିକ୍ କରି ଜାତକ ସାଧିଲାବେଳକୁ ଦେଖାଗଲା ସେ ଯୋଗଟା ଆଜି ରାତିକୁ ପଡ଼ୁଛି-। କଅଣ କରିବା ହଟହଟା ହେବା କଥା । ଛାଡ଼, ଆଜି ରାତିକୁ ତୋ ବୋହୂକୁ ଘେନି ଆମ ଗୁହାଳ ଚାଲିଆରେ ରହିବୁ । ସେ ଦିନ ପରି ମୁଁ ଯାଇ ତୋ ଘରେ ଶୋଇବି ।’’ ଏ କଥା ଶୁଣି ମହନି କହିଲା, ‘‘ଆଜ୍ଞା ସେ ପାପ କଥାଗୁରାକ ଆଉ ତୁଣ୍ଡରେ ଧରନା । ଅକାଳେ ସକାଳେ ଗୋଟାଏ କଥା କହିଦେଲେ, ଦାନା ଖାଉଛି, କଥା ଭାଙ୍ଗି ପାରିଲି ନାହିଁ । ଏତେ ବାଉରି ଘର ଅଛି-। ଆଉ କାହା ଘର ଦେଖନ୍ତୁ ।’’ ମହନି ଠିକ୍ କରି ଜାଣିଥିଲା ଟଙ୍କା ସିନା ଦେଇଛି ପଛରେ ଛଡ଼େଇ ନେବ-। ତୁଚ୍ଛାଟାକୁ ଏତେ ହଇରାଣ ହେବ କାହିଁକି । ତହିଁରେ ପୁଣି ଗୁଡ଼ିଏ ପାପ କମେଇବ । ଶନିଗ୍ରହ ଅତିବୁଦ୍ଧି ମୁଣ୍ଡରୁ ଓହ୍ଲାଇ ତାରି ଘରେ ରହିବ । ବୁଢ଼ା ଯେତେ କଅଁଳେଇ କରି କହିଲା, ମହନିର ଏକା ନାହିଁ । ଶେଷରେ ବୁଢ଼ା କହିଲା, ‘‘ସବୁ କଥା ଛାଡ଼ ଆଉ ହଜାରେ ନେ ପଛକେ ମୋ ଜୀବନ ରଖ । ଆଉ ନାସ୍ତି କର ନା । ତଥାପି ମହନି ମଙ୍ଗିଲା ନାହିଁ । ଅତିବୁଦ୍ଧି ଆହୁରି ହଜାରେ ଯାଚିଲା, ତେବେବି ମହନି ଏକା ରାହା ଧରିଥାଏ । ଆହୁରି ହଜାରେ, ଆହୁରି ହଜାରେ ଏପରି ଆଉ ୪ ହଜାରେ କଥା ଛିଣ୍ଡିଲା । ବୁଢ଼ା ମନେ ମନେ ବିଚାରିଲା ‘‘ଶଳା ବାଉରି ଟୋକାରତ ବହପ କମ୍ ନୁହେଁ । ମତେ ଠେକିଏ ପାଣି ପେଇ ଦେଲାଣି । ଆଚ୍ଛା, ଆଜି ରାତିରେ ସେ ୫ ହଜାର ଟଙ୍କା ମୋ ହାତ ପଇଠ ହେଉ, କାଲି ସକାଳେ କଥାବାର୍ତ୍ତା । ତଣ୍ଟି ଝୁଣିକରି ସବୁ ଅସୁଲ କରିବି । ପିଲା କେଉଁ ସ୍ୱାଇଁ ଘର ବାଟେ ଯିବ ଦେଖିବି ଯେ ।’’ ମହନିକୁ କହିଲା ‘‘ଯା ପୁତା ସନ୍ଧ୍ୟାକୁ ସେ ଦିନ ପରି ଘର ଲିପା ପୋଛା କରି ବୋହୂକୁ ଘେନି ଗୁହାଳ ଚାଲିଆରେ ରହିବୁ, ହାତକୁ ହାତ ଟଙ୍କା ଗଶି ଦେବି-। ଆରେ ଜୀବନ ବଡ଼ ନା ଟଙ୍କା ବଡ଼ । ମୁଁ ବଞ୍ଚିଥିଲେ କେତେ ଟଙ୍କା କମେଇବି । ଯା ବାପ ଯା-।’’ ମହନି ଘରକୁ ଗଲା । ସନ୍ଧ୍ୟାକୁ ଘରଦ୍ୱାର ଲିପାପୋଛା କରି ଭାରିଯା କାନରେ କଅଣ ତୁନି ତୁନି କରି କହି ଦୁହେଁଯାକ ଆସିଲେ । ମାଇପକୁ କିଆ ଗୋହରୀ ଭିତରେ ଛପି ଯିବାକୁ କହି ମହନି ଯାଇ ତା ଖୁଡ଼ିକୁ ସାଙ୍ଗରେ ନେଇ ମହାଜନ ଗୁହାଳ ଗାଳିଆରେ କନାପଟା ଦିଖଣ୍ଡ ଦୁଲ୍ କରି ପକାଇ ଦେଇ ଖୁଡ଼ିକି କହିଲା,’’ ଭିତର ପଟୁ କବାଟଟା ଲଗେଇ ଦେ, ମୁଁ ଟିକିଏ ଛାଡ଼ି ଆସୁଛି ।’’ ଆସିଲା, ଅତିବୁଦ୍ଧି ଆସି ସେତେବେଳକୁ ଗୁହାଳ ପାଖରେ ୪ ହଜାର ଟଙ୍କାର ମୋହର ଧରି ପହଞ୍ଚିଲାଣି । ମହନା କଥା ଶୁଣି କହିଲା, ‘‘ମହନି, ତାକୁ କବାଟ ଫିଟାଇବାକୁ କହ, ଆଉ ଏ ଟଙ୍କା ତାକୁ ଦେଇ ଆସି ମୋ ସାଙ୍ଗରେ ଆ । ତୋ ଘରେ ଛାଡ଼ିଦେଇ ଆସି ନିଶ୍ଚିନ୍ତରେ ଶୋଇବୁ-।’’ ମହନି ହାତକୁ ମୋହର ଥଳୀଟି ବଢ଼ାଇ ଦେଲା । ମହନି ଥଳିଟି ନେଇ ଚାଲିଆ କବାଟରେ ଥିରି ଥିରି ହାତ ମାରି ଡାକିଲା । ଏରୁଣ୍ଡି ଉପରେ ଠିଆ ହେଲା । ଲୁଚେଇ କରି ମୋହର ଥଳିଟି କାଖରେ ଯାକି, କହିଲା, ନେ କବାଟ ଦେ । ଏ ଥଳିଟି ଜାଗତିଆର କରି ରଖିଥା । ମୁଁ ଏହି ଗୋଡ଼େ ଗୋଡ଼େ ଆସିଲି ବୋଲି ଜାଣେ ।’’ ତା ଖୁଡ଼ି ହୁଁ ମାରି କବାଟ ଦେଲା । ମହାଜନ ଗଲାବେଳେ ତା ପିଆଦାକୁ ଡାକି କହିଲା, ଦେଖେ ମହନି ଫେରିବା ପର୍ଯ୍ୟନ୍ତ ତୁ ଏଠାରେ ଜଗିଥା । ତିରିଲା ଲୋକ ଡରିବ କଅଣ କରିବ ?’’ ମାତ୍ର ଆଗରୁ ପିଆଦାକୁ ଏକୁଟିଆରେ କହିଥିଲା, ଦେଖ, ମୁଁ କାଲି ସକାଳୁ ନ ଫେରିବା ପର୍ଯ୍ୟନ୍ତ ତୁ ଏ ଦୁହିଁଙ୍କୁ କୁଆଡ଼େ ଛାଡ଼ି ଦେବୁ ନାହିଁ ଗୋଡ଼େ ଗୋଡ଼େ ଜଗିଥିବୁ, ସାବଧାନ-।’’ ଦୁହେଁଯାକ ଯାଇ ମହନି ଘରେ ପହଞ୍ଚିଲେ । ବୁଢ଼ା କହିଲା, ‘‘ଯା ପୁତା ଚଞ୍ଚଳ ଯା, ତେଣେ ପିଲାଟା ଡରୁଥିବ ।’’ ଭିତର ପଟୁ କବାଟ ଦେଇ ବିଚାରିଲା ‘‘ହଉ ରାତି ପାହୁ ତୋର ମୋର କଥାବାର୍ତ୍ତା, ଶଳା ବାଉରି ମନେ ନାକ ବାଳ ଧରାଇଲାଣି ।’’ ମହନିବି ‘‘ବୁଢ଼ା ବିଚାରିଛି ସେହି ଏକା ଦଶମାସିଆ ଆଉ ସମସ୍ତେ ଆଠ ମାସିଆ । ଆରେ ମୋ ନାଁ ବି ମହନା, ଚାହିଁ ଜୁଳୁକି ଲଗାଇ ଦେବି ।’’ ଏହିପରି ଭାବି ତରାକୁ କିଆ ଗୋହିରି ପାଖରୁ ସାଙ୍ଗରେ ଧରି ଏକମୁହାଁ ହୋଇ ଧାଇଁଲା-

 

ଅତିବୁଦ୍ଧି ପାଖରେ ଟୋକେଇଟି ରଖି ଏକା ଲୟରେ ଚାଳକୁ ଅନାଇ ଥାଏ । ଚାହିଁ ଚାହିଁ ଆଖିରୁ ପାଣି ମଲା । ପହରେ ଗଲା, ଦୁଇପହର ହେଲା । ଦିପଦହର ଯାଇ ତିନି ପହର ହେଲା । ପାହାନ୍ତି କୁକୁଡ଼ା ଡାକିଲେ । ଶେଷକୁ କୁଆ କା କଲେ । ଅତିବୁଦ୍ଧି ଉଠି କରି ବସିଲା । ବିଚାରିଲା ‘‘ସକାଳ ଆସି ହେଲା ହେଲା ଟଙ୍କା କାହିଁ । ଲୋକେ ଚଳ ପ୍ରଚଳ ହେବେ, ମତେ ଏ ବାଉରି ଘରୁ ବାହାରିବାର ଦେଖିଲେ କଅଣ କହିବେ ।’’ କବାଟ ଫିଟାଇ ପଦାକୁ ଆସି ଚାଳ ଉପରକୁ ଚାହିଁଲା । କାଳେ କିଏ ଚାଳ କଣା କରୁଥିବ, କେହି ନାହିଁ । ପୁଣି ଖଣ୍ଡେ ଦୂରକୁ ଯାଇ ବୁଲି ପଡ଼ି ଚାଳକୁ ଚାହିଁଲା । କେହି ନାହିଁ । ଖରା ପଡ଼ି ଆସିଲା । ବୁଢ଼ା ଝପଟି କରି ଯାଇ ଗୁହାଳ ଚାଲିଆ ଦୁଆର ମୁହଁରେ ପହଞ୍ଚିଲା । ପିଆଦା ଜଗି କରି ବସିଛି । ବୁଢ଼ା ଡାକ ଛାଡ଼ିଲା, ‘‘ମହନା ମହନା’’ ପିଆଦା କହିଲା, ‘‘ମହନା ତ କାଲି ସେତେ ରାତିରେ ଆପଣଙ୍କ ସାଙ୍ଗରେ ଗଲା । ଆଉ ତ ଫେରି ନାହିଁ ।’’ ବୁଢ଼ା ପଚାରିଲା, ‘‘ତରା ?’’ ପିଆଦା କହିଲା, ‘‘ଚାଲିଆର ଅଛି ।’ ବୁଢ଼ା ଯାଇ କବାଟରେ ହାତ ମାରି ‘‘ତରା ତରା’’ ବୋଲି ଡାକିଲା । କବାଟଟା ଠିଆ ମେଲା ହୋଇଗଲା । ବୁଢ଼ା ଭିତରକୁ ଅନାଇଲା । ନା ତରା ନା ଜହ୍ନ କେହି ନାହାନ୍ତି । ବୁଢ଼ା ମୁହଁ କଳା ପଡ଼ିଗଲା । ବିଚାରିଲା, ଆରେ ଶଳା ବାଉରି ଟୋକା ତ ମତେ ନିର୍ଦ୍ଧୁମ ଚିତା କାଟି ଦେଲା । ଚାରି ପୁଅ ଆଉ ସବୁ ଚାକରମାନଙ୍କୁ ଡାକି କହିଲା, ‘‘ଆରେ ଚଞ୍ଚଳ ଚାରି ଦିଗକୁ କ୍ଷେପି ଯାଅ । ସେ ଶଳା ବାଉରି ଟୋକାକୁ ଆଉ ତା ମାଇପକୁ ଯେଉଁଠି ଦେଖିବ ଚୁଟି ଧରି ଭିଡ଼ି ଆଣିବ । ଶଳା ମୋର ସର୍ବନାଶ କରି ପଳେଇଛି ।’’ ପୁଅ ଓ ଚାକରମାନେ କ୍ଷେପିଗଲେ । ବୁଢ଼ା ଘର ଭିତରକୁ ଯାଇଁ ଅଧୁଆ ମୁହଁରେ ଖଟ ଉପରେ ଲମ୍ୱଜାଲ ହୋଇ ପଡ଼ି ରହିଲା । ଖାଇବା ବେଳ ହେଲାରୁ ବୋହୂମାନେ ତେଲ କାଞ୍ଚୁଲି ଆଣି ବୁଢ଼ା ପାଖରେ ରଖି ଗୋଧୋଇ ଯିବାକୁ କହିଲେ । ବୁଢ଼ା ‘‘ମୋ ଦେହ ଭଲନାହିଁ, ମୁଁ ଖାଇବି ନାହିଁ’’ ବୋଲି କହି ସମସ୍ତଙ୍କୁ ଘଉଡ଼ାଇ ଦେଲା ।

 

ସନ୍ଧ୍ୟା ହେଲା । ପୁଅ ଓ ଚାକରମାନେ ବୁଲି ବୁଲି ଢଣା ହୋଇ ଫେରିଲେ । ମହନାର ଭେଟ ପାଇଳେ ନାହିଁ । ଏ କଥା ଶୁଣି ବୁଢ଼ାର ପିଳେହି ପାଣି, ଗୋଡ଼ରୁ ହାତରୁ ଜୀବ ଛାଡ଼ି ଗଲା ପରି ଲାଗିଲା । କମଳ ଖଣ୍ଡେ ଘୋଡ଼ି ହୋଇ ଏକା ସଜକେ ପଡ଼ି ରହିଲା । ଖାଇବାକୁ ପୁଅ ବୋହୂମାନେ ଲଗାଇବାରୁ ଚିଡ଼ିକରି ସମସ୍ତଙ୍କୁ ବାର ଅପର ଛନିଆ ଗାଳିଦେଇ ସେ ଘରୁ ତଡ଼ିଦେଲା ।

 

ସମସ୍ତେ ଖିଆପିଆ କରି ଶୋଇଲେ । ବୁଢ଼ା ଏକା ସଜକେ ପଡ଼ିଥାଏ । ଚାରିଆଡ଼ ନିଶବଦ ହେଲା । ନିଶା ଗରଜିଲା । ପୁଣି ବାଡ଼ି ଭିତରେ ଟୁପୁରୁ ଟାପର ଶୁଭିଲା । ବୁଢ଼ା କମଳ ଭିତରୁ ମୁହଁ କାଢ଼ି କାନେଇଲା । ସତରେ କଥାବାର୍ତ୍ତା ଶୁଭୁଛି । ବୁଢ଼ା ଉଠି ଗୋଡ଼ ଚିପି ଚିପି କରି ଯାଇ ବାଡ଼ି କବାଟ ଫିଟାଇ ଛପିକରି ଠିଆ ହେଲା । ଆଗ ରାତିମାନଙ୍କ ପରି ସିଂହାସନ ତେଜୋମୟ ପୁରୁଷ, ମନ୍ତ୍ରୀ ସବୁ କଥା ଅଛି । ତେଜୋମୟ ପୁରୁଷ କହିଲେ ‘‘ମନ୍ତ୍ରୀ, ମହନି ଭୋଇକୁ ଟଙ୍କା ଦେଲ ।’’ ମନ୍ତ୍ରୀ କହିଲେ, ‘‘ଆଜ୍ଞା ତିନି ଦିନ ତଳେ ହଜାରେ ଟଙ୍କା ଦେଇଥିଲି, କାଲି ରାତିରେ ଆଉ ଚାରି ହଜାର ଦେଲି ।’’ ଏକଥା ଶୁଣି ଅତିବୁଦ୍ଧି ଝପ୍ କରି ତାଙ୍କ ଆଗକୁ ଯାଇ ହାତ ଯୋଡ଼ି କହିଲା ‘‘ଆଜ୍ଞା ଏ ମନ୍ତ୍ରୀ ନିପଟ ବାହାପିଆ, ତୁଚ୍ଛା କଞ୍ଚା ମିଛ ଗୁଡ଼ାକ ଗପି ଯାଉଛନ୍ତି । ଏ ମହନାକୁ ପାହୁଲାଟିଏ ଦେଇ ନାହାନ୍ତି । ସବୁତକ ମୁଁ ଦେଇଛି । ଆଜ୍ଞା ମୋ ଟଙ୍କା ମତେ ମିଳୁ’’ ତେଜୋମୟ ପୁରୁଷ ରାଗିକରି କହିଲେ ‘‘ଆରେ ଏଇଟା କିଏ ପଳା ପଳା । ଆରେ ତୁ ନରଲୋକ ହୋଇ ଦେବତାଙ୍କ କଥା ଶୁଣୁଛୁ । ପଳା ପଳା । କହିଲା ଆସି କଅଣ ନା ମୋ ଟଙ୍କା । ହଇରେ ତୁ କଅଣ ଟଙ୍କା ଧରି ମା ପେଟରୁ ଜନ୍ମ ହୋଇଥିଲୁ ନା ଆମେ ଟଙ୍କା ଗଛ ଲଗେଇଛୁ, ଟଙ୍କା ଫଳୁଛି । ଆରେ ୟା ଟଙ୍କା ତାକୁ, ତା ଟଙ୍କା ୟାକୁ ଦେଉଛି, କହିଲା ଆସି ମୁଁ ଟଙ୍କା ଦେଇଛି । ଚାଲ ଆମେ ଯିବା ବାହାରି ।’’ ଚାହୁଁ ଚାହୁଁ କୁଆଡ଼େ ଉଭେଇ ଗଲେ । ଅତିବୁଦ୍ଧିର ଚେତା ବୁଡ଼ିଗଲା । ଗଛ କାଟିଲାପରି ତଳେ ପଡ଼ିଗଲା । ନିଶବଦ ରାତିରେ ବୁଢ଼ା ପଡ଼ି ଯିବାର ଶବଦ ଶୁଣି, ପୁଅ ଆଉ ଚାକରମାନେ ଦଉଡ଼ି ଆସିଲେ । ବୁଢ଼ାକୁ ଟେକା ଟେକି କରି ଘରକୁ ନେଇ କାନ ଫୁଙ୍କି ମୁହଁରେ ପାଣି ଛାଟି ସାଷ୍ଟମ କଲେ ।

Image

 

ସେତକୁ ଏତେ ଏତକୁ କେତେ

 

କାଉଁରୀ ଦେଶକୁ କାଶୀରୁ ଜଣେ ସର୍ବଜ୍ଞ ପଣ୍ଡିତ ଆସିଲେ । ସେ ପୂର୍ବଜନ୍ମ କଥା ସବୁ କହି ପାରନ୍ତି । ରାଜା, ରାଣୀ, ପାତ୍ର, ମନ୍ତ୍ରୀ ସାଧବ କଟୁଆଳଙ୍କ ହାତ ଦେଖି ପୂର୍ବ ଜନ୍ମରେ କିଏ କଣ ଥିଲେ ସବୁ କହିଗଲେ । ସମସ୍ତଙ୍କଠାରୁ ଭଲ ବିଦାକୀ ପାଇଲେ ।

 

ଏହାର କିଛିଦିନ ପରେ ରାଣୀ ପ୍ରତିଦିନ ଭଲ ଭଲ ପିଠା ପଣା କରି ବ୍ରାହ୍ମଣ ଭୋଜନ କରାଇଲେ । ବ୍ରାହ୍ମଣମାନେ ଭୋଜନ କଲା ପରେ ରାଣୀ ଟେରା ବାଡ଼ ସେ ପାଖରେ ରହି ପଚାରନ୍ତି ‘‘ଗୋସେଇଁମାନେ ! ସେତକୁ ଏତେ, ଏତକୁ କେତେ ?’’ ଏ କଥାର ଜବାବ କେହି ଦେଇ ପାରନ୍ତି ନାହିଁ, ବିଦାକି ଘେନି ଚାଲି ଯାଆନ୍ତି । ଗୋଟିଏ ବୁଢ଼ା ବ୍ରାହ୍ମଣକୁ ଏ କଥାଟା ଭାରି ବାଧିଲା । ଦିନେ ସବୁ ବ୍ରାହ୍ମଣ ଯାକ ଖାଇସାରି ଘରକୁ ଚାଲିଗଲେ, ମାତ୍ର ସେ ବୁଢ଼ା ଘରକୁ ନ ଯାଇ ସିଂହଦ୍ୱାର ମୁହଁରେ ଛକି କରି ରହିଲା । ମୁହଁ ଅନ୍ଧାରୁଆ ହୋଇଗଲାରୁ ଗୋଟିଏ ବୁଢ଼ୀ ଦାସୀ ନଅର ଭିତରୁ ବାହାରିଲା । ବୁଢ଼ା ଗୋସାଇଁ ଯାଇଁ ତାକୁ ପଚାରିଲେ ‘‘ମାଉସୀ ଦଣ୍ଡଟାଏ ଠିଆ ହେବ କି, ଗୋଟାଏ କଥା ପଚାରିବି ସତ କରି କହିବ ।’’ ବୁଢ଼ୀ କହିଲା, ‘‘ନନାଗୋସେଇଁ କଅଣ ପଚାରିବ ପଚାର, ଜଣାଥିଲେ କହିବି ।’’ ବୁଢ଼ା ପଚାରିଲା ‘‘ମୋ ରାଣଟି ସତ କରି କହିଲ, ରାଣୀ ମଣିମା କାହିଁକି ପ୍ରତିଦିନ ବ୍ରାହ୍ମଣ ଭୋଜନ କରାଉଛନ୍ତି !’’ ଦାସୀ କହିଲା, ‘‘ରାଣୀଙ୍କ ମନ କଥା ମୁଁ କିପରି ଜାଣବି, ତେବେ ସେ ଯେଉଁ ସର୍ବଜ୍ଞ ଆସି ପୂର୍ବଜନ୍ମ କଥା ସବୁ କହୁଥିଲା, ସେ ରାଣୀଙ୍କୁ କଅଣ କହିଛି କେଜାଣି ତା ପରଦିନଠାରୁ ରାଣୀ ବ୍ରାହ୍ମଣ ଭୋଜନ କରାଉଛନ୍ତି; ମୋର କାମ ଅଛି ମୁଁ ଯାଉଛି ।’’ ସେ ଚାଲିଗଲା । ବୁଢ଼ା ଘରକୁ ଫେରିଲା । ତହିଁ ଆରଦିନ ସକାଳୁ ଖୋଜି ଖୋଜି କରି ଯାଇ ଆଉ ଗୋଟିଏ ଗାଁରେ ସେ ପଣ୍ଡିତଙ୍କୁ ଭେଟିଲା । ତାଙ୍କ ସାଙ୍ଗରେ ଘଡ଼ିଏ ଖଣ୍ଡେ ଦୁଃଖ ସୁଖ ହୋଇ ପଚାରିଲା, ‘‘ଆଜ୍ଞା ଆପଣ କୁଆଡ଼େ ପୁର୍ବଜନ୍ମ କଥା ହାତଦେଖି କହି ପାରନ୍ତି ବୋଲି ଶୁଣିକରି ଆସିଛି ।’’ ପଣ୍ଡିତେ କହିଲେ ‘‘ହଁ ଗୁରୁଙ୍କ କୃପାରୁ ମତେ କିଛି କିଛି ଦୃଶ୍ୟ ହୁଏ ।’’ ବୁଢ଼ା ପଚାରିଲା ‘‘ଆଚ୍ଛା ଆପଣ ଭଲା ଆମର ଏଠାରେ କାହାର କାହାର ହାତ ଦେଖି କହିଛନ୍ତି ।’’ ପଣ୍ଡିତେ କହିଲେ କେତେ ଲୋକଙ୍କର କହିଛି ତାର କଅଣ ହିସାବ ଅଛି ? ତୁମ ରଜାଙ୍କର, ରାଣୀଙ୍କର ପାତ୍ରମନ୍ତ୍ରୀଙ୍କର କେତେ ଏବେ କହିବି ।’’ ବୁଢ଼ା ପଚାରିଲା ‘‘ଆଚ୍ଛା କହିଲେ ଭଲା ଆମ ରାଣୀ ପୂର୍ବଜନ୍ମରେ କଅଣ ଥିଲେ ?’’ ପଣ୍ଡିତେ କହିଲେ, ‘‘ତୁମ ରାଣୀ ଆର ଜନ୍ମରେ ଗୋଟିଏ ଗୋପାଳୁଣୀ ଥିଲେ । ବଣ ଭିତରେ ଘର କରି ଥାଆନ୍ତି । ଗଉଡ଼ ମଇଁଷୀ ଘେନି ପଦାଏ ପଦାଏ ବୁଲେ । ଜ୍ୟେଷ୍ଠମାସ । ଉଦୁଉଦିଆ ଖରାବେଳ । ଘରେ ଟୋପାଏ ପାଣି ନାହିଁ । ତିନୋଟି ପିଲା ଶୋଷରେ ରଡ଼ି ଛାଡ଼ିଲେ । ପାଖ ଆଖରେ ପାଣି ନ ଥାଏ । ଗଡ଼ିଆ ପୋଖରୀ ନାଳ ଝରଣା ସବୁ ଶୁଖିକରି ଠୋ ଠୋ । ଡାକେ ବାଟରେ ଗୋଟିଏ ବୋଲି ଝରଣା । ସେଥିରୁ ସାତଖଣ୍ଡି ଗାଁର ଲୋକ ଆସି ପାଣି ନିଅନ୍ତି । ପିଲାଙ୍କ ବିକଳ ସହି ନ ପାରି ଗୋପାଳୁଣୀ ମାଠିଆ ଘେନି ଦୌଡ଼ିଲେ । ମାଟି ତାତି କରି ନିଆଁ, ଛୁଇଁଲେ ଛଅ ଘାଆ । ବହୁ କଷ୍ଟରେ ଲୋକଙ୍କ ସାଙ୍ଗରେ ଧରା ପରା ଲଗାଇ ମାଠିଆରେ ଯାଏ ଭାଗ ପାରି ଧରି ଘରକୁ ଫେରିଲେ । ବାଟରେ ଗୋଟିଏ ବୁଢ଼ାର ଶୋଷରେ କଣ୍ଠ ଶୁଖି ଯିବାରୁ ସେ ଝୋଲାମରା ହୋଇ ଗୋଟିଏ ଗଛ ମୂଳରେ ବସିଛି । ଗୋପାଳୁଣୀକୁ ଦେଖି ଅତି ବିକଳରେ ଟୋପିଏ ପାଣି ମାଗିଲା । ଗୋପାଳୁଣୀ ନିଜ ପିଲାଙ୍କ କଥା ପଛକୁ ପକାଇ ଦେଇ ଆଗକରି ବୁଢ଼ାକୁ ସେ ପାଣିରୁ ମୁନ୍ଦିଏ ପିଇବାକୁ ଦେଲେ । ବୁଢ଼ା ବିଚରାର ଆତ୍ମା ସନ୍ତୋଷ ହୋଇଗଲା । ‘‘ମା ତୁ ଆର ଜନ୍ମରେ ରାଣୀ ହେବୁ’’ ବୋଲି ବୁଢ଼ା ଆଶୀର୍ବାଦ କଲା । ସେହି ସୁକୃତରେ ସେ ଏ ଜନ୍ମରେ ରାଣୀ ହେଲେ ।’’ ଏକଥା ଶୁଣି ବୁଢ଼ା କହିଲା, ‘‘ଆଜ୍ଞା ମୁଁ ସେ ବିଦ୍ୟା ଶିଖିବି ବୋଲି ଆପଣଙ୍କ ପାଖକୁ ଆସିଥିଲି । ଆଜି ଯାଉଛି । ଗୋଟିଏ ଭଲ ଦିନ ଦେଖି ଅନୁକୂଳ କରି ଆସିବି ।’’

 

ବୁଢ଼ା ତହିଁ ଆର ଦିନ ରାଣୀଙ୍କର ବ୍ରାହ୍ମଣ ଭୋଜନୀକୁ ଗଲା । ଖିଆପିଆ ଶେଷରେ ଟେରା ବାଡ଼ ସେପାଖରେ ରାଣୀ ପଚାରିଲେ ‘‘ଗୋସେଇଁମାନେ ସେତକୁ ଏତେ ଏତକୁ କେତେ-?’’ ଆଉ କେହି କିଛି କହିଲେ ନାହିଁ । ସେ ବୁଢ଼ା କହିଦେଲା, ‘‘ଏତକୁ କିଛି ନାହିଁ ।’’ ରାଣୀ ସାଙ୍ଗେ ସାଙ୍ଗେ ମୁଦୁସୂଲୀକୁ ପଠାଇ ବୁଢ଼ାକୁ ରଖାଇଲେ । ସମସ୍ତେ କହିଲେ, ‘‘ରାଣୀଙ୍କ ମୁହଁ ଉପରେ ହୁଣ୍ଡା ପଣିଆରେ କଅଣ ପଦେ କହିଦେଲା; ଗୋଟାଏ କିଛି ଅନିଷ୍ଟର ଆଗା ଦେଖା ଗଲାଣି ।’’ ସମସ୍ତେ ଚାଲିଗଲେ । ସେ ବୁଢ଼ା ରହିଲା ।

 

ଟିକକ ପରେ ରାଣୀ ଟେରାବାଡ଼ ସେପାଖରେ ଥାଇ ପଚାରିଲେ ‘ଗୋସେଇଁ ! ମୁଁ କଅଣ ପଚାରିଲି, ତୁମେ କଅଣ କହିଲା’ ବୁଢ଼ା ବି ରୋକ୍ ଠୋକ୍ ଜବାଦ ଦେଲା, ‘‘ମଣିମା ଯାହା ପଚାରିଲେ ମୁଁ ତାର ଠିକ୍ ଉତ୍ତର ଦେଲି ।’’ ରାଣୀ ଟିକିଏ ଚିଡ଼ିକରି ପଚାରିଲେ, ‘‘ମୁଁ କଅଣ ପଚାରିଲି ତୁମେ କଅଣ କହିଲ ।’’ ବ୍ରାହ୍ମଣ କହିଲା ‘‘ମଣିମା ! ମୁଁ ବୃଦ୍ଧ ବ୍ରାହ୍ମଣ, କିଛି ପିଲା ନୁହେଁ ଯେ କଥା ନ ବୁଝି ଛାମୁରେ ତୁଣ୍ଡ ଫିଟାନ୍ତି । ରାଣି ପଚାରିଲେ ‘‘ଆଚ୍ଛା କଅଣ ବୁଝିକରି କହିଲ ?’’ ବୁଢ଼ା କହିଲା ‘‘ଏ ମୁଣ୍ଡ ରହିଲେ କହିବି । ରାଣୀ କହିଲେ, ‘‘ଆଚ୍ଛା କୁହ, କିଛି ଭୟ ନାହିଁ ।’’ ବ୍ରାହ୍ମଣ କହିଲା, ‘‘ଆପଣ ଆର ଜନ୍ମରେ ଗୋପାଳୁଣୀ ଥିଲେ ।’’ ତାଙ୍କ କଥା ନ ସରୁଣୁ ରାଣୀ କହିଲେ, ‘‘ତେବେ ତୁମକୁ କଥାଟା ଜଣାଅଛି । ପୁଣି ଏତକୁ କିଛି ନୁହେଁ ବୋଲି କିପରି କହିଲ ?’’ ବ୍ରାହ୍ମଣ କହିଲା ‘‘ମଣିବା ! ଛାମୁ କେତେ କଷ୍ଟରେ ସେପରି ତାଳୁଫଟା ଖରାରେ ଦଉଡ଼ି ଦଉଡ଼ି ମୁନ୍ଦିଏ ପାଣି ଆଣୁଥିଲେ । ତେଣେ ପିଲା ତିନୋଟିଙ୍କର ଶୋଷରେ ପ୍ରାଣ ଛାଡ଼ିଯିବା ଉପରେ ମାତ୍ର ବୁଢ଼ାର ବିକଳ ସହି ନ ପାରି, ସବୁକଥା ପଛକୁ ପକାଇ ଦେଇ ଆଗ ତା କଥା ବୁଝିଲେ, ତାକୁ ଆତ୍ମା ସନ୍ତୋଷ କରି ପିଇବାକୁ ଦେଲେ, ସେହି ପୁଣ୍ୟ ଯୋଗୁଁ ଏ ଜନ୍ମରେ ରାଣୀ ହେଲେ । ମାତ୍ର ଏ ଜନ୍ମରେ ଆପଣ କେଉଁ ବଡ଼ କଥାଟା କଲେ କି । ଗୋରୁ ମାରି ଯୋତା ଦାନ କରିବା ନ୍ୟାୟ ଏ । ଆପଣଙ୍କ ଦିହକୁ ମୁଣ୍ଡକୁ ଲାଗିଲା ନାହିଁ, ଖାଲି ହୁକୁମ୍ ଦେଲେ । ଖାଇବା ଜିନିଷ ଆସି ଗଦା ହେଲା-। ବ୍ରାହ୍ମଣ ଭୋଜନୀ କରାଇଲେ । ଗଉଡ଼ ବିଚାରା ତା ଦୁଧ ଦହି ଟୋପାକ ବିକି ପିଲାଙ୍କ ମୁହଁରେ ଆହାର ଦେଉଥିଲା । ପାଇକମାନେ ଯାଇ ଦି ଚାରି ପଇସା ପକାଇ ଦେଇ, ନୋହିଲେ ଆଖି ଦେଖାଇ ମାଗଣା ଘେନି ଆସିଲେ । ରାଢ଼ୀଠାରୁ ଚୂଡ଼ା, ଗୁଡ଼ିଆଠାରୁ ଗୁଡ଼ ଘିଅ, ମାରି ପିଟି ଘେନି ଆସିଲେ । ଏଥିରେ ଆପଣ କେଉଁ ପୁଣ୍ୟଗୁଡ଼ାକ ଅର୍ଜ୍ଜନ କରି ପକାଇଲେ ଯେ ଆର ଜନ୍ମରେ ଗୁଡ଼ାଏ ପାଇଯିବେ । ତହିଁରେ ପୁଣି ଗୁଡ଼ାଏ ଅଗା ବଗା ଖଗା ବ୍ରାହ୍ମଣ ଡାକି ଖୋଇଲେ । ଏଥିରେ ଯଦି ପୁଣ୍ୟ ହୋଇ ଯାଉ ଥାଆନ୍ତା, ତେବେ ଧନୀମାନଙ୍କ ଛଡ଼ା ଆଉ କେହି ସ୍ୱର୍ଗକୁ ଯାଇ ପାରନ୍ତେ ନାହିଁ । ଚିତ୍ରଗୁପ୍ତଙ୍କ ପାଞ୍ଜିରେ ଧନ କଥା ଲେଖା ହୁଏ ନାହିଁ; ମନ କଥା ଲେଖା ହୁଏ ।’’ ଏ କଥା ସବୁ ରାଣୀଙ୍କ ମନକୁ ପାଇଗଲା । ବ୍ରାହ୍ମଣକୁ ଧନରତ୍ନ ଦେଇ ବିଦା କଲେ । କଥାଟାକୁ ବସି ନିଶ୍ଚଳ ମନରେ ରାଣୀ ବିଚାର କଲେ ।

 

ସେହି ଦିନଠାରୁ ବ୍ରାହ୍ମଣ ଭୋଜନ ବନ୍ଦ ହେଲା । ଉଆସ ବଗିଚାରେ ରାଣୀ ନିଜ ହାତରେ କୋଡ଼ି ହାଣି ଆମ୍ୱ, ଲେମ୍ୱୁ, ଟଭା, ନାରଙ୍ଗ, ପିଜୁଳି ଆଦି ଗଛ ଲଗାଇ ନିଜ ହାତରେ ପାଣି ଦେଇ ବଢ଼ାଇଲେ, ଯାହା ସବୁ ଫଳିଲା ସେଥିରୁ ନିଜେ ଗୋଟିଏ ନଛୁଇଁ ହାଟରେ ବିକାଇଲେ, ଯାହା ମିଳିଲା ସେହି ପଇସାରେ ବୈଶାଖ ମାସରେ ତ୍ରିଛକିରେ ଜଳଚ୍ଛତ୍ର ଦିଆଇଲେ ।

Image

 

ହରିସାହୁ ମହାଜନ

 

ରାଜପୁରରେ ତହୁଁ ବଳି, ତହୁଁ ବଳି ଅନେକ ମହାଜନ ଅଛନ୍ତି । ହେଲେ କଅଣ ହେଲା ଆଖପାଖ ଦଶକୋଶ ଭିତରେ କେଉଁଠାରେ ନ୍ୟାୟ ନିଶାପ ପଡ଼ିଲେ ହରି ସାହୁକୁ ସବା ଆଗ ଡାକରା ପଡ଼େ । ସାହୁ ନ ଗଲେ ନିଶାପ ଛିଣ୍ଡେ ନାହିଁ ।

 

ହରି ସାହୁର ଧନୁର୍ଦ୍ଧରା ଚାରିପୁଅ । ବଡ଼ ବୁଅ ମଧୁସାହି ଦିନେ ଅନ୍ୟ ଗାଁରେ ଧନ୍ଦା ବଢ଼ାଇ ଘରକୁ ଫେରୁଛି । ଗୋଟିଏ ବିଧବା ଗାଧୁଆ ତୁଠରେ ପାଣି ଆଞ୍ଜୁଳାଏ ଧରି ଧର୍ମ ଗୋସେଇଙ୍କୁ ଚାହିଁ କହୁଛି, ‘‘ହେ ଧର୍ମ, ରହିସାହୁର ବଡ଼ପୁତକୁ ଚନ୍ଦ୍ରବାଡ଼ି ଖାଉ ।’’ ଏ କଥା କାନରେ ବାଜିବା ମାତ୍ରକେ ମଧୁ ହଠାତ୍ ବୁଲି ପଡ଼ି ସେ ବିଧବାକୁ ପଚାରିଲା, ‘‘ହଇଲୋ ମାଉସୀ ! ହରି ସାହୁକୁ କାହିଁକି ବକୁଛୁ ।’’ ସେ ବିଧବାଟି ରାଗରେ ତମତମ ହୋଇ କହିଲା ‘‘କାହିଁଙ୍କି ବକୁଛି, ବକିଲିଣି ନା ଆହୁରି ବକିବି, ଶୁଣିବ ପୁତ ! ମୋ ସାଙ୍ଗରେ ମୋ ଦିଅର ବାଦ କରି ନିଶାପ କରାଇଲା । ସବୁ ଭଲ ଲୋକମାନେ ମୋ ଆଡ଼କୁ କହିଲେ, ମାତ୍ର ସେହି ଖଣ୍ଡିଆ ଗଛଜଳା ହରି ସାହୁଟା ଦିଅର ଆଡ଼କୁ କହିଲା । ମୋ ଗେରସ୍ତ ଖଟି ଖଟି ମଲା । ବାଡ଼ି ଗୋବରେ ଗୋବେ ହୋଇ ଜମି ନ ଥିଲା, ସେ ମୁଣ୍ଡଝାଳ ତୁଣ୍ଡରେ ମାରି ପେଟରେ ଓଦାକନା ପକାଇ ଦଶମାଣେ ସମ୍ପତ୍ତି କଲା, ସେ ଛତରା ଦିଅର ଟାକୁ ବାହା ସାହା କଲା, ଆଖର ଖଟି ଖଟି ଧଇଁକାଶରେ ମଲା । ଯେଉଁ ଦିଅର ଘରେ ବସି ଜୋଇଁ ଗ୍ରାସ ମାରିବ, କୁଟା ଖଣ୍ଡକ ଦିଖଣ୍ଡ କରିବ ନାହିଁ ସେ ପାଇଲା ଅଧେ ଆଉ ମୁଁ ପାଇଲି ଅଧେ । ଏହି ନ୍ୟାୟ ହରି ସାହୁ କଲା । ସେ ଚୁଲିପଶାର କୁଳ ବୁଡ଼ିବ ନାହିଁ ତ ଆଉ କାହାର ବୁଡ଼ିବ ?’’ ଏକଥା ଶୁଣି ମଧୁଭାରି ରାଗରେ ଫେରିଲା ବେଳେ ମନେ ମନେ ବିଚାର କଲା ‘‘ବାହାରେ ! ବାପାତ ଆମ ପାଇଁ ଭଲ ଅଭିଶାପ ଗୁଡ଼ାଏ ସାଇତି କରି ରଖି ଯାଉଛନ୍ତି । ନ୍ୟାୟନିଶାପକୁ ଯିବେ କିଆଁ ଏତେ ଗାଳି ଖାଇବେ କିଆଁ ।‘’ ରାଗ ଗରଗର ହୋଇ ଘରେ ପହଞ୍ଚିଲା ।

 

ହରି ସାହୁ ଖାତାପତ୍ର ଫିଟାଇ କରି ବସିଛି, ହିସାବ କିତାବ ଲାଗିଛି, ଲୋକେ ଘେରି ଯାଇଁ ନିଜ ନିଜ ବିଷୟ ପଚାରୁଛନ୍ତି । ମଧୁ ଯାଇ ବାପ ଆଗରେ ଠିଆ ହୋଇ କହିଲା ‘‘ବାପା ! ଆଜିଠାରୁ ଆପଣ ଆଉ କୁଆଡ଼େ ନ୍ୟାୟ ନିଶାପ କରିବାକୁ ଯିବେ ନାହିଁ ।’’ ବୁଢ଼ା କିଛି ବୁଝି ନ ପାରି ପଚାରିଲା ‘‘କାହିଁକିରେ ବାପ ! କଥାଟା କଅଣ ?’’ ମଧୁ କହିଲା ‘‘କଥାଟା ଯାହା ପାରି ତା ହେଉ ଆପଣ ଆଉ କୌଣସି ନ୍ୟାୟ ନିଶାପକୁ ଯିବେ ନାହିଁ, ମୋ ମୁଣ୍ଡ ଛୁଇଁ ନିୟମ କରନ୍ତୁ ।’’ ହରି ସାହୁ କଅଁଳେଇ କରି କହିଲା ଏ କୁଆଡ଼ର କଥା କହୁଛୁମ । କଅଣ ଶାସ୍ତ୍ର ପୁରାଣ ଶୁଣି ନାହୁଁ କିରେ ? ବୀରକୁ କେହି ଯଦି ଯୁଦ୍ଧକୁ ଡାକେ, ପଣ୍ଡିତଙ୍କୁ କେହି ଯଦି ସଭାକୁ ଡାକେ, ବ୍ରାହ୍ମଣଙ୍କୁ କେହି ଯଦି ଦାନ ନେବାକୁ ଡାକେ, ଆଉ ସାହିପଡ଼ିଶାକୁ କେହି ଯଦି ନିଶାପକୁ ଡାକେ, ସେମାନେ ନ ଗଲେ ସେମାନଙ୍କର ସପ୍ତପୁରୁଷ ନରକରେ ପଡ଼ନ୍ତି । ଏକଥା ଶୁଣି ମଧୁ ରାଗରେ କହିଲା, ‘‘ଯାହାର ବଡ଼ ପୁଅକୁ ଚନ୍ଦ୍ରବାଡ଼ି ଖାଏ, ତା ସପ୍ତ ପୁରୁଷ କୁଆଡ଼େ ଯାଆନ୍ତି ?’’ ବୁଢ଼ା କଥାଟା ବୁଝି ନ ପାରି ଫେର୍ ପଚାରିଲା କଥାଟା ସିନାଫିଟାଇ କରି କହିଲେ ବୁଝିବା ।’’ ମଧୁ ସେ ବିଧବାର ଧର୍ମ୍ମକୁ ପାଣି ଟେକିବା କଥା କହିବାରୁ ବୁଢ଼ା ମୁଡ଼ୁକେଇ କରି ହସି କହିଲା, ‘‘ଆରେ ବାପ ! ଆମେ ନିଶାପରେ ବସିଲାବେଳେ ଯଦି ଧର୍ମକୁ ସୁମରଣା କରି ବସୁଥିବୁ, ଆଉ ମନେ ମନେ ଭଗବାନଙ୍କଠାରେ ଜଣାଉଥିବୁ, ‘‘ହେ ଧର୍ମ୍ମ ! ଆମେ ମଣିଷ, ତେଣୁ ଆମର ମତି ଭ୍ରମ ଘଟି ପାରେ, ଯାହା ସତ, ଯାହା ନ୍ୟାୟ ତା ଆମକଣ୍ଠରେ ବସି କହି ଦିଅ’’ ତେବେ ବାପ ଆମ ଅଗଗୋଡ଼ରେ କଣ୍ଟା ବାଜିବ ନାହିଁ । ଯେ ଯେତେ ଗାଳି ଦେଲେ, ଧର୍ମକୁ ପାଣି ଟେକିଲେ ଧର୍ମ ଆମକୁ ଘଣ୍ଟ ଘୋଡ଼ାଇ ରଖିବେ । ‘‘ଯଦି ଆମେ ନ୍ୟାୟରେ ପାତର ଅନ୍ତର କରୁ ନ ଥିବୁ, ଆମର କିଛି ହେବ ନାହିଁ ।’’ ମଧୁ କହିଲା ‘‘ତେବେ ଆପଣ କଅଣ ଯାହା ସବୁ କହନ୍ତି, ସବୁ କଅଣ ନ୍ୟାୟ କଥା ? ଛାଡ଼ନ୍ତୁ ଏତେ କଥାରୁ କଅଣ ମିଳିବ ଆପଣ ନ୍ୟାୟ ନିଶାପକୁ ଯିବେ କି ନାହିଁ କହିଲେ ?’’ ହରି ସାହୁ ବଡ଼ ଧୀର ଭାବରେ କହିଲା, ‘‘କେଉଁଠାକୁ ମୁଁ ବଳେ ପଶି ଯିବି ନାହିଁ । ମାତ୍ର କେହି ମତେ ନ୍ୟାୟ ନିଶାପକୁ ଡାକିଲେ ମୁଁ ନିଶ୍ଚୟ ଯିବି ।’’ ମଧୁ ରାଗରେ, ‘‘ହଉ ତେବେ ଆପଣ ଯାଆନ୍ତୁ ମୁଁ ଆଉ ଏ ଘରେ ରହିବି ନାହିଁ’’, ବୋଲି କହି ଦିହେ ଦିହେ ଘରୁ ଚାଲିଗଲା । ବୁଢ଼ା ବିଚାରିଲା, ତତାଲହୁ ଦିନା କେତେ ଗଲେ ମନ ବୁଝିଯିବ, ପୁଣି ଫେରି ଆସିବ ଯେ, ଆଉ ପଛରୁ ଡକାଡକି କଲା ନାହିଁ । ଏହାର ଠିକ୍ ଆଠଦିନ ପରେ ରାଜପୁରକୁ ବାଟ କୋଶକର ପଞ୍ଚମୀ ଗାଁର ଗୋଟିଏ ନିଶାପକୁ ହରି ସାହୁକୁ ଡକରା ପଡ଼ିଲା-

 

ମାନଗୋବିନ୍ଦ ମଙ୍ଗରାଜଙ୍କ ଘର ପଞ୍ଚମୀ ଗାଁରେ । ତାଙ୍କର ଦୁଇ ସ୍ତ୍ରୀ । ବଡ଼ ସ୍ତ୍ରୀର ପିଲାଝିଲା ନ ହେବାରୁ ଆହୁରି ଥରେ ବିଭା ହେଲେ । ବଡ଼ ସ୍ତ୍ରୀର ତ ପିଲାପିଲି ନ ଥାଏ, ସାନ ସ୍ତ୍ରୀର କୋଡ଼ରେ ଗୋଟିଏ ବର୍ଷକର ପୁଅ । ବଡ଼ ସ୍ତ୍ରୀ ସଉତୁଣୀ ପୁଅକୁ ଧରାଧରି କରିବାକୁ ମନଥାଏ, ମାତ୍ର ସାନ ସ୍ତ୍ରୀ ସଉତୁଣୀର ଛାଇ ପୁଅ ଉପରେ ପକାଇ ଦିଏ ନାହିଁ, ବାଦରେ କାଳେ କେତେବେଳେ ମାରି ଦେବ ବୋଲି । ସବୁବେଳେ ଜାଗତିଆର ହୋଇ ରହିଥାଏ ।

 

ମଙ୍ଗରାଜେ ଗାଁର ଖଣ୍ଡେଇତ । ଅଧିକାଂଶ ସମୟରେ ଘରେ ରହନ୍ତି ନାହିଁ । ରାଜାଙ୍କ ଗଡ଼କୁ ଯାଆନ୍ତି । ଦିନେ ମଙ୍ଗରାଜେ ଘରେ ନ ଥିଲେ । ରାତି ପାହି ପାହି ଆସୁଥାଏ । ସାନ ସ୍ତ୍ରୀକୁ ଭାରି ଝାଡ଼ା ମାଡ଼ିଲା । ତରତର ହୋଇ ବଡ଼ ସଉତୁଣୀକୁ ପିଲାକୁ ଜଗାଇ ଦେଇ ସେ ଝାଡ଼ା ଫେରିଗଲା । ଝାଡ଼ାଝପଟ ଫେରି ଆସିଲା ବେଳକୁ ଦୁଇଚାରିଜଣ ଗାଁ ମାଇପଙ୍କ ସାଙ୍ଗରେ ଦେଖାହେଲା । ଗାଁ ଖଣ୍ଡେଇତଙ୍କର ପଛ ସ୍ତ୍ରୀ, ସମସ୍ତେ ତାଙ୍କୁ ଭାରି ଖାତର କରନ୍ତି । ଦୁଇ ଚାରି ଜଣ ମାଇପେ ତାଙ୍କ ସାଙ୍ଗରେ ଗପ କରି କରି ତାଙ୍କ ଘରକୁ ଆସିଲେ । ଘରେ ପହଞ୍ଚିଲାବେଳକୁ ବଡ଼ ସ୍ତ୍ରୀ ପିଲାଟି ଦେହରୁ ଲୁଗା କାଢ଼ି ତା ଛାତିରେ ହାତ ପକାଇଛି । ସାନର ମନରେ ସନ୍ଦେହ ହେଲା, ସେ କହିଲା, ‘‘ଆଲୋ ଅଲକ୍ଷଣି, ମୋ ପୁଅକୁ ମାରି ପକାଇଲା ।’’ ସତକୁ ସତ ଯାଇଁ ଦେଖିଲା ବେଳକୁ ପୁଅଟି ମରିଯାଇଛି, ବେକରେ ଚାରି ଆଙ୍ଗୁଳି ଚଉଡ଼ାର ନାଲି ଦାଗ, ନାକବାଟେ ଝଲକାଏ ରକ୍ତ ବାହାରି ପଡ଼ିଛି । ଏକଥା ଦେଖି ସାନ ସ୍ତ୍ରୀ କାନ୍ଦି ବାଡ଼େଇ ପିଟି ହୋଇ ବ୍ରହ୍ମାଣ୍ଡ ଫଟାଇଲା । ଲୋକ ଆସି ଜମା ହେଲେ । ବଡ଼ ସ୍ତ୍ରୀକୁ ପଚାରିବାରୁ ସେ କାନ୍ଦ କାନ୍ଦ ହୋଇ, କହିଲା ମୁଁ ମାରି ନାହିଁ । ପୁଅକୁ ଜଗି କରି ବସିଥିଲି । ସକାଳ ହେଲା, ପୁଅ କାନ୍ଦିଲା ନାହିଁ କି ହଲଚଲ ହେଲା ନାହିଁ । ମୁଁ ତାପାଖକୁ ଯାଇ ମୁହଁରୁ ଲୁଗା କାଢ଼ି ଦେଖେତ ନାକବାଟେ ଝଲକାଏ ରକ୍ତ ବାହାରି ପଡ଼ିଛି । କଣ ହେଲା ବୋଲି ବିଚାରି ଛାତିରୁ ଲୁଗା କାଢ଼ି ଛାତି ଦୁକୁ ଦୁକୁ ହେଉଛି କି ନାହିଁ ବୋଲି ଛାତିରେ ହାତ ପକାଇବା ସମୟରେ ଏମାନେ ଆସି ପହଞ୍ଚିଲେ ।

 

ମଙ୍ଗରାଜେ ଗଡ଼ରୁ ଫେରିଲେ, ଗାଁ ଲୋକଙ୍କୁ ଡକାଇ ନିଶାପ କଲେ । ସମସ୍ତେ ବଡ଼ ସ୍ତ୍ରୀଙ୍କୁ ଦୋଷୀ କଲେ । କାରଣ ସଉତୁଣୀ ପରେ ଦାଉ ସାଧିବ ବୋଲି ନିଜ ମା କଅଣ ପୁଅକୁ ମାରି ସଉତୁଣୀକୁ ଜଗାଇ ଝାଡ଼ା ଫେରିଗଲା । ବଡ଼ ସ୍ତ୍ରୀ ଶୂଳୀ ପାଇବାର ହେଲା । ମାତ୍ର ବଡ଼ ସ୍ତ୍ରୀ ଆପତ୍ତି କଲା, ‘‘ମୋର ଏ ନିଶାପରେ ମନ ମାନିଲା ନାହିଁ । ଦିଗଭାଗରୁ ପଞ୍ଚାଏତ ମାନଙ୍କୁ ଡାକ, ସେମାନେ ଯଦି ମତେ ଦୋଷୀ କରିବେ ମୁଁ ଶୂଳୀ ପାଇବି ।’’ ଦୂରଦୂରାନ୍ତରୁ ଭଲ ଭଲ ନ୍ୟାୟପତିମାନଙ୍କୁ ଡକରା ହେଲା । ହରି ସାହୁ ବି ସେମାନଙ୍କ ସାଙ୍ଗରେ ଆସିଲା । ସମସ୍ତେ ଠୁଳ ହେଲେ । ନ୍ୟାୟ ପଡ଼ିଲା । ଦୁଇ ସ୍ତ୍ରୀଯାକ ତାଙ୍କ କଥା ସଭାରେ ଆସି କହିଗଲେ । ଗୁହାମାନେ ତାଙ୍କ କଥା କହିଲେ । ସମସ୍ତଙ୍କୁ ସେଠାରୁ ବାହାର କରି ଦେଇ ଖାଲି ପଞ୍ଚାଏତମାନେ ବସି ବିଚାର କଲେ । ସମସ୍ତେ କହିଲେ ‘‘ବଡ଼ ସ୍ତ୍ରୀ ସହି ନ ପାରି ପୁଅକୁ ମାରିଛି । ଆଗରୁତ ସୁବିଧା ପାଉନଥିଲା, ଗୋଟାଏ ଯୋଗ ପଡ଼ିଗଲା । ନୋହିଲେ ସଉତୁଣୀ ଉପରେ ଦାଉ ସାଧିବ ବୋଲି ମା କି ପୁଅକୁ ବଧ କରିବ, ଅସମ୍ଭବ କଥା ।’’ ଶେଷରେ ହରି ସାହୁ ଭଗବାନଙ୍କୁ ମନେ ମନେ ସ୍ମରଣ କରି କହିଲା, ‘‘ମୋ ବିଚାରରେ ବଡ଼ ସ୍ତ୍ରୀ ନିର୍ଦ୍ଦୋଷୀ ।’’ ସମସ୍ତେ ଏ କଥା ଶୁଣି ଏକାରାହା ଧରି କହି ଉଠିଲେ, ‘‘କଅଣ ହେଲା । ବଡ଼ ସ୍ତ୍ରୀ ନିର୍ଦ୍ଦୋଷୀ, ତେବେ କଅଣ ଆପଣ କହିବାକୁ ଚାହାଁନ୍ତି ସଉତୁଣୀକୁ ମାରିବ ବୋଲି ନିଜ ମା ଯେକି କେତେ କଷ୍ଟ ସହି ଦଶ ମାସ ଗର୍ଭରେ ଧଇଲା, ପିଲା ଦିହ ଟିକିଏ ଉଷୁମ ହେଲେ ଯେଉଁ ମା’ର ଝଲକାଏ ରକ୍ତ ଶୁଖିଯାଏ, ସେ ନିଜ ହାତରେ ପୁଅକୁ ବଧ କରିଛି ।’’ ହରି ସାହୁ ଧୀର ଭାବରେ କହିଲା ନିଜ ମା ମାରିଛି ବୋଲି ମୁଁ କହୁନାହିଁ, ମୁଁ କେବଳ କହୁଛି ବଡ଼ ସ୍ତ୍ରୀ ମାରିନାହିଁ, ମୁଁ ଯେ କାହିଁକି ଏ କଥା କହିଲି ତାହା ଆପଣମାନେ ଶୁଣନ୍ତୁ । ତାହା ପରେ ଯାହା ପାଞ୍ଚଜଣଙ୍କ ବିଚାରକୁ ଆସିବ । ଦେଖନ୍ତୁ; ଆପଣ କାହା ହାତରେ ଏକ ଦୁଇ କରି ଗଣି ଶହେଟଙ୍କା ତାକୁ ରଖିବାକୁ ଦେଇଗଲେ । ସେ ଟଙ୍କାରୁ ଗୋଟିଏ ଊଣା ହେଲେ ସେ ଧରା ହେବ, ଏହା ସେ ଭଲ କରି ଜାଣେ । ସେହି ସମୟରେ ସେ ଟଙ୍କାତକ ହରଣଚାଳ କରିଦେବ ? ସେହିପରି ବଡ଼ ସ୍ତ୍ରୀର ଯଦି ପୁଅକୁ ମାରିବା ଇଚ୍ଛା ତେବେ ସେ ଓରଉଣ୍ଡି, ଏପରି ଭାବରେ ମାରନ୍ତା, ଯହିଁରେ କି କେହି ତାକୁ ସନ୍ଦେହ କରି ପାରନ୍ତେ ନାହିଁ । ମା ପୁଅକୁ ଜଗାଇ କରି ଗଲା । ସେ ଜାଣେ ପୁଅର କିଛି ଅନିଷ୍ଟ ହେଲେ ତାକୁ ଧରିବେ । ସେତିକିବେଳେ ସେ ପୁଅକୁ ମାରିଦେଲା ? ଦୁଇରେ ଦେଖନ୍ତୁ ଯେଉଁ ମା ପୁଅ ଉପରେ ସଉତୁଣୀର ଛାଇ ପକାଇଦିଏ ନାହିଁ, ଘରେ ପୋଇଲି ଥାଉଁ ଥାଉଁ ମା କିପରି ତାକୁ ପୁଅକୁ ଜଗାଇକରି ଗଲା । ତିନିରେ ମା ସଉତୁଣୀକୁ ପୁଅକୁ ଜଗାଇ କରି ଆସିଛି ବୋଲି ତାଙ୍କ ବାଡ଼ିରେ ଝଟ୍ କରି ଝାଡ଼ାଫେରି, ପାଣିର ସୁବିଧା ନ ହେଲେ ନ ଛଅଞ୍ଚି କରି ପୁଅ ପାଖକୁ ପଳେଇ ଆସନ୍ତା । ସେ ତା ନ କରି କଅଣ କଲା ନା, ସାହି ମୁଣ୍ଡ ପୋଖରୀକୁ ଗଲା । ସଇଥଲ ହୋଇ ପାଣିସାରି ଚାରି ଜଣ ଗାଁ ମାଇପଙ୍କ ସାଙ୍ଗରେ ଗପସପ ହୋଇ ଆସିଲା । ଚାରିରେ, ମା କିଛି ନ ଦେଖି କିଛି ନ ଶୁଣି ଦୁଆର ମୁହଁରୁ ଡାକ ପକାଇଲା ‘‘ଆଲୋ ମୋ ପିଲାକୁ ମାରିଦେଲା ।’’ ସଉତୁଣୀ ପିଲା ଛାତିରେ ହାତ ପକାଇବାର ଦେଖି ପ୍ରଥମରେ, ‘‘ହଇଲୋ ତୁ କଅଣ କରୁଛୁ’’ ବୋଲି କହି ପୁଅ ପାଖକୁ ଆସି ରକ୍ତ ଦେଖି ହାଉଳି ଖାଇ ରଡ଼ି ଛାଡ଼ି ଥାଆନ୍ତା ସିନା ।’’ ଏ କଥା ଶୁଣ କେତେଜଣ କଥାଟାକୁ ଭାବି ବସିଲେ । ଆଉ କେତେଜଣ ପଚାରିଲେ, ‘‘ତେବେ କଅଣ ସଉତୁଣୀ ଉପରେ ଦାଉ ସାଧିବ ବୋଲି ମାଆ ଜନ୍ମକଲା ପୁଅକୁ ମାରିଛି ?’’ ହରି ସାହୁ ସେହିପରି ଧୀର ଭାବରେ କହିଲ, ‘‘ନା ମୁଁ ସେ କଥା କହୁନାହିଁ । ବୋଧହୁଏ ରାତିରେ ଉଠିବା ସମୟରେ ଅନ୍ଧାରରେ ଅଜାଣତରେ ମା ଗୋଡ଼ ପିଲା ବେକରେ ପଡ଼ି ଯାଉ, ନୋହିଲେ ଅନ୍ୟ କିଛି ଭାରି ଚେପେଟା ପଦାର୍ଥ ପିଲା ବେକରେ ଦୈବାତ୍ ପଡ଼ିଯାଉ, ପିଲାଟିର ପ୍ରାଣ ପୂର୍ବରୁ ଛାଡ଼ି ଯାଇଛି । ମା ପିଲା ମରିବା କଥା ଆଗରୁ ଜାଣିଛି । ଏକା କାଣ୍ଡକେ ଦୁଇଟି ଚଢ଼େଇ ମାରିବାର ଉପାୟ ପାଞ୍ଚି ଯେଉଁ ସଉତୁଣୀର ଛାଇ ପଡ଼ିଲେ, ତା ଲାହି ଲେଉଟେ, ତାରି ଉପରେ ଦୋଷ ଲଦିବ ବୋଲି, ତାକୁ ଡାକି ପୁଅକୁ ଜଗାଇ ଗାଁ ମୁଣ୍ଡରେ ଝାଡ଼ା ଫେରି ସାକ୍ଷୀ କରିବ ବୋଲି ପାଞ୍ଚଜଣ ସାହି ମାଇପଙ୍କୁ ସାଙ୍ଗରେ ଧରି ଆସିଛି । ଆଚ୍ଛା ଆଉ ଗୋଟିଏ କଥା ପରୀକ୍ଷା କରିନେବା । କାଳେ ବଡ଼ ସ୍ତ୍ରୀ ଭାରି ମନ୍ଦ ପ୍ରକୃତିର ହୋଇଥିବ, ଘର ପଛକେ ପୋଡ଼ି ଯାଉ ମୂଷା କେଞ୍ଚେ ପାଆନ୍ତୁ ନୀତିରେ, ନିଜେ ପଛକେ ମରୁ, ସଉତୁଣୀ ପୁଅ ମରୁ ବୋଲି ଏ କାର୍ଯ୍ୟ କରିଥିବ । ଆପଣମାନେ ଟିକିଏ ତୁନି ହୋଇ ବସନ୍ତୁ ମୁଁ ପରୀକ୍ଷା କରି ନିଏ ।’’ ଏହାପରେ ହରି ସାହୁ ଦୁଇ ସ୍ତ୍ରୀଙ୍କୁ ସଭାକୁ ଡକାଇ ଆଣି କହିଲା, ‘‘ବୁଝିଲ ମା ମାନେ ଆମେ ଏ ନ୍ୟାୟର କିଛି ଗୋଡ଼ମୁଣ୍ଡ ପାଉନାହୁଁ । ଶେଷରେ ଏହି କଥା ଆମ୍ଭେମାନେ ସମସ୍ତେ ବସି ଠିକ୍ କରିଛୁ, ଯେ ଏ ସଭା ଚାରି ପାଖଯାକ ଲଙ୍ଗଳା ହୋଇ ତରେ ବୁଲି ଆସିବ ସେ ନିର୍ଦୋଷୀ ।’’ ବଡ଼ ସ୍ତ୍ରୀକୁ କହିଲା ତୁମେ ନିର୍ଦୋଷୀ ବୋଲି କହୁଛ, ତେବେ ଘଡ଼ିଏ ଲାଜ ସରମକୁ ପଛକୁ ପକାଇ ସଭା ଚାରି ପାଖ ଥରେ ବୁଲି ଆସ ।’’ ଏହା ଶୁଣି ବଡ଼ ସ୍ତ୍ରୀ ରାଗରେ କାନ୍ଦି ପକାଇ କହିଲା, ‘‘ଶେଷରେ ଆପଣମାନଙ୍କ ବିଚାରକୁ ଏହି କଥା ଆସିଲା, ମୁଁ ଗାଁ ଖଣ୍ଡେଇତଙ୍କର ବଡ଼ ସ୍ତ୍ରୀ, ନାଥପୁର ଜଗୁ ଭୂଜବଳଙ୍କ ଝିଅ । ଆମକୁ ଚନ୍ଦ୍ର ସୂର୍ଯ୍ୟ ଦେଖୁ ନ ଥିଲେ; କର୍ମ ପଡ଼ିଲାକୁ ଏତେ ଲୋକଙ୍କ ଆଗରେ ଆସି ଠିଆ ହେଲୁ । ଏତେ ଲୋକଙ୍କ ଆଗରେ ଲାଜ ସରମ ଇଜତକୁ ପଛକୁ ପକାଇ ଲଙ୍ଗଳା ହୋଇ ବୁଲି ଆସିଲେ, ଆପଣମାନେ ମତେ ନିର୍ଦୋଷୀ କରିବେ । ଏହା କଲେ ଏ ନିର୍ଲ୍ଲଜ ଜୀବନ ଘେନି ଆହୁରି ଦଶ କୋଡ଼ିଏ ବର୍ଷ ବଞ୍ଚିବି । ଆପଣମାନେ ମତେ ଛାଡ଼ିଦେବେ, ଏଥିରେ କଅଣ ମୋର ବାଳକ ହତ୍ୟା ଦୋଷ କଟିଯିବ ? ଗାଁ ଲୋକେ ମତେ ଦୋଷୀ କରିଥିଲେ । ମୁଁ କଦାପି ବାଳକ ବଧ କରିନାହିଁ । ମୋର ଭାରି ଭରସା ଥିଲା ଦିଗଭାଗରୁ ପଞ୍ଚପରମେଶ୍ୱର ବିଜେ କରିବେ, ପାଞ୍ଚ ତୁଣ୍ଡରେ ହରି । ଦୋଷୀ କି, ନିର୍ଦୋଷୀ କିଏ ଜଣାପଡ଼ିବ । ତେବେ ଆପଣମାନେ ମତେ ଶୂଳିରେ ଚଢ଼ାନ୍ତୁ ପଛକେ, ଲଙ୍ଗଳା ହେବା ଦୂରେ ତାଉ ମୁଁ ମୁଣ୍ଡରୁ ଓଢ଼ଣା ସୁଦ୍ଧା କାଢ଼ି ପାରିବି ନାହିଁ-।’’ ଏ କଥା ଶୁଣି ହରି ସାହୁ ରାଗିଲା ପରି ବଡ଼ ପାଟି କରି କହିଲା ‘‘ସବୁ ଜଣାପଡ଼ିଲା, ତୁମେ ହିଁ ମାରିଛ ।’’ ସାନ ସ୍ତ୍ରୀ ଆଡ଼କୁ ଚାହିଁ କହିଲା, ‘‘ଆଚ୍ଛା ତୁମେ ଯଦି ନିର୍ଦୋଷୀ, ତେବେ ଥରେ ଲଙ୍ଗଳା ହୋଇ ସଭା ଚାରିପାଖ ବୁଲି ଆସ, କଥାଟା ଛିଣ୍ଡିଯାଉ ।’’ ଏହା ଶୁଣି ସାନ ସ୍ତ୍ରୀ କହିଲା, ‘‘ସେହି ଛତରକାଇ ମୋ ପୁଅକୁ ନିଶ୍ଚେ ମାରିଛି । ଥରେ କଅଣ କହିଲେ ଦଶଥର ଲଙ୍ଗଳା ହୋଇ ବୁଲି ଆସିବି ।’’ ଦିହରୁ ମୁଣ୍ଡରୁ ଲୁଗା କାଢ଼ିବାକୁ ତିଆର । ହରି ସାହୁ ହଠାତ୍ କହିଲା ‘‘ଥାଉ ଥାଉ କଥାଟା ସବୁ ଜଣା ପଡ଼ିଗଲାଣି । ତୁମେମାନେ ଘରକୁ ଯାଅ ।’’ ସେମାନେ ଚାଲିଯିବା ପରେ ହରି ସାହୁ କହିଲା, ‘‘ବଡ଼ ସ୍ତ୍ରୀ ନିର୍ଦୋଷୀ ।’’ ପଞ୍ଚାଏତମାନେ କଥାଟାକୁ ବସି ଆଲୋଚନା କରୁଛନ୍ତି, ଏହି ସମୟରେ ମଧୁ ସାହୁ ଆସି ବାପ ଗୋଡ଼ତଳେ ପଡ଼ି କହିଲା ‘‘ବାପା, ମୋର ସବୁ ଦୋଷ କ୍ଷମାକର, ଚାଲ ମୁଁ ତୁମ ସାଙ୍ଗରେ ଘରକୁ ଫେରିଯିବି ।’’ ସମସ୍ତେ କଥାଟା କଅଣ ବୋଲି ପଚାରିବାରୁ ମଧୁ ସାହୁ ବିଧବା ଧର୍ମକୁ ପାଣି ଟେକିବା, ବାପ ସାଙ୍ଗରେ କଳି କରି ଘରୁ ପଳାଇ ଆସିବା କଥା କହି ଶେଷରେ କହିଲା, ‘‘ଆପଣମାନଙ୍କ କଥା ସବୁ ଭୁଲ, ଏକା ବାପାଙ୍କ କଥା ସତ-। ମୁଁ ଘରୁ ଚାଲି ଆସିଲି । ପାଖରେ କିଛି ଟଙ୍କା ପଇସା ଥିଲା । ଦିନେ ଚୋରିଗଲା । କଅଣ କରିବି ସେଦିନ ସନ୍ଧ୍ୟାକୁ ଆସି ମଙ୍ଗରାଜଙ୍କ ଠାକୁର ଘରେ ମୁଠିଏ ପ୍ରସାଦ ଖାଇ ତାଙ୍କରି ଦାଣ୍ଡ ପିଣ୍ଡାରେ ଶୋଇଲି । ଚାରିଆଡ଼ ଅନ୍ଧାର ଘୋଟିଯାଇ ବର୍ଷା ହେଲା । ପାଣି ଛାଟ ମାରିବାରୁ ମୁଁ ଉଠି କରି ଗୋଟାଏ ଖୁଣ୍ଟ ମୂଳରେ ଯାକିଯୁକି ହୋଇ ବସିଲି । ଏହି ସମୟରେ ବର୍ଷା ଛାଡ଼ିଗଲା । ଜଣେ କିଏ ପାଦ ଚିପି ଚିପି ପିଣ୍ଡାକୁ ଉଠିଲା । ଅନ୍ଧାରଟା ଭଲ ଦେଖା ଯାଉନଥାଏ, ତାପରେ ସେ ଚାଲ ଗଣ୍ଡି ମାରି କାନ୍ଥ ଫାଙ୍କ ପାଟେ ପଶି ଘର ଭିତରକୁ ଡେଇଁଲା । ଏଇ ସମୟରେ କେଁ କରି ଗୋଟିଏ ଶବ୍ଦ ହେଲା । ମୁଁ ଚୋର ଚୋର ବୋଲି ପାଟି କରିବି ବୋଲି ଯାଉଥିଲି । ମାତ୍ର ସେ ଘରେ ଜଣେ କିଏ ତୁନି ତୁନି ହୋଇ କାନ୍ଦିଲା । ଆରଜଣକ ଭାରି ବ୍ୟସ୍ତ ହେଲା, ଯେ କାନ୍ଦୁଥିଲା ସେ କହିଳା, ଅଜାଣତରେ ପିଲା ବେକରେ ଗୋଡ଼ ପଡ଼ିଗଲା, ଯାହାତ ହେବାର ହେଲା, ତୁମେ ଚଞ୍ଚଳ ଯାଅ ବାହାରି । ସେ ପୁଣି ଚାଳ ଗଣ୍ଡି ମାରି ପଦାରେ ଓହ୍ଲାଇ ପଳାଇଲା । ଏସବୁ ଦେଖି ଭଲଥାଏ ମନ୍ଦଥାଏ ଭାବି ମୁଁ ରାତି ଘଡ଼ିଏ ଖଣ୍ଡେ ଥାଏ ଅନ୍ୟ ସ୍ଥାନକୁ ପଳେଇଲି । ତାପରେ ଯାହା ସବୁ ଘଟିଲା ଆପଣମାନେ ଜାଣିଛନ୍ତି ।’’ ଏକଥା ଶୁଣି ସମସ୍ତେ ମଙ୍ଗରାଜଙ୍କ ଦାଣ୍ଡପିଣ୍ଡାକୁ ଯାଇ ତନଖି କଲେ, କାନ୍ଥ ଉପରେ ମଣିଷ ଗଳିଯିବା ଭଳି ଫାଙ୍କ ଅଛି ଓ ମଣିଷର ଗୋଡ଼ ଘୋଷରା ଚିହ୍ନ ବି କାନ୍ଥରେ ରହିଛି । ହରି ସାହୁ ପୁଅକୁ ଘେନି ଘରକୁ ଫେରିଲା । ଖଣିଖୋଳି ମଙ୍ଗରାଜଙ୍କ ସାନ ସ୍ତ୍ରୀକୁ ତଳକଣ୍ଟା ଉପରକଣ୍ଟା କରି ମାଟି ଚଳାଇ ଦେଲେ ଓ ମଙ୍ଗରାଜ ତାଙ୍କ ବଡ଼ ସ୍ତ୍ରୀଙ୍କୁ ଘେନି ଘର କଲେ-

 

ପଡ଼ି କାଟ

 

ଶିଲ ଦେଶ ରଜାଙ୍କ ନା ସୁରସେନ । ନୂଆ ହୋଇ ବିଭା ହୋଇଥାଆନ୍ତି । ଝୁଲଣ ପୂର୍ଣ୍ଣମୀକୁ ଜୋଇଁ ଡାକରା ଆସିଲା । ସୁରସେନ ଘୋଡ଼ା ହାତୀ, ପାଇକ, ସଲଟନ, ବେଠିଆ ବେଗାରି ଘେନି ଭାରି ସଂଭ୍ରମରେ ଶଶୁର ଘର ଶିଲଦେଶକୁ ଅନୁକୂଳ କଲେ । ବାଟରେ ତିନି ଦିନ କଟିଲା । ସନ୍ଧ୍ୟାକୁ ଗୋଟିଏ ନଈ କୂଳରେ ରାଉଟି ପକାଇ ରହିଲେ । ଶିଲଦେଶ ଗଡ଼ ସେଠାକୁ ଆଉ ବାଟ ଦୁଇଚାରି କୋଶଥାଏ । ପାହାନ୍ତିଆ ପହରକୁ ସମସ୍ତେ ଉଠି ନିତ୍ୟକର୍ମ ବଢ଼ାଇଯିବା ପାଇଁ ସଜବାଜ ହେଲେ । ସୁରସେନ ପୋଷାକ ପିନ୍ଧି ରାଉଟି ଦୁଆର ମୁହଁକୁ ଆସି ନଈ ଭିତରକୁ ଅନାଇଲେ । ଦେଖିଲେ ଗୋଟିଏ ଦିବ୍ୟ ସୁନ୍ଦରୀ ସ୍ତ୍ରୀ ନଈ ବାଲିରେ ବସି, ନଈ ବାଲିକୁ ମାଣ ମାଣ କରି ମାପୁଛି । ତାଙ୍କର କୌତୁହଳ ହେଲା, ଛାମୁ ବାରିକକୁ ଡାକି କହିଲେ ‘‘ଯିବୁଟି ଏହି ସ୍ତ୍ରୀକୁ ପଚାରି ଆସିବୁ, ସେ ବାଲି ଗୁଡ଼ିକୁ ମାଣ ମାଣ କରି ମାପୁଛି କାହିଁକି ।’’ ବାରିକ ଗଳା, ପଚାରି କରି ଫେରି ଆସି ଜଣାଇଲା ‘‘ମଣିମା ! ସେ କହିଲେ ମୁଁ ମହାଲକ୍ଷ୍ମୀ, ସମସ୍ତଙ୍କୁ ପଡ଼ି ବାଣ୍ଟୁଛି ।’’ ରଜା ବିଚାରିଲେ ‘‘ଆରେ ! ବାଇଆଣୀଟାଏ ।’’ ତଥାପି କୌତୁକ ଦେଖିବାକୁ ବାରିକକୁ କହିଲେ, ‘‘ଯା ପଚାରିବୁ ଆମ ରଜାଙ୍କୁ ଆଜି କି ପଡ଼ି ଦେଉଛ କହିଲ’’ ବାରିକ ଗଲା । ପଚାରି ଆସି କହିଲା, ‘‘ମଣିମା ସେ କହିଲା, ଆଜି ତୁମ ରଜାଙ୍କର ପଡ଼ିକାଟ, ନିର୍ଜଳ ଉପବାସ ।’’ ଏହା ଶୁଣି ରଜା ଠୋ ଠୋ ହୋଇ ହସି ଉଠି ଆଉ କଅଣ କହିବାକୁ ଯାଉଥିଲେ, ଏହି ସମୟରେ ରଜାଙ୍କ ଶଳା, ଶିଲ ଦେଶ ଯୁବରାଜ ଘୋଡ଼ା, ହାତୀ, ପାଇକ, ବଜନ୍ତ୍ରୀ, ଫୁଲଝାଡ଼, ଆଲଟ, ଚାମର, ନୃତ୍ୟକାରୀମାନଙ୍କୁ ସାଙ୍ଗରେ ଧରି ଭିଣୋଇଁଙ୍କୁ ପାଛୋଟି ନେବାପାଇଁ ଆସି ପହଞ୍ଚିଲେ । ଶଳା ଭିଣେଇ ଦୁହେଁଯାକ କୁଣ୍ଢିଆ କୁଣ୍ଢେଇ ହୋଇ କୁଶଳ ପଚରା ପଚରି ହେଲେ । ତାପରେ ଦୁହେଁଯାକ ପାଟହାତୀରେ ବସିଲେ । ଆଲଟ ଚାମର ପଡ଼ିଲା, ବାଜାବାଜିଲା । ମହା ଆଡ଼ମ୍ୱରରେ ବାହାରିଲେ । ବେଳ ପହରକ ସରିକି ଶଶୁରଘରେ ପହଞ୍ଚିଲେ । ଲାଗିଲା କୋଳାହଳ, ଧାଁଧପଡ଼ ଯା ଆସ, ରନ୍ଧାବଢ଼ା, ଦିଆନିଆ । ବୁଢ଼ାରଜା ଜୋଇଁଙ୍କ ମଣୋହି ପାଇଁ ମାଂସ ହେବ ବୋଲି ପାରିଥିକୁ ବାହାରିଲେ । ଗଲାବେଳେ କହିଗଲେ ‘‘ମୁଁ ଫେରୁଁ ଫେରୁ ବିଳମ୍ୱ ହେବ । ଏ ଓଳି ଜୋଇଁଙ୍କର ମଣୋହି ବଢ଼ାଇଦେବ । କିଛି ସମୟପରେ ଶଳା ଭିଣେଇଁ ନୁହେଁ ଶ୍ରୀଅଙ୍ଗ ମାଜଣା ବଢ଼ାଇ ଦେବାର୍ଚ୍ଚନରେ ବସିଲେ । ପୂଜା ଶେଷ କରି ଭିତର ଉଆସକୁ ବିଜେ କଲେ । ଦୁହିଁଙ୍କ ପାଇଁ ଠା ହୋଇଛି । କାନିକା କଅଣ ଦେଖିବ, ତିଅଣ କଅଣ ଦେଖିବ, ଭଜା, ବେଶର, ରାଇ ଆମ୍ୱିଳ ଶାକର ଷଡ଼ରସ ବଢ଼ା ହୋଇଛି । ଖିରିପିଠା କଥା ଛାଡ଼ । ଠାଠା କରି ଗଣି ବସିଲେ ଜଣକୁ ଓଳିଏ ଲାଗିବ । ଦୁହେଁଯାକ ଯାଇ ଆସନରେ ବସିଲେ । ପହିଲିଥର ଜୋଇଁ ଡକରା ହୋଇ ଆସିଛନ୍ତି । ଶାଶୁ ତ କିଛି ପରିଷିବା ଦରକାର । ରାଣୀ ଶାଶୁ ଦୁଇଟି ସୁନାଥାଳୀଆରେ ସରଲବଣୀ ଆଣି ଦୁହିଁଙ୍କ ପାଖରେ ଥୋଇଦେଲା ବେଳକୁ ତାଙ୍କ ଦେହରୁ ଲୁଗା ଖସି ପଡ଼ିଲା । ରାଣୀ ଲାଜରେ ଘର ଭିତରକୁ ପଳାଇଲେ । କୁଆ ବସିବାକୁ ତାଳ ଛିଣ୍ଡିଲା । ଜୋଇଁ ଏତେ ପ୍ରକାର ସାମଗ୍ରୀ ଦେଖି ବିଚାରିଲେ ‘‘ଆଜି ତ ମତେ ଏତେ ଜିନିଷ ଖାଇବାକୁ ଯୋଗ ଅଛି, ନଈରେ ସେ ବାଲି ମପା ବାଇଆଣୀଟା କହୁଥିଲା ନା କଅଣ ଆଜି ମୋ ପଡ଼ି କାଟ’’ ଏ କଥାଟା ମନେ ପଡ଼ିବାରୁ ସେ ହସି ଦେଲେ । ଠିକ୍ ସେହି ସମୟକୁ ରାଣୀଙ୍କ ଦେହରୁ ଲୁଗା ଖସି ଗଲା । ଏ କଥା ଦେଖି ବିଚାରିଲା ‘‘ମାଆଙ୍କ ଦେହରୁ ଲୁଗା ଖସି ଯିବାରୁ ଏ ହସିଲା, କେଡ଼େ ଛତରା ଖେଚଡ଼ ଲୋକଟାଏ, ଶାଶୁ କିଏ ମା କିଏ ?’’ ତା ମନରେ ଭାରି ରାଗ ହେଲା । ଆଖିମାନ ନାଲ ନାଲ କରି ପଚାରିଲା ‘‘କାହିଁକି ହସିଲ ?’’ ଭିଣେଇ କହିଲା ‘‘ଖାଇସାର କହିବି ।’’ ଶଳା ରାଗରେ କହିଲା ‘‘ଛତୁଟା କହିବ ।’’ ଶଳାର ପଦକୁ ଭିଣେଇର ପଦେ । ଶେଷକୁ ଦୁହେଁଯାକ ଉଠି ଧରାପରା ଲଗାଇଲେ । ଖାଇବା ଜିନିଷ ସବୁ ଚକଟି ମନ୍ତି ପକାଇଲେ । ରାଣୀ ଓ ପୋଇଲିମାନେ ଆସି ଛଡ଼ା ଛଡ଼ି କରି ଦେବାରୁ ଜୋଇଁ ରଜା କାହାରି କଥା ନ ଶୁଣି ରାଗରେ ଲୋକବାକ ଧରି ହାତୀରେ ଚଢ଼ି ବାହାରି ଆସିଲେ । ପ୍ରତିଜ୍ଞା କଲେ ଶଶୁରଙ୍କ ରାଜ୍ୟରେ ଜଳ ସ୍ପର୍ଶ କରିବେ ନାହିଁ । କିପରି ଶଶୁରଙ୍କ ରାଜ୍ୟ ପାର ହେବେ, ଏଥିପାଇଁ ଭୋଗ ଓପାସରେ ସମସ୍ତେ ଚାଲିଛନ୍ତି । ଉପର ଓଳିଟି ଗଲା, ରାତିଟି ବି ବାଟ ଚଲାରେ ଗଲା, ତହିଁ ଆର ଦିନ ବଡ଼ି ସକାଳୁ ନିଜ ରାଜ୍ୟ ସୀମାରେ ପହଞ୍ଚିଲେ । ସମସ୍ତେ ଭୋଗରେ ଝାଉଁଳି ପଡ଼ିଲେଣି । ରୋଷାଇବାସର ଯୋଗାଡ଼ ଲାଗିଲା ।

 

ଦି ପହର କି ଦଶଘଡ଼ି ବେଳକୁ ବୁଢ଼ା ରଜା, ମିରିଗ, ସମ୍ୱର ବାର୍ହା, ଗଣ୍ଡା ବାହୁଟିଆ ମାରି ସାଙ୍ଗରେ ଧରି ଗଡ଼ରେ ପହଞ୍ଚି ଶୁଣିଲେ ଯେ; ଜୋଇଁ ଛୁ । ସବୁକଥା ଶୁଣି ପୁଅକୁ ଗୁଡ଼ିଏ ତିଆରି କରି କହିଲେ ‘‘ପିଲା ଲୋକ ହସ ସମ୍ଭାଳି ନ ପାରି ଟିକିଏ ହସି ଦେଲା । ଝିମିଟିଖେଳରୁ ମହାଭାରତ କରି ବସିଛୁ । ଲୁହା ବି କୋଚଟକୁ କମ୍ଭାର ବି କୋଚ୍‍ଟ ।’’ ସାଙ୍ଗେ ସାଙ୍ଗେ ଜୋଇଁକୁ ଫେରାଇ ଆଣିବେ ବୋଲି ଘୋଡ଼ାରେ ଧାଇଁଲେ । ତହିଁ ଆରଦିନ ସକାଳୁ ଯାଇଁ ଜୋଇଁକୁ ଭେଟିଲେ । ବୁଢ଼ା ଯେତେ ବୁଝାବୁଝି କରାଇଲେ, ବାପ ଲୋ ଧନ ଲୋ କହିଲେ, ହାତ ଓଠ ଧଇଲେ, ଜୋଇଁଙ୍କର ଏକା ନାହିଁ । ଶେଷରେ ଜୋଇଁ ଶ୍ୱଶୁରଙ୍କୁ କହିଲେ ‘‘ଦେଖନ୍ତୁ ମୁଁ ତ କିଛି ଅଭବ୍ୟ କଥା କରିନାହିଁ । ସେ ବାଇଆଣୀ ବାଲି ମାପିବା କଥା ମନେ ପଡ଼ିବାରୁ ହସିଦେଲି ।’’ ସବୁକଥା କହିଗଲେ । ବୁଢ଼ାରଜା ଟିକକ ପରେ କହିଲେ ‘‘ବାପା ! ତୁମେ ସବୁକଥା ଜାଣିକରି ଏପରି ଅବୁଝା ହେଲେ ମୋର ଏବେ ବଳ କଅଣ ?’’ ଜୋଇଁ କହିଲେ ‘‘ଏଥିରେ ଏବେ ବୁଝିବାକୁ କଅଣ ଅଛି ।’’ ବୁଢ଼ା କହିଲେ ‘‘ବାପ ! ପ୍ରକୃତ ମହାଲକ୍ଷ୍ମୀ ସେ, ତୁମର କାଲି ପଡ଼ିକାଟଥିଲା । ଭାତପତରରେ ବସିଲ, ତୁମେ ହସିଲ କାହିଁକି; ପୁଅ ବୁଝିଲା କଅଣ । ଦଇବର ଘଟସୂତ୍ର ସେ । ସେପରି ଗୋଟାଏ କିଛି ନ ଘଟିଲେ ତମର ପଡ଼ିକାଟ ହୁଅନ୍ତା କିପରି ? ଏବେ ଚାଲ, ଏଥିରେ କାହାର କିଛି ଦୋଷ ନାହିଁ ।’’ ଜୋଇଁଙ୍କ ମନକୁ କଥାଟା ପାଇଗଲା । ଶଶୁରେ ଆଉ ଥରେ ବାପ ଲୋ ଧନ ଲୋ ବୋଲି କହି ହାତ ଓଠ ଧରିବାରୁ ଫେରିଲେ । ଶଶୁରଘରେ ପୁଣି ଆନନ୍ଦ ଉତ୍ସବ ଲାଗିଲା । ଶଳା ହସିବାର କାରଣ ଶୁଣି ଭିଣୋଇଙ୍କ ହାତ ଧରି ସବୁ ଦୋଷ ମାଗିନେଲେ ।

Image

 

ଗୁରୁଦେବଙ୍କ ପାଦପଦ୍ମ

 

ଭୁବନେଶ୍ୱର ମହାପାତ୍ରଙ୍କର ତାଳପଦା ଗାଁରେ ଦଶ ବାର ଘର ଶିଷ୍ୟ ଥାଆନ୍ତି । ତାଙ୍କ ଘର ତାଳପଦାକୁ ବାଟ କୋଶେ କି ପାଞ୍ଚପାଆ ହେବ । ସବୁ ଶିଷ୍ୟ ଗୁଡ଼ିକ ଗରିବ । ସେ ଗାଁରେ ବେନୁପଲେଇ ଗଉଡ଼ ହେଉଛି ଥିଲାବାଲା । ଜମିବାଡ଼ି ହୋଇ ଦି ବାଟି ହେବ । ଗାଈ ଗୋରୁ ହୋଇ ତିନିକୋଡ଼ି ସରିକି ହେବେ । ମହାଜନୀ ବି କିଛି ଅଛି ।

 

ମହାପାତ୍ରଙ୍କ ଆଖି ପଲେଇ ଉପରେ ଥାଏ । ବେନୁ; ନାନୁ ଦିଭାଇ ସେ । ନାନୁଟା ଭାରି ହୁଣ୍ଡା, ପଦ୍ମତୋଳା ଶୁଣିବା ଲୋକ ନୁହେଁ । ମାତ୍ର କୌଣସି ଉପାୟରେ ବେନୁକୁ ଶିଷ୍ୟ କରି ପାରିଲେ ବର୍ଷ ଦିନେ ଆଚ୍ଛା ଚାରିପଇସା ହାତ ପଇଠ ହୁଅନ୍ତା, ଦିନେ ଗୋଟାଏ ମାହେନ୍ଦ୍ର ଯୋଗ ଜୁଟିଗଲା ମହାପାତ୍ରେ ତାଳ ପଦା ଆଡ଼େ ମୁହାଁଇଛନ୍ତି, ବାଟରେ ବେନୁଭେଟ ପଡ଼ି ଦଣ୍ଡବତ ହୋଇ ପଚାରିଲା ‘‘ଗୋସେଇଁ ମହାପ୍ରଭୁ । ମୁଁ ଗୋଟାଏ କାମରେ ଯାଉଛି, ଜୟ ହେବ କି ନାହିଁ କହିଲ ? ମହାପାତ୍ରେ ନାକପୁଡ଼ା ପାଖରେ ହାତଦେଇ ପବନ ବାରି କହିଲେ ‘‘ଯଶ ହେବ ନାହିଁ ବୋଲି ପାଠ ଡାକୁଛି । ତେବେ ଟିକିଏ ଠିଆ ହୁଅ, ମୁଁ ଗୋଟାଏ ଜଡ଼ି ଦେବି ।’’ ବେନୁ ଠିଆ ହେଲା, ମହାପାତ୍ରେ ପାଖ ପଡ଼ିଆକୁ ଯାଇ ଖଣ୍ଡେ କି ଚେର ଆଣି ବେନୁକୁ ଦେଇ କହିଲେ ‘‘ନେ ଏହାକୁ ଅଣ୍ଟାରେ ଖୋଷି ଦେ । ଜୟ ନ ହେଲେ ମୋ ନା ଆଜିଠାରୁ ଧରିବୁ ନାହିଁ ।’’ ସତକୁ ସତ ବେନୁର ଜୟ ହେଲା । ଏହାର କିଛି ଦିନ ପରେ ବେନୁ ଭଲ ନିରୋଳା ଦୁଧ ଅଙ୍ଗାଏ, ପରିବା ପତ୍ର ଅଙ୍ଗାଏ ଏହିପରି ଭାରଟିଏ ସଜାଡ଼ି ମହାପାତ୍ରଙ୍କ ଘରେ ନେଇ ପହଞ୍ଚିଲା । ଲମ୍ୱହୋଇ ମହାପାତ୍ରଙ୍କ ଗୋଡ଼ତଳେ ପଡ଼ି କହିଲା ‘‘ଆଜ୍ଞା ଯେଉଁ ବୁଟି ଦେଲେ ତାର ଭାରି କରାମତ । ଆମ ତରଫ ଓକିଲ କହିଲେ ମୋକଦ୍ଦମା ଭଲ ହେବ ନାହିଁ । ମତେ ଜରିମାନା ହୋଇଯିବ । ମୋର ବି ଭାରି ଭୟ ଥାଏ । ହାକିମ ମୋ ମୁହଁକୁ ଚାହୁଁଥାଏ । କଅଣ ଦିପଦ ଲେଖୁଥାଏ । ଶେଷକୁ ରାଏ ଶୁଣାଇ ଦେଲା ମୁଁ ନିର୍ଦ୍ଦୋଷରେ ଖଲାସ ।’’ ମହାପାତ୍ରେ କହିଲେ ‘‘ବୁଝିଲ ନା ପଲେଇ ପୁଅ ଗୁରୁଙ୍କ କୃପାବଳରେ ଯାହା ଏ ତୁଣ୍ଡରୁ ବାହାରି ପଡ଼ିବ ତାହା ଅନ୍ୟଥା ହେବ ନାହିଁ ।’’ ମହାପାତ୍ରେ ଦେଖିଲେ ବିରାଡ଼ି କପାଳକୁ ଶିକା ଛିଣ୍ଡିଛି । ଭଲ କରି ଥୋପ ନ ପକାଇଲେ ମାଛ ହାତ ଛଡ଼ା ହୋଇଯିବ । ପୁଣି କହିଲେ ‘‘ଆର ବ ଏ ଦୁଧ ପରିବା କାହିଁକି ଆଣିଲୁ ? ବେନୁ କହିଲା ‘‘ଆପଣଙ୍କ ପାଇଁ !’’ ମହାପାତ୍ରେ କହିଲେ ‘‘ଦୂର୍ ପାଗଲ ! ଆରେ ଶିଷ୍ୟମାନଙ୍କ ଛଡ଼ା ମୁଁ ଆଉ କାହାରିଠାରୁ କିଛି ଛୁଏଁ ନାହିଁ ।’’ ବେନୁ ଶିଷ୍ୟ ହେବାକୁ ମଙ୍ଗିବାରୁ ମହାପାତ୍ରେ ସେ ଭାରଟି ଘର ଭିତରକୁ ନେଲେ । ମନ୍ତ୍ର ଗ୍ରହଣ କରିବାପାଇଁ ଗୋଟିଏ ଭଲ ଦିନ ପାଞ୍ଜି ଦେଖି ଠିକ୍ କଲେ । ମନ୍ତ୍ର ନେବାପାଇଁ ଯାହା ଯାହା ଦରକାର ଅର୍ଥାତ୍ ଗୁରୁଙ୍କ ପାଇଁ ପାଟଖଦି, ପାଟଦୋଷଡ଼ା, ଗାମୁଛା, ନୂଆଢ଼ାଳ, ନୈବେଦ୍ୟ, ଫୁଲଚନ୍ଦନ ଇତ୍ୟାଦିର ଗୋଟିଏ ତାଲିକା କରି ବେନୁ ହାତରେ ଦେଲେ । ବେନୁ ତାଲିକାଟି ଧରି ଘରକୁ ଫେରିଲା ।

 

ଠିକଣା ଦିନ ମହାପାତ୍ରେ ସକାଳୁ ଆସି ବେନୁ ଘରେ ପହଞ୍ଚିଲେ । ତାଲିକା ମୁତାବକ ବେନୁ କ ଠାରୁ କ୍ଷ ପର୍ଯ୍ୟନ୍ତ ସବୁ ଠୁଳ କରି ରଖିଥିଲା । ଅମୃତବେଳାରେ ମହାପାତ୍ରେ ବେନୁକାନରେ ମନ୍ତ୍ର ଫୁଙ୍କିଲେ । ସେହି ଦିନଠାରୁ ବେନୁ ଶିଷ୍ୟ ହେଲା । ମେଲାଣି ବେଳେ ଗୁରୁ କହିଲେ ‘‘ବୁଝିଲୁନା ବେନୁପାଣି, ଆଜିଠାରୁ ତୋର ଯାହା ଥିଲା ସବୁହେଲା ଗୁରୁଙ୍କର । କେବଳ ଗୁରୁଙ୍କର ପାଦପଦ୍ମ ଦୁଇଟି ଆଜିଠାରୁ ତୋର ଏକମାତ୍ର ସମ୍ୱଳ । ସଂସାରରେ ତା ଛଡ଼ା ତୋର ଆଉ କିଛି ନାହିଁ । ଖାଲି ମାୟାର ଖେଳ । ଦକ୍ଷିଣା ପତ୍ର ଘେନି ଗୁରୁ ଘରକୁ ବାହୁଡ଼ିଲେ ।

 

ସେହି ଦିନଠାରୁ ବେନୁ ଘରକୁ ଗୁରୁଦେବ ନେଉଟିଆ ପଟାଳି କଲେ । ଚାରିଦିନ ଛଡ଼ା ଗୁରୁଙ୍କର ଅଭୟ ପାଦପଦ୍ମ ବେନୁ ଘରେ ପଡ଼ିଲା । କେଉଁ ଦିନ ଧାନ ଭରଣେ, କେଉଁଦିନ ମୁଗ ପଉଟିଏ, କେଉଁ ଦିନ ବା ହରଡ଼ ନଉତିଏ, କେଉଁ ଦିନ ବା କଦଳି କାନ୍ଦିଏ, ଘିଅ, ଦୁଧ କଥା ଛାଡ଼, ବୋହିବାରେ ଲାଗିଲେ ।

 

ଦିନେ ବଡ଼ିଭୋରରୁ ଗୁରୁଦେବ ବେନୁଘରେ ପହଞ୍ଚି କହିଲେ ‘‘ଆରେ ବାପ ବେଣୁଧର, ଅପୁରିଦିନ ରାତିରେ ତୋର ଗୋଟିଏ ଭାଇ (ମହାପାତ୍ରଙ୍କର ପୁଅ) ହୋଇଛି । ମୋ ଗାଈଟି ଦୁଧ ଟୋପାଏ ଟୋପାଏ ଦେଉଥିଲା ଯେ ମାସେ ଖଣ୍ଡେ ହେଲା ବିଶିକି ଯାଇଛି । ମୁଠାଏ ଟଙ୍କା ଧରି ବ୍ରହ୍ମାଣ୍ଡଯାକ ବୁଲି ଅଇଲିଣି । ମନମାଫିକେ ଗାଈଟିଏ ପାଇଲି ନାହିଁ । ଶେଷରେ ବିଚାରିଲି ବେନୁ ପାଖୁ ଯାଏ । ବେନୁଟି ହେଉଛି ଦେବଅଂଶୀ ଲୋକ, ମନା କରିବ ନାହିଁ ।’’ ବେନୁ ଗୁରୁଙ୍କୁ ଘେନି ଗୋଠକୁ ଆସିଲା । ଗୋଟିଏ ଦୁହାଁଳିଆ ଗାଈକୁ ଦେଖାଇକରି କହିଲା ‘‘ଆଜ୍ଞା ଏହି ଗୋଟିକ ନିଅନ୍ତୁ ଭାରି ସୁଧାର, ଅଛନ୍ଦା ଦୁହାଁହୁଏ, ଭଲ ଦୁଧିଆଳୀ ଗାଈଟିଏ ।’’ ମହାପାତ୍ରେ ଦେଖିଲେ ତା ପାଖରେ ପାଚିଲା ବୋଇତି କଖାରୁ ପରି ଗୋଲ ଗୋଲ ଗୋଟିଏ ଗାଈ ବନ୍ଧା ହୋଇଛି । ମାଠିଆ ପରି ଏଡ଼େ ପହ୍ନା । ଗୁରୁଙ୍କର ସେହି ଗାଈଟି ଉପରେ ଲୋଭ ହେଲା । କହିଲେ ‘‘ଆରେ ବାପ ବେନୁପାଣି, ମାଗିଲାଠାରୁ ହୀନ ନାହିଁ; ଦେଲାଠାରୁ ପୁଣ୍ୟ ନାହିଁ, ଯଦି ଦେବୁ ତ ଏହି ଗୋଟିକ ଦେ-। ଯାହା ସ୍ୱଚ୍ଛମନରେ ଗୁରୁଙ୍କୁ ଦେବୁ ଆର ଜନ୍ମରେ ତାର ଲକ୍ଷଗୁଣ କରି ପାଇବୁ ।’’ ବେନୁର ହାଲୁକ ଶୁଖିଗଲା, ସେ ହାତ ଯୋଡ଼ି କରି କହିଲା ‘‘ମହାପ୍ରଭୁ ! ଏଇଟି ହେଉଛି ଆମର ବନ୍ଦାଣ ଗାଈ-। ଦୋଳ ପୁନିଅକୁ ଏହାକୁ ବନ୍ଦାପନା କରୁ । ଏଇଟିକୁ କିପରି ଦେବି ? ଗୋଟାକ ଥାନରେ ଦିଟା ଗାଈ ପଛକେ ନିଅନ୍ତୁ, ଏ ଚାନ୍ଦ ଗାଈ ବିଷୟରେ ମତେ ଆଉ ବଳାନ୍ତୁ ନାହିଁ ।’’ ଏକଥା ଶୁଣି ଗୁରୁ ହସି ହସି କହିଲେ ‘‘ବୁଝିଲୁ ବାପ, ତୁତ ଏତେ ଶାସ୍ତ୍ର ପୁରାଣ ଶୁଣି, ପୁଣି ସେହି ମାୟା ଜଞ୍ଜାଳରେ ପଡ଼ୁଛୁ । ଆରେ ଗଲାବେଳେ କେହି ସାଙ୍ଗରେ ଯିବେ ନାହିଁରେ । ଖାଲି ଯାହା ହାତ ଟେକି ଦେଇଥିବୁ, ସେତିକି କେବଳ ପଥକୁ ସଙ୍ଖାଳି । କିରେ ମନ୍ତ୍ର ଦେଲାବେଳେ ପରା କହିଛି ତୋର ଏ ପାଦପଦ୍ମ ଦୁଇଟି ଛଡ଼ା ସଂସାରରେ ଆଉ କିଛି ନାହିଁ ।’’ ତାଙ୍କ ସାଙ୍ଗରେ ଗାଈ ନେବା ପାଇଁ ଜଣେ ଲୋକ ଆସିଥିଲା । ପଘା ଆଣି ନିଜେ ଗାଈଟିକୁ ବାନ୍ଧି, ତା ହାତରେ ଦେଇ ଚାନ୍ଦ ଗାଈକୁ ଓ ତା ବାଛୁରୀକୁ ଘେନି ଚାଲିଗଲେ । ବେନୁ ଜଳ ଜଳ ହୋଇ ଅନାଇ ରହିଲା । ମୁହଁ ଉପ୍ରୋଧରେ କିଛି କହି ପାରିଲା ନାହିଁ । ଗୁରୁ ଚାଲିଯିବା ପରେ ଘରେ କାନ୍ଦ ବୋବାଳି ପଡ଼ିଲା ।

 

ଏ ସବୁ ଦେଖି ନାନୁର ହାଡ଼ ଜଳିଗଲା । ବଡ଼ ଭାଇ ବାପ ସମାନ, ମୁହଁ ଉପରେ କିଛି କହି ପାରିଲା ନାହିଁ । ବିଚାରିଲା ‘‘ଭାଇତ ଗୁରୁ ଭକ୍ତିରେ ପାଗଳ । ଆଚ୍ଛା ମନ୍ତ୍ର କାନରେ ଫୁଙ୍କିଲା, ସବୁ ଚିତା କାଟି ନେଇଯିବ, ଗୋଟାଏ କିଛି ବାଟ ନକଲେ ସର୍ବନାଶ ହେବ ।’’ ସେ ବସି ବସି ଗୋଟିଏ ଉପାୟ ପାଞ୍ଚିଲା ।

 

ଶ୍ରୀଗୁଣ୍ଡିଚା ଦିନ ଗୁରୁଦେବ ତାଳପଦାକୁ ବିଜେ କଲେ । ଯୋଗକୁ ବେନୁ ସେ ଦିନ ଘରେ ନ ଥାଏ, ବନ୍ଧୁ ଘର ଯାଇଥାଏ । ବେନୁ ନଥିବା ଖବର ଶୁଣି ଗୁରୁଦେବ ମୁହଁଟାକୁ ଆମ୍ୱିଳା କରି ଫେରି ଯାଉଥିଲେ । ଏହି ସମୟରେ ନାନୁ ଆସି ସାଷ୍ଟାଙ୍ଗ ଦଣ୍ଡବତ କରି ଉଠି ହାତ ଯୋଡ଼ି ଜଣାଇଲା ‘‘ମହାପ୍ରଭୁ ! ଆପଣ ଦୟାର କରି ଭାଇଙ୍କି ମୋକ୍ଷ କଲେ, ମୁଁ ଚଣ୍ଡାଳଟା ଏହିପରି ଅମୋକ୍ଷ ହୋଇ ବୁଲୁଥିବି ?’’ ମହାପାତ୍ରେ ଦେଖିଲେ ବୃହସ୍ପତି ପଞ୍ଚମକୁ ଗତି କଲେ । କାରଣ ବେନୁ ତାଙ୍କୁ କିଛି ଦେଲାବେଳକୁ ଏହି ନାନୁଟା ବାର ଅନିଷ୍ଟ ବାହାର କରୁଥିଲା । ବେନୁ ତ ଆଗରୁ ବନ୍ଧା, ବାକି ଏଇଟା କାନରେ ମନ୍ତ୍ର ଫୁଙ୍କି ଦେଲେ, ନିରାଲମ୍ୱ କଚେ ବାଆର । କହିଲେ ‘‘ହଇରେ ବାପ ନାନୁ, ମୁଁ କଅଣ ମନ୍ତ୍ର ଦେବାକୁ ମନା କଲି, ଆରେ ମନ ଦୃଢ଼ କଲେ ସିନା ମନ୍ତ୍ର ଘେନିବୁ ।’’ ନାନୁ କହିଲା ‘‘ଆଜ୍ଞା ମନ ଦୃଢ଼ କରିବି ନାହିଁ ତ ଆଉ କଅଣ ଆପଣଙ୍କ ସାଙ୍ଗରେ ଟାପରା ଖେଳୁଛି-।’’ ମହାପାତ୍ରଙ୍କ ମନ କୁଣ୍ଢେ ମୋଟ ହୋଇଗଲା । କହିଲେ ‘‘ହଉ ତେବେ ପାଞ୍ଜିଟା ଆଣ ଗୋଟିଏ ଭଲ ଦିନ ଠିକ୍ କରିବା । ଆଉ ସେ ଦିନକୁ କି କି ଜିନିସ ଦରକାର ତାର ଗୋଟିଏ ତାଲିକା କରିବା-।’’ ନାନୁ କହିଲା ‘‘ପ୍ରଭୁ । ମୁଁ ଆଜି ନାମ ନ ନେଲେ ଜଳ ଗ୍ରହଣ କରିବି ନାହିଁ । ମୋ କର୍ମ ସଳଖ ଆପଣ ଆଜି ମନକୁ ବିଜେ କରିଛନ୍ତି । ଆଜି ପୁଣି ଶ୍ରୀଗୁଣ୍ଡିଚା । ଯାହା ଫଳେ ପୁଷ୍ପେ ଅଛି କାମଟା ବଢ଼ାଇ ଦିଅନ୍ତୁ ।’’ ମହାପାତ୍ରେ ବିଚାରିଲେ ‘‘ଭଲ କଥା । ଟୋକା ବୋକା, ପୁଣି ପଛରେ କାହାଠାରୁ କଅଣ ଶୁଣି ବାର ଫରବି ଖେଳିବ । କୌଣସି ପ୍ରକାରେ କାମଟା ବଢ଼ି ଯାଉ । ଶୁଭସ୍ୟ ଶୀଘ୍ରଂ-।’’ କହିଲେ ‘‘ଭଲ କଥା ମନେ ପକାଇ ଦେଲୁ, ବର୍ଷକରେ ଏ ଶ୍ରୀଗୁଣ୍ଡିଚା ଦିନଟା ପରି ଦିନଟାଏ-। ଏତେ ପୁନେଇ ପର୍ବ ଅଛି, ଆଉ କାହା ଆଗରେ ଶ୍ରୀ ବସେ । କିଏ ଶ୍ରୀ ଦୋଳ କି ଶ୍ରୀ ଦଶହରା କି ଶ୍ରୀ ପ୍ରଥମାଷ୍ଟମୀ ବୋଲି କହେ । ତେବେ ଚଞ୍ଚଳ ଗାଧୁଆ ପାଧୁଆ କରି ଘରେ ଯାହା ଅଛି ଆଣେ ମୁଁ କାମଟା ବଢ଼ାଇ ଦିଏଁ । ସାତ ଘଡ଼ିଠାରୁ ତେଣିକି ବାର ବେଳଟା ପଡ଼ିଯିବ ।’’ ନାନୁ ଚଞ୍ଚଳ ବୁଡ଼ଟାଏ ପକାଇ କରିଆ ଖଣ୍ଡିଏ, ନଡ଼ିଆଟିଏ, ଅରୁଆ ଚାଉଳ ଦି ସେର ଆଣି ମହାପାତ୍ରଙ୍କ ଆଗରେ ଥୋଇଲା । ପ୍ରଥମରେ ମହାପାତ୍ରେ ଏତକ ଦେଖି ମନେ ମନେ ଚିଡ଼ିଗଲେ । ମାତ୍ର ପରେ ଭାବିଲେ ‘‘ହଉ ହୁରୁଡ଼େଇ ଦେବାଟା ଭଲ ନୁହେଁ । ଆଗ ଗୁହାଳରେ ପଶୁ, ତା ପରେ ବେକରେ ପଘା ଲାଗିବ ଯେ ।’’ କୌଣସି ପ୍ରକାରେ କାମ ବଢ଼ାଇ ଦେଇ ଶେଷରେ କହିଲେ ‘‘ଦେଖ ବାବା, ଆଜିଠାରୁ ତୁମର ଏ ଘର ଦ୍ୱାର, ଗାଈ ଗୋରୁ, ଧନ ଦଉଳତ ସବୁ ଗୁରୁଙ୍କର, କେବଳ ଗୁରୁଙ୍କର ପାଦ ପଦ୍ମ ଦୁଇଟି ତୁମର । ଏହି କଥାଟି ଆଜିଠାରୁ ମନରେ ଦୃଢ଼ କରି ଧରିଥିବୁ-।’’ ନାନୁ କହିଲା ‘‘ଆଜ୍ଞା, କାନ ଧରି ମନ୍ତ୍ର ଦେଇ ମୋ ପରି ପାପୀକୁ ମୋକ୍ଷ କଲେ, ଆପଣଙ୍କ କଥାକୁ ବେଦର ଗାର କରି ମାନିବି ।’’ ମହାପାତ୍ରେ ଜଳଖିଆ କରି ଯିବାକୁ ବାହାରି କହିଲେ ‘‘ଆରେ ବାପ ନାନୁଶ୍ୱର, ଦେ କଅଣ ଦକ୍ଷିଣା ଦେ ଯିବାବେଳ ଗଡ଼ି ପଡ଼ଛି ।’’ ନାନୁ କହିଲା ‘‘ମହାପ୍ରଭୁ ଏ ଘରଦ୍ୱାର ଆପଣଙ୍କର-। ମୁଁ କଅଣ ଦେବି ? ଆପଣଙ୍କର ଯାହା ଇଚ୍ଛା ଘେନି ଯାଆନ୍ତୁ, ମତେ କାହିଁକି ପଚାରୁଛନ୍ତି-। କେବଳ ଆପଣଙ୍କ ପାଦ ପଦ୍ମ ଦୁଇଟି ମୋର, ଆଉ ଏ ଘରେ ଯାହା ସବୁ ଦେଖୁଛନ୍ତି ସବୁ ଆପଣଙ୍କର ।’’ ଗୁରୁ ଭାରି ଖୁସି ହୋଇ ବିଚାରିଲେ ମନ୍ତ୍ର ଠିକ୍ କାଟୁ କରିଛି । କହିଲେ ‘‘ଘିଅ ପାଞ୍ଚ ସେର ଲୋଡ଼ା ଥିଲା, ତୁମ ମା (ଗୁରୁଙ୍କ ସ୍ତ୍ରୀ) ପିଲେଇତି ହୋଇଛନ୍ତି । ଘିଅ ଟିକିଏ ନ ହେଲେ ପଥି କରୁନାହାନ୍ତି ।’’ ନାନୁ କହିଲା ‘‘ଆଜ୍ଞା ପାଞ୍ଚ ସେର କଅଣ ଦଶ ସେର ନେଇ ଯାଆନ୍ତୁ । ନିଜ ସ୍ତ୍ରୀକୁ ଡାକିଲା ‘‘ଆଲୋ ସାନ ବୋହୂ, ସେ ବଡ଼ ଘିଅ ଝୋବାଟା ଆଣିବୁଟି ।’’ ତା ସ୍ତ୍ରୀ ସାଙ୍ଗେ ସାଙ୍ଗେ ମାଠିଆଏ ଘିଅ ଆଣି ସେମାନଙ୍କ ଆଗରେ ଥୋଇଦେଲା । ନାନୁ ମାଠିଆ ଘେନି ଗୁରୁଙ୍କ ଘରେ ପହଞ୍ଚାଇ ଦେବାକୁ ଲୋକ ଡାକି ଆଣିଲା । ଗୁରୁ ଚଉଦ ବ୍ରହ୍ମାଣ୍ଡ ଯାକର କଲ୍ୟାଣ ଗୁଡ଼ିକ ନାନୁ ମୁଣ୍ଡରେ ଅଜାଡ଼ି ଦେଇ ବାହାରିଲେ । ନାନୁ ଚଞ୍ଚଳ ଯାଇ ଗୁରୁଙ୍କ ଦୁଇ ଗୋଡ଼କୁ କୁଣ୍ଢାଇ କରି ଜାବୁଡ଼ି ଧରିଲା । ସାନ ବୋହୂକୁ ଡାକ ପକାଇଲା ‘‘ଆଲୋ ସାନ ବୋହୂ ଆମର ସେ ବୋଦାହଣା କଟୁରୀଟା ଚଞ୍ଚଳ ଆଣିବୁଟି ।’’ ନିଜ ସ୍ତ୍ରୀକୁ ନାନୁ ଆଗରୁ ଶିଖାଇ ଦେଇଥିଲା । ତା ତୁଣ୍ଡରୁ କଥା ନ ସରୁଣୁ ସାନ ବୋହୂ ଦିହାତ ଲମ୍ୱର ଗୋଟାଏ ବଡ଼ ଶାଣଦିଆ କଟୁରୀ ଆଣି ସ୍ୱାମୀଙ୍କ ପାଖରେ ଥୋଇ ଦେଲା । ମହାପାତ୍ରେ ଏ ସବୁ ଦେଖି କିଛି ବୁଝି ନ ପାରି ପଚାରିଲେ ‘ଆରେ ଏ କଟୁରୀଟା କଅଣ କରିବୁ ମ !’ ନାନୁ କହିଲା ‘‘ଆଜ୍ଞା ଏ ପାଦପଦ୍ମ ଦୁଇଟି ଛଡ଼ା ମୋର ଆଉ ଏ ସଂସାରରେ କଅଣ ଅଛି । ଆପଣ ସବୁ ପଛକେ ନିଅନ୍ତୁ, ମୁଁ ତ ଏ ପାଦ ପଦ୍ମ ଦୁଇଟି ଛାଡ଼ି ପାରିବି ନାହିଁ । କାଟିକରି ରଖିବି, ଆପଣ ଆଉ ସେଥିରେ ଲୋଭ କରନ୍ତୁ ନାହିଁ ।’’ ଗୁରୁଦେବଙ୍କର ହାଲୁକ ଶୁଖିଗଲା । ବିଚାରିଲେ ‘‘ମୂର୍ଖ ଲୋକ ଯାହା ବୁଝିଛି ସେଇଆ କରିବ ।’’ କହିଲେ ‘‘ଆରେ ବାପ, ଗୋଡ଼ ଛାଡ଼ ମୁଁ ଯିବି । କଥାରେ ସିନା କହିଲି ଏ ପାଦପଦ୍ମ ତୋର ବୋଲି, ସତରେ କଅଣ ଏ ଦୁଇଟା ତୋର, ତୁ କାଟି କରି ରଖିବୁ ।’’ ନାନୁ କହିଲା ‘‘ନା ନା ! ଧାନ, ମୁଗ, ବିରି, ଘିଅ ଓ ବନ୍ଦାଣ ଗାଈ ସବୁ ସତରେ ହେଲା ଆପଣଙ୍କର ଆଉ ଆମ ବେଳକୁ ପାଦପଦ୍ମ କଥା ମିଛ ହୋଇଗଲା-।’’ ଏହା କହି ଗୋଟାଏ ହାତରେ ଗୋଡ଼କୁ ଭିଡ଼ି ଧରି ଆର ହାତରେ କଟୁରୀ ଧଇଲା । ଗୁରୁ ନାନୁର ମତଲପ ବୁଝି ନେଲେ, ତାଙ୍କ ପିଳେହି ପାଣି ହୋଇଗଲା, ପାଟି ଖନି ବାଜି ଗଲା କହିଲେ ‘‘ଦେ ପାଦ ଛାଡ଼ ମୁଁ ଘରକୁ ଯାଇ ସବୁ ଫେରେଇ ଦେବି ।’’ ନାନୁ କହିଲା ‘‘ଆଜ୍ଞା ସେ ପାଠ ମୋ ବୋପା ମତେ ପଢ଼େଇ ନାହିଁ । ଧାନ, ଚାଉଳ, ମୁଗ, ଘିଅ କଥା ଛାଡ଼, ଆମ ବନ୍ଦାଣ ଚାନ୍ଦ ଗାଈଟି ଆମ ଘରେ ଆସି ବନ୍ଧା ନ ହେବା ପର୍ଯ୍ୟନ୍ତ, ମୁଁ ଏ ଅଭୟ ପାଦ ପଦକୁ ଛାଡ଼ି ଦେଇ ପାରିବି ନାହିଁ ।’’ ଗୁରୁଙ୍କୁ କିଛି ବୁଦ୍ଧି ବାଟ ଦିଶିଲା ନାହିଁ । ଶେଷରେ ଚାନ୍ଦଗାଈଟିକୁ ଫେରାଇ ଦେବାକୁ ସ୍ତ୍ରୀଙ୍କ ପାଖକୁ ଲେଖିଲେ । ମଣିଷ ଯାଇ ଦୁଇ ଘଡ଼ି ମଧ୍ୟରେ ଗାଈ ବାଛୁରୀ ଘେନି ପହଞ୍ଚିଲା ଓ ଗୁରୁଙ୍କର ଅଭୟ ପାଦପଦ୍ମ ମୁକିଳିଲା । ସେହି ଦିନଠାରୁ ଆଉ ସେ ଅଭୟ ପାଦପଦ୍ମ ତାଳପଦାରେ ପଡ଼ିଲା ନାହିଁ ।

Image

 

କଥା ଗୋଟିକୁ ଟଙ୍କାଟିଏ

 

ନନ୍ଦପୁରର ନାଥ ବେବର୍ତ୍ତାଙ୍କର ପୁଅ ମାଇପ ମରି ଯିବାରୁ ତାଙ୍କ ମନରେ ବୈରାଗ୍ୟ ଆସିଲା । ବୟସ ବି ହୋଇ ଯାଇଥିଲା । ସେ ଘରଦ୍ୱାର ଛାଡ଼ି ବାବାଜି ହୋଇ ବାହାରିଲେ । ସେହି ଗାଁର ଦାମ ବାରିକର ମଧ୍ୟ ସେହି ଦଶା । ସେ ବେବର୍ତ୍ତା ବାବାଜି ହୋଇଯିବାର ଦେଖି ତାଙ୍କ ପିଛାଧଇଲା । କହିଲା’ ସାଆନ୍ତେ ମୋର ଏ ସଂସାରରେ ଆଉ କଅଣ ଅଛି । ମୁଁ ବି ଆପଣଙ୍କ ସାଙ୍ଗରେ ବାବାଜି ହୋଇ ଯିବି ।’ ବେବର୍ତ୍ତାଏ ମଙ୍ଗିବାରୁ ସାଙ୍ଗ ହୋଇ ଚାଲିଲେ । ଦୁଇ ଚାରି ମାସ ତୀର୍ଥ ସବୁ ବୁଲିଲେ, ନୂଆ ହୋଇ ବାବାଜି ହୋଇଛନ୍ତି, ତୁଣ୍ଡ ଫିଟାଇ କାହା ଦୁଆରେ ଭିକ ମାଗିବାକୁ ଲାଜ ମାଡ଼ିଲା; ଏତେ ବି ବେବର୍ତ୍ତାଙ୍କ ପାଖରୁ ପଇସା ସରିଲାଣି । କଅଣ କରିବେ ବୋଲି ଭାବି ଭାବି ଯାଉଥାଆନ୍ତି । ଦେଖିଲେ ଗୋଟାଏ ବରଗଛ ମୂଳରେ ଜଣେ ବାବାଜୀ ଧୁନୀ ଲଗାଇ ଅଷ୍ଟାଙ୍ଗ ଶରୀର ପାଉଁଶ ବୋଲି ହୋଇ ବସିଛନ୍ତି । ଦାମ ବାରିକ କହିଲା ‘ସାଆନ୍ତେ ଆମେ ତ ନୂଆ କରି ବାବାଜି ହୋଇଥାଇଁ । ଆମକୁ କଦର ଜଣାନାହିଁ । ଏହି ବାବାଜୀଙ୍କ ପାଖକୁ ଚାଲନ୍ତୁ, କିଛି ଇଲମ ତାଙ୍କଠାରୁ ଶିଖିବା । ବେବର୍ତ୍ତାଙ୍କ ମନକୁ କଥାଟା ଭଲ ଘେନେଇଲା । ଦୁହେଁଯାକ ଗଲେ । ବାବାଜୀଙ୍କୁ ମୁଣ୍ଡିଆ ମାରି ତାଙ୍କ ପାଖରେ ହାତଯୋଡ଼ିକରି ବସିଲାରୁ ବାବାଜୀ ପଚାରିଲେ ‘ଆରେ ବାବା କୁଆଡ଼େ ଅଇଲ ।’ ଦାମ କହିଲା ବାବାଜୀ ମହାରାଜ ! ଆପଣଙ୍କଠାରୁ କିଛି ଉପଦେଶ ନେବାକୁ ଆସିଛୁ । ବାବାଜୀ କହିଲେ ‘‘ଆରେ ବାବା; ମୁଁ କାହାକୁ ମାଗଣା ଉପଦେଶ ଦିଏ ନାହିଁ । ମୋର କଥା ଗୋଟିକୁ ଟଙ୍କାଟିଏ । ପାଖରେ କେତେ ଟଙ୍କା ରଖିଛୁ ବାହାର କର; ଉପଦେଶ ଶୁଣିବୁ ।’’ ଦାମ ପାଖରେ ତ କଣା କଉଡ଼ିଟିଏ ନ ଥାଏ, ସେ ବେବର୍ତ୍ତାଙ୍କ ମୁହଁକୁ ଅନାଇଲା । ବେବର୍ତ୍ତା ଦଣ୍ଡେ ଖଣ୍ଡେ ମନରେ କଅଣ ବିଚାର କରି ଅଣ୍ଟାରୁ ଛଅଟି ଟଙ୍କା କାଢ଼ି ବାବାଜୀଙ୍କ ଆଗରେ ଥୋଇ ଦେଇ ହାତଯୋଡ଼ି କରି ବସିଲେ । ଦାମ ବି ହାତଯୋଡ଼ି ବାବାଜୀଙ୍କ ଶ୍ରୀମୁଖରୁ ଉପଦେଶ ଶୁଣିବ ବୋଲି ଟାକି କରି ବସିଲା । ବାବାଜୀ ଟଙ୍କା ତକ ନେଇ ମୁଣିରେ ପୂରାଇ କହିଲେ, ‘‘ମନ ଦେଇକରି ଶୁଣ ! ସାମାନ୍ୟ କଥା ବୋଲି ହସରେ ଉଡ଼ାଇ ଦେବ ନାହିଁ । ବେଳ ପଡ଼ିଲେ ହେଜ ରଖି କରିବ । ଏକରେ–ଆଗେ ଚଢ଼ିବ, ପଛେ ଓହ୍ଲାଇବ । ଡଙ୍ଗା ବା ଗାଡ଼ିରେ ଚଢ଼ିଲାବେଳେ ସମସ୍ତଙ୍କ ଆଗରେ ଯାଇ ବସିବ, ଆଉ ସମସ୍ତଙ୍କ ପଛରେ ଓହ୍ଲାଇବ । ଦୁଇରେ–ଛୋଟ ଲୋକ ବଡ଼ ପାହିଆରେ ବସିଲେ ସଲାମ କରିବ । ଛୋଟ ଳୋକଟାଏ ଆଜି ବଡ଼ ହୋଇ ଯାଇଛି ଏ କଥା ବିଚାରି ତାକୁ ଅଖାତର କରିବ ନାହିଁ । ତିନିରେ ହେଉଛି ବେଇଜ୍ଜତକୁ ଇଜ୍ଜତ ଦେବ । ମାନେ କୌଣସି ଲୋକ ହଠାତ୍ କୌଣସି ମନ୍ଦ କାମ କରି ପକାଇବାରେ ଦେଖିଲେ, କଥାଟାକ ପ୍ରଘଟ ନ କରି ଘୋଡ଼ାଇନେବ । ଚାରିରେ–ଦୋଷିକୁ ପଚାରି ଦଣ୍ଡଦେବ ଅର୍ଥାତ୍ କୌଣସି ଲୋକ ଦୋଷ କରିବାର ଶୁଣିଲେ ହଠାତ୍ ତାକୁ ଦଣ୍ଡଦେବ ନାହିଁ, ତା ଦୋଷ କଥା ତାକୁ କହିବ । ସେ କଅଣ କହିବ, ତାକୁ ଭାବି ବିଚାରି ଯାହା କରିବାର କରିବ । ପାଞ୍ଚରେ–ଯାଚିଲା ମାଲ ଛାଡ଼ିବ ନାହିଁ । କେହି ତୁମକୁ ଧୂଳି ମୁଠାଏ ପଛକେ ଯାଚି କରି ଦେଲେ, ତାକୁ ଅପସନ୍ଦ କରି ଫୋପାଡ଼ି ନ ଦେଇ ଆଣିବ । ଛଅରେ–ଅପମାନ ସ୍ଥାନରେ ଆଉ ଦଣ୍ଡେ ରହିବ ନାହିଁ । ଯେଉଁ ସ୍ଥାନରେ ତୁମେ ଭାରି ଟେକରେ ଥିଲ, ସେଠାରେ ଯଦି ଅପମାନ ମିଳେ ଲକ୍ଷେ ସୁନା ମୋହର ମିଳିଲେ ସେଠାରେ ଆଉ ରହିବ ନାହିଁ । ବେଶ୍, ଛଅଟି ଟଙ୍କାକୁ ଛଅଟି କଥା, ରାସ୍ତା ଦେଖ ।’’ ଏ କଥା ଶୁଣି ବାରିକ ବେବର୍ତ୍ତାଙ୍କ ମୁହଁକୁ ଅନାଇଲା ଓ ବେବର୍ତ୍ତାଏ ଭଣ୍ଡାରି ମୁହଁକୁ ଟିକିଏ ଅନାଇ ସେଠାରୁ ଚାଲି ଆସିଲେ । କେହି କାହାକୁ କିଛି ନ କହି ଖଣ୍ଡେ ବାଟ ଆସିଲାରୁ ଭଣ୍ଡାରି ଆଗ କରି କହିଲା, ‘‘ସାଆନ୍ତେ ପୁରୁଣା ଠକ ବଇଷମଟାଏ । ୟାଡ଼ୁ ସ୍ୟାଡ଼ୁ ଦିଟା କଅଣ କଥା କହିଦେଲା । ଅଗ ନାହିଁ କି ମୂଳ ନାହିଁ, ହାତକୁ ହାତ କୋଳି ମଞ୍ଜି ପରି ଛଅଟା ଟଙ୍କା ମାରିନେଲା ।’’ ବେବର୍ତ୍ତା କହିଲେ ‘‘ଆରେ ଆମେତ ନାକରେ କାଠି ପୂରାଇ ଛିଙ୍କି ହେଲୁ ତାର ଦୋଷ କଅଣ ? ଛାଡ଼ ସେ କଥା, ମଲା ଘୋଡ଼ାର ଟାଙ୍କୁ ମାପି କି ଫଳ । ଆମକୁତ ଓଲୁ କରି ଦେଇ ଟଙ୍କାତକ ନେଲା, ପାଖରେ ତ ଆଉ କିଛି ନାହିଁ ତେବେ କରିବା କଅଣ ?’’ ଭଣ୍ଡାରୀ କହିଲା, ‘‘ସାଆନ୍ତେ ଦାଣ୍ଡରେ ପୁଅ ବେଇ ଡାହାଣୀକି ଡରିଲେ ଚଳିବ କିପରି ? ମୁଖ ନ ଫିଟିଳେ ଦୁଃଖ ଯାଏନାହିଁ, ଭିକ୍ଷା ବୁରୁତି ଆରମ୍ଭ କରିବା ।’’ କଥାଭାଷା ହୋଇ ଯାଉଁ ଯାଉଁ ବାଟରେ ଗୋଟାଏ ନଈ ପଡ଼ିଲା । ନଈ ବଢ଼ିଛି ଘାଟ ଡଙ୍ଗା ବନ୍ଦାହୋଇଛି । ବେବର୍ତ୍ତା କହିଲେ ‘‘ଚାଲ ବସିବା’’ ଦାମ କହିଲା ‘‘କେହି ପଝାରୀ ଆସି ନାହାନ୍ତି । ଏତେ ତୋଖିରେ କାହିଁକି ଯାଇ ବସିବା ।’’ ବେବର୍ତ୍ତା କହିଲେ ‘‘ଆରେ ବାବାଜି ପରା କହିଛି ଆଗେ ଚଢ଼ିବ ପଛରେ ଓହ୍ଲାଇବ ।’’ ଦୁହେଁଯାକ ଯାଇ ଡଙ୍ଗାରେ ବସିଲେ । ଗୋଟିଏ ଗୋଟିଏ ହୋଇ ଲୋକ ଆସିଲେ । ଦି ଘଡ଼ି ପରେ ନାଉରୀ ଆସି ଡଙ୍ଗା ଛାଡ଼ିଲା, ସେ ପାଖରେ ଲାଗିଲା । ସମସ୍ତେ ଓହ୍ଲାଇ କରି ଚାଲିଗଲେ, ନାଉରୀ ବି କୀଳାରେ ଡଙ୍ଗା ଖଟେଇ ଦେଇ ଚାଲିଗଲା, ତା ପରେ ଦୁହେଁଯାକ ଉଠିଲେ । ଭଣ୍ଡାରି ଡଙ୍ଗାରୁ ଗୋଟିଏ ବଟୁଆ ପାଇଲା, କିଏ ଛାଡ଼ିଯାଇଛି । ବଟୁଆଟି ଘେନି ବାଟରେ ଆସି କେତେ ଲୋକଙ୍କୁ କିଏ ଡଙ୍ଗାରେ କଅଣ ଛାଡ଼ିଛ ବୋଲି ପଚାରିଲେ । କେହି କିଛି ନ କହିବାରୁ ଶେଷକୁ ଗୋଟିଏ ଗଛ ମୂଳରେ ବସି ବଟୁଆଟି ଫିଟାଇଲେ । ବଟୁଆରେ ତିନି ଟଙ୍କା ଆଉ କେଇଟା ଖୁଚୁରା ପଇସା ଅଛି । ଦାମ କହିଲା ‘ଆଜ୍ଞା ଗୋଟିଏ କଥାରେ ତ ଦୁଇଟଙ୍କା ଲାଭ ମିଳିଲାଣି ଦେଖାଯାଉ, ଆଉ ସବୁ କଥା କଅଣ ହେଉଛି ।’’ ବାଟରେ ଗୋଟିଏ ବଜାର ପଡ଼ିଲା । ଗୋଟିଏ ଚଟିଘରେ ଯାଇ ରହିଲେ । ଦାମ ଘର ସଫାସୁତରା କରି ଚୁଲି ଚଉକା କରି ବଟୁଆଟି ଧରି ବଜାରକୁ ହାଣ୍ଡି, କାଠ, ଚାଉଳ କିଣିବାକୁ ଚାଲିଗଲା । ବେବର୍ତ୍ତାଙ୍କୁ ବାଟଚଲା ବାଧା ହୋଇଥିଲା । ସେ କମ୍ୱଳ ଖଣ୍ଡକ ବିଛେଇ ଦେଇ ଲମ୍ୱଜାଲ ହୋଇ ପଡ଼ିଗଲେ । ନିଘୋଡ଼ ନିଦ ହୋଇଗଲା । ନିଦ ଭାଙ୍ଗିଲା ବେଳକୁ ଦେଖିଲେ ସୂର୍ଯ୍ୟ ମା କୋଳକୁ ଯାଉଛନ୍ତି । ଦାମର ଦେଖା ନାହିଁ । କି କଥା ଏ । ଚାରିଆଡ଼ ଖୋଜିଲେ, ବଡ଼ପାଟି କରି ଡାକ ମାଇଲେ, କେତେ ଲୋକଙ୍କୁ ପାଚରିଲେ, ମାତ୍ର ଦାମର ପତ୍ତା ନାହିଁ । ଏଣେ ଭୋକରେ ହଂସା ଉଡ଼ି ଯାଉଛି, ଅଣ୍ଟାରେ ପଇସା ନାହିଁ । କରିବେ କଅଣ । ସନ୍ଧ୍ୟା ହେଲା, ନୂଆ ରଜା ହୋଇଛନ୍ତି ବୋଲି ଚାରିଆଡ଼େ ଉତ୍ସବ ଲାଗିଛି । ଶୁଣିଲେ ରଜା ଘରକୁ ଗଲେ ଭୂରିଭୋଜନ ମିଳିବ । ଗଡ଼ଟା ପାଖରେ, ସେ ଗଲେ । ଖାଇବାକୁ ମିଳିଲା । ଶୁଣିଲେ ସେ ଦେଶର ରଜା ମରି ଯାଇଥିଲେ । ହାତୀ ସୁନା କଳସ ଘେନି ବୁଲିଥିଲା । ବଜାର ପାଖରେ ଜଣକ ମୁଣ୍ଡରେ କଳସ ଢାଳିଲାରୁ ତାଙ୍କୁ ଆଣି ରଜା କରିଛନ୍ତି । ବେବର୍ତ୍ତା ଭାବିଲେ ଦାମ ତ ନୁହେଁ ?’’ ଆଚ୍ଛା ସକାଳେ ଦେଖିବା । ରାତିକ ସେଠାରେ ରହିଲେ । ସକାଳ ହେଲା । ଦିନ ପହରକ ସରିକି ରଜା ବେହରଣକୁ ବିଜେ କଲେ । ବେବର୍ତ୍ତା ଚାହିଁଲାବେଳକୁ ଦାମ ରାଜବେଶ ହୋଇ ବସିଛି । ତାଙ୍କ ମନରେ ଭାରି ରାଗ ହେଲା । ଦେଖ ତ ତା କର୍ମରେ ଥିଲା ରଜା ହେଲା । ତେଣେ ମୁଁ ଯେ ଅଖିଆ ଅପିଆ ପଡ଼ିଛି ଏ କଥା ଭୋଳ ହୋଇ ପାଶୋରି ପକାଇଲା, ଆଚ୍ଛା କରି ଦି ପଦ ଶୁଣାଇ ଦବା ।’’ ଏହା ଭାବି ଯିବା ସମୟରେ ବାବାଜି କଥା ମନେ ପଡ଼ିଲା ‘‘ଆରେ ବାବାଜି କହିଥିଲା ଛୋଟ ଲୋକ ବଡ଼ ପାହିଆ ପାଇଲେ ତାକୁ ସଲାମ କରିବ, ଆଚ୍ଛା ଦେଖିବା’’ ଆଗକୁ ଯାଇ ସଲାମ କଲେ । ଦାମ ପ୍ରଥମରେ ବେବର୍ତ୍ତାଙ୍କୁ ଦେଖି ହଡ଼ବଡ଼େଇ ଯାଇଥିଲା । ସେତ ଭୋଳ ହୋଇ ତାଙ୍କ କଥା ଭୁଲି ଯାଇଛି, ପଛ କଥା ସବୁ କହି ତାଙ୍କ ଇଜ୍ଜତ୍ ପଦାରେ ପକାଇ ଦେବ । ମାତ୍ର ବେବର୍ତ୍ତା ଆଗରେ ଠିଆ ହୋଇ ସଲାମ କରିବାରୁ, ଦାମ ମନ ଭାରି ଖୁସି ହୋଇଗଲା । ରାଜ ଗାଦିରୁ ଉଠି ବେବର୍ତ୍ତାଙ୍କ ହାତ ଧରି କହିଲା, ‘‘ଆପଣ ଆଜିଠାରୁ ମୋର ମନ୍ତ୍ରୀ ହୋଇ ରହିଲେ ।’’ ସେହି ଦିନଠାରୁ ବେବର୍ତ୍ତା ମନ୍ତ୍ରୀ ହୋଇ ରାଜ୍ୟ ଚଳାଇଲେ ।

 

ରଜାଙ୍କର ବିଭାଘର ହେଲା । ନୂଆ ରାଣୀ ଆସିଲେ । ମନ୍ତ୍ରୀ ପ୍ରତି ଦିନ ରାତିରେ, ରଜା ପହଡ଼କୁ ବିଜେ କଲେ, ସିଂହଦ୍ୱାର ବନ୍ଦ କରି ପଦା ପାଖରୁ ଚାବି ଦେଇ ବସାକୁ ଯାଆନ୍ତି । ତା ପରେ ଆଉ କେହି ଉଆସ ଭିତରକୁ ଯାଇ ପାରନ୍ତି ନାହିଁ । ଆରଦିନ ସୁନ୍ଦରା ଫାଟିବା ଆଗରୁ ଆସି ଦୁଆର ଫିଟାଇ ଦିଅନ୍ତି, ସମସ୍ତେ ଯିବା ଆସିବା କରନ୍ତି ।

 

ଦିନେ ମନ୍ତ୍ରୀ ଟିକିଏ ଚଞ୍ଚଳ ଆସିଗଲେ । ରାତି ଫସର ଫାଟି ନ ଥାଏ । କବାଟ ଫିଟାଇ ଭିତରକୁ ଯାଇ ଦେଖନ୍ତି ତ ଗୋଟାଏ ଘରେ ରାଣୀ ଓ ଆଉ ଗୋଟାଏ ଚାକର ଶୋଇଛନ୍ତି । ସେ ସାଙ୍ଗେ ସାଙ୍ଗେ ରଜାଙ୍କୁ ଡାକି ସବୁ କଥା ଦେଖାଇ ଦେବାକୁ ଯାଉଥିଲେ । ମାତ୍ର ସେ ବାବାଜି କଥା ମନେ ପଡ଼ିଲା । ଆରେ ବାବାଜି କହିଥିଲା ବେଇଜ୍ଜତକୁ ଇଜ୍ଜତ୍ ଦେବ ।’’ ଏ କଥା ଭାବି ନିଜର ମୁଣ୍ଡର ପାଗଟା ଫିଟାଇ ରାଣୀଙ୍କ ଉପରକୁ ପକାଇ ଦେଲେ । ରାଣୀଙ୍କ ନିଦ ଭାଙ୍ଗିଗଲା । ମନ୍ତ୍ରୀ ମଧ୍ୟ ଅନ୍ୟ ଆଡ଼େ ଚାଲିଗଲେ । ରାଣୀ ଧଡ଼ପଡ଼ ହୋଇ ଉଠି ମନ୍ତ୍ରୀଙ୍କ ପାଗଟା ଧରି ନଅର ଭିତରକୁ ପଶିଗଲେ । ରଜାଙ୍କ ନିଦ ଭାଙ୍ଗି ନାହିଁ । ରାଣୀ ଯାଇ ରଜାଙ୍କୁ ଉଠାଇ କହିଲେ ପାଲିଙ୍କି ସଜ କରି ଦିଅ । ମୁଁ ମୋ ବାପ ଘରକୁ ଯିବି । ତୁମେ ତୁମ ଗୁଣବନ୍ତ ମନ୍ତ୍ରୀଙ୍କୁ ଘେନି ସୁଖରେ ରୁହ-।’’ ରଜା କିଛି ବୁଝି ନ ପାରି କଥା କଅଣ ବୋଲି ପଚାରିବାରୁ ରାଣୀ କାନ୍ଦି ପକାଇ କହିଲେ, ମୁଁ ସକାଳୁ ତୁମ ପାଖରୁ ଉଠି ବଗିଚାରେ ଟିକିଏ ବୁଲୁଥିଲି । ମନ୍ତ୍ରୀ ତେଣୁ ଆସି ମତେ କୁଣ୍ଢେଇ ପକାଇଲେ । ମୁଁ ରାଗରେ ତାଙ୍କୁ ଧକାଏ ମାରି ଦେଲି । ସେ ପଳେଇଲେ, ତାଙ୍କ ପାଗଟା ଖସି ପଡ଼ିଲା । ହେଇ ନିଅନ୍ତୁ ।’ ପାଗଟା ରଜାଙ୍କ ଆଗକୁ ପକାଇ ଦେଲେ । ରାଗରେ ରଜାଙ୍କ ଆଖି କୁମ୍ଭାଟୁଆ ଆଖିପରି ନାଲି ଟହଟହ ହୋଇଗଲା । ଓଠ କାମୁଡ଼ି କରି କହିଲେ, ‘‘ଆଚ୍ଛା ମୁଁ ତାର ବ୍ୟବସ୍ଥା କରୁଛି । ତୁମେ କଥାଟାକୁ ପ୍ରଘଟ ନ କରି ତୁନି ହୋଇ ରୁହ ।’’ ଦିନ ଯାକ ରଜା ମନ୍ତ୍ରୀଙ୍କୁ ଭଲ କରି କଥା କହିଲେ ନାହିଁ । ସବୁଦିନ ପରି ମନ୍ତ୍ରୀ କାମ ସାରି ରାତିକୁ ସିଂହଦ୍ୱାର ବନ୍ଦ କରି ପଦାପାଖରୁ ତାଲା ଦେଇ ଘରକୁ ଗଲେ । ଏଣେ ରଜା ସିଂହଦ୍ୱାରେ ଯେଉଁ ପାଇକ ଭିତର ପଟେ ରାତିରେ ପହରାଦିଏ, ତାକୁ ଡାକି ହୁକୁମ୍ ଦେଲେ ‘‘ଦେଖ୍ କାଲି ବଡ଼ି ସକାଳୁ ଯେ ଆଗ ଦିହୁଡ଼ି ଭିତରକୁ ପଶିବ ତାଙ୍କୁ କିଛି ନ ବିଚାରି ସାଙ୍ଗେ ସାଙ୍ଗେ ଦିଗଡ଼ କରି ହାଣିଦେବ ।’’ ରଜାତ ଜାଣନ୍ତି ମନ୍ତ୍ରୀ ବଡ଼ି ଭୋରରୁ କବାଟ ଫିଟାଇ ଆଗ ହୋଇ ଭିତରକୁ ପଶିବେ । ଏ କଥା ରଜା ଓ ସେ ପାଇକ ଛଡ଼ା ଅନ୍ୟ କେହି ଜାଣନ୍ତି ନାହିଁ । ମନ୍ତ୍ରୀ ବା କାହିଁକି ଜାଣିବେ ?

 

ତହିଁ ଆରଦିନ ରାତି ଅନ୍ଧାରୁଆରୁ ମନ୍ତ୍ରୀ ଉଠି ସାମାନ୍ୟ ବିଳମ୍ୱ ହୋଇଗଲା ବୋଲି ସିଂହାଦ୍ୱାର ଫିଟାଇବା ପାଇଁ ଲସର ପସର ହୋଇ ଧାଇଁଛନ୍ତି । ଶୀତ ଦିନଟା । ବାଟ ବରଗଛ ମୂଳରେ ଜଣେ ବାବାଜୀ ଧୂନି ଲଗାଇ ବସିକରି ଗଞ୍ଜେଇ ମଳୁଛି । ମନ୍ତ୍ରୀଙ୍କୁ ତ ସେ ଚିହ୍ନେ ନାହିଁ କହିଲା, ‘‘ଆରେ ବାବା କିଏ ଯାଉଛ, ଭାରି ଶୀତ ହେଉଛି । ଦମ୍‍ଟାଏ ଚଢ଼େଇ କରି ଯାଅ ।’’ ଏ କଥା ଶୁଣି ମନ୍ତ୍ରୀଙ୍କ ମନରେ ଭାରି ରାଗ ହେଲା । ଭାବିଲେ ସେ ବାବାଜୀ ତାଙ୍କୁ କଅଣ କରି ପାଇଛି କି ? ତାକୁ ଟିକିଏ ନିଜ ରୂପ ଦେଖାଇଦେବେ । ସେତିକିବେଳକୁ ତାଙ୍କର ସେ ପୂର୍ବ ବାବାଜୀ କଥା ‘‘ଯାଚିଲା ମାଲ ଛାଡ଼ିବ ନାହିଁ’’ ମନେ ପଡ଼ିବାରୁ ସେ ଯାଇଁ ବାବାଜୀ ପାଖରେ ବସିଲେ । ସେ ତ କେବେ ଗଞ୍ଜେଇ ଖାଆନ୍ତି ନାହିଁ । ତେବେ କଥା ରକ୍ଷାକୁ ଚିଲମ ତୁଣ୍ଡରେ ଛୁଇଁ ଦେଇ ଚାଲିଯିବେ । ମନ୍ତ୍ରୀ ବସିବାରୁ ବାବାଜୀ ଟିପଟାଣ କରି ଗଞ୍ଜେଇ ମଳିଲା । ଯେଉଁ ଗହଣ ଚାକରଟା ଗଲାଦିନ ରାଣୀଙ୍କ ପାଖରେ ଶୋଇଥିଲା, ମନ୍ତ୍ରୀ ତାକୁ ଦେଖିଛନ୍ତି ବୋଲି ଶୁଣି ସେ ଆଉ ଉଆସରେ ରାତିରେ ନ ରହି ପଦାରେ ରହିଲା । ବଡ଼ି ଭୋରରୁ ସେ ତରତର ହୋଇ ଉଆସକୁ ଦୌଡ଼ିଲା । ମନ୍ତ୍ରୀ ଦେଖିଲେ ବାବାଜୀ ପାଖରେ ବସୁ ବସୁ ଟିକିଏ ଡେରି ହୋଇଯିବ । ସେ ଚାକରକୁ ଡାକି କୁଞ୍ଚିଟା ତା ହାତକୁ ବଢ଼ାଇ ଦେଇ କହିଲେ, ‘‘ଯା ସିଂହ ଦରଜାଟା ଖୋଲିଦେବୁ, ମୁଁ ଯାଉଁ ଯାଉଁ ଟିକିଏ ମଠ ହେବ ।’’ ଚାକର ଚାଲି ଗଲା । ପଦା ପାଖ ତାଲା ଫିଟାଇ ଯେପରି ଭିତରକୁ ପଶିଛି, ପାଇକ ତ ଛକି କରିଥିଲା, ଚଳାଇଲା ଖଣ୍ଡା । ଚାକରର ଗଣ୍ଡିଠାଏ, ମୁଣ୍ଡଠାଏ । ରକ୍ତର ଧାର ଛୁଟିଲା । ମନ୍ତ୍ରୀ ବାବାଜିଙ୍କର କଥା ରକ୍ଷା ଲାଗି ଚିଲମଟା ଖାଲି ପାଟିରେ ଲଗାଇ ଦେଇ ଉଠି ଆସିଲେ, ସିଂହଦ୍ୱାରରେ ପହଞ୍ଚି ଦେଖନ୍ତି ତ ଏ ହାଲ । ପାଇକକୁ ପଚାରିବାରୁ ସେ ପୂର୍ବ ରାତିରେ ରଜାଙ୍କର ଆଜ୍ଞା କଥା କହିଲା । ମନ୍ତ୍ରୀଙ୍କୁ କଥାଟା ଢଳ ଢଳ ହୋଇ ଦେଖାଗଲା । ରାଣୀ ଯେ ରଜାଙ୍କୁ ତାଙ୍କ ନାଁରେ କହିଛନ୍ତି ଓ ରଜା ରାଣୀଙ୍କର କଥାରେ ବିଶ୍ୱାସ କରି, ମନ୍ତ୍ରୀଙ୍କୁ ମାରିବାକୁ ଏପରି ଆଜ୍ଞା କରିଛନ୍ତି ଏଥିରେ ତାଙ୍କର ଆଉ କିଛି ସନ୍ଦେହ ରହିଲା ନାହିଁ ।

 

ତେଣେ ରଜା ମନ୍ତ୍ରୀ ହାଣ ନ ଖାଇ ଚାକରଟା ହାଣ ଖାଇବାର ଶୁଣି ଟିକିଏ ଦବି ଗଲେ-। କାରଣ ମନ୍ତ୍ରୀ କଥାଟା ବୁଝି ନେବେଣି । ମନ୍ତ୍ରୀ ଇଚ୍ଛା କଲେ ରାଜ୍ୟ ମେଳିକରି ଦେଇ ପାରନ୍ତି-। ଏହି ସମୟରେ ମନ୍ତ୍ରୀ ଆସି ଜଣାଇଲେ ‘‘ମଣିମା ! ମୁଁ ବିଦାୟ ହେଉଛି, ଆଉ ଏ ସ୍ଥାନରେ ଦଣ୍ଡେ ମାତ୍ର ରହିବି ନାହିଁ ।’’ ରାଜା ବିଚାରିଲେ, ‘‘ଆରେ ଏଠାରୁ ଚାଲି ଯାଇ ରାଜ୍ୟ ମେଳି କରିବ, ଏହାକୁ ଛାଡ଼ି ଦେବା ଉଚିତ ନୁହେଁ । କହିଲେ ‘‘ତୁମ ଦୋଷର ଉଚିତ ଦଣ୍ଡ ନ ଦେଇ ତୁମକୁ ଛାଡ଼ିବ କିଏ-? ମନ୍ତ୍ରୀ କହିଲେ ‘‘ପ୍ରଥମରେ ମୋ କଥାଟା ଶୁଣି ସାରନ୍ତୁ ତାପରେ ଯାହା କରିବାର କରିବେ-। ଯେତେବେଳେ ତୁମେ ଥିଲ ବାରିକ ମୁଁ ଥିଲି ସାଆନ୍ତ, ସେ ବାବାଜୀ ଛଅଟି ଟଙ୍କା ନେଇ ଛଅଟି କଥା କହିଥିଲା, ମନେ ଥିବ । ଏକରେ, ଡଙ୍ଗାରେ ଆଗ ଚଢ଼ି ପଛେ ଓହ୍ଲାଇବାରୁ ଟଙ୍କା ପାଇଲେଇଁ, ତୁମେ ସଉଦା କିଣିବାକୁ ଯାଇ ରଜା ହେଲ । ଦୁଇରେ, ଛୋଟ ଲୋକକୁ ସଲାମ କରିବା କଥା-। ତୁମେ ରଜା ହେବାରୁ ମୁଁ ପଛ କଥାକୁ ପାଶୋରି ପକାଇ ତୁମକୁ ସଲାମ କରି ମନ୍ତ୍ରୀ ହେଲି-। ତିନିରେ, ବେଇଜ୍ଜତକୁ ଇଜ୍ଜତ୍ ଦେବା କଥା । କାଲି ସକାଳୁ ରାଣୀ ଗୋଟାଏ ଚାକର ସାଙ୍ଗରେ ଶୋଇଥିଲେ । ମୁଁ ବାବାଜୀ କଥା ସୁମରଣ କରି କଥାଟାକୁ ପ୍ରଘଟ ନ କରି, ତାଙ୍କ ଉପରକୁ ମୋ ପଗଡ଼ିଟା ପକାଇ ଦେଲି । କାଳେ ମୁଁ କଥାଟା ତୁମ ଆଗରେ କହି ଦେବି ଏହା ଭାବି ରାଣୀ ଆଗ କରି ମୋ ନାଁରେ ଲଗେଇ କରି ତୁମକୁ କହିଲେ । ପିଲାଟି ଦିନରୁ ତ ତୁମେ ମତେ ଆମ ଜନ୍ମ ଥାନରେ ଦେଖିଛ । କେଉଁ ଦିନ ମୋର ଚରିତ୍ର ମନ୍ଦ କଥା ଶୁଣିଛ କି ? ତୁମେ ତାଙ୍କ କଥାରେ ବିଶ୍ୱାସ କଲ । ଚାରିରେ, ବାବାଜୀ କହିଥିଲା ଦୋଷୀର ଜବାବ ଶୁଣି ଦଣ୍ଡ ଦେବ । ତୁମେ ରାଣୀଙ୍କଠାରୁ ଶୁଣି ମତେ ପଚାରିଲ କି ? ମତେ ହାଣିବାକୁ ହୁକୁମ୍ ଦେଲ । ପାଞ୍ଚରେ ଯାଚିଲା ମାଲ ଛାଡ଼ିବ ନାହିଁ ବୋଲି କହିଥିଲା । ବାଟରେ ବାବାଜୀଟାଏ ମତେ ଗଞ୍ଜେଇ ଖାଇବାକୁ ଯାଚିଲା-। ମୋ ମନରେ ରାଗ ହେଲା କିନ୍ତୁ ସେ ବାବାଜୀ କଥା ମନେ ପଡ଼ିବାରୁ ମୁଁ ଟିକିଏ ସେ ବାବାଜୀ ପାଖରେ ବସିଗଲି । ସେହି ଚାକରଟା ଯେ ରାଣୀଙ୍କ ପାଖରେ ଶୋଇଥିଲା, ଯୋଗକୁ ସେହି ଦୋଷୀଟା ସକାଳୁ ସେହି ବାଟେ ଆସୁଥିଲା । ଦୁଆର ଫିଟାଇବାରେ ଡେରି ହେଲାଣି ଦେଖି ମୁଁ ତା ହାତରେ ଚାବି ଦେଲି । ସେ ହାଣ ଖାଇଲା, ମୁଁ ନିର୍ଦୋଷ, ରକ୍ଷା ପାଇଗଲି ।’’ ରଜା ସବୁ କଥା ଶୁଣି ବଡ଼ ଦୁଃଖିତ ହୋଇ କହିଲେ, ‘‘ବର୍ତ୍ତମାନ ମୁଁ ସବୁ ବୁଝି ପାରିଲିଣି । ସେ ଅଲକ୍ଷଣୀ ରାଣୀକୁ ସାଙ୍ଗେ ସାଙ୍ଗେ ଶୂଳୀରେ ଚଢ଼ାଇବି, ତୁମେ ଆଉ ମତେ ଛାଡ଼ି ଯାଆନା ।’’ ବେବର୍ତ୍ତା କହିଲେ ‘‘ଶେଷରେ ସେ ବାବାଜୀ କହିଥିଲା, ଅପମାନ ସ୍ଥାନରେ ସୁବର୍ଣ୍ଣ ବୃଷ୍ଟି ହେଲେ ସୁଦ୍ଧା ଆଉ ଦଣ୍ଡେ ରହିବ ନାହିଁ-। ତୁମେ ରାଣୀକୁ ରଖ ବା ମାର ମୁଁ ଆଉ ଏ ସ୍ଥାନରେ ରହିବି ନାହିଁ । ଯେଉଁ ବାବାଜୀକୁ ସେହି ବାବାଜୀ ହୋଇ ତୀର୍ଥ କରିବି । ଗୋଟାଏ ପେଟ ପାଇଁ ଏତେ ବଲେଇରେ ପଡ଼ିବି କାହିଁକି-?’’ ସେ ବିଦା ହୋଇ ଚାଲିଗଲେ ।

Image

 

Unknown

ଉଦଯୋଗ ଓ କର୍ମ୍ମ

 

ଦିନେ ଉଦଯୋଗ ଓ କର୍ମ୍ମ ଦୁହେଁ କଳି ଲଗାଇଳେ । ଉଦଯୋଗ କହିଲା ସେ ବଡ଼, କର୍ମ୍ମ କହିଲା ସେ ବଡ଼ । ଶେଷରେ ପରଖା ପରଖି ହେବେ ବୋଲି ଠିକ୍ କଲେ । ଆଗ କରି ଉଦଯୋଗ ତା କରାମତି ଦେଖାଇବ ବୋଲି ଠିକ୍ ହେଲା । ସେହିବାଟେ ଜଣେ ବ୍ରାହ୍ମଣ ଭିକ ମାଗିବାକୁ ଯାଉଥିଲା । ଉଦଯୋଗ ଗୋଟିଏ ବୁଢ଼ା ବ୍ରାହ୍ମଣ ରୂପ ଧରି ତା ଆଗରେ ଠିଆ ହୋଇ କହିଲେ ‘‘କିରେ ବାବୁ ! ଭିଖ ମାଗୁଛ କାହିଁକି ? ତୁମର କଅଣ ଜମି ବାଡ଼ି ନାହିଁକି ?’’ ବ୍ରାହ୍ମଣ କହିଲା ‘‘ଭୂଇଁ ଦି ଚାରି ମାଣ ଅଛି ଯେ ନଈ କୂଳିଆ ଧୋଇଆ ବୃତ୍ତି । ଆଠ ଦଶ ବର୍ଷରେ କା ଭାଁ ଥରେ ଥରେ କିଛି କିଛି ମିଳିଯାଏ ।’’ ବୁଢ଼ା ପଚାରିଲା ‘‘ଏବର୍ଷ କଅଣ ଚାଷ କରିନାହିଁ ?’’ ବ୍ରାହ୍ମଣ କହିଲା ‘‘ହଳଟିଏ ମଗାଯଚା କରି ଠିଆ ଲଙ୍ଗୁଳିଆ ଗାରେ ଗାରେ ଧରି ଦେଇ ମୁଠାଏ ଧାନ ପକାଇ ଦେଇଥିଲି । ଘାସବାଡ଼ି ହୋଇ ଯୋଇଛି । ଯାହା କର୍ମ୍ମକୁ ହେବ ।’’ ବୁଢ଼ା କହିଲା ‘‘ଦେଖ ଚେଷ୍ଟା ନ କଲେ ହେବ କୁଆଡ଼ୁ ? ଆଚ୍ଛା ଗୋଟାଏ କଥା କର, ଓଳିଏ ଭିକ ମାଗ, ଓଳିଏ ବିଲ ସାଙ୍ଗରେ ଲାଗି ଦେଖ, ମୁଁ ବୃଦ୍ଧ ବ୍ରାହ୍ମଣ ମୋ କଥା କର, ନିଶ୍ଚେ ଫଳ ପାଇବ ।’’ ବ୍ରାହ୍ମଣ କହିଲା ‘‘ତିନିବର୍ଷ ହେଲା ଲାଗେ ଲାଗେ ଧୋଇ ଯାଉଛି । ଆଉ ଗୁଡ଼ାଏ ମିହନ୍ତ କରି ବଛାବଛି କରିବାକୁ ଇଚ୍ଛା ନ ଥିଲା । ତୁମେ ବୃଦ୍ଧ ଲୋକ କହିଲଣି ଯେତେବେଳେ, ଏ ବର୍ଷଟା ତୁମ କଥା କରିବା ।’’ ତହିଁଆର ଦିନଠାରୁ ବ୍ରାହ୍ମଣ ଓଳିଏ ଭିକ ମାଗି, ଓଳିଏ ଜମି ସାଙ୍ଗରେ ଲାଗିଲା । ଧାନ ଗଛ ବି ବୁଦା ବାନ୍ଧି ପିଲେଇ ଗଲା । ପୁଣି ଦିନେ ଉଦଯୋଗ ବ୍ରାହ୍ମଣକୁ ଭେଟିଲେ । ପଚାରିଲେ ‘‘ଗୋସେଇଁ ଜମି ଖବର କଅଣ ?’’ ବ୍ରାହ୍ମଣ କହିଲା, ‘‘ଧାନ ଭଲ ହୋଇଛି ।’ ଉଦଯୋଗ କହିଲେ, ‘‘ଦେଖ ଗୋସେଇଁ ଧାନ ଭଲ ହୋଇଛି ବୋଲି ଲାହିରେ ତେଲ ପକାଇ ବସି ରହିଲେ ହେବ ନାହିଁ । ଦିଓଳି ବିଲଆଡ଼େ ଟିକିଏ ମୁହଁ ମାରି ଆସୁଥିବ । କେଉଁଠାରେ ମୁହାଁଣ ମେଲା ହୋଇ ଯାଇଥିବ, କିମ୍ୱା କଙ୍କଡ଼ା ଘଳିଆ କରି ଦେଇଥିବେ, ପାଣି ଚାଲି ଯାଇ ଜମି ଶୁଖିଯିବ । ତୁମେ ଯାଇ ମୁହାଁଣ ଓ କଙ୍କଡ଼ା ଘଳିଆ ମାରି ଦେଇ ଆସୁଥିବ । କଥାରେ କହନ୍ତି ‘‘ଦୁଧର ବାଛୁରୀ, ପାଣିରେ ଧାନ । ଆହୁରି ଚଷା ଭାଇ ମାନରେ, ଯହିଁ ପାଣି ତହିଁ ଧାନରେ ।’’ ଉଦଯୋଗ ନ କରି ଖାଲି ବସି ରହିଲେ ତ ଚଳିବ ନାହିଁ ।’’ ବ୍ରାହ୍ମଣ ସେହିପରି କଲା । ଧାନ ଗଛ ବଢ଼ିଲା, ଥୋଡ଼ ହେଲା, ହାତେ ହାତେ ଲମ୍ୱର ପେଣ୍ଡା ଛାଡ଼ି ଦେଲା । ଧାନ ଫୁଲ ଉଡ଼େଇଲା । କିଆରିକୁ ଚାହିଁଲା ବେଳକୁ ବ୍ରାହ୍ମଣର ପେଟ ପୂରି ଯାଉଥାଏ । ଏହି ସମୟରେ ଅଶିଣ ମାସରେ ବଢ଼ି ଆସିଲା । ସମୂଳ ଧୋଇ ଗଲା । ‘‘ଶ୍ରାବଣ ଧୋଇ ଅଧାଅଧି ପାଇ, ଭୋଦୂଅ ଧୋଇ ମୂଳେ ମୂଳେ ପାଇ । ଅଶିଣ ଧୋଇ ଦା ଖୋଷି ଦେଇ ।’’ ବ୍ରାହ୍ମଣ ବିଚାରା ଦୁଇ ତିନି ଦିନ ବଡ଼ ମନସ୍ତାପରେ କଟାଇଲା । ଶେଷକୁ ଭାବିଲା ‘‘ଆଉ ଚିନ୍ତା କଲେ କଅଣ ହେବ ? ଯେଉଁ ଭିକାରୀକୁ ସେହି ଭିକାରୀ ।’’ ପୁଣି ଭିକ ମାଗି ବାହାରିଲା ।

କିଛିଦିନ ଗଲା । ଧାନ ଧୋଇ ଯିବାରୁ ଲୋକେ ରବିଫସଲ ଡେରିବେ ବୋଲି ହଳ ବିହନ ଘେନି ବିଲକୁ ବାହାରିଲେ । ବ୍ରାହ୍ମଣ ଆଉ ଚାଷରେ ମନ ଦେଲା ନାହିଁ । ପୁଣି ଦିନେ ଉଦଯୋଗ ବୁଢ଼ା ବ୍ରାହ୍ମଣ ବେଶ ଧରି ତାକୁ ଭେଟିଲେ । ବ୍ରାହ୍ମଣ ତାଙ୍କୁ ଦେଖି ଆଗ କରି କହିଲା, ‘‘ମଉସା ଏତେ କଷ୍ଟ କଲି, ସବୁ ପାଣିରେ ପଡ଼ିଲା ।’’ ଉଦଯୋଗ କହିଲେ ‘‘ଆରେ ବାପ, କଥାରେ ଅଛି, ଝେଟୁଆ ଚଷା ଘର କରେ । କ୍ଷେତ ଥରେ ଗଲେ, ଝେଟୁଆ ହୋଇ ତା ସାଙ୍ଗରେ ଲାଗିଥିବ । ‘‘ମରୁଡ଼ିଆ ମାଣେ, ଧୋଇଆ କଣେ’’, ଧୋଇଆରେ ପାଗ ଯୋଗରେ ଯେବେ ଥରେ ଫସଲ ହାତ ଚଢ଼େ, ତେବେ ଦଶ ବର୍ଷର ମୂଳ କଳନ୍ତର ଅସୁଲ । ରବି ଫସଲ ଡେରିବାର ଉଦଯୋଗ କର, ହେଳା କର ନା । ବ୍ରାହ୍ମଣ କହିଲା ‘‘ମଉସା, ତୁମ କଥା ମାନି କରନ୍ତି । ପାଖରେ ତ ବିହନ ନାହିଁ ।’’ ଉଦଯୋଗ କହିଲା, ‘‘ଆଚ୍ଛା ଗୋଟିଏ କଥା କର । ତୁମେ ଗହୀରକୁ ଯାଅ, ଯେଉଁମାନେ ବିରି ବୁଣୁଛନ୍ତି, ସମସ୍ତଙ୍କୁ ମୁଠିଏ ମୁଠିଏ ବିହନ ମାଗିବ । ଦି ଗଉଣୀ ଚାରି ଗଉଣୀ ଦେବାକୁ ସିନା କେହି ମଙ୍ଗିବେ ନାହିଁ, ମାତ୍ର ମୁଠିଏ ମୁଠିଏ ସମସ୍ତେ ଖୁସିରେ ଦେବେ । ତୁମ ଜମିତକ ବୁଣା ହୋଇଯିବ ।’’ ବ୍ରାହ୍ମଣ ତାଙ୍କ କଥା ମାନି ସେହିପରି କଲା । ସମସ୍ତେ ମୁଠିଏ ମୁଠିଏ ଦେଲେ । ମାଗି ଯାଚି କରିବା କଥା, ସମସ୍ତଙ୍କର ବୁଣା ବୁଣି ଶେଷ ହେବା ପରେ ବ୍ରାହ୍ମଣକୁ ହଳ ଦେଲେ । ସେ ସମସ୍ତଙ୍କର ପଛରେ ବୁଣିଲା । ସେ ବର୍ଷ ପଛ ବୁଣା ଭଲ ପାଗ ଯୋଗ ପାଇଲା ନାହିଁ । କଥାରେ ଅଛି ‘‘ଚାଷ ତର ତର ବଣିଜ ମଠ’’ । ଆଗ ବାଘ । ପଛ ବୁଣା ବିଲକୁ ଦା ଗଲା ନାହଁ । ବ୍ରାହ୍ମଣ ଚାଷରେ ଆଉ ମନ ବଳେଇଲା ନାହିଁ । ପୁଣି ଭିକ ମାଗିଲା । ପୁଣି ଦିନେ ଉଦଯୋଗ ଓ କର୍ମ୍ମଙ୍କର ଭେଟ ହେଲା । କର୍ମ୍ମ ପଚାରିଲା ‘‘କିହୋ ଉଦଯୋଗ ! ତୁମ ପାରିବାର ପଣିଆ ଦେଖାଗଲା । ଖାଲି ହାତରେ ହାଟ କରିବ ବୋଲି ବସିଥିଲ-। ଆଚ୍ଛା ମୋ ପରାକ୍ରମ ଦେଖ ।’’ ଏହି ସମୟରେ ସେ ବ୍ରାହ୍ମଣ ଭିକ ମାଗିବାକୁ ଯାଉଥିଲା-। କର୍ମ ସେହି ବାଟରେ ଗୋଟିଏ ସୁନା ମୁଦି ପକାଇ ଦେଇ ଚାଲି ଆସିଲା । ବ୍ରାହ୍ମଣ ଆସୁ ଆସୁ ମୁଦିଟି ପାଇ ବଡ଼ ଖୁସି ହୋଇ ବିଚାରିଲା, ‘‘ଭଲ ପଥର ବସା ମୁଦିଟିଏ ହୋଇଛି । ମୋ କର୍ମ୍ମ ଭାରି ତେଜ୍-। ଯାଉଛି ରଜାଙ୍କୁ ଏ ମୁଦିଟି ବିକିବି, ଭଲ ପଇସା ମିଳିବ । ଦେହଟା ମାଖେରା ଦିଶୁଛି-। ଏପରି ଅବସ୍ଥାରେ ମତେ ରଜା ଦେଖିଲେ କହିବେ କେଉଁଠାରୁ ମୁଦିଟା ଚୋରାଇ କରି ଆଣିଛି-। ଗାଧୁଆ ପାଧୁଆ କରି ଛାପ ଚିକ୍କଣ ହୋଇ ଯିବି ।’’ ଅଣ୍ଟାରେ ପଇସାଟିଏ ଥିଲା, ପଇସାଟିକର ତେଲ କିଣି ମାଖି ହୋଇ ଦେହ ମୁଣ୍ଡରେ ଲଗାଇ ଗାଧୋଇଲା । ସେ ତ ଜନ୍ମକେ ମୁଦି ପିନ୍ଧି ନ ଥିଲା, କାଣୀ ଆଙ୍ଗୁଠିରେ ମୁଦିଟି ଗଳାଇ ଦେଇ ଲଣ୍ଡଭଣ୍ଡ ହୋଇ ଘଷି ମାଜି ହେଲା । ତେଲ ଚିକିଟା ତହିଁରେ ପୁଣି ପାଣି ଲାଗି ମୁଦିଟି ପାଣିରେ ଖସି ପଡ଼ିଲା । ବ୍ରାହ୍ମଣ ଉପରକୁ ଆସି ପୋଛାପୋଛି ହେଲାବେଳେ ଦେଖିଲା ଆଙ୍ଗୁଠିରେ ମୁଦି ନାହିଁ । ପାଣିରେ ପଶି ବହୁତ ଦରଣ୍ଡା ଦରଣ୍ଡି କଲା, ମୁଦି ପାଇଲା ନାହିଁ, ଭାବିଲା ତା କର୍ମ୍ମ ତ ଫଟା, ଯେଉଁ ଭିଖାରୀକୁ ସେହି ଭିଖାରୀ-। ପୁଣି ଭିକ ମାଗିଲା-। ପୁଣି ଉଦଯୋଗ ଓ କର୍ମ୍ମ ତାକୁ ଦେଖିଲେ । ଉଦଯୋଗ କହିଲା, ‘‘କିହୋ କର୍ମ୍ମ, ତୁମର ଏଡ଼େ ଏଡ଼େ ବଡ଼ କଥା କୁଆଡ଼େ ଗଲା, ବ୍ରାହ୍ମଣ ତ ପୁଣି ଭିକ ମାଗି ବାହାରିଲାଣି ।’’ କର୍ମ୍ମ କହିଲା, ‘‘ଆରେ ଥରେ ନ ହେଲା ଦୁଇ ଥର ଦେଖିବା, ଦୁଇ ଥର ନ ହେଲେ ତିନି ଥର ଦେଖିବା ତିନି ଥରରେ ଧର୍ମଛାଡ଼ ।’’ ଗୋଟିଏ ଚାଙ୍ଗୁଡ଼ିରେ ସୁନା ରୂପା ପୂରେଇ ତା ଉପରେ ସୋରିଷ ଗଣ୍ଡାଏ ଘୋଡ଼ାଇ ବ୍ରାହ୍ମଣକୁ ଦେଇ କରି କର୍ମ୍ମ କହିଲା, ‘‘ନିଅ ନନା, ଏହା ଭିତରେ ମାଲ୍‍ ଅଛି’’ ବ୍ରାହ୍ମଣ ଚାଙ୍ଗୁଡ଼ିଟି ଧରି ଘରକୁ ଫେରିଲା । ଭାବିଲା ‘‘ସେ ବୁଢ଼ା କହିଲା ଏହା ଭିତରେ ମାଲ୍‍ ଅଛି, ସୋରିଷ ଭିତରେ ମାଲପା ଥାଏ, ମାଲ କଅଣ ଥାଏ ? ତାଙ୍କ ଆଡ଼େ ମାଲପାକୁ ମାଲ୍ ବୋଲି କହୁଥିବେ-। ଏତେ ଗୁଡ଼ାଏ ସୋରିଷ ନେଇ କଅଣ କରିବି । ଏତକ ବିକି ଦେଲେ ଦୁଇ ତିନି ତଉଲା ଚାଉଳ ମିଳିଯିବ ।’’ ତାପରେ ନବୀ ତେଲୁଣୀ ଦେକାନକୁ ଯାଇ କହିଲା ‘‘ମାଉସୀ ଏ ସୋରିଷତକ ରଖି ଚାଉଳ ଦେ ।’’ ନବୀ କହିଲା ‘‘ନନା, ସେ ଦୋକାନ ଭାଡ଼ି ତଳକୁ ଚାଙ୍ଗୁଡ଼ିଟି ରଖି ଦିଅ, ମୋର ରଖିବାକୁ ଜାଗା ନାହିଁ । ତଉଲାଏ ଚାଉଳ କାନିରେ ନେଇ ଯାଆ, ଦୁଇ ଚାରି ଦିନ ପରେ ଆସି ଚାଙ୍ଗୁଡ଼ିଟି ନେଇଯିବ ।’’ ବ୍ରାହ୍ମଣ ‘‘ହଉ ତେବେ’’ ବୋଲି କାନି ପତାଇବାରୁ ନବୀ ଚାଉଳ ଦେଲା । ବ୍ରାହ୍ମଣ ଘରକୁ ଫେରିଲା-

ତହିଁ ଆରଦିନ ସକାଳୁ ପୁଣି ଭିକ ମାଗି ବାହାରିଲା । ଉଦଯୋଗ ଓ କର୍ମ୍ମ ବସିଥିଲେ । ବ୍ରାହ୍ମଣକୁ ଦେଖି ଉଦଯୋଗ କହିଲା ‘‘କାହିଁ ? ତୁମ ଯୋଗାପଣିଆ ଜଣା ପଡ଼ିଗଲାଣି ।’’ କର୍ମ୍ମ କହିଲା, ଦେଖ ! ଏହି ଥରକ ଶେଷ ଥର, ଏ ଥର ନ ହେଲେ ମୋତେ କହିବ ।’’ ଗୋଟିଏ ଗାମୁଛାରେ ସୁନା ରୂପାର ଯାଉଁଳିଟିଏ ବାନ୍ଧି ବ୍ରାହ୍ମଣକୁ ଦେଇ କହିଲା, ‘‘ଦେଖ ଗୋସେଇଁ ଏକତ ନେଇ ସିଧା ସିଧା ଘରକୁ ଯାଅ ଘରେ ଫିଟାଇବ ।’’ ବ୍ରାହ୍ମଣ ଯାଉଁଳିଟି କାନ୍ଧରେ ପକାଇ ଘରକୁ ଫେରିଲା । ଖୁବ୍ ଓଜନ, କାନ୍ଧ କଟ କଟ ଡାକିଲା । ଘରେ ପହଞ୍ଚିଲା ବେଳକୁ ତା ସ୍ତ୍ରୀ ଘରେ ନ ଥିଲା । ପଡ଼ିଶା ଘରକୁ ଯାଇଥିଲା । ବ୍ରାହ୍ମଣ ଯାଉଁଳିଟି ଏରୁଣ୍ଡି ବନ୍ଧ ପାଖରେ ରଖି ଦେଇ ପଡ଼ିଶା ଘରୁ ସ୍ତ୍ରୀକୁ ଡାକିବାକୁ ଗଲା । ସେ ଖଞ୍ଜାରେ ତାର ଭିନେହେଲା କକେଇ ଖୁଡ଼ୀ ମଧ୍ୟ ଥାଆନ୍ତି । ସେ ଚାଲି ଯିବାରୁ ତା ଖୁଡ଼ୀ ଆସି ସେ ଯାଉଁଳିଟି ଘେନି ଯାଇ ଘଷି ପନ୍ଦାଡ଼ରେ ଲୁଚାଇ ଦେଲା । କାଳେ ବ୍ରାହ୍ମଣ ଆସି ତାଙ୍କ ଘର ଭିତର ଦେଖିବ ବୋଲି ଘରେ ରଖିଲା ନାହିଁ । ବ୍ରାହ୍ମଣ ସ୍ତ୍ରୀକୁ ସାଙ୍ଗରେ ଆଣି ଫେରି ଆସି ଦେଖେତ ଯାଉଁଳି ନାହିଁ । କକେଇ ଖୁଡ଼ୀକୁ ପଚାରିବାରୁ ସେ ଦେଖିନାହାନ୍ତି ବୋଲି କହିବାରୁ ସେମାନଙ୍କ ସାଙ୍ଗରେ କଳି କରି ତୁନି ହୋଇ ରହିଲା ।

ତହିଁଆର ଦିନ ସେ ପୁଣି ଭିକ ମାଗି ବାହାରିଲା । ତେଣେ ଉଦଯୋଗ ଓ କର୍ମ୍ମଙ୍କ ମଧ୍ୟରେ କଳି ଲାଗିଥାଏ । ଏହି ସମୟରେ ନାରଦ ଋଷି ଆସି ସେଠାରେ ପହଞ୍ଚିଲେ । କିଏ ବଡ଼ କିଏ ସାନ ବୋଲି ଦୁହେଁଯାକ ତାଙ୍କୁ ପଚାରିବାରୁ ନାରଦ କହିଲେ ‘‘ଦେଖ, ତୁମେ ଦୁହିଁକି ଦୁହେଁ କେହି କାହାରିଠାରୁ ଊଣା ବା ଅଧିକ ନୁହଁ । କର୍ମ୍ମ ନ ଥାଇ ଉଦଯୋଗର କିଛି ମୂଲ୍ୟ ନାହିଁ ବିନା ଉଦଯୋଗର କର୍ମ୍ମ ପଙ୍ଗୁଙ୍କ ପରି ପଡ଼ି ରହେ ମାତ୍ର ତୁମେ ଦୁହେଁ ଏକାଠେଇଁ ହେଲେ ଗୋବର ଗଦାରେ ପଦ୍ମ ଫୁଟେ । ଦେଖ ତମେ ଅଲଗା ଅଲଗା ହୋଇ ଏତେ କଥା କଲ କିଛି ହେଲା ନାହିଁ । ହେଇଟି ସେ ବ୍ରାହ୍ମଣ ଆସୁଛି । ମୁଁ ତାକୁ ଚାରୋଟି ମାତ୍ର ପଇସା ଦେବି, ତୁମେ ଦୁହେଁ ତାକୁ ସାହାଯ୍ୟ କର, ଦେଖିବ କଅଣ ହେବ ।’’ ନାରଦ ଗୋଟିଏ ସାଧବ ରୂପ ଧରି ସେ ବ୍ରାହ୍ମଣକୁ ଚାରୋଟି ପଇସା ଦେଇ ଚାଲିଗଲେ ।

ବ୍ରାହ୍ମଣ ଯାଉଁ ଯାଉଁ ଦେଖିଲା, ସେ ଦିନ ସେ କେଉଁ ପୋଖରୀରରେ ସୁନା ମୁଦି ହଜାଇ ଥିଲା, ତହିଁରେ ଜାଲ ପଡ଼ି ମାଛ ଧରା ହୋଇ କୂଳରେ ଜମା ହୋଇଛି । ରଜାଙ୍କ ଗୁମାସ୍ତା ରାଜଭାଗ ଓ ଜାଲ ଭାଗ ବଣ୍ଟରା କରୁଛନ୍ତି । ବ୍ରାହ୍ମଣ ସେଠାରେ ଯାଇଁ ଠିଆ ହେଲା । ଭାବିଲା ବଣ୍ଟରା ସରିଗଲେ କେଉଟମାନଙ୍କ ଠାରୁ ଚାରୋଟି ପଇସାର ଛୋଟ ମାଛ କିଣିବି । ଏହି ସମୟରେ ଗୁମାସ୍ତାଙ୍କର ଆଖି ବ୍ରାହ୍ମଣ ଉପରେ ପଡ଼ିଲା । ଗୁମାସ୍ତାଙ୍କ ଘର ବ୍ରାହ୍ମଣର ଗାଁରେ । ସେ କହିଲେ ‘‘ନନା ମାଛ ନେବ କି ? ଆଚ୍ଛା ଗୋଟିଏ ମଧ୍ୟ ଭଳିଆ ମାଛ ନନାଙ୍କୁ ଦେବଟି ।’’ ଜଣେ କେଉଟ ଗୋଟିଏ ମାଛ ଆଣି ବ୍ରାହ୍ମଣକୁ ଦେଲାରୁ ସେ ବଡ଼ ଆନନ୍ଦରେ ମାଛ ଘେନି ଘରକୁ ଫେରିଲା । ଘରେ ତା ସ୍ତ୍ରୀ ନ ଥିଲା, ସେ ତାକୁ ଡାକିବାକୁ ନ ଯାଇ ପନିକି ଆଣି ମାଛରୁ କାତି ଛଡ଼ାଇଲା । ଏହି ସମୟରେ ତା ସ୍ତ୍ରୀ ପହଞ୍ଚି ମାଛ ଦେଖି ଖୁସି ହୋଇ କହିଲା ‘‘ଭଲ ମାଛଟିଏ କୁଆଡ଼ୁ ଆଣିଛ । ଉଠ ଉଠ ମୁଁ କେଳେଇ ଦେଉଛି । ଘରେ ତେଲ ଅଛି, ବଟଣା ନାହିଁ । ଦୋକାନରୁ କିଛି ସୋରିଷ ଆଣନ୍ତ କି ? ମାଛ ବେଶର କରନ୍ତି ।’’ ତା ପାଖରେ ନାରଦ ଦେଇଥିବା ଚାରୋଟି ପଇସା ଥିଲା । ସୋରିଷ କିଣିବାକୁ ନବୀ ତେଲୁଣୀ ଦୋକାନକୁ ଗଲା । ଶୀତ ଦିନ । ନବୀ ଦୋକାନ ପିଣ୍ଡାରେ ବସି ଖରା ପୋଉଁଥିଲା । ବ୍ରାହ୍ମଣ ଚାରି ପଇସାର ସୋରିଷ ମାଗିବାରୁ ସେ କହିଲା ‘‘ମୁଁ ଟିକିଏ ଖରାରେ ବସି ଯାଇଛି, ତୁମେ ଯେଉଁ ସୋରିଷ ଚାଙ୍ଗୁଡ଼ିଟି ଦେଇଥିଲ, ତାହା ସେ ଭାଡ଼ି ତଳେ ଥୁଆ ହୋଇଛି । ଯାଅ କି ସେଥିରୁ ପୋଷେ ଘେନି ଆସ ।’’ ସେ ଯାଇଁ ଚାଙ୍ଗୁଡ଼ିରେ ହାତ ପୂରାଇଲା ବେଳକୁ ଟାଣ ଟାଣ ହୋଇ ତା ହାତକୁ ଲାଗିଲା । ଖେଳାଇ କରି ଦେଖିଲା ବେଳକୁ ସୁନା ରୂପା ଭରତି ହୋଇଛି । ବିଚାରିଲା ‘‘ଆରେ ଏହା ଭିତରେ ମାଲ ଅଛି ବୋଲି ସେ ଦିନ ଦେଲାବେଳେ ସେ ବୁଢ଼ା କହୁଥିଲା, ଠିକ୍ କଥା । ମୋ ଭାଗ୍ୟ ସଳଖ । ନବୀ ଦେଖି ନାହିଁ ।’’ ତା ଭିତରୁ ଗୋଟିଏ ସୁନା ମୁଦି ବାହାର କରି, ସୁନା ରୂପା ଉପରେ ଭଲ କରି ସୋରିଷ ଘୋଡ଼ାଇ ଦେଇ ଚାଙ୍ଗୁଡ଼ିଟି ଘେନି ପଦାକୁ ଅଇଲା । ନବୀକୁ କହିଲା ‘‘ମାଉସୀ ମୋ ସୋରିଷ ଚାଙ୍ଗୁଡ଼ି ମୁଁ ନେଉଛି ।’’ ନବୀ କହିଲା ‘‘ହଉ ତେବେ ନିଅ-। ମୋ ତଉଲାକ ଚାଉଳର ଦାମ୍ ଦିଅ ।’’ ବ୍ରାହ୍ମଣ କହିଲା ‘‘ମୋ ପାଖରେ ତ ପଇସା ନାହିଁ, ମୋର ଏ ସୁନା ମୁଦିଟି ରଖ, ମୁଁ ପଛେ ପଇସା ଦେଇ ମୋ ମୁଦିଟି ନେଇ ଯିବି ।’’ ସୁନା ମୁଦିଟି ତା ହାତକୁ ଦେଲା । ନବୀ ଦୁଇ ଚାରି ଥର ସେ ମୁଦିକୁ ଏପାଖ ସେପାଖ ଲେଉଟାଇ କରି ଦେଖି ରଖିଲା-। ବ୍ରାହ୍ମଣ ଏକା ଡିଆଁକେ ଘରେ ହାଜର । ବ୍ରାହ୍ମଣୀ ଗୋଟିଏ ପଥର ବସା ସୁନା ମୁଦି ତାକୁ ଦେଖାଇ କରି କହିଲା ‘‘ଦେଖିଲଣି ମାଛ ପେଟରୁ ଏ ମୁଦିଟା ବାହାରିଲା ।’’ ବ୍ରାହ୍ମଣ ମୁଦିଟି ହାତକୁ ନେଇ କହିଲା, ‘‘ଆରେ ଏତ ସେହି ମୁଦି, ପୋଖରୀରେ ମୋ ଆଙ୍ଗୁଠିରୁ ଖସି ପଡ଼ିଥିଲା ।’’ ତା ପରେ ସୋରିଷ ଚାଙ୍ଗୁଡ଼ିଟି ସ୍ତ୍ରୀ ଆଗରେ ଅଜାଡ଼ି ଦେଲା । ଏତେ ସୁନାରୂପା ଦେଖି ବ୍ରାହ୍ମଣୀର ଆଖି ଖୋଷି ହୋଇ ଗଲା । ବ୍ରାହ୍ମଣ ସବୁକଥା ତା ଆଗରେ କହିଲା । ସୁନାରୂପା ନେଇ ପେଡ଼ିରେ ସାଇତି, ମନ ଖୁସିଲେ ଭଲ କରି ତେଲ ପକାଇ ବ୍ରାହ୍ମଣୀ ମାଛ ଭାଜି ବସିଲା । ମାଛ ଭଜା ମହକରେ ଚାରିଆଡ଼ ମହକି ଉଠିଲା । ତା ଖୁଡ଼ୀ ଭାରି ମାଛ ରଙ୍କୁଣୀ । ସେ ମହକରେ ତା ପାଟିରୁ ନାଳ ଗଡ଼ିଲା । ସେ ଭାବିଲା ଆଗ ଦିନ ତ କଳି ଲାଗିଛି, କିପରି ଯାଇଁ ମାଗିବ ? ଏହା ବିଚାରି ଘଷି ପନ୍ଦାଡ଼ରୁ ଯାଉଁଳିଟି ଆଳି ବ୍ରାହ୍ମଣୀ ଆଗରେ ଥୋଇ ଦେଇ କହିଲା, ‘‘ଆଲୋ ବୋହୂ ମୁଁ ତୁମ ଯାଉଁଳୀ ନେଇଛି ବୋଲି ଗାଳି ଦେଉଥିଲୁ । ଦେଖିଲୁଣି ସେ ରାଣ୍ଡର ବିରାଡ଼ିଟା, ଖାଇବା ଜିନିଷ ବୋଲି ୟାକୁ କାମୁଡ଼ି କରି ନେଇ ଘଷି ପନ୍ଦାଡ଼ ଭିତରେ ପୂରାଇ ଥିଲା । ମୁଁ ଘଷି ଆଣିବାକୁ ଗଲାରୁ ଦେଖିଲି । ସାଙ୍ଗେ ସାଙ୍ଗେ ଘେନି କରି ଧପାଲି ଅଇଲି । ନେ ତୋ ଯାଉଁଳୀ ନେ । କଅଣ ଭାଜୁଛୁ କିଲୋ ? ମାଛ ଭଝା ହେଲା ପରି ବାସୁଛି । ତିଅଣ କଲେ ନଖେ ଦେବୁ ।’’ ବ୍ରାହ୍ମଣୀ ହଉ ତେବେ ବୋଲି କହିଲାରୁ ତା ଖୁଡ଼ୀଶାଶୁ ଚାଲିଗଲା । ତା ପରେ ସେ ଯାଉଁଳୀ ଫିଟାଇ ଦେଖେତ ଏତେ ଗୁଡ଼ାଏ ସୁନା ରୂପା । ଆଉ ମାଛ ଭାଜିବ କଅଣ ? ଆର ଘରେ ସ୍ୱାମୀଙ୍କୁ ନେଇ ସବୁ ଦେଖାଇଲା-। ସେହିଦିନ ଠାରୁ ବ୍ରାହ୍ମଣ ଆଉ ଭିକ ମାଗିବାକୁ ଗଲାନାହିଁ । ଗାଁ ଭିତରେ ଜଣେ ବଡ଼ ଲୋକ ହେଲା ।

ଦିନେ ନାରଦ ଉଦଯୋଗ ଆଉ କର୍ମ୍ମଙ୍କୁ ଡାକି କରି କହିଲେ ଦେଖିଲ ! ତୁମେ ଦୁହେଁ କେହି କାହାକୁ ଊଣାନୁହଁ । ଜଣେ ଅନ୍ୟ ଜଣକୁ ଛାଡ଼ି କିଛି କରି ପାରିବ ନାହିଁ । ବ୍ରାହ୍ମଣର ସବୁ ହାଲଚାଲତକ କହିଗଲେ । ସେହିଦିନଠାରୁ ଉଦଯୋଗ ଓ କର୍ମ୍ମ ଦୁହେଁ ସଙ୍ଗାତ ବସିଲେ ।

Image

 

ଭଜି ସାହୁ ତେଲିର ଟଙ୍କା

 

ମଧୁପୁରର ନାଥ ନାହାକ ଭାରି ଗରିବ । ଘରେ ମାଳ ବୋଉ ଏକା । ପାଞ୍ଚବର୍ଷର ଝିଅ ମାଳ ମରିଯାଇଛି । ମୂଲପାତି ଲାଗି କୃତ୍ୟ ଚଳାଉଥିଲା । ଆମ୍ୱବାତ ଧରି ଅଥର୍ବ ହେବାରୁ ଆଉ ମୂଲ ଲାଗି ନ ପାରି ଭିକ୍ଷା ବୃତ୍ତି ଧଇଲା ।

 

ଦିନେ ଘର ପଛ ବାଡ଼ିରେ ତାର ଢିଙ୍କିଶାଳ ପଟେ କାନ୍ଥ ଭାଜି ପଡ଼ିଲା । ନୂଆ କାନ୍ଥ ଦେବ ବୋଲି ମୂଳଦୁଆ ଖୋଳୁଖୋଳୁ ଗୋଟାଏ ବଡ଼ ଢାଳ ବାହାରିଲା । ତା ମୁହଁରେ ଖଣ୍ଡେ ପଥର ଦିଆହୋଇଛି । ପଥର କାଢ଼ି ଦେଖିଲା ବେଳକୁ ଢାଳଟି ଟଙ୍କାରେ ଭରତି ହୋଇଛି । ଦିନଟା ପଡ଼ିଶାଘର ବାଡ଼ିରେ, ଲୋକ ଚଳପ୍ରଚଳ ହେଉଛନ୍ତି, କିଏ କାଳେ ଦେଖିବ ବୋଲି ନାଥ ତରତର ହୋଇ ପୁଣି ତାକୁ ମାଟିରେ ପୋତି ଦେଇ ଘରକୁ ଆସି ମାଳ ବୋଉକୁ ସବୁ କଥା କହିଲା । ମାଳବୋଉ କହିଲା, ‘‘ତୁନିହୁଅ, ଦିନଟା ଚାରିଆଡ଼େ ଲୋକ କାରବାର ହେଉଛନ୍ତି ଏକଥା କେହି ଜାଣିଲେ ଆଉ ରକ୍ଷା ନାହିଁ । ଗରିବ ମାଇପ ସବୁରି ଶାଳୀ । ଛଡ଼େଇ କରି ସବୁକତ ଘେନିଯିବେ । ଯାଅ କି ଭଲ କରି ପୋତିଦିଅ । ସୁବିଧା ଦେଖି ନିଶା ରାତିରେ ଖୋଳିକରି ଘରେ ଆଣି ରଖିବା ।’’ ନାଥ ଯାଇ ଭଲ କରି ପୋତାପୋତି କରି ଦେଇ ଆସିଲା ।

 

ସକାଳୁ ଉଠି ନାଥ ଭିକ ମାଗିବାକୁ ଚାଲିଯାଏ, ଯାହା ପାଏ ସେଥିରେ ଦିନକ ଚଳିଯାଏ-। ମାଳ ବୋଉ ଟଙ୍କା କାଢ଼ିବା କଥା କହିବାରୁ କହେ ‘‘ଆଚ୍ଛା କାଲି କାଢ଼ିବା ।’’ ଏହିପରି କାଲି କାଲି ହୋଇ ଦିମାସ ଗଲା । ଦିନେ ଗୋଟାଏ ଓଷା ପଡ଼ିଲା । ମାଳ ବୋଉ ଓଷା କଲା । ରାତିକୁ ପିଠାପଣା କରି ପାରଣା କରିବା କଥା । ସନ୍ଧ୍ୟା ହେଲାରୁ ମାଳ ବୋଉ ଟଙ୍କା କାଢ଼ି ଦୋକାନରୁ ଗୁଡ଼, ନଡ଼ିଆ, ଘିଅ କିଣି ଆଣିବାକୁ ନାଥ ସାଙ୍ଗରେ ଧୁମ୍ ଲଗାଇଲା । ଟିକିଏ ଅନ୍ଧାରୁଆ ହୋଇଯିବାରୁ ନାଥ କୋଡ଼ି ଧରି ବାଡ଼ି ଭିତରକୁ ଗଲା । ଏଣେ ପିଠା କରିବ ବୋଲି ମାଳ ବୋଉ ବିରି ବାଟିବାକୁ ଗଲା । ନାଥ ଚାରିଆଡ଼ ଉଣ୍ଡିଲା । କେହି କୁଆଡ଼େ ନାହାନ୍ତି । କୋଡ଼ି ଧରି ମାଟି ଖୋଳିଲା । ଢାଳକୁ ଉଠାଇଲା ବେଳକୁ କିଏ ଗୋଟାଏ କହିଲା, ‘‘ଏ ଟଙ୍କା ଭଜି ସାହୁ ତେଲିର ତ କୁଆଡ଼େ ନେଉଛୁ ?’’ ଏ କଥା ଶୁଣି ନାଥ ଚାରିଆଡ଼କୁ ଭୟରେ ଅନାଇଲା । କେହି କୁଆଡ଼େ ନାହିଁ-। ଅତର୍ଚ୍ଛରେ କୋଡ଼ି ଫୋପାଡ଼ି ଦେଇ ଥରି ଥରି ଘରକୁ ପଳାଇ ଆସିଲା । ମାଳବୋଉ ବିରି ବାଟୁ ବାଟୁ କହିଲା ‘‘ଟଙ୍କା କାହିଁ ?’’ ନାଥ ତୁଣ୍ଡରୁ କଥା ବାହାରିଲା ନାହିଁ । ମାଳ ବୋଉ କହିଲା, ‘‘ମଲା ମୋର, ଖୁଣ୍ଟଟା ପରି ଠିଆ ହୋଇଛ, କାନକୁ କଅଣ ଶୁଭୁନାହିଁ ? ମୁଁ ପରା ପଚାରୁଛି ଟଙ୍କା କାହିଁ-? କିଏ ଆଉ ଖୋଳି କରି ନେଇଗଲା କି ?’’ ନାଥ ସବୁ କଥା କହିଲା । ଓପାସରେ ତ ମାଳ ବୋଉର ପେଟ ଜଳୁଥାଏ, କହିଲା, ‘‘ତୁମକୁ ତ ଭିଖ ମାଗିବାକୁ ସୁଖ ଲାଗୁଛି, ବାବୁ ହୋଇ ବସି କରି ଖାଇବ କିପରି ? ତୁମ ମନରେ ଅଛି, ମତେ ଛାଡ଼ପତ୍ର ଦେଇ ଆଉ ଗୋଟାଏ ବିଭା ହୋଇ, ମଉଜ କରିବ-।’’

 

ୟାର ପଦକୁ ତାର ପଦେ; କଳି ଲଗାଇଲେ । ଶେଷରେ ନାଥ ମାଳ ବୋଉକୁ ନିର୍ଦ୍ଧୂମ ଟାଙ୍କେ ଛେଚିଲା । ଓପାସରେ ଦୁହେଁଯାକ ଶୋଇଲେ । କେହି କାହାକୁ ପାଟି ଫିଟାଇଲେ ନାହିଁ । ସକାଳ ହେଲା, ନାଥ ବିଚାର କଲା, ‘‘ମାଇପିଟା କାଲି ଦିନଟାଯାକ ଖାଡ଼ାପହରା ଓପାସ ରହିଲା ।’’ ବହୁତ ନେହୁରା ହୋଇ କହିବାରୁ ମାଳ ବୋଉ ଉଠି କରି ରୋଷେଇବାସ କଲା । ଦୁହେଁଯାକ ଖାଇ ପିଇ ଥଣ୍ଡା ହେଲାରୁ ନାଥ କହିଲା ‘‘ବୁଝିଲ ନା ମାଳ ବୋଉ ! ତୁମେ ସିନା ମୋ କଥାରେ ପରତେ ଗଲ ନାହିଁ, ମୁଁ ସାକ୍ଷାତ୍ ଶୁଣିଲି । ଆଜି ସନ୍ଧ୍ୟାକୁ ସାଙ୍ଗ ହୋଇ ଯାଇ ଖୋଳିବା ।’’ ସନ୍ଧ୍ୟା ଗଡ଼ିଯିବାରୁ ନାଥ କୋଡ଼ି ଘେନି ବାହାରିଲା, ମାଳ ବୋଉ ବି ସାଙ୍ଗରେ ଗଲା । ନାଥ ପସାଏ ପସାଏ କୋଡ଼ି ମାରୁ ଥାଏ, ଚାରି ଆଡ଼କୁ ଚାହୁଁଥାଏ । ଢାଳ ଦେହରେ କୋଡ଼ି ବାଜିବା ମାତ୍ରେ କିଏ ତା ଭିତରୁ ବଡ଼ ପାଟି କରି କହିଲା ‘‘ଏ ଟଙ୍କା ଭଜି ସାହୁ ତେଲିର ତୁମେ ଛୁଅଁ ନା ।’’ ଏ କଥା ଶୁଣି ନାଥ ଆଉ ମାଳ ବୋଉ ଭୟରେ ପଳାଇ ଆସି ବାଡ଼ି କବାଟ କିଳିଦେଇ ଘରେ ପଶିଲେ । ସେମାନଙ୍କୁ ଭାରି ଡର ମାଡ଼ିଲା । ପହରେ ଖଣ୍ଡେ ଯିବାରୁ ମାଳ ବୋଉ କହିଲା, ‘‘ସେ ଗାତ ଭିତରେ ନିଶ୍ଚୟ ଭୂତ ଅଛି । ମୁଁ ତୁମ କଥାକୁ ମିଛ ବିଚାରୁଥିଲି । ଆଲୋ ବୋପାଲୋ ! ଆଉ ତା ପାଖ ମାଡ଼ିବା ନାହିଁ । ଟଙ୍କା ଯୋଗୁ କଅଣ ପ୍ରାଣ ଯିବ ?’’ ଖାଇସାରି ଶୋଇଲେ । ଛାଇ ନିଦ ଲାଗିଯିବାରୁ ପୁଣି ‘‘ଏ ଟଙ୍କା ଭଜି ସାହୁ ତେଲିର’’ ବୋଲି ଶୁଭିବାରୁ ନିଦ ଭାଙ୍ଗିଗଲା । ଭାରି ଡର ମାଡ଼ିଲା । ଆଉ ଶୋଇଲେ ନାହିଁ । ବସି ବସି ରାତି ପାହିଲା । ମାଳ ବୋଉ ସକାଳୁ ଯାଇ ଆର ଗାଁ ଜଗୁ ଓଝା ଗୁଣିଆଠାରୁ ଗୋଟିଏ ଡେଉଁରିଆ ଆଣିଲା । ଉଦୁଉଦିଆ ଦିପହରିଆ ବେଳ । କେହି କୁଆଡ଼େ ନାହାନ୍ତି । ମାଳ ବୋଉ ଡେଉଁରିଆଟି ନାଥର ଖାଇବା ବାହାରେ ବାନ୍ଧି ଦେଇ କହିଲା, ‘‘ଯାଅକି ଗାତ ଖୋଳି ସେ ଢାଳଟା ଗୋଟାଏ ଟୋକେଇରେ ପୂରାଇ କରି ଆଣ । ସାଙ୍ଗେ ସାଙ୍ଗେ ନେଇ ଗାଁ ମୁଣ୍ଡ ପୋଖରୀରେ ଫିଙ୍ଗିଦେଇ ଆସିବ ।’’ ନାଥ ଗଲା । ଗାତ ଖୋଳି ଡରି ଡରି କରି ଢାଳଟି କାଢ଼ି ଟୋକେଇରେ ପୂରେଇ ଘର ଭିତରକୁ ଆସିଲା । ମାଳ ବୋଉ ବ ତା ପାଖେ ପାଖେ ଥାଏ । ଏଥର କେହି କିଛି ନ କହିବାରୁ ସେମାନେ ଭାବିଲେ ଡେଉଁରିଆର ପ୍ରତାପରେ ଭୂତ ପଳାଇଲା । ମନ ଖୁସିରେ ଭିତର ଘରକୁ ନେଇ ତା ମୁହଁରୁ ସେ ପଥର ଖଣ୍ଡିକ କାଢ଼ି ଦେବା ମାତ୍ରେ ତା ଭିତରୁ ଶବ୍ଦ ହେଲା ‘‘କିରେ ହାତ ପଶୁ ପଶୁ ବାହା ପଶେ, ଏ ଟଙ୍କା ଭଜି ସାହୁ ତେଲିର ତୁମେ ଛୁଅଁ ନା ।’’ ଢାଳ ଫୋପାଡ଼ି ଦେଇ ଭୟରେ ଦୁଇ ପ୍ରାଣୀଯାକ ଅଣନିଶ୍ୱାସୀ ହୋଇ ପିଣ୍ଡାକୁ ପଳାଇ ଆସିଲେ, ଏ ତା ମୁହଁକୁ ଅନାଇଲା, ସେ ୟା ମୁହଁକୁ ଅନାଇଲା । କିଛିକ୍ଷଣ ପରେ ନାଥ କହିଲା, ‘‘ନାହିଁ, ଆମର ଏ ଟଙ୍କା ଛୁଇଁବା ଦରକାର ନାହିଁ, ମାତ୍ର ଭଜି ସାହୁ ତୁଚ୍ଛାଟାରେ ଏତେଗୁଡ଼ାଏ ଟଙ୍କା ପାଇ ଯିବ । ଆମେ ଖାଇବା ନାହିଁ କି ତାକୁ ଖୁଆଇ ଦେବା ନାହିଁ ।’’ ତାଙ୍କର ଚଉରା ମୂଳରେ ହାତେ ଲମ୍ୱର ଖଣ୍ଡିଏ କଳା ମୁଗୁନି ପତର ବାପ ଅଜାଙ୍କ ଅମଳରୁ ପଡ଼ିଥାଏ, ତା ମଝିରେ ଚାଖଣ୍ଡେ ଗୋଲେଇ ଦେଢ଼ ଚାଖଣ୍ଡ ଗହୀରାର ଗୋଟିଏ ଗାତ ଥାଏ । ନାଥ ପିଲାଦିନେ ସେଥିରେ ପାଣି ପୂରାଇ କେତେ ଥର ଖେଳିଛି । ସେହି ପଥର ଉପରେ ତା ଦୃଷ୍ଟି ପଡ଼ିଲା । ସେ ଚାତି ଦମ୍ଭ କରି ଘର ଭିତରକୁ ପଶିଯାଇ ଝଟ୍ କରି ଢାଳଟି ଆଣି ସେ ଗାତରେ ମୁହଁ ମଡ଼ାଇ ଦେଇ ଢାଳ ଗାଣ୍ଡିରେ ଦୁଇ ଚାରିଥର ବାଡ଼େଇ ଦେଲା । ଢାଳଟି କାଢ଼ି ଆଣି ଦେଖେତ ଗାତଟି ଟଙ୍କାରେ ପୂରି ଯାଇଛି ଆଙ୍ଗୁଳେ ଖଣ୍ଡେ ଫାଙ୍କ ଅଛି । ଢାଳ ମୁହଁରେ ଯେଉଁ ପଥର ଖଣ୍ଡି ଥିଲା ତାକୁ ଘରୁ ଆଣି ତା ମୁହଁରେ ଦେଲାରୁ ଠିକ୍ ଖାପ ଖାଇଗଲା । କୋଡ଼ି ପଶାରେ ଦୁଇ ଚାରିଥର ବାଡ଼େଇ ଦେବାରୁ ମିଞ୍ଜା ମରିଗଲା । ନିରେଖି କରି ଦେଖିଲେ ମଧ୍ୟ ଆଉ ଖଣ୍ଡେ ପଥର ଦିଆ ହୋଇଛି ବୋଲି ଠଉରାଇ ହେବ ନାହିଁ । ମାଳ ବୋଉ ଏ କଥା ସବୁ କିଛି ବୁଝି ନ ପାରି କାଠଟି ପରି ଠିଆ ହୋଇଥାଏ । ତା ପରେ ନାଥ ସେ ପଥର ଖଣ୍ଡକ କଷ୍ଟରେ ଟେକି ଟୋକେଇରେ ପୂରାଇ ଟୋକେଇଟି ମୁଣ୍ଡାଇ ମାଳ ବୋଉକୁ କହିଲା, ‘‘ଯାଉଛି, ଗାଁ ମୁଣ୍ଡ ପୋଖରୀରେ ପକାଇ ଦେଇ ଆସିବି ଭୂତ ବି କେଞ୍ଚାଏ ପାଇବ, ଭଜି ସାହୁ ବି ଖାଇବ ଛତୁ ।’’ ଟୋକେଇ ମୁଣ୍ଡାଇ ବାହାରି ପଡ଼ିଲା । ବର୍ଷା ହେଉଥାଏ । ନେଇ କରି ପୋଖରୀ ଭିତରକୁ ଫିଙ୍ଗି ଦେଇ ବଡ଼ କରି ଗୋଟାଏ ନିଃଶ୍ୱାସ ମାରି କହିଲା, ‘‘ଭୂତ ଥା, ଭଜି ସାହୁ ଖା ।’’ ଘରକୁ ଫେରିଲା । ମନରୁ ଗୋଟାଏ ଦକାଗଲା ।

 

ଏହାର ମାସ ଖଣ୍ଡକ ପରେ କେଉଟମାନେ ସେ ପୋଖରୀରେ ଜାଲ ପକାଇଲେ । ସେହି ପଥରଟା ଜାଲରେ ପଡ଼ି ଜାଲ ଚିରିଗଲା । ମାଛତକ ସବୁ ପଳାଇଲେ । ଖାଲି ପଥରଟା ଟାଣି ହୋଇ କୂଳକୁ ଆସିଲା । ବର୍ଷା ମାଡ଼ରେ କେଉଟମାନେ ଥରି ଗଲେ । ଚିରା ଜାଲ ଘେନି ଘରକୁ ପଳାଇଲେ । ମହନି ତରେଇ ବୁଢ଼ାର ପିଙ୍କା ଖଣ୍ଡେ ନ ହେଲେ ନ ଚଳେ । ମାଛ ସିନା ପଡ଼ିଥିଲେ ଦିଟା ନେଇ ଭଜି ସାହୁ ତେଲିକୁ ଦେଇ, ତା ଦୋକାନରୁ ଦିକେଣ୍ଡା ଧୂଆଁ ପତ୍ର ଆଣି ଥାଆନ୍ତା । ମାଛ ତ ପଡ଼ିଲେ ନାହିଁ କରେ କଅଣ ? ସେ ପଥରଟା ଉପରେ ତା ଦୃଷ୍ଟି ପଡ଼ିଲା । ଭାବିଲା ‘‘ଭଲ ମୁଗୁନି ଚଉଖୁଣ୍ଟିଆ ପଥର ଖଣ୍ଡିଏ ହୋଇଛି । ଏହି ଖଣ୍ଡିକ ଭଜି ସାହୁକୁ ଦେଇ ଦି କେଣ୍ଡା ଧୂଆଁପତ୍ର ନ ନେଲେ ରକ୍ଷା ନାହିଁ । ଶୀତରେ ମଞ୍ଜ କମ୍ପି ଯାଉଛି ।’’ ଅତି କଷ୍ଟରେ ପଥର ଖଣ୍ଡିକ ନେଇ ଭଜି ସାହୁକୁ ଦେଇ ଦି କେଣ୍ଡା ଧୂଆଁ ପତ୍ର ଘେନି ଘରକୁ ଫେରିଲା ।

 

ଏହାର ଦୁଇ ଚାରି ଦିନେ ନାଥ ଭିକ ମାଗି ଫେରିବା ସମୟରେ ଦେଖେ ତ, ସେହିଭଳି ପଥର ଖଣ୍ଡେ ଭଜି ସାହୁ ଦୋକାନ ଦୁଆର ମୁହଁରେ ପଡ଼ିଛି । ପାଖକୁ ଯାଇ ନିରେଖି କରି ଅନାଇଲା । ସେହି ପଥର, ମଝିର ମିଞ୍ଜା-ମରା ଗୋଲ ଦାଗଟି ସାମାନ୍ୟ ବାରି ହେଉଛି । ଏହି ସମୟରେ ଭଜି ସାହୁ ଘରୁ ଆସି ନାଥକୁ ପଚାରିଲା, ‘‘କଅଣ ଦେଖୁଛୁ କିରେ ନାଥ ?’’ ନାଥ କଥାଟାକୁ ବାଆଁରେଇ ଦେବା ପାଇଁ କହିଲା, ‘‘ଭଲ ସୁନ୍ଦର ପଥର ଖଣ୍ଡେ ହୋଇଛି । ଆମ ଚଉରାମୂଳରେ ଏହିପରି ଖଣ୍ଡିଏ ପଥର ଥିଲା ଯେ ଭାଙ୍ଗିଗଲା ।’’ ଏ କଥା ଶୁଣି ବୁଢ଼ା କେଉଟ ଦେବା କଥା କହି ଭଜି ସାହୁ କହିଲା, ‘‘ଯଦି ଲୋଭ ହେଉଛି, ନେବୁତ ନେ । ଆଉ ଆଚାର କରିବାକୁ ତୁମ ବାଡ଼ି କାଗେଜିରୁ ପଣେ ଦେବୁ ।’’ ନାଥ ‘‘ହଉ’’ ବୋଲି କହି ଆନନ୍ଦରେ ପଥର ଖଣ୍ଡିକ ନେଇ ଦୁଆରେ ରଖି ମାଳବୋଉ ଆଗରେ କହିଲା । ‘‘ଆରେ ଭୂତତ ତାକୁ କହି ଦେଇଥାଆନ୍ତା, ସବୁ ଟଙ୍କା ତକ ଭଜି ସାହୁ ପାଇ ଯାଇଥାଆନ୍ତା । ଆଚ୍ଛା ଏ ଥର ନେଇ ମହାନଦୀ ଗଣ୍ଡରେ ପକାଇ ଦେଇ ଆସିବି । ଭଜି ସାହୁ ଏ ଜନ୍ମ କଅଣ, ସାତ ଜନ୍ମ ଗଲେ ବି ତା ଗନ୍ଧ ପାଇବ ନାହିଁ । ସତକୁ ସତ ସେହି ଦିନ ରାତିରେ ପଥର ଖଣ୍ଡିକ ନେଇ ମହାନଦୀ ବଉଳା ଗଣ୍ଡରେ ଫିଙ୍ଗି ଦେଇ କହିଲା, ‘‘ଭଜି ସାହୁ ଖାଉଥା’’ । ଘରକୁ ଫେରି ଆସି ନିଦକା ହୋଇ ରହିଲା ।

 

ଏହାର କିଛି ଦିନ ପରେ ଗହ୍ମା-ପୂର୍ଣ୍ଣିମାକୁ ବଉଳା ଘାଇ ଭାଙ୍ଗିଲା । ପଥରଟି ପାଣି ସୁଅରେ ତଡ଼ି ହୋଇ, ଗହୀର ମଝି ଗୋଟାଏ ବେଣା ବୁଦା ତଳେ ଅଟକି ଗଲା । କିଛି ଦିନ ପରେ ଗହୀରରୁ ପାଣି ଛାଡ଼ିଗଲା ।

 

ଭଜି ସାହୁ ପୁଅର ବିଦ୍ୟାରମ୍ଭ ପାଇଁ ମଇଁଷିଆଳ ଗଉଡ଼ଙ୍କୁ ଭାରେ ଦୁଧ ପାଇଁ ବଇନା କଲା । ଫଗୁ ବେହେରା ଭାରେ ଦୁଧ ଘେନି ତା ଘରକୁ ଆସିଲାବେଳେ, ଆଗ ପଟୁଆଟି ଗହୀର ମଝି ବଡ଼ ହିଡ଼ରେ ବାଜି ଭାଙ୍ଗିଗଲା । ଅଙ୍ଗାକିଆ ଦୁଧ ନେଉଛି କିପରି ? ଚାରିଆଡ଼କୁ ଅନାଇଲା । ଦେଖିଲାବେଣା ବୁଦା ମୂଳରେ ଖଣ୍ଡିଏ ମୁଗୁନି ପଥର ପଡ଼ିଛି । ଭାରକୁ ସମତୁଲ ହେବ । କଥାରେ ଅଛି ‘ଅକାଳେ ଗଉଡ଼ ପଥର ବୁହେ । ସେ ପଥର ଖଣ୍ଡିକ ଆଣି ଆର ଅଙ୍ଗାରେ ରଖି, ଭଜି ସାହୁ ଘରେ ଅଙ୍ଗାଏ ଦୁଧ ଦେଇ ଦାମ୍ ନେଇ ଚାଲିଗଲା । ପଥରଟା ଭଜି ସାହୁ ଦୁଆରେ ପଡ଼ି ରହିଲା ।

 

ଦିନେ ନାଥ ଭିକ ମାଗି ଘରକୁ ଫେରିବା ସମୟରେ ଦେଖେ ତ ସେହି ପଥରଟା ଭଜି ସାହୁ ଦୋକାନ ଦୁଆରେ ପଡ଼ିଛି । ପାଖକୁ ଯାଇ ନିରେଖି କରି ଦେଖିଲା ସେହି ପଥର, ମନରେ ବିଚାର କଲା ‘‘ଧନ୍ୟ କହିବ ! ଏତେ ସରିକି କଲି, ସବୁ ଫସର ଫାଟି ଗଲା । ପ୍ରକୃତରେ ଭୂତ ଠିକ୍ କହିଛି । ମୁଁ ଯେତେ ଉପାୟ କଲେ ବି ଭଜି ସାହୁ ଟଙ୍କା ପାଇବ ହିଁ ପାଇବ । ତେବେ ମୁଁ ମିଛଟାରେ ଏତେ ହଲାପଟା ହେବି କାହିଁକି, ବରଂ ଭୂତ କହିବା ଆଗରୁ ମୁଁ କହିଦେଲେ ଭଲ କରି ମୁଠିଏ ଖାଇବାକୁ ମିଳିବ ।’’ ଦୋକାନ ଦୁଆରକୁ ଯାଇ ଭଜି ସାହୁକୁ କହିଲା, ‘‘ଦାଦି ! ଆଜି ତୁମେ ବହୁତଗୁଡ଼ାଏ ଧନ ପାଇବ ।’’ ଭଜି କହିଲା, ‘‘ବାପ ତୋ ତୁଣ୍ଡ ସୁତୁଣ୍ଡ ହେଉ ।’’ ନାଥ କହିଲା, ‘‘ମିଛ ମଣୁଛ କି ? ଏହି ସାଙ୍ଗେ ସାଙ୍ଗେ ମିଳିବ ।’’ ତାପରେ ସେ କାନ୍ଥ ଖୋଳାଠାରୁ ବଉଳା ଗଣ୍ଡରେ ଫିଙ୍ଗିବା ପର୍ଯ୍ୟନ୍ତ ସବୁ ଠୁଳେ ଠୁଳେ କହିଗଲା । ଭଜି ସାହୁର ବିଶ୍ୱାସ ହେଉ ନ ଥାଏ । ନାଥ ତାକୁ ଫତୁଆ କରିବ ବୋଲି କଅଣ ଗୋଟାଏ ଫିକର କରି ଆସିଛି ବୋଲି ଭାବି କଥାଟାକୁ ହସରେ ଉଡ଼ାଇ ଦେଲା । ନାଥ ତା କଥାରେ କାନ ନ ଦେଇ ପଥରଟିକୁ ଘର ଭିତରକୁ ନେଇ ଗୋଟାଏ ଶାବଳରେ ପାହାରେ ପକାଇଲା । ପଥର ଫାଟି ଯାଇ ଟଙ୍କାଗୁଡ଼ାକ ଚାରିଆଡ଼େ ଛତ୍ରଛାଉଳ ହୋଇ ପଡ଼ିଗଲା । ଏ କଥା ଦେଖି ଭଜି ସାହୁତ ଏକବାରେ ତାଟଙ୍ଗା । ଘଡ଼ିଏ ଖଣ୍ଡେ ଅନ୍ଧାର କଣାଙ୍କ ପରି ଚାହିଁ ରହିଲା । ତାପରେ ଉଠି କରି ଟଙ୍କାତକ ନେଇ ବାକ୍ସରେ ସାଇତି କରି ରଖିଲା । ତାପରେ ଖଣ୍ଡିଏ ପତ୍ର ପକାଇ ଅସଲ ସରୁ ଚୂଡ଼ା, ନବାତ, ଦୁଧ, କୋରା ଆଉ ନଡ଼ିଆ ଆଣି ନାଥକୁ ଆତ୍ମାସନ୍ତୋଷ କରି ଖାଇବାକୁ ଦେଲା । ଖଣ୍ଡିଏ ନୂଆ ଲୁଗାରେ ଚୂଡ଼ା ଭଜା ଉଖୁଡ଼ା ବାନ୍ଧି ନାଥକୁ ଦେଇ କହିଲା, ‘‘ନିଅ ପିଲାଏ ଖାଇବେ ।’’ ପଚାଶଟି ଟଙ୍କା ଆଣି ନାଥକୁ ଯାଚିଲା । ନାଥ କହିଲା, ‘‘ନାହିଁ ସେ ଟଙ୍କା ମୁଁ ଛୁଇଁବି ନାହିଁ ।’’ ଭଜି ସାହୁ କହିଲା ‘‘ନିଅମ ! ମୁଁ ମୋ ଟଙ୍କା ଦେଉଛି, ମନରେ କିଛି ଦକା କରନା ।’’ ନାଥ ନାହିଁ କରୁ କରୁ ଭଜି ସାହୁ ସେ ଟଙ୍କାତକ ସେ ନୂଆ ଲୁଗା କାନିରେ ବାନ୍ଧି ଦେଲା । ନାଥ ସେତକ ଘେନି ଘରକୁ ଫେରିଲା ।

 

ଚଉବନୀ ଗ୍ରାସ ମାରି ଦେଇ ଥିଲା ନାଥ । ମଝି ଗହୀରରେ ହେଲାବେଳକୁ ଅତର୍ଚ୍ଛ ଝାଡ଼ା ମାଡ଼ିଲା । ପାଖରେ ଖଣ୍ଡିଏ ଟୁବ ଦେଖି ଝଟ କରି ଲୁଗା ବଦଳେଇ, ନାଥ ଝାଡ଼ା ଫେରି ଦୌଡ଼ିଲା । ଶଉଚ ହୋଇ ଆସି ଦେଖେତ ନୂଆ ଲୁଗା ଆଉ ଚୂଡ଼ା ଉଖୁଡ଼ା ନାହିଁ । ପଦା ଥାନଟା, ଖଣ୍ଡେ ଦୂରେ କାହାର ଗୋଟଏ ଆଖୁ କିଆରି । କେହି କୁଆଡ଼େ ନାହିଁ, ଆଖ ପାଖ ଖୋଜି ବିଚାରିଲା ସେ ଟଙ୍କା ମତେ ଭୋଗ ନାହିଁ । ନାହିଁ କରୁଥିଲି ବଳେଇ କରି ଦେଲା । ଏବେ ଅଥୁରୀ ଯୋଗୁ ପଥୁରୀ ଗଲା । ପିଲାଏ ଦିନେ ଖଣ୍ଡେ ଖୁସିରେ ଖାଇ ଥାଆନ୍ତ । ତାକୁ ବି ଭୂତ ନେଇଗଲା । ମନ ଦୁଃଖରେ ଘରକୁ ବାହୁଡ଼ିଲା ।

 

ଏହାର ଦୁଇଦିନ ପରେ ଦିନେ ନାଥ ଭିକ ମାଗି ଯାଉଛି ଭଜି ସାହୁ ତାକୁ ଡାକିବାରୁ ସେ ତା ଘରକୁ ଆସିଲା । ଭଜି ସାହୁ ପଚାରିଲା, ‘‘ପହରିଦିନ ଯେଉଁ ଲୁଗା ଟଙ୍କା ଦେଇଥିଲି, ତାକୁ କଅଣ କଲ କି ? ନାଥ କହିଲା, ‘‘କଅଣ କହିବି ଦାଦି ? ତୁମ ଘରୁ ତ ମୁଠିଏ ଖାଇକରି ଗଲି, ଗହୀର ମଝିରେ ଝାଡ଼ା ମାଡ଼ିଲା । ଝାଡ଼ା ଫେରି ଯାଇ ଗୋଡ଼େ ଗୋଡ଼େ ଆସି ଦେଖିଲାବେଳକୁ ଭୂତ ସେ ଯାଉଁଳିଟି ନେଇ ଚମ୍ପଟ । ମୁଁ ପରା ମନା କରୁଥିଲି ।’’ ଏ କଥା ଶୁଣି ଭଜି ସାହୁ ଘର ଭିତରକୁ ଯାଇ ପଚାଶଟି ଟଙ୍କା ଆଣି ନାଥ ହାତକୁ ଦେଇ କହିଲା, ‘‘ନେ, ତୁ ସେ ଯାଉଁଳିଟି ଥୋଇ ଝାଡ଼ା ଫେରିଗଲୁ । ବିଲୁଆ ଖାଇବା ଲୋଭରେ ସେ ଯାଉଁଳିଟି କାମୁଡ଼ି କରି ଆଣି ମୋ ଆଖୁ କିଆରୀରେ ପଶି, ଲୁଗା ଚିରି ଚୂଡ଼ା ଉଖୁଡ଼ା ତକ ଖାଇ ଦେଇ ଚାଲିଗଲା । ମୁଁ କାଲି ଆଖୁ କିଆରୀ ଦେଖିବାକୁ ଯାଇଥିଲି, ନୂଆ ଲୁଗାଟା କୁଟକୁଟା ହୋଇପଡ଼ିଛି, ଚୂଡ଼ା ଉଖୁଡ଼ାତକ ଖାଇଯାଇଛି, ଆଉ ଟଙ୍କାତକ କାନିରେ ସେହିପରି ବନ୍ଧା ହୋଇଛି, ଫିଟାଇକରି ଆଣିଲି, ନେ ଏ ଟଙ୍କାତକ ନେ । ମୁଁ ପକାଇଲା ଛେପ ଢୋକିବି କିପରି ?’’ ଏହା ଶୁଣି ନାଥ ସେ ଟଙ୍କା ତକ ଫେରାଇ ଦେଇ କହିଲା, ଦାଦି ତୁମେ ଏବେ ଏଡ଼ିକି ବାତୁଳ ହେଲ । ଦେଖିଲ ସେ ଟଙ୍କାକୁ ମୁଁ କେତେ ପ୍ରକାର କଲି, ଥରକୁ ଥର ଆସି ତୁମ ଘରେ ପହଞ୍ଚିଲା । ଶେଷକୁ ହାତ ଟେକା କରି ପଚାଶଟି ଟଙ୍କା ଦେଲ ଯେ, ବିଲୁଆ ଆଣି ତୁମରି ଆଖୁ କିଆରୀରେ ପୂରେଇଲା । ଏଥିରୁ କଅଣ ବୁଝିପାରୁ ନାହଁ ଯେ ସେ ଟଙ୍କାରୁ କଡ଼ାଟିଏ ସୁଦ୍ଧା ମୁଁ ଭୋଗ କରି ପାରିବି ନାହିଁ । ଟଙ୍କା ନିଅ, ମୁଠିଏ କଅଣ ଖାଇବାକୁ ଦିଅ ଯେ ଖାଇକରି ଯିବି ।’’ ଭଜି ଟଙ୍କାତକ ନେଇ ନାଥକୁ ଭଲ କରି ଖାଇବାକୁ ଦେଲା । ଆଉ ଖଣ୍ଡିଏ ନୂଆ ଲୁଗାରେ ଚୂଡ଼ା, ଉଖୁଡ଼ା ଗଉଣିଏ ପାଞ୍ଚପା ବାନ୍ଧି ପିଲାଏ ଖାଇବେ ବୋଲି କହି ନାଥକୁ ଦେଇ ବିଦା କଲା ।

Image

 

ସୁନାଭିଖ

 

ମାଧିଆ ଭିଖ ମାଗେ । ଦିନେ ଜଣେ ବାବାଜୀଙ୍କଠାରୁ ଶୁଣିଲା ଯେ ଲଙ୍କାରେ ସୁନାଭିକ ମିଳେ । ଭିକ ମାଗି ମାଗି ଯାଇକରି ରାମେଶ୍ୱରଙ୍କ ପାଖ ସମୁଦ୍ର କୂଳରେ ପହଞ୍ଚିଲା । ଯୋଗକୁ ସେଦିନ ଜଣେ ସାଧବର ବୋଇତ ଲଙ୍କାକୁ ଯାଉଥିଲା । ମାଧିଆ ସାଧବର ଗୋଡ଼ ହାତ ଧରି ବହୁତ ନେହୁରା ହୋଇ କହିବାରୁ ସାଧବ ତାକୁ ବୋଇତରେ ନେଇ ଲଙ୍କାରେ ଓହ୍ଲାଇ ଦେଲା । ସକାଳ ବେଳା ଜଣଙ୍କ ଦୁଆରେ ଯାଇ ଭିକ ମାଗିଲା । ଘରୁ ମାଇପିଟିଏ ଆସି ଧାନେ ସୁନା ଭିଖ ଦେଲା । ଆଉ ଜଣକ ଦୁଆରକୁ ଗଲା, ଆହୁରି ଅଧ ଧାନେ ସୁନା ଭିକ ମିଳିଲା । ମନ ଲାଗିଥାଏ, ଦୁଆର ଦୁଆର ହୋଇ ମାଗିଲା । ଟାଣ ଗାଧୁଆ ବେଳକୁ ଦେଖିଲା ସିଉକାଏ ଓଜନ ସୁନା ହେଲାଣି । ମାଧିଆ ମନ କୁଣ୍ଢେ ମୋଟ ହୋଇଗଲା । ସରଗ ଚାରି ଆଙ୍ଗୁଳି ଦିଶିଲା । ଗୋଟିଏ ଗଛମୂଳରେ ବସି ବିଚାରିଲା ‘ଦୁଇ ଚାରିବର୍ଷ ଆଗରୁ ହେଲେ ଏକଥା ଶୁଣିଥାଆନ୍ତି । ଏତେବେଳକୁ ମୋ ପରି ମୁଁ ହୋଇ ଲକ୍ଷପତି ହୋଇ ବସିଥାଆନ୍ତି । ଯାହାହେଉ ମୁହଁ ମାଡ଼ି ଦୁଇ ଚାରିବର୍ଷ ଏଠାରେ ପଡ଼ି ରହିବି । ତାପରେ ଦେଶକୁ ଯାଇ କୋଠାବାଡ଼ି, ଗାଡ଼ି ଘୋଡ଼ା କରି ହେବି ବଡ଼ଲୋକ । ବଡ଼ଘର ଦେଖି ବିଭା ହେବି । ମାଧବାନନ୍ଦ ବାବୁ ବୋଲି ଚାରିଆଡ଼େ ହୁରି ପଡ଼ିବ । ଏଛୁଣିକା ଆଗେ ମନ ବୋଧ କରି ପେଟେ ମିଠେଇ ଖାଇବି । ବେଳ ବି ଗଡ଼ି ପଡ଼ିଲାଣି, ଭୋକ ବି କଲାଣି ।’’ ଗୋଟିଏ ଗୁଡ଼ିଆ ଦୋକାନରେ ପହଞ୍ଚି ଦେଖିଲା, ଥାଳିରେ ନାନାପ୍ରକାରର ସନ୍ଦେଶ ଥୁଆ ହୋଇଛି । କହିଲା ସାହୁ କାରେ ! ଅଧସେରେ ସନ୍ଦେଶ ଦେବଟି ।’’ ଗୁଡ଼ିଆ ଅଧସେରେ ସନ୍ଦେଶ ତଉଲିକରି କହିଲା, ‘‘ଦାମ ଦିଅ !’’ ମାଧିଆ କହିଲା ‘‘କେତେ ହେଲା’’ ? ସାହୁ କହିଲା ‘‘ତିନି ଭରି ସୁନା !’’ ମାଧିଆ ଏକଥା ଶୁଣି କାବା ହୋଇ ପଚାରିଲା କେତେ ? ସାହୁ କହିଲା ‘‘ସନ୍ଦେଶ ସେର ଛଅ ଭରି, ଅଧସେରକୁ ତିନି ଭରି ହେଲା ।’’ ଏକଥା ଶୁଣି ମାଧିଆ ଏଡ଼େ ଏଡ଼େ ଆଖି କରି ତା ମୁହଁକୁ ଅନାଇ ବିଚାରିଲା, ‘‘ଆରେ ଏ ଶଳାଟା ଗୋଟାଏ ବ୍ରହ୍ମ ଠକ ।’’ ଦାମ୍ ନ ଦେବାରୁ ସାହୁ ସନ୍ଦେଶକୁ ଥାଳିରେ ପକାଇ ଦେଇ କହିଲା ‘‘ହାତରେ ନ ଥାଏ ଧନ, ପୁଅ ବାହାପାଇଁ ମନ । ଯା ଯା ।’’ ମାଧିଆ ଅଣ୍ଟାରେ ସିଉକାଏ ସୁନା ଥାଏ ତା ମଗଜ ବି ଗରମ ଥାଏ । ଟାଣ ଟାଣ କରି ଦୁଇ ଚାରିପଦ ଶୁଣାଇ ଦେବ ବୋଲି ଯାଉଥିଲା, ମାତ୍ର ଭାବିଲା, ‘‘ବିଦେଶ ଥାନ, ଭଲ ଥାଏ ମନ୍ଦଥାଏ ।’’ ଚାଲି ଆସିଲା । ପୁଣି ଆଉ ଗୋଟିଏ ଗୁଡ଼ିଆ ଦୋକାନରେ ପହଞ୍ଚିଲା, ଦେଖିଲା ତଟକା ଲଡ଼ୁ, ଜଲବି ଥୁଆ ହୋଇଛି । କହିଲା ‘‘ସାହୁ ପୁଅ ଅଧସେରେ ଲଡ଼ୁ ଜଲବି ମିଶାଇ କରି ଦିଅ ।’’ ସାହୁ କହିଲା ‘‘ଦାମ୍ ଆଣ ।’’ ମାଧିଆ କହିଲା ‘‘କେତେ ?’’ ସାହୁ କହିଲା, ‘‘ଦିଭରି ସୁନା ହେଲା ।’’ ମାଧିଆ ତା ମୁହଁକୁ ଟିକିଏ ଚାହିଁ ବାଟ କାଟିଲା । ବିଚାରିଲା, ‘‘ବୋଧହୁଏ ଲଙ୍କାରେ ନବାତ ଭାରି ମହରଗ, ତେଣୁ ମିଠା ଜିନିଷ ଗୁଡ଼ାକ ଏତେ ଦାମ୍ ।’’ ଯାଉ ଯାଉ ଦେଖିଲା ଗୋଟାଏ ଦୋକାନରେ ପୁରି ଛଣା ହେଉଛି । ଭାବିଲା ପୁରି ତରକାରୀ କରି ପେଟେ ଖାଇଦେବ । ପାଟିକି ସିନା ସୁଖ ଲାଗେ ନୋହିଲେ ମିଠାଗୁଡ଼ାକ ଦେହ ଖରାପ କରେ । ପୁଣି ସେର କେତେ ବୋଲି ପଚାରିବାରୁ ଦୋକାନି କହିଲା ସେର ତିନିଭରି । ସେଠାରୁ ପଳାଇ ଆସି କହିଲା, ‘‘ଛାଡ଼, ଏ ଅମାର୍ଗ ଜିନିଷ ଗୁଡ଼ାକ ଖାଉଛି କିଏ ? ଆଚ୍ଛା ସରୁଚୂଡ଼ା, ନବାତ, କଦଳି କିଣି ଖାଇବା, ପେଟ ବି ପୂରିବ, ଦେହକୁ ବି ହିତ କରିବ ।’’ ଗୋଟିଏ ଦୋକାନରେ ପହଞ୍ଚି ବୁଝିଲା ଚୂଡ଼ା ସେର ଭରିଏ, ନବାତ କଦଳି କଥା ଛାଡ଼ । ଜଣଙ୍କ ପିଣ୍ଡାରେ ବସି କଅଣ କରିବ ବୋଲି ଭାବିଲା । ବେଳ ଆସି ତିନିପହରକୁ ଧଇଲାଣି । ଏଣେ ଭୋଖରେ ପେଟ ଜଳିଲାଣି । ଏହି ସମୟରେ ସେ ଘରୁ ଜଣେ ଲୋକ ଆସି କହିଲା ‘‘ପିଣ୍ଡାରେ ବସିଲୁ ଭଡ଼ା ଦେ ।’’ ମାଧିଆ କହିଲା, ‘‘କିରେ ପିଣ୍ଡାରେ ଟିକିଏ ବସି ଗଲି, ଭଡ଼ା ଦେବି କଅଣ ମ ?’’ ଘରବାଲା କହିଲା, ‘‘ତୋ ଘର କୁଆଡ଼େ କିରେ ? ଆରେ ପିଣ୍ଡାରେ ଦିନଯାକ ବସ, ନୋହିଲେ ଦଣ୍ଡେ ପହରେ ବସ ଭଡ଼ା ଅଧଭରିଏ ପଡ଼ିବ ।’’ ମାଧିଆ ଆଉ କହିବ କଅଣ ଏକ ମୁହାଁ ହୋଇ ପଳାଇ ଆସିଲା । ଏଣେ ଭୋକରେ ତାକୁ ଝୋଲା ମାରି ଗଲାଣି, ପାଟି ଅଠା ଅଠା ହୋଇଗଲାଣି । ଗୋଟିଏ ମୁଢ଼ି ଦୋକାନରେ ପହଞ୍ଚି ତା ପାଖରେ ଥିବା ସେ ସିଉକାକ ସୁନା ଦେଇ, ମୁଢ଼ି ଖାଇଲା ଯେ ପେଟ କଣେ ପୂରିଲା ନାହିଁ । କଅଣ କରିବ ପୁଣି ଭିଖ ମାଗିବାକୁ ବାହାରିଲା । ଜଣକ ଦୁଆରେ ଯାଇ ମାଗିବାରୁ ଘରୁ ମାଇପିଟିଏ ବାହାରି ଆସି କହିଲା, ‘‘ତୋ ଘର କୁଆଡ଼େ କିରେ, ଆରେ ଉପର ଓଳି କିଏ ଭିକ ଦେବ ଯେ ତୁ ମାଗୁଛୁ । ଯା କାଲି ସକାଳେ ଆସିବୁ ।’’ ତାପରେ ଯେଉଁଠାକୁ ଗଲା ସେହି କଥା ଶୁଣିଲା । ପିଣ୍ଡାରେ ଭଡ଼ା ପଡ଼ିବ ବୋଲି ଗୋଟାଏ ଗଛ ମୂଳରେ ବସି ବିଚାରିଲା ‘’ଆରେ ! ମତେ କି ଦୁର୍ବୁଦ୍ଧି ଘୋଟିଲା, ଦେଖୁଛି ଅପନ୍ତରାରେ ପଡ଼ି ପ୍ରାଣ ଛାଡ଼ିଯିବ । ଦେଶରେ ତ ମୁଠିଏ ଖାଇବାକୁ ମିଳୁଥିଲା ।’’ ଆଉ କିଛି ନ ଭାବି ସମୁଦ୍ର କୂଳକୁ ଦଉଡ଼ିଲା । ଯୋଗକୁ ଗୋଟାଏ ବୋଇତ ଛାଡ଼ୁଥିଲା । ମାଧିଆ ବହୁତ କୁହାବୋଳା କରି ବୋଇତରେ ବସି ଦେଶକୁ ପଳାଇ ଆସିଲା ।

Image

 

ସବୁ ଏକ ପ୍ରକାର ଭଲ

 

ପଟ୍ଟନାୟକଙ୍କ ଘର କଟକ ତଳମାଳରେ । ଚାକିରି କରନ୍ତି ବଉଦ ଗଡ଼ଜାତରେ । ରଜାଘର ଛାମୁକରଣ । ପିଲାଏ ଥାଆନ୍ତି ଘରେ । ଆଗ କାଳରେ ପିଲାଙ୍କୁ ବିଦେଶକୁ ନେବା ମନାଥିଲା । ବାଟ ବି ବଡ଼ ଦୁର୍ଗମ । ଦେଢ଼ ବର୍ଷ ଦୁଇ ବର୍ଷରେ ଥରେ ଘରକୁ ଆସନ୍ତି । ଭଲ ଜମିବାଡ଼ି ଥାଏ । ଘରେ ପିଲାଏ ନିଶ୍ଚିନ୍ତରେ ଚଳନ୍ତି, ଛମାସ ଅନ୍ତରରେ ଥରେ ଗାଁରୁ ମଣିଷ ତାଙ୍କ ପାଖକୁ ଆସେ । ତାଙ୍କୁ ଗ୍ରାମର ହାଲଚାଲ କହେ, ତାଙ୍କ ଦେହପା ଖବର ବୁଝି ଟଙ୍କା ଧରି ଗ୍ରାମକୁ ବାହୁଡ଼େ ।

 

ଦିନେ ସନ୍ଧ୍ୟାକୁ ତାଙ୍କ ଗାଁ ବାରିକ ବାହୁଡ଼ା ଆସି ପହଞ୍ଚିଲା । ପଟ୍ଟନାୟକ ପଚାରିଲେ, ‘‘କିରେ ବାହୁଡ଼ି ଘରଖବର ସବୁ କଅଣ ?’’ ବାହୁଡ଼ି କହିଲା, ‘‘ଆଜ୍ଞା ସବୁ ଏକ ପ୍ରକାର ଭଲ ।’’ ରାତିରେ ଖାଇ ପିଇ ରହିଲା । ସକାଳୁ ପଟ୍ଟନାୟକେ ରଜାଘରୁ ଦରମା ପତ୍ର ଆଣି ବସାକୁ ଫେରିଲେ । ଗାଁକୁ ଚିଠି ଲେଖିଲେ । ଗାଧୋଇ କରି ଆସିଲେ, ବାହୁଡ଼ାକୁ ଚଞ୍ଚଳ ବିଦା କରିବା କଥା ଦୂର ଦୁର୍ଗମ ପଥ । ସେ ଖାଇବାକୁ ଯାଉଛନ୍ତି । ହଠାତ୍ କାହିଁକି ତାଙ୍କ ଘରଠାରେ ଥିବା ପୋଷା କୁକୁରଟି କଥା ମନେ ପଡ଼ିଲା । ବାହୁଡ଼ାକୁ ପଚାରିଲେ, ‘‘ହଇରେ ଆମର ସେ ଭାଲୁଆ କୁକୁରଟି କିପରି ଅଛି ?’’

 

ବାହୁଡ଼ା–ଆଜ୍ଞା ସେ ପରା ଘୋଡ଼ା ହାଡ଼ ଗିଳିକରି ମଲା ।

 

ପଟ୍ଟନାୟକ–ଆରେ ଘୋଡ଼ା ହାଡ଼ କୁଆଡ଼ୁ ଖାଇଲା ମ ?

 

ବାହୁଡ଼ା–ପାଣୁଆ ସହିସ ଟୋକା ମଲାଦିନରୁ, ଆପଣଙ୍କର ସେ ତଟୁ ଘୋଡ଼ାଟା ଖବର କେହି ବୁଝିଲା ନାହିଁ । ଖୁଣ୍ଟରେ ବନ୍ଧା ହୋଇ ଶୁଖି ଶୁଖି ମଲା ।

 

ପଟ୍ଟନାୟକ–ଆହା ପାଣୁଆଟି ମରିଗଲା । କଅଣ ହୋଇଥିଲା ମ ?

 

ବାହୁଡ଼ା–ଆଜ୍ଞା ଆମ୍ୱ ଲହୁ ଝାଡ଼ାରେ ମଲା । ବୁଢ଼ୀ ସାହାନ୍ତାଣୀଙ୍କ ଶୁଦ୍ଧ ଘରକୁ ବିଚାରାଟି ଏକୁଟିଆ ବାରଆଡ଼େ ଦଉଡ଼ିଲା । ତା ଉପରେ ପୁଣି ଅଣବଘରା ବିରିଡ଼ାଲି, ଅଣଫୁଟା ସାରୁ କଖାକୁ ତିଅଣ । ବିଚାରାଟି ଆମ୍ୱ ଲହୁ ଝାଡ଼ାରେ ଘାଣ୍ଟି ହୋଇ ଅନେକ ଅନିଭବ କରି ଶେଷକୁ ମଲା ।

 

ପଟ୍ଟନାୟକେ ମା ମରିବା କଥା ଶୁଣି କାନ୍ଦି ପକାଇ କହିଲେ ଆରେ ତୁ ମତେ କଅଣ କହୁଛୁରେ, ଆରେ ବୁଢ଼ୀ ସାଆନ୍ତୀଣୀଙ୍କ ଶୁଦ୍ଧିଘର କଅଣ ରେ ?

 

ବାହୁଡ଼ା–ଆଜ୍ଞା ସେ ବୋହୂ ସାଆନ୍ତାଣୀଙ୍କୁ ଝୁରି ଝୁରି ମଲେ । ଆହା ବୋହୂ ସାଆନ୍ତାଣୀ ତ ମଣିଷ ନୁହନ୍ତି, ସାକ୍ଷାତ୍ ଦେବତା, ଚଢ଼େଇର ପେଟ ଜାଣିବା ଲୋକ ସେ ।

 

ପଟ୍ଟନାୟକଙ୍କ ମୁହଁ କଳା ପଡ଼ିଗଲା । ସେ ବିକଳ ହୋଇ ରଡ଼ି ଛାଡ଼ି ପଚାରିଲେ—ଆରେ ବୋହୂ ସାଆନ୍ତାଣୀଙ୍କୁ ଝୁରିଲେ କଅଣରେ ?

 

ବାହୁଡ଼ା—ଆଜ୍ଞା କରମ ଲିଖନ ସେ, କରମ ଲିଖନ । କପାଳ ଉପରେ ବଳ କାହାର-? ଆଜ୍ଞା, ଆପଣଙ୍କର ଗୋଟିଏ ବୋଲି ପୁଅ, କିଛି ନଟା ଛଟା ନାହାନ୍ତି, ଖାଇପିଇ କଅଁଳା ବାଛୁରୀ ପରି ଡେଇଁଥିଲେ । ଗୁରୁବାର ସୁଦଶା ବ୍ରତ ସନ୍ଧ୍ୟାକୁ କୁଆଡ଼ୁ ଡରିକରି ଆସିଲେ । ଗୋଟିଏ ଝାଡ଼ା ଆଜ୍ଞା ଗୋଟିଏ ଝାଡ଼ା, ସବୁ ଶେଷ । ସେହିଦିନ ଠାରୁ ବୋହୂ ସାଆନ୍ତାଣୀ ମନରେ ଗୋଟାଏ ହାଁ ପୂରାଇ ନ ଖାଇ ନ ପିଇ ଏକା ସଜକେ ପଡ଼ି ରହିଲେ । ଦିନ ଚାରିଟାରେ ତ ଅହ୍ୟମୁଣ୍ଡଳିରେ ଚଲ୍-

 

ଏ କଥା ଶୁଣି ପଟ୍ଟନାୟକ ତଳେ ପଡ଼ି ବାଡ଼େଇ କଚାଡ଼ି ହୋଇ ରଡ଼ି ଛାଡ଼ି କହିଲେ, ‘‘ହଇରେ ଶଳା, ପୁଅ, ମାଇପ, ମା ଚାକର, ଘୋଡ଼ା, କୁକୁର ସବୁ ନିର୍ମୂଳ; ତୁ କାଲିଠାରୁ ଆସି କହୁଛୁ କଅଣ ନା ସବୁ ଏକ ପ୍ରକାର ଭଲ ।’’ ଗୁଡ଼ାଏ ବାଡ଼େଇ ପିଟି ହେଲେ, ଶେଷକୁ ଚାକିରି ଛାଡ଼ି କାନ୍ଦି କାନ୍ଦି ଘରକୁ ଫେରିଲେ ।

Image

 

ଛତର ଖାଈବୁଢ଼ୀ

 

ପାଣୁଆକୁ ଆଠବର୍ଷ ହେଲାବେଳକୁ ତା ବାପ ମଲା । ଗରିବ ଘର । ପାଣୁଆ ମା ଧାନ କୁଟି, ମୂଲଲାଗି, ଫୁଲ ଗୁନ୍ଥି ପାଣୁଆକୁ ଚାରିଅକ୍ଷର ପଢ଼ାଇ ମଣିଷ କଲା । ବିଭାକଲା, ଘରକୁ ବୋହୂ ଆଣିଲା । ପାଣୁଆ ହେଲା ଜମିଦାର ଘର ଗୁମାସ୍ତା ଶ୍ରୀପ୍ରାଣଧନ ପଟ୍ଟନାୟକ ! ବୁଢ଼ୀ ଭାବିଥିଲା, ପୁଅ ବୋହୂ ଘେନି ସୁଖରେ ଘର କରିବ, ମାତ୍ର ହେଲା ବିପରୀତ । ବୋହୂ ଶାଶୁକୁ ଦେଖି ସହି ପାରିଲା ନାହିଁ । ବୁଢ଼ୀର ଛାଇ ପଡ଼ିଲେ ବୋହୂରଲାହି ଲେଉଟିଲା । ବୁଢ଼ୀ ସବୁ ଦୁଃଖ କଷ୍ଟକୁ ପଛକୁ ପକାଇ ଦେଇ ଚଳୁଥାଏ । ସାହି ପଡ଼ିଶାରେ କେହି କିଛି ପୁଅ ବୋହୂଙ୍କ କଥା ବୁଢ଼ୀକ ପଚାରିଲେ ବୁଢ଼ୀ କହେ ‘‘ଉଠମ । ରାତି କେତେକ ସପନ କେତେ । ତାଙ୍କର ଘରଦ୍ୱାର କରି ସେମାନେ ସୁଖରେ ରହନ୍ତୁ । ଆମରହାଟ ପାଳିକର ସଉଦା ।’’ ମାଇପ କଥାରେ ପୁଅ ବି ବୁଢ଼ୀ କଥା କିଛି ବୁଝେ ନାହିଁ ମାତ୍ର ସାତ ବର୍ଷର ନାତି ମୋହନଟି ବୁଢ଼ୀପାଖ ଛାଡ଼େ ନାହିଁ । ବୁଢ଼ୀ ଖିଆପିଆରେ ଓ ଲଗାଇବାରେ ଯେତେ କଷ୍ଟ ପାଇଲେ ବି ମୋହନଟିର ମୁହଁକୁ ଅନାଇ ଦେବା ମାତ୍ରେ ତାର ସବୁ ଦୁଃଖ ପାଶୋର ଯାଏ । ମୋହନଟି କ୍ରମେ କ୍ରମେ ବଡ଼ ହେଲା, ଗାଁ ଚାହାଳିରେ ପାଠ ପଢ଼ିଲା । ପଢ଼ିଲା ନାହିଁତ, ପାଠ ଗୁଡ଼ାକ ପିଇ ଦେଇଗଲା । ଭାରି ବୁଦ୍ଧିଆ । ସମସ୍ତେ ଧନ୍ୟ ଧନ୍ୟ କହନ୍ତି । ମୋହନର ଟିକିଏ ବୁଝି ପାରିବାର ଶକ୍ତି ହେବାରୁ ସେ ଜେଜେମାର ଦୁଃଖ ଦେଖି ମାକୁ ବୁଝାଇ କରି ଅନେକ ଥର କହେ, ଏହା ଫଳରେ ନାତିକୁ କୁଶିକ୍ଷା ଦେଉଛି ବୋଲି ବୋହୂଠାରୁ ବୁଢ଼ୀ ଗାଳି ଶୁଣେ । ବୁଢ଼ୀକୁ ପ୍ରତିଦିନ ଦି ପହର ସରିକି ଖଣ୍ଡିଏ ଭଙ୍ଗାପଥୁରିରେ ମୁଠିଏ ବାସି ପଖାଳ ଓ ଚିମୁଟାଏ ଲୁଣ ପଡ଼ି ମିଳେ । ତଥାପି ବୁଢ଼ୀ ସେତକ ସନ୍ତୋଷ ମନରେ ଖାଇ ଦିଏ-। ଅସନ୍ତୋଷ ହେଲେ କାଳେ ତା ପୁଅ ନାତିଙ୍କ ଉପରେ ନିଃଶ୍ୱାସ ପଡ଼ିବ ବୋଲି ବିଚାରି ବୁଢ଼ୀ ମୁହଁ ମାଡ଼ି ସବୁ ସହିଯାଏ ।

 

ବୈଶାଖ ମାସ ଉଦୁଉଦିଆ ଦି ପହର । ବୁଢ଼ୀ ବାସି ପଖାଳ ମୁଠିକ ଖାଇ ଦେଇ, ତାଳୁଫଟା ଖରାରେ ଭଙ୍ଗା ପଥୁରି ଖଣ୍ଡିକ ଧୋଇବା ପାଇଁ ବାଡ଼ି ଗଡ଼ିଆକୁ ଗଲା । ବାଡ଼ିଆଡ଼କୁ ପୁଅ, ବୋହୂ, ନାତି କାହିଁଙ୍କି ଆସିଲେ । ବୁଢ଼ୀ ପଥୁରି ଧୋଇ ଫେରିବା ସମୟରେ ପୁଅ ବୋହୂଙ୍କୁ ଚାହିଁ କରି ଆସୁ ଆସୁ ପଥୁରୀ ତା ହାତରୁ ତଳେ ପଡ଼ି ଛତ୍ର ଛାଉଳ ହୋଇଗଲା । କପାଳରେ ତାର ଅନେକ ଅବସ୍ଥା ଅଛି ବୋଲି ଭାବି ବୁଢ଼ୀର ହାଲୁକା ଶୁଖିଗଲା । ଏହି ସମୟରେ ନାତି ଦଉଡ଼ି ଯାଇ, ‘‘ଛତରଖାଇ ବୁଢ଼ୀ ସବୁ ସାଇଲା’’ ବୋଲି କହି ବୁଢ଼ୀ ପିଠିରେ ଦିଟା ବିଧା କଷି ଦେଲା । ପୁଅ ବୋହୂ ବୁଢ଼ୀ ପଥୁରୀ ଭାଙ୍ଗିବାର ଦେଖି ରାଗରେ ଜଳିଗଲେ ମଧ୍ୟ ଏଡ଼େ ସାନ ପିଲାଟାଏ ହଠାତ୍ ଯାଇ ଷାଠିଏ ବର୍ଷର ବୁଢ଼ୀ ପିଠିରେ ଦିଟା ଲଦି ଦେବ, ନାହିଁ ନାହିଁ ବୁଢ଼ୀ ତୁଣ୍ଡରୁ କଅଣ ବାହାରି ପଡ଼ିବ, ପୁଅର ଅମଙ୍ଗଳ ହେବ, ଏହା ବିଚାରି ପୁଅକୁ ଆକଟ କରି କହିବାରୁ ପୁଅ ମାକୁ କହିଲା, ‘‘ଦେଖିଲ, ଜେଜେମା ମତେ କେଡ଼େ ହିନସ୍ତାରେ ପକାଇଲା । ତାକୁ ମାରନ୍ତି ନାହିଁତ ଆଉ କଅଣ ପୂଜା କରନ୍ତି ? ଆଚ୍ଛା ମୁଁ ତ ଫେରେ ବିଭା ହେବି । ମୋର ତ ଫେର୍ ବୋହୂ ଆସିବ । ସେତେବେଳକୁ ତୁ ତ ବୁଢ଼ୀ ହୋଇ ଯାଇଥିବୁ । ତତେ ଚାରି ଦିନର ବାସି ପଖାଳ ଦେବାକୁ ମୁଁ ପୁଣି କୁଆଡ଼ୁ ଗୋଟାଏ ଭଙ୍ଗା ପଥୁରୀ ଖୋଜିବି ?’’ ଏ କଥା ଶୁଣି ପୁଅ ବୋହୂ ଦୁହେଁଯାକ ଘର ଭିତରକୁ ଚାଲିଗଲେ । କଥାଟା ବୋହୂର କଲିଜାରେ ତାତିଲା ଲୁହା ଶାବଳର ମାଡ଼ପରି ବସିଗଲା । ପୁଅ ବୋହୂକୁ କହିଲା, ‘‘ଦେଖାଶିଖା ଓଡ଼ିଶା, ଏତ ଘରେ ନ ପଶୁଣୁ ଚାଳ ବାଜିଲାଣି ।’’ ସେହି ଦିନଠାରୁ ପୁଅବୋହୂ ବୁଢ଼ୀକୁ ଭାରି ହେପାଜତରେ ରଖିଲେ । ବୁଢ଼ୀ ନାତିକୁ କଲ୍ୟାଣ କରି କରି ମଲା ।

 

ସଙ୍ଗାତଙ୍କ ଟଙ୍କା

 

ଚିନ୍ତାମଣି ଚିନେରା ସୁନାରୀ ବଣିଆକୁ କଳିଷଠା ଷାଠିଏ ପୂରି ବାଆଷଠି ଆସି ହେଲାଣି । ଧନୁର୍ଦ୍ଧରା ଚାରି ପୁଅ, ସମସ୍ତେ ସୁନା ରୂପା କାମ କରନ୍ତି । ପୁଅମାନେ ପାରିଯିବାରୁ ବୁଢ଼ା କୌଣସି କାମରେ ହାତ ଦିଏ ନାହିଁ । ଖାଇ ପିଇ ଆରାମରେ ବସିଥାଏ । ସନ୍ଧ୍ୟାକୁ ତଳ ସାହି ନବୀନ ସାହୁ ସଙ୍ଗାତ ଘରକୁ ଯାଏ । ପିଲାଟି ଦିନୁ ଦୁହେଁଯାକ ଚାହାଳିସଙ୍ଗାତ । ଘଡ଼ିଏ ପହରେ ଗପ କରି ଘରକୁ ଫେରେ । ସମସ୍ତେ ଜାଣନ୍ତି ବୁଢ଼ା ପାଖରେ ଭଲ ପଇସା ଅଛି । ସେ ଧନର ଓର ବୁଢ଼ା କାହାକୁ ଦେଖାଏ ନାହିଁ । ଯକ୍ଷ ପରି ଗମ୍ଭିରା ଘର ସିନ୍ଦୁକଟିକୁ ଜଗି କରି ବସିଥାଏ ।

 

ଚାରି ବୋହୂଯାକ ଦିନ ରାତି ବୁଢ଼ାର ସେବାରେ ଲାଗି ଥାଆନ୍ତି । ସମସ୍ତେ ମନେ ମନେ ବିଚାରନ୍ତି ବୁଢ଼ା ଯାହା ଉପରେ ବହୁତ ସନ୍ତୁଷ୍ଟ ହେବ, ମଲା ବେଳକୁ ତାକୁ ସମସ୍ତଙ୍କଠାରୁ ବହୁତ ଧନ ଦେବ ।

 

ଦିନେ ବୁଢ଼ା ଯାଇ ସଙ୍ଗାତଙ୍କୁ କହିଲା ‘‘ସଙ୍ଗାତ ଏଣିକି ତ ଆମେ ହେଲୁ ପାଚିଲା ଆମ୍ୱ । ଟିକିଏ ଟାଣ ପବନ ହେଲେ ଝଡ଼ିଲୁ, ଯାହା ପାଖରେ ଅଛି ଚାରି ବୋହୂଙ୍କୁ ବାଣ୍ଟି ଦେବି’’ । ଏ କଥା ଶୁଣି ସଙ୍ଗାତ କହିଲା, ‘‘ବୁଝିଲ ନା ସଙ୍ଗାତ । ଏଡ଼େ ତୋରାବୋରା କିଆଁ । ଜନ୍ମ ମରଣ ବରଷା, ଏହା ନ ଜାଣେ ପୁରୁଷା । କେଉଁ ଦିନ ମରିବା କିଏ ଜାଣେ ? ମଲେତ ସେହିମାନେ ନେବେ । ଆଗତୁରା ବଣ୍ଟାବଣ୍ଟି କରିବାର ନା ଧରନ ।’’ ବୁଢ଼ା ଘରକୁ ଫେରିଲା ମାତ୍ରେ ସଙ୍ଗାତଙ୍କ କଥା ତା ମନକୁ ପାଇଲା ନାହିଁ ବିଚାରିଲା ‘‘ମୁଁ ମରିଗଲେ ଏହି ଟଙ୍କା ଯୋଗୁ ଭାଇ ଭାଇ ମଧ୍ୟରେ ବିବାଦ ଲାଗି ଘରଟି ନାରଖାର ହୋଇଯିବ । ମୁଁ ଥାଉ ଥାଉ କଥାଟା ଛିଣ୍ଡାଇ ଦେଇଯିବା ଦରକାର ।’’ ଏହାର ଦୁଇ ଚାରି ଦିନ ପରେ ବୁଢ଼ା ବୋହୂମାନଙ୍କୁ ପାଖକୁ ଡାକି ବହୁତୁ ବହୁତୁ ଉପଦେଶ ଦେଇ ଚାରି ସମାନ ଭାଗରେ ଚାରି ବୋହୂଙ୍କୁ ଟଙ୍କାତକ ବାଣ୍ଟି ଦେଲା ।

 

ବୋହୂମାନେ ବୁଢ଼ାର ଧନତକ ହାତ ପଇଠ କରି ଆଉ ବୁଢ଼ାର ଭଲ ଯତ୍ନ ନେଲେ ନାହିଁ । ପ୍ରତ୍ୟେକେ ବିଚାରିଲେ ଅନ୍ୟ ତିନି ବୋହୂଙ୍କ ଅପେକ୍ଷା ସେ ବୁଢ଼ାର ଖବର ଅନ୍ତର ଭଲ କରି ବୁଝେ । ତେଣୁ ବୁଢ଼ା ତାକୁ ସମସ୍ତଙ୍କ ଅପେକ୍ଷା ବହୁତ ଦେବ ! ମାତ୍ର ବୁଢ଼ା ସମସ୍ତଙ୍କୁ ସମାନ କରି ଦେବାରୁ ସମସ୍ତଙ୍କ ମନ ଊଣା ହୋଇଗଲା । ଆପଣା ଭିତରେ ଖେଣ୍ଟା ଖେଣ୍ଟି ହୋଇ ବୁଢ଼ାକୁ ହଇରାଣ କଲେ । ଦିନେ ବୁଢ଼ା ଯାଇଁ ସଙ୍ଗାତକୁ ସବୁକଥା କହିଲାରୁ ସଙ୍ଗାତ କହିଲା, ‘‘ମୁଁ ପରା ଏତେ କରି ମନା କରିଥିଲି, ମାନିଲ ନାହିଁ । ତୁମେ ହଇରାଣ ନ ହେବ ତ ଆଉ ହେବ କିଏ ?’’ ବୁଢ଼ା କହିଲା, ‘‘ସଙ୍ଗାତ ତୁମ ବୋଲ ନ ମାନି ଯାହାତ ପରାଭବ ପାଇବାର ପାଇଲି । ଏବେ ଉପାୟ ?’’ ସଙ୍ଗାତ କହିଲା, ‘‘ଉପାୟ ଅଛି ।’’ ଗୋଟିଏ ଟଙ୍କା ଆଣି ବୁଢ଼ାକୁ ଦେଇ କହିଲା, ‘‘ଏ ଟଙ୍କାଟି ନିଅ ନିତି ନିଶବଦ ରାତିରେ ଉଠି, କବାଟ କୀଳି ଏହି ଟଙ୍କାଟିକୁ ଥରକୁ ଥର ତଳେ ବାଡ଼େଇବ । ପହରେ ଖଣ୍ଡେ ଏହିପରି କରି ଶୋଇବ । ଆଉ ସେ ଘରେ କାହାକୁ ପୂରେଇ ଦେବ ନାହିଁ । ଟିକିଏ କୁଆଡ଼େ ଗଲେ ଘରେ ତାଲା ଦେଇ ଯିବ ।’’

 

ସଙ୍ଗାତଙ୍କ କଥା ଅନୁସାରେ ବୁଢ଼ା କାମ କଲା । କ୍ରମେ ବୋହୂମାନେ ବୁଢ଼ା ଟଙ୍କା ବଜାଇବା ଶବ୍ଦ ଶୁଣି ବିଚାରିଲେ, ‘‘ଆରେ ବୁଢ଼ା ପାଖରେ ତ ଆହୁରି ମାଲ ଅଛି ।’’ ଟଙ୍କା ଲୋଭରେ ପୁଣି ବୁଢ଼ାକୁ ତହୁଁ ବଳି ତହୁଁ ବଳି ସେବା କଲେ । ଏହାର ଦୁଇ ଚାରିବର୍ଷ ପରେ ବୁଢ଼ାର ଶେଷ ବେଳ ଆସି ପହଞ୍ଚିଲା । ବୋହୂମାନେ ବିଚାରିଲେ କାହାକୁ କଅଣ ଦେବ ଏଥର ବୁଢ଼ା କହିବ, ମାତ୍ର ବୁଢ଼ା ଦବା ନା ନ ଧରି ସଙ୍ଗାତକୁ ଡକାଇଲା । ସେ ଆସିଲାରୁ ମାଣ୍ଡି ତଳୁ ଟଙ୍କାଟି ବାହାର କରି ସଙ୍ଗାତଙ୍କ ହାତକୁ ବଢ଼ାଇ ଦେଇ ବାଟ କାଟିଲା । ବୁଢ଼ାର ଶୁଦ୍ଧ ଶ୍ରାଦ୍ଧ ପରେ ସିନ୍ଦୁକ ଫିଟାଇ ଦେଖିଲାବେଳକୁ ଫଟା ପାହୁଲାଟିଏ ସୁଦ୍ଧା ନାହିଁ ।

Image

 

ଅନେଶୋତ ଧକା

 

ସମସ୍ତେ କହନ୍ତି, ‘‘ମୁକୁନ୍ଦ ମୁଦୁଲି ଥୋଡ଼ିଆ ମହାଜନ ନା ଧଇଲେ ସେ ଦିନ ଖାଡ଼ା ଓପାସ ।’’ ହେଲେ କଅଣ ହେଲା, ବୁଢ଼ାର ଉଭା ଯେତେ ପୋତା ସେତେ । ଭେଣ୍ଡା ଭେଣ୍ଡା ପାଞ୍ଚ ପୁଅ । ସମସ୍ତଙ୍କୁ ବେପାର ବଣିଜରେ ବୁଢ଼ା ଦୂର ଦେଶକୁ ପଠାଏ । କାହାକୁ ଘରେ ଦଣ୍ଡେ ବସାଇ ଦିଏ ନାହିଁ । ଏତେ ଧନ ଥାଇଁ କଅଣ ହେବ; ପଖାଳ ଭାତ ଲେଉଟିଆ ଶାଗ ଖରଡ଼ା ଛଡ଼ା ଆଉ କିଛି କାହାର ପାଟିରେ ବାଜେ ନାହିଁ ।

 

ମୁଦୁଲିଙ୍କ ଘରକୁ ଲାଗି ଫତେ ଖାଁ ଫକିରର ଭଙ୍ଗାକୁଡ଼ିଆ । ଫତେ ଖାଁ ଭିକମାଗି ଦିନ ଦି ପହର ସରିକି ଘରକୁ ଫେରି ରନ୍ଧା ବଢ଼ା କରେ, ପିଆଜ ରସୁଣ ଛୁଙ୍କରେ ଚାରିଆଡ଼ ଚହଟି ଉଠେ । ଦିନେ ବୁଢ଼ାର ସବୁ ବୋହୂଯାକ ବସି ବିଚାର କଲେ, ‘‘ଦେଖ ଆମର ଏତେ ସମ୍ପତ୍ତି ଥାଇ ପଖାଳ ଭାତ ଲେଉଟିଆ ଶାଗ ଛଡ଼ା ଭଲ ଜିନିଷ ଦିନେ ହେଲେ ପାଟିରେ ବାଜିଲା ନାହିଁ, ଆଉ ଛାର ଭିଖ ମଗା ଫକିରଟାଏ, ବଘରା ବାସେନାରେ ଗାଁ ମହକାଇ ଦେଉଛି । ମଲାବେଳେ କଅଣ ଏ ଧନ ସମ୍ପତ୍ତି ଆମ ସାଙ୍ଗରେ ଗୋଡ଼େଇ ଯିବ । ଚାଲ ସମସ୍ତେ ଯାଇ ବୁଢ଼ାଙ୍କୁ କହିବା । ପେଟକୁ ମୁଠାଏ ଭଲ କରି ନ ଖାଇଲେ ଏଠି ରହିବ କିଏ ? ବାପଘରକୁ ଚାଲିଯିବା ।’’ ସମସ୍ତଙ୍କ ମନକୁ କଥାଟା ଘେନିଲା । ସମସ୍ତେ ଯାଇ ଶାଶୁଙ୍କୁ କହିଲେ । ବୁଢ଼ୀତ ଆଗରୁ ବୁଢ଼ାର ନାଡ଼ୀ ନକ୍ଷତ୍ର ଭଲ କରି ଠଉରେଇଛି । ବୁଢ଼ା ପାଖକୁ ଯିବାକୁ ସମସ୍ତଙ୍କୁ ମନାକଲା । ବୋହୂମାନେ ଜିଗର କରିବାରୁ ବୁଢ଼ୀ ସେମାନଙ୍କୁ ସାଙ୍ଗରେ ଘେନି ବୁଢ଼ା ପାଖରେ ପହଞ୍ଚି କହିଲା, ‘‘ବୋହୂମାନେ କଅଣ ଗୁହାରି କରିବାକୁ ଆସିଛନ୍ତି ।’’ ସାଧାରଣତଃ କାମ୍ପି ଲୋକ ଗୁଡ଼ାକ ଭାରି କଅଁଳକୁହା । ବୁଢ଼ା ଭାରି କଅଁଳ କଥାରେ ପଚାରିଲା ‘‘ମୋ ମାମାନେ କଅଣ କହୁଛନ୍ତି ?’’ ୟେ ତା ମୁହଁକୁ ସେ ୟା ମୁହଁକୁ ଅନାଇଲେ, ଶେଷରେ ସାନବୋହୂ କହିଲା, ‘‘ଆମେ ଖାଇବା ପିଇବାରେ ଭାରି ହଇରାଣ ହେଉଛୁ-।’’ ବୁଢ଼ା ଖଣ୍ଡିକାଶ ମାରି କହିଲା, ‘‘କି କଥା ୟେ । ଘରେ ତ ଚାଉଳ ଅଛି, ବାଡ଼ିରେ ଲେଉଟିଆ ଶାଗ ଅଛି । ମୋ ମାମାନେ ଖାଇବାରେ ହଇରାଣ ହେଲେ କାହିଁକି ? ସାନବୋହୂ କହିଲା, ‘‘ଖାଲି ଶାଗ ଭାତ ଥିଲେ କଅଣ ହେଲା, ଭଲ ନାହିଁ, ମନ୍ଦ ନାହିଁ, ମାଛ ଶୁଖୁଆ ଟିକିଏ ପାଟିରେ ବାଜିଲା ନାହିଁ, ପିଠାପଣାତ ସପନ ।’’ ବୁଢ଼ା କହିଲା ‘‘ଭଗବାନଙ୍କ ପାଖରେ ଜଣାଅ ଏହି ଶାଗ ଭାତ ସବୁଦିନେ ମିଳୁ । ମାଛ ଶୁଖୁଆ ଗୁଡ଼ାକ ଦେହକୁ ଅହିତ । ପିଲାଲୋକ ତୁଣ୍ଡ ଲାଳସାରେ ସିନା ଏଣୁତେଣୁ ଖାଇବାକୁ ଆଶା କରୁଛ । ମାତ୍ର ମାଛ ଶୁଖୁଆ ସବୁ ରୋଗର ମୂଳ ।’’ ସାନ ବୋହୂ ଭାରି ବଡ଼ଘର ଝିଅ, ସେ ଆହବି ଯାଇ କହିଲା, ‘‘ଫତେ ଖାଁ ଭିକ ମାଗେ ସେ ପିଆଜ ରସୁଣ, ମାଛ ମାଂସ ତିଅଣ କରି ବାସେନାରେ ବ୍ରହ୍ମାଣ୍ଡ ଫଟାଇ ଦେଉଛି, ଆଉ ଆମର ଅଚଳାଚଳ ସମ୍ପତ୍ତି ଖାଲି ଶାଗ ଭାତ ଛଡ଼ା ପାଟିରେ ଆଉ କିଛି ବାଜିବାକୁ ନାହିଁ ।’’ ବୁଢ଼ା ଠୋ ଠୋ ହୋଇ ହସି କହିଲା, ‘‘ଆଲୋ ମା ତାଠେଇଁ ଅନେଶୋତ ଧକ୍କା ବାଜି ନାହିଁ ।’’ ଏକଥା ଶୁଣି ବୁଢ଼ୀ ବୋହୂମାନଙ୍କୁ ବୋଧ ଶୋଧ କରି ଭିତର ଖଞ୍ଜାକୁ ଘେନିଯାଇ କହିଲା, ‘‘ଆଲୋ ମା ମୁଁ ପରା ମନା କରୁଥିଲି । ଫଳତ ମିଳିଲା ଲେଫେଡ଼ା, ଖାଲି ସେ ଗରିବ ଫକିରଟିକୁ ଗୁଡ଼ାଏ ଧକ୍କା ଖୁଆଇଲ । ବୁଢ଼ାତ କଅଣ ଅନେଶୋତ ଧକ୍କା କଥା କହିଲାଣି ।’’ ସମସ୍ତେ କର୍ମଆଦରି ରହିଲେ । ଫତେ ଖାଁ ତହିଁ ଆରଦିନ ସକାଳୁ ଉଠି ସବୁ ଦିନପରି ଭିଖ ମାଗିବାକୁ ଚାଲିଗଲା । ବୁଢ଼ା ଗୋଟିଏ ବଟୁଆରେ ଅନେଶୋତଟି ଟଙ୍କା ପୂରାଇ ଜଣେ ବିଶ୍ୱାସୀ ଚାକରକୁ ଡାକି କହିଲା, ‘‘ଏ ବଟୁଆଟି ନେଇ, ଫତେ ଖାଁ କୁଡ଼ିଆ ଚାଳ କଣା କରି ତା ଘର ଭିତରକୁ ପକାଇ ଦେ ।’’ ଚାକର ବଟୁଆଟି ନେଇ ଫତେ ଖାଁ ଚାଳ କଣା କରି ପକାଇ ଦେଲା । ଦି ପହର କି ଦଶଘଡ଼ି ସରିକି ଫତେ ଖାଁ ଭିଖ ମାଗି ଘରକୁ ଫେରିଲା-। ଦୁଆର ଫିଟାଇ ଦେଖେତ ଘର ମଝିରେ ଗୋଟାଏ ବଟୁଆ ପଡ଼ିଛି । ଲଣ୍ଡଭଣ୍ଡ ହୋଇ ବଟୁଆଟି ଗୋଟାଇ ଆଣିଲା । ଫିଟାଇ କରି ଗଣିଲା ଅନେଶୋତ ଟଙ୍କା । ଚାଳକୁ ଚାହେଁତ ଚାଳ କଣା ହୋଇଛି । ବିଚାରିଲା ‘‘ଆରେ ଠିକ୍ କଥା, ଖୋଦା ଦେଏଗା ତ ଛପର ଫାଡକେ ଦେଏଗା । ଆଚ୍ଛା-! ଆଉ ଗୋଟିଏ ଟଙ୍କା ହେଲେତ ଶହେ ହେବ ।’’ ଯାହି ତାହି କରି ଦିଟା କଅଣ ଫୁଟେଇ ଦେଇ ଖାଇଲା । ଆଉ ବିଶ୍ରାମ ନେବ କଅଣ ପୁଣି ଭିଖ ମାଗିବାକୁ ବାହାରିଲା । ଯାହା ପାଏ ସବୁ ବିକି ସାମାନ୍ୟ କିଛି ଖାଇ ପଇସା ସଞ୍ଚିଲା । ଦୁଇ ଚାରି ଦିନରେ ଶହେଟି ଟଙ୍କା ପୂର୍ଣ୍ଣ ହୋଇଗଲା-। ଘରେ କବାଟ କିଳି, ସେ ଟଙ୍କାକୁ ଦଶ ପଚାଶ ଥର ଗଣିଲା । ମନରେ ଭାବିଲା ଏତ ଶହେ-। ଶହକୁ ସିନା ଦୁଇଶହ କଲେ ହେବ ?’’ ସେହି ଦିନଠାରୁ ଯାହା ପାଇଲା ସବୁ ସଞ୍ଚିଲା, କେଉଁଦିନ ମୁଢ଼ି ଉଖୁଡ଼ା ଦୁଇଟା, କେଉଁଦିନ ବା ଖାଳି ଚୂଡ଼ା ଲୁଣ ଦିଟାରେ ଗୁଜୁରାଣ ମେଣ୍ଟାଇ ସବୁ ପାଣ୍ଠି କଲା ।

 

ଏହାର କିଛି ଦିନ ପରେ ଦିନେ ବୁଢ଼ା ଖାଇ ବସିଛି । ବୁଢ଼ୀ ଆସି ପାଖରେ ବସିଲା । ବୁଢ଼ା ବୋହୂମାନଙ୍କୁ ଶୁଣାଇ କରି ବୁଢ଼ୀକୁ ପଚାରିଲା, ‘‘ଆଚ୍ଛା ଫତେ ଖାଁର ପିଆଜ ବଘରା ଚାଲିଛି ନା ?’’ ବୁଢ଼ୀ ମୁହଁ ଶୁଖାଇ କରି କହିଲା, ‘‘ସେଦିନ କଅଣ ଅନେଶୋତ ଧକ୍କା କଥା କହୁଥିଲ, କାହା ହାତରେ ତାକୁ ଗୁଡ଼ାଏ ଧକା ମରାଇଲ । ସେହି ଦିନଠାରୁ ବଘରା କଥା କିଏ ପଚାରେ ଘରକୁ କେତେବେଳେ ଆସୁଛି, ଘରୁ କେତେବେଳେ ଯାଉଛି କିଛି ସୋର୍ ଶବଦ ନାହିଁ ।’’ ବୁଢ଼ା କିଛି କହିଲା ନାହିଁ ।

 

ତହିଁଆର ଦିନ ସକାଳୁ ଫତେ ଖାଁ ଭିକ ମାଗିବାକୁ ଚାଲିଯିବାରୁ ବୁଢ଼ା ସେ ଚାକରକୁ ଡାକି କହିଲା, ‘‘ଯା କି, ହାତିଅନ୍ଧ ପାଙ୍କବାଟେ ଫତେ ଖାଁ କୁଡ଼ିଆ ଭିତରେ ପଶି ଚାରିଆଡ଼ ଖୋଜିବୁ, କେଉଁଠାରେ ଟଙ୍କା ରଖିଛି ଘେନି ଆସିବୁ, କେହି ଯେପରି ନ ଦେଖନ୍ତି । ଚାକର ହାତୀଅନ୍ଧ ବାଟେ ତା ଘରେ ପଶିଲା । ଗୋଟିଏ ଭଙ୍ଗା ବାକ୍ସ ଦେଖିଲା । ବାକ୍ସ ମେଲା କଲାରୁ ଛିଣ୍ଡାଲୁଗା ତଳେ ବଟୁଆଟି ଥୁଆ ହୋଇଛି ଦେଖି ଘେନି ଆସି ବୁଢ଼ାକୁ ଦେଲା । ବୁଢ଼ା ଗଣି କରି ଦେଖିଲା ଶହେ ଚାରି ଟଙ୍କା । ବଟୁଆଟି ରଖିଲା । ଭିକ ମାଗି ଫତେ ଖାଁ ଫେରି ଦେଖେ ତ ବାକ୍ସଟା ମେଲା ହୋଇଛି ଓ ତା ଭିତରେ ସେ ଟଙ୍କା ବଟୁଆଟି ନାହିଁ । ଗୁଡ଼ାଏ ବ୍ୟସ୍ତ ହେଲା ପରେ ଭାବିଲା, ‘‘ଆରେ ମିଛଟାରେ ଏତେ ଦହଗଞ୍ଜ ହୋଇ ଟଙ୍କା ସଞ୍ଚିଲି । ଶେଷକୁ ସବୁ ଗଲା, ଖାଲି ପେଟକଷ୍ଟ ସାର ହେଲା । ମୋ କରମରେ ତ ଭିଖ ମାଗିବା ଅଛି, ଟଙ୍କା ରହିବ କୁଆଡ଼ୁ । ଛାଡ଼, ଆଉ ସେ ଟଙ୍କା ନା ଧରିବି ନାହିଁ । ‘‘ପୁଣି ଭିଖ ମାଗି ପିଆଜ ବଘରାରେ ଚାରିଆଡ଼ ଚହଟେଇ ଦେଲା । ବୁଢ଼ା ନିଜର ଅନେଶୋତ ଟଙ୍କା ରଖି ବାକି ପାଞ୍ଚଟଙ୍କା ଚାକର ହାତରେ ତା ଚାଳ କଣା କରି ପକାଇ ଦେଲା । ଫକିର ଫେରି ଆସି ଘରେ ପାଞ୍ଚଟଙ୍କା ପଡ଼ିବାର ଓ ଛପର କଣା ହେବାର ଦେଖି କହିଲା ‘‘ଖୋଦା ମତେ ବେକୁବ୍ ବୋଲି ଠଉରେଇଲେଣି । ଆଉ ଫତେ ଖାଁ ଭୁଲିବା ଲୋକ ନୁହେଁ । ଟଙ୍କାରୁ ଦୁଇଟି ନେଇ ମାଉଁସ ଆଣି ଉଠେଇଲା ଛୁଙ୍କ ।

 

ସେହି ଦିନ ରାତିକୁ ବୁଢ଼ା ଖାଇ ବସିଲା ବେଳେ ସେ ବୁଢ଼ୀ ଓ ବୋହୂମାନଙ୍କୁ ଡାକି ପଚାରିଲା, ‘‘ଫତେ ଖାଁ ଖବର କଅଣ ?’’ ବୁଢ଼ୀ କହିଲା, ‘‘ପୁଣି ଆଜି ଦିପହରିଆ ବେଳେ ଛୁଙ୍କ ବଘରାରେ ଗାଁ ମହକାଇ ଦେଲା ।’’ ତା ପରେ ବୁଢ଼ା ଟଙ୍କା ପକାଇବାଠାରୁ ଗୋଟି ଗୋଟି କରି ସବୁ କଥା କହି ଶେଷରେ କହିଲା, ‘‘ଯେ ଟଙ୍କାରେ ଧ୍ୟାନ ରଖେ ତାର ଖାଇବା ପିନ୍ଧିବାରେ ଧ୍ୟାନ ନ ଥାଏ । ହଜାରକ କିପରି ଦୁଇ ହଜାର ହେବ, ଦୁଇ ହଜାରକ କିପରି ପାଞ୍ଚହଜାର ହେବ, ଦିନରାତି ତାର ଏହି ଧ୍ୟାନ । ମୁଁ ସେହି ଟଙ୍କାକୁ ଚିହ୍ନିଲି । ଏହି ଫକିର ପରି ମୁଁ ଭିଖ ମାଗୁଥିଲି, ଆଜି ଲକ୍ଷେ ଟଙ୍କାର ମୁଣ୍ଡ । ମୋ ଅନ୍ତେ ତୁମ୍ଭେମାନେ ଖାଇ ପିଇ ମଉଜ ମଜଲିସ୍ କରି ଟଙ୍କା ଉଡ଼ାଇବ ପଛକେ ମୁଁ ଥିବା ପର୍ଯ୍ୟନ୍ତ ସେହି ଶାଗ ଖରଡ଼ା ପଖାଳ ଭାତକୁ ସନ୍ତୋଷ ମନରେ ଖାଇ କରି ରୁହ ।

Image

 

ସତ୍ୟବନ୍ତ ମହାଜନ

 

ଚମ୍ପା ପଦର ଗାଁରେ ଭାଗବତ ସାହୁ ମହାଜନ ଘର । ଧନ ଧାନ୍ୟ ଗୋପଲକ୍ଷ୍ମୀ ଚତୁବର୍ଗରେ ଘରପୂର୍ଣ୍ଣ । ଚାରିଖଣ୍ଡ ବୋଇତରେ ବେପାର ବଣିଜ ଚାଲେ । ପାଖ ଆଖ ଦଶକୋଶ ମଧ୍ୟରେ ଭାଗବତ ସାହୁକୁ ବଳି ଧନୀ ମହାଜନ ନ ଥିଲେ । କେତେ କହନ୍ତି ଭାଗବତ ସାହୁର ଉଭା ଯେତେ ପୋତା ସେତେ । ଭାଗବତ ସାହୁ ବଡ଼ ଧାର୍ମିକ ଓ ସତ୍ୟବନ୍ତ ଲୋକ । ଦୁଃଖୀ-ରଙ୍କୀ ଅତିଥି ଅଭ୍ୟାଗତ ଶୂନ୍ୟ ହାତରେ ମହାଜନ ଦୁଆରୁ ଫେରିବାର କେହି କେବେ ଦେଖି ନାହିଁ । ଚମ୍ପା ସଦର ଗାଁ ଆଖପାଖ ଦୁଇ କୋଶ ମଧ୍ୟରେ କୌଣସି ହାଟ ନ ଥିଲା । ତେଣୁ ଗ୍ରାମବାସୀମାନେ ହାଟ ସଉଦା କରିବାକୁ ତିନିକୋଶ ବାଟ ନରଣଗଡ଼ ହାଟକୁ ଯାଉଥିଲେ । ଚମ୍ପାପଦର ଗାଁ ଗୋଟାଏ ବଡ଼ ଗାଁ, ଊଣା ଅଧିକେ ଛତିଶପାଟକ ବାସ କରନ୍ତି । ହଜାରବସ୍ତି । ଦିନେ ଗାଁର ମୁଖିଆ ଲୋକ ପାଞ୍ଚ ଦଶଜଣ ଭାଗବତ ସାହୁଙ୍କ ଘରକୁ ଆସି କହିଲେ, ‘‘ତୁମପରି ଏଡ଼େବଡ଼ ମହାଜନ ଥାଉଁ ଥାଉଁ ଆମେ ହାଟ ସଉଦା ପାଇଁ ମାସକରେ ଆଠଥର ତିନିକୋଶ ବାଟ ଯା ଆସ କରିବୁ ଏଇଟା କଅଣ ତମକୁ ସୁନ୍ଦର ଦିଶୁଛି ?’’ ମହାଜନ କହିଲା ‘‘କିଛିଚିନ୍ତା ନାହିଁ, ମଙ୍ଗଳାଙ୍କ ତୋଟାରେ ମୁଁ ଗୋଟାଏ ହାଟ ବସାଇବି । ଆଗରୁ କହିଥିଲେ କେଉଁ ଦିନରୁ ହାଟ ବସି ସାରନ୍ତାଣି ।’’ ସାଙ୍ଗେ ସାଙ୍ଗେ ଛ’ ଗୁମାସ୍ତାକୁ ଡାକି କହିଳା, ‘‘ତୁମେ ଆଖପାଖ ଗ୍ରାମମାନଙ୍କରେ ଟମକ ଦିଆଇ ଲୋକମାନଙ୍କୁ ଜଣାଇଦିଅ ଯେ ଆସନ୍ତା ସୋମବାର ଶ୍ରୀପଞ୍ଚମୀ ଦିନ ଚମ୍ପାପଦର ମଙ୍ଗଳାଙ୍କ ତୋଟାରେ ହାଟ ବସିବ । ସାତଦିନରେ ଦୁଇପାଳି ସୋମବାର ବୁଧବାର ।’’ ଗ୍ରାମବାସୀମାନେ ମହାଜନଠାରୁ ବିଦାୟ ଘେନି ସନ୍ତୋଷ ହୋଇ ଯେ ଯାହାଘରକୁ ବାହୁଡ଼ି ଗଲେ ।’’

 

ଶ୍ରୀପଞ୍ଚମୀ ଦିନ ହାଟୁଆମାନେ ଯେ ଯାହା ପସରା ଘେନି ହାଟରେ ପହଞ୍ଚିଲେ । ବିକାକିଣା ଧମାଧମ ଲାଗିଲା । ସୋମବାର ବୁଧବାର ହାଟ ଲାଗିଲା । କିଛିଦିନ ଗଲାରୁ ପୁଣି ଗାଁର ମୁଖିଆଲୋକମାନେ ଭାଗବତ ସାହୁ ଘରେ ପହଞ୍ଚି ତାକୁ କହିଲେ, ‘‘ମହାଜନ ହାଟ ଭାଙ୍ଗି ଯିବାଉପରେ ରହିଲାଣି । ବେପାରୀମାନେ କେହି ହାଟକୁ ଆସୁ ନାହାନ୍ତି ।’’ ମହାଜନ କହିଲା ‘‘କାହିଁକି ? ହାଟ ଦଣ୍ଡିଆ ବେପାରୀମାନଙ୍କଠାରୁ ଅତିରିକ୍ତ ବଟି ଅସୁଲ କଲେ କି ?’ ଗ୍ରାମବାସୀମାନଙ୍କ ମଧ୍ୟରୁ ଜଣେ କହିଲା, ‘‘ନା ସେକଥା ନୁହେଁ । ଏ ହାଟକଥା ଦୂର ଦୂରାନ୍ତ ଗାଁର ଲୋକମାନେ ଜାଣିପାରି ନାହାନ୍ତି, ତେଣୁ ଖାଉଟିଙ୍କଠାରୁ ବେପାରୀମାନଙ୍କର ସଂଖ୍ୟା ବଳି ପଡ଼ିଛି । ବିକ୍ରି ନ ହୋଇ ବେପାରୀମାନଙ୍କର ଅନେକ ମାଲ ବହକି ପଡ଼ିବାରୁ ବେପାରୀମାନେ ହାଟକୁ ଆସିବାକୁ ରାଜି ହେଉ ନାହାନ୍ତି ।’’ ଏକଥା ଶୁଣି ଭାଗବତ ସାହୁ କିଛିକ୍ଷଣ ଚିନ୍ତା କରି କହିଲା, ଆଚ୍ଛା ଆପଣମାନେ ଯାଆନ୍ତୁ ମୁଁ ତାର ସୁବନ୍ଦୋବସ୍ତ କରି ଦେଉଛି ।’’ ଗ୍ରାମବାସୀମାନେ ଚାଲିଗଲେ । ତାପରେ ମହାଜନ ନିଜ ଗୁମାସ୍ତାକୁ ଡକାଇ କହିଲା, ‘‘ତୁମେ କାଲି ଚାରିଆଡ଼େ ଟମକ ଦିଆଇ ବେପାରୀମାନଙ୍କୁ ଜଣାଇ ଦେବ ଯେ ଯେଉଁ ବେକାରୀମାନେ ମଙ୍ଗଳାଙ୍କ ହାଟକୁ ବେପାର ଘେନି ଆସିବେ, ସନ୍ଧ୍ୟା ପର୍ଯ୍ୟନ୍ତ ସେମାନଙ୍କର ଯାହା ବିକ୍ରି ହେବାର ହେବ, ଯାହା ବଳି ପଡ଼ିବ ତାହା ସବୁ ଭାଗବତ ସାହୁ ଉଚିତ ମୂଲ୍ୟରେ କିଣିନେବେ ।’’ ଗୁମାସ୍ତା ଚାରିଆଡ଼େ ସେହିପରି ଟମକ ଦିଆଇଲା-

 

ପୁଣି ଘମାଘୋଟ ହାଟ ଲାଗିଲା । ସନ୍ଧ୍ୟାବେଳକୁ ମହାଜନର ଗୁମାସ୍ତାମାନେ ଯାଇ, ବେପାରୀମାନଙ୍କ ପାଖରେ ଯାହା ବଳିଥାଏ, ତାହା ସବୁ କିଣିକରି ନେଇଯାଆନ୍ତି । ମହାଜନ ସେ ସବୁ ମଧ୍ୟରୁ କେତେକ ମାଗଣାରେ ବାଣ୍ଟିଦିଏ, କେତେକ ବା ଅଳ୍ପମୂଲ୍ୟରେ ବିକ୍ରୟ କରି ଦିଏ ।

 

ଚମ୍ପାପଦର ଗାଁକୁ ଡାକେ ଖଣ୍ଡ ବାଟରେ ପଦ୍ମପୁର ଗାଁ । ପୂର୍ବେ ପଦ୍ମପୁର ଭୋବନି ସାହୁ ଥଟାରିର ନାଁ ଭଲ କାରିଗର ବୋଲି ଡାକଥିଲା । ସେ ଭଲ ଦେବତା ମୂର୍ତ୍ତି ଗଢ଼ୁଥିଲା । ଦୁଇ ତିନି ଦିନର ବାଟରୁ ଲୋକମାନେ ଆସି ଭୋବନି ସାହୁଠାରୁ ପିତଳର ଦେବମୂର୍ତ୍ତି କିଣି କରି ନେଉଥିଲେ-। ଭୋବନି ପୁଅ ଧ୍ରୁବ ସାହୁ ଗୋଟାଏ ନିପଟ ଅଳସୁଆ ଘୋଡ଼ାମୁହାଁଟାଏ । କର୍ମକୋଢ଼ି ହୋଇ କିଛିକାମ ନ କରି ଭଲ କରି ଭୋଜନଟି ମାରି ଗଞ୍ଜପା ମୁଠାଟା ଧରି ସାହିକି ଚାଲିଯାଏ । ବାପ ମଲାପରେ ଧ୍ରୁବ ଘରର ଆସବାବ ବିକାକିଣା କରି ଦିନାକେତେ ଚଳିଗଲା । ସେତକ ସରିଲାରୁ ଭିକ୍ଷା ବୃତ୍ତି ଧରିଲା । ବୁଢ଼ୀମା’ଟା ବା କଅଣ କରିବ ? ଦିନେ ବୁଢ଼ୀ ପୁଅକୁ କହିଲା, ‘‘ହଇରେ ଧ୍ରୁବ-! କେତେ ଲୋକ ହାଟକୁ ବେପାର ନେଇ ମୁଠା ମୁଠା କଞ୍ଚା ପଇସା ବୋହି ଆଣୁଛନ୍ତି । ତୁ ପିତଳ ଦେବତା ମୂର୍ତ୍ତି ତିଆର କରି ହାଟକୁ ନିଅନ୍ତୁ ନାହିଁ ? ଧ୍ରୁବ ଅପସନ୍ଦରେ ହସି ଦେଇ କହିଲା, ‘‘ହଇଲୋ ମା ! ମୁଁ କଅଣ ମୂର୍ତ୍ତି ତିଆର କରି ଜାଣେ ।’’ ବୁଢ଼ୀ କହିଲା, ‘‘ତୋ ବାପ ଅମଳର କେତେ ଖଣ୍ଡ ଛାଞ୍ଚ ଅଛି ଭଙ୍ଗା ପିତଳ କୁଆଡ଼େ ପଡ଼ିଥିବ ମୁଁ ଖୋଜି କରି ବାହାର କରି ଦେଉଛି-। ପୁରୁଣା ଭାଟିଟା ସଜାଡ଼ି ଦେବି । ସାଙ୍ଗ ହୋଇ ମିଶି ପିତଳ ତରଳାଇ ଛାଞ୍ଚରେ ଢାଳିବା-।’’ ବୁଢ଼ୀ ଭାଡ଼ି ତଳୁ ଖୋଜି କରି ଗୋଟିଏ ଲକ୍ଷ୍ମୀ ମୂର୍ତ୍ତିର ଛାଞ୍ଚ ପାଇଲା ଓ କେତେ ଖଣ୍ଡ ରେଜା ପିତଳ ପାଇଲା । ପୁରୁଣା ଭାଟିଟି ଭାଙ୍ଗି ରୁଜି ଯାଇଥିଲା, ତହିଁରେ ମାଟି ଗୋବର ଲେପି ଲିପାପୋଛା କରିଦେଲା । ମା ପୁଅ ଦୁହେଁ ମିଶି ପିତଳ ତରଳାଇ ଛାଞ୍ଚରେ ଢାଳିଲେ । ଛାଞ୍ଚ ଶୀତଳ ହୋଇଯିବାରୁ ସେ ଲକ୍ଷ୍ମୀ ମୂର୍ତ୍ତିକୁ ବାହାର କଲେ । ଆରେ ବାବା । ଦେଖିଲା ବେଳକୁ ଲକ୍ଷ୍ମୀଙ୍କର ନାକରୁ ଅଧେ ନାହିଁ ତ, କାନରୁ ଫାଳେ ନାହିଁ । ହାତଗୋଡ଼ ଗୁଡ଼ାକ କୋଢ଼ିଆଙ୍କ ହାତ ଗୋଡ଼ ପରି ହୋଇଛି । ବୁଢ଼ୀ ସେ ସବୁ କଥାକୁ ନ ଚାହିଁ, ପୁଅକୁ ହାଟକୁ ବିକିବାକୁ ନେବାକୁ କହିଲା । ଏ କଥା ଶୁଣି ଧ୍ରୁବ କହିଲା, ‘‘ଛି ଛି ଏ ଅପରଛନିଆ ପ୍ରତିମାଟାକ ନେବ କିଏ ? ଅକାରଣ ହାଟଟାରେ ଅଣ୍ଟାଭାଙ୍ଗି ବସି ବସି ଫେରିବି ।’’ ବୁଢ଼ୀ କହିଲା, ‘‘ହଇରେ ଓଲମାଟୋକା, ବିକ୍ରି ନ ହେଲା ନାହିଁ, ସନ୍ଧ୍ୟାକୁ ମହାଜନ ଗୁମାସ୍ତା ଆସି କିଣି ନେବେ । ଚାରିପଇସା ପାଇବୁ ।’’ ବୁଢ଼ୀ ପୁଅକୁ ବହୁତ ଟେକା ଟେକି କରି କହିବାରୁ ଧ୍ରୁବ ସେ ପ୍ରତିମାଟି ନେଇ ହାଟରେ ବସିଲା । ଯେ ସେ ମୂର୍ତ୍ତିକୁ ଦେଖିଲା ସେ ପଚାରିଲା, ‘ହଇରେ ଥଟାରୀ ପୁଅ ଏଇଟା କି ମୂର୍ତ୍ତିମ ?’’ ଧ୍ରୁବ କହିଲା, ‘‘ଏ ଲକ୍ଷ୍ମୀ ମୂର୍ତ୍ତି ।’’ ଲୋକମାନେ କହିଲେ ‘‘ଛି ଛି ଏଇଟା କେଉଁ ଆଡ଼ର ଲକ୍ଷ୍ମୀ ମୂର୍ତ୍ତିମ । ଏଇଟାତ ଅଲକ୍ଷ୍ମୀ ମୂର୍ତ୍ତି ।’’ ସେ ଅଲକ୍ଷଣା ପ୍ରତିମାଟାକୁ ବା କିଣିବ କିଏ ? କେହି ନେଲେ ନାହିଁ । ସନ୍ଧ୍ୟାବେଳକୁ ମହାଜନର ଗୁମାସ୍ତା ଆସି କିଛି ଦାମ୍ ଦେଇ ପ୍ରତିମାଟି ନେଇଗଲା । ମହାଜନ ସେ ମୂର୍ତ୍ତିଟାକୁ ପିତଳ ମୂଲ୍ୟରେ ବିକ୍ରି କରିବାକୁ ବସିଲା, ମାତ୍ର ମୂର୍ତ୍ତିଟାକୁ ନେଇ ଭାଙ୍ଗିବ କିଏ ? ମୂର୍ତ୍ତି ଭାଙ୍ଗିବା ବଡ଼ ଦୋଷ, କେହି ନେଲେ ନାହିଁ । ଶେଷକୁ ମହାଜନ କେତେ ଲୋକଙ୍କୁ ମାଗଣା ଯାଚିଲା । ତେବେ ବି ତାକୁ କେହି ନେଲେ ନାହିଁ । ସୁତରାଂ ମହାଜନ ତାକୁ ନେଇ ତା ଭାଗବତ ଘରେ ଗାଦି ପାଖରେ ରଖିଲା ।

 

ଏହାର କିଛିଦିନ ପରେ ଦିନେ ରାତିରେ ମହାଜନକୁ ଛାଇ ନିଦ ଲାଗି ଆସିଛି, ଅଳଙ୍କାର ଝୁମ୍ ଝୁମ୍ ଶୁଣି ତ ନିଦ ଭାଙ୍ଗିଗଲା ସେ ଉଠି କରି ଠିଆ ହେଲା । ସେହି ସମୟରେ ଦାଣ୍ଡଦୁଆର ଖଡ଼ ଖଡ଼ ହେଲା । ମହାଜନ ତରତର ହୋଇ ଦାଣ୍ଡ ଘରକୁ ଦୌଡ଼ିଲା । ଦେଖିଲା ଅଷ୍ଟରତ୍ନ ଅଳଙ୍କାରରେ ଭୂଷଣ ହୋଇ ଜଣେ ସ୍ତ୍ରୀ ଲୋକ ଠିଆ ହୋଇଛନ୍ତି । ତାଙ୍କ ଦେହର ଆଭାରେ ସେ ଘର ଦିହୁଡ଼ି ଜଳିଲା ପରି ହାଲୋଳମୟ ହୋଇଛି । ମହାଜନ ତାଙ୍କୁ ଦେଖି ଜାଣି ପାରିଲା, ସେ ନର ଲୋକ ନୁହନ୍ତି ନିଶ୍ଚୟ କୌଣସି ଦେବୀ । ସେ ତାଙ୍କ ପାଦତଳେ ପଡ଼ି ଉଠିକରି ଠିଆ ହୋଇ ହାତ ଯୋଡ଼ି ଜଣାଇଲା, ‘‘ମା, ଆପଣ କିଏ ? କେଉଁଆଡ଼େ ଆସିଥିଲେ ଆଉ କେଉଁଆଡ଼େ ଯାଉଛନ୍ତି ?’’ ସେ ଦେବୀ କହିଲେ, ‘‘ମୁଁ ମହାଲକ୍ଷ୍ମୀ, ଆଜି ପର୍ଯ୍ୟନ୍ତ ତୋ ଘରେ ଥିଲି । ତୁ କୁଆଡ଼ୁ ଗୋଟାଏ ଅଲକ୍ଷ୍ମୀ ପ୍ରତିମା ଆଣି ଘରେ ରଖିଲୁ । ମୁଁ ଆଉ ରହିବି କିପରି ? ମୁଁ ଯାଉଛି-।’’ ମହାଜନ ହାତ ଯୋଡ଼ି ଜଣାଇଲା, ‘‘ମା ! ଆପଣ ଜଗତର ମାତ, ଆପଣ ଅନୁଗ୍ରହ କରି ମୋ ଘରେ ବିଜେ କରି ଥିଲେ । ଆଜି ମୋ ଉପରେ ବିମୁଖ ହୋଇ ମୋ ଘର ଛାଡ଼ି ଚାଲି ଯାଉଛନ୍ତି । ମୋ ପରି ଛାର ଲୋକ ଆପଣଙ୍କୁ ଅଟକାଇ ପାରେ କି ? ଆପଣଙ୍କର ଯାହା ଇଚ୍ଛା କରିବେ-।’’ ଲକ୍ଷ୍ମୀ ଦାଣ୍ଡ କବାଟ ଫିଟାଇ ଚାଲିଗଲେ ।

 

ତହିଁ ଆରଦିନ ରାତ୍ର ଦୁଇପ୍ରହର ସମୟରେ ଦାଣ୍ଡ କବାଟ ଧଡ଼ଧଡ଼ ହେଲା । ମହାଜନର ତ ପତଳା ନିଦ । ତା ଦିନ ଭାଙ୍ଗିଗଲା, ମହାଜନ ଉଠିକରି ଦାଣ୍ଡଘରକୁ ଦଉଡ଼ିଲା । ଦେଖିଲା ଜଣେ ତେଜୋମୟ ପୁରୁଷ ସ୍ୱର୍ଣ୍ଣକୀରିଟ କୁଣ୍ଡଳ ପରିଧାନ କରି ଠିଆହୋଇଛନ୍ତି । ସେ ନିଶ୍ଚୟ କୌଣସି ଦେବତା ବୋଲି ଭାବି ମହାଜନ ତାଙ୍କ ପଦତଳେ ସାଷ୍ଟାଙ୍ଗ ପ୍ରଣିପାତ ହୋଇ ଉଠିକରି ହାତଯୋଡ଼ି ପଚାରିଲା ‘‘ପ୍ରଭୁ ! ମୋର ସମସ୍ତ ଅପରାଧ କ୍ଷମା କରନ୍ତୁ । ଆପଣ କିଏ, କେଉଁଆଡ଼େ ଆସିଥିଲେ, କୁଆଡ଼େ ଯାଉଛନ୍ତି ?’’ ସେ ତେଜୋମୟ ପୁରୁଷ କହିଲେ ‘‘ମୁଁ ବିଷ୍ଣୁ । ତୁ ତ ଅଲକ୍ଷ୍ମୀ ପ୍ରତିମା ଆଣି ଘରେ ପୂରାଇଲୁ, ମହାଲକ୍ଷ୍ମୀ ତୋ ଘର ଛାଡ଼ି ଚାଲିଗଲେ । ମୁଁ ଲକ୍ଷ୍ମୀକୁ ଛାଡ଼ି ରହି ନ ପାରେ, ତୋ ଘର ଚାଡ଼ି ଚାଲି ଯାଉଛି ।’’ ମହାଜନ କହିଲା, ‘‘ଆପଣ ଜଗତର କର୍ତ୍ତା-। ଅନୁଗ୍ରହ କରି ମୋ ଘରେ ବିରାଜମାନ କରିଥିଲେ । ଆଜି ସ୍ୱଇଚ୍ଛାରେ ଚାଲି ଯାଉଛନ୍ତି, ଆପଣଙ୍କୁ ଅଟକାଇବାକୁ ମୋର କି ଶକ୍ତି ଅଛି ? ଆପଣଙ୍କ ଇଚ୍ଛା ।’’ ନାରାୟଣ ଦାଣ୍ଡ କବାଟ ଫିଟାଇ ଚାଲିଗଲେ ।

 

ତହିଁ ଆରଦିନ ଠିକ୍ ରାତି ଦୁଇ ପହରବେଳେ ଦାଣ୍ଡ କବାଟ ଫେର୍ ଧଡ଼ ଧଡ଼ ଶୁଭିଲା । ମହାଜନଙ୍କୁ ତ ନିଦ ହୋଇ ନ ଥିଲା । ସେ ସାଙ୍ଗେ ସାଙ୍ଗେ ଯାଇ ଦାଣ୍ଡଘରେ ପହଞ୍ଚିଲା । ଦେଖିଲା ଜଣେ ବ୍ରାହ୍ମଣ, ଦେହ ତମ୍ୱା ତାର ପରି ଦିଶୁଛି ଓ ଦେହରୁ ଆଲୁଅ ବାହାରୁଛି, ଦାଣ୍ଡ କବାଟ ଫିଟାଉଛନ୍ତି । ମହାଜନ ଲମ୍ୱ ହୋଇ ତାଙ୍କ ପାଦତଳେ ପଡ଼ି ଉଠିକରି ଠିଆ ହୋଇ ହାତଯୋଡ଼ି ଜଣାଇଲା ଆପଣ କିଏ ସେ, କେଉଁଆଡ଼େ ଆସିଥିଲେ, କେଉଁଆଡ଼େ ଯାଉଛନ୍ତି ?’’ ସେ ବ୍ରାହ୍ମଣ କହିଲେ ‘‘ମୋ ନା ସତ୍ୟ । ତୁମ ଘର ଛାଡ଼ି ଲକ୍ଷ୍ମୀ ନାରାୟଣ ଚାଲିଗଲେ । ମୁଁ ଆଉ ଏଠାରେ ରହିବି କିପରି ? ମୁଁ ମଧ୍ୟ ଯାଉଛି ।’’ ଏ କଥା ଶୁଣି ମହାଜନ ତାଙ୍କ ଦୁଇ ପାଦକୁ ଧରି ତଳେ ପଡ଼ି ଯାଇ କହିଲା, ‘‘ପ୍ରଭୁ ! ମୁଁ ଲକ୍ଷ୍ମୀଙ୍କୁ ଛାଡ଼ିଲି, ନାରାୟଣଙ୍କୁ ଛାଡ଼ିଲି ମାତ୍ର ଆପଣଙ୍କୁ ଛାଡ଼ି ନାହିଁ । ନିଜର ସତ୍ୟ ରକ୍ଷା ଲାଗି ଅଲକ୍ଷ୍ମୀ ଆଣି ଘରେ ରଖିଲି । ତେଣୁ ମୁଁ ଆପଣଙ୍କୁ ଛାଡ଼ିଦେବି ନାହିଁ । ଯଦି ଆପଣଙ୍କର ଯିବାର ଇଚ୍ଛା ହୁଏ ତେବେ ଆପଣ ମୋ ତଣ୍ଟିରେ ଗୋଡ଼ ଦେଇ ଚାଲିଯାଆନ୍ତୁ । ମୁଁ ଜାଣୁ ଜାଣୁ ଆପଣଙ୍କୁ ଛାଡ଼ି ଦେଇ ନ ପାରେ ।’’

 

ସତ୍ୟ ଦେଖିଲେ ମହାଜନ ଠିକ୍ କଥା କହିଛି । ସେ ବା ତାକୁ ଛାଡ଼ି ଯାଉଛନ୍ତି କେତେକେ । ତେଣୁ ତା ଘରେ ରହିଲେ । ଏଥି ମଧ୍ୟରେ ମହାଜନଙ୍କୁ ବହୁତ ବିପତ୍ତି ପଡ଼ିଲା । ସତ୍ୟକୁ ଛାଡ଼ି ଲକ୍ଷ୍ମୀ ନାରାୟଣ ରହିପାରିଲେ ନାହିଁ । ଦିନେ ରାତି ଅଧରେ ସେ ଦୁହେଁ ମହାଜନ ଦାଣ୍ଡ ଦୁଆରେ ହାତ ମାଇଲେ । ମହାଜନ କବାଟ ଫିଟାଇ ଲକ୍ଷ୍ମୀନାରାୟଣଙ୍କୁ ଦେଖି ତାଙ୍କ ପଦତଳେ ମୁଣ୍ଡିଆ ମାରି ହାତଯୋଡ଼ି ଠିଆ ହେଲା । ଏହି ସମୟରେ ସତ୍ୟ ଆସି ସେଠାରେ ପହଞ୍ଚିଲେ । ନାରାୟଣ ପଚାରିଲେ, ‘‘ଆମେ ଦୁହେଁ ଚାଲିଗଲୁ ତୁମେ କାହିଁକି ରହିଲ ?’’ ସତ୍ୟ ପୂର୍ବ କଥାଯାକ ସମସ୍ତ କହିଲେ । ନାରାୟଣ ଦେଖିଲେ ମହାଜନ କଥାରେ କିଛି ଭୁଲ୍‍ ନାହିଁ । ସତ୍ୟକୁ ତ ସେ ଛାଡ଼ି ନାହିଁ, ସତ୍ୟ ତାକୁ ଛାଡ଼ି ଯିବା ଉଚିତ ନୁହେଁ । ଏଣେ ସତ୍ୟଙ୍କୁ ଛାଡ଼ି ଲକ୍ଷ୍ମୀ ନାରାୟଣ ରହି ନ ପାରନ୍ତି । ତେଣୁ ମହାଜନକୁ କହିଲେ, ଆଗ ଯା ସେ ଅଲକ୍ଷ୍ମୀ ମୂର୍ତ୍ତିକୁ ନେଇ ଏହି ରାତାରାତି କୌଣସି ଅଶ୍ୱତ୍ଥ ବୃକ୍ଷ ମୂଳରେ ରଖିଦେଇ ଆ, ତୋପରି ସତ୍ୟବନ୍ତ ଲୋକଙ୍କୁ ଲକ୍ଷ୍ମୀ ଛାଡ଼ି ନ ପାରନ୍ତି । ମହାଜନ ସାଙ୍ଗେ ସାଙ୍ଗେ ଅଲକ୍ଷ୍ମୀ ପ୍ରତିମାକୁ ଅଶ୍ୱତ୍ଥ ମୂଳରେ ନେଇ ଥୋଇ ଦେଇ ଆସିଲା ଓ ଲକ୍ଷ୍ମୀ ନାରାୟଣ ପୂର୍ବ ପରି ତା ଘରେ ରହିଲେ । ମହାଜନର ସମସ୍ତ ଦୁଃଖ ଦୁର୍ଦ୍ଦଶା କୁଆଡ଼େ ଉଭେଇ ଗଲା ଓ ପୂର୍ବଠାରୁ ଶତେଗୁଣରେ ସମ୍ପଦ ବୃଦ୍ଧି ହେଲା ।

Image

 

ବଳଦକୁ ବଳଦଗଲା ଷାଠିଏ ଟଙ୍କା ତଣ୍ଡ

 

ନବାବଙ୍କର ଗୋଟିଏ ବଡ଼ ଷଣ୍ଢ ଚାରିଆଡ଼େ ଉଦା ବୁଲେ । ଲୋକଙ୍କର ଫସଲ ଖାଏ, ମାତ୍ର ନବାବଙ୍କ ଷଣ୍ଢ କାହାର ପାଟି ଫିଟାଇବାକୁ ୟ ଅଛି ? ସେଠାରେ ଗୋଟିଏ ତେଲିଥାଏ । ଘଣା ବୁଲାଇବାକୁ ତାର ବି ଗୋଟିଏ ଭଲ ଟାଣୁଆ ଦାମ୍ୱୁଡ଼ି ଥାଏ । ଦିନେ ସେ ବଳଦଟି ପଘାରୁ ମୁଣ୍ଡ ଗଳେଇ ଡିଆଁ ମାରି ଗହୀର ଆଡ଼େ ଗଲା । ତେଣୁ ବି ନବାବଙ୍କ ଷଣ୍ଢ ଆସୁଥିଲା । ପିଲାମାନେ ମଜ୍ଜା ଦେଖିବାକୁ ‘ଗିର୍, ଗିର୍’’ କରି ଦୁହିଁକି ଲଢ଼ାଇ ଦେଲେ ।

 

ବଳଦଟି ଭାରି ଆଣ୍ଟୁଆ, ଆଚ୍ଛା କରି ଦି ଘଡ଼ି ଷଣ୍ଢ ସାଙ୍ଗରେ ତାଳ ପକାଇଲା । ମାତ୍ର ଶେଷରେ ଷଣ୍ଢ ବଳଦ ପେଟ କଣା କରି ଦେଲା । ବଳଦ ତଳେ କଚାଡ଼ି ହୋଇ ପଡ଼ି ମରିଗଲା । କିଛି ସମୟ ପରେ ତେଲି ତେଲ ବିକି ଘରେ ପହଞ୍ଚି ଶୁଣେତ ଏପରି ହାଲ । ତାର ଭାରି ରାଗହେଲା । ସାଙ୍ଗେ ସାଙ୍ଗେ ନବାବଙ୍କ ମିଶଲରେ ପହଞ୍ଚି ହାତଯୋଡ଼ି ବଳଦ ମରିବା କଥା ଜଣାଇଲା । ନବାବ ସାଙ୍ଗେ ସାଙ୍ଗେ ଉଜିରଙ୍କୁ ଡକାଇ ତା କଥା ବୁଝିବାକୁ ହୁକୁମ ଦେଲେ । ଉଜିର ତାକୁ ତାଙ୍କ ମିଶଲକୁ ଡାକି ନେଇ କହିଲେ, ‘‘ଆରେ ତୋ ଗୁହାରି କଅଣ ?’’ ତେଲି ଆହୁରି ଥରେ ସବୁ କଥା ମୂଳରୁ କହିଗଲା । ସବୁ ଶୁଣି ଉଜିର କହିଲେ, ‘‘ଆରେ ବାବୁ ଏ ତ ତୁଣ୍ଡ କଥା ନୁହେଁ, ଏଥିପାଇଁ ସବୁ ଆଇନ କିତାବ ଅଛି, ଆଚ୍ଛା ଦେଖିବା ତହିଁରେ କଅଣ କଅଣ ସବୁ ଲେଖୁଛି ?’’ ତେଲି କହିଲା, ‘‘ଭଲ କଥା ହଜୁର କିତାବ ଦେଖନ୍ତୁ ।’’ ସାଙ୍ଗେ ସାଙ୍ଗେ କିତାବ ଅଣାଗଲା । ଉଜିର ଦୁଇ ଚାରି ପୃଷ୍ଠା ଲେଉଟାଇ ପାଟି ପାକୁ ପାକୁ କରି ପରେ କହିଲେ, ‘‘ଆରେ କିତାବରେ ଲେଖୁଛି କେହି କାହାକୁ ମାରି ପକାଇଲେ ତାକୁ ବହୁତ ଗୁଡ଼ାଏ ଜୋରିମାନା କରିବ, ନୋହିଲେ ତାକୁ ଫାଶୀ ଦେବ । ଆଚ୍ଛା ! ଷଣ୍ଢ ପାଖରେ ପଇସା ଅଛି ଯେ ତାକୁ ଜୋରିମାନା କରିବା । ଆଉ ଫାଶୀ ଦେବା କଥା, ତୋ ଇଚ୍ଛା ଯଦି ହେଉଛି ଏ ଷଣ୍ଢକୁ ଦେ, ଆମର କିଛି ଆପତ୍ତି ନାହିଁ ।’’ ଏକଥା ଶୁଣି ତେଲୀ କହିଲା, ‘‘ମୁଁ ହିନ୍ଦୁ । ଷଣ୍ଢଟାକୁ ଫାଶୀ ଦେବି କିପରି ?’’ ଉଜିର କହିଲେ ତେବେ ଯା ଆମେ ଆଉ କଅଣ କରିବୁ ।’’ ଏକଥା ଶୁଣି ତେଲୀ ବିଚାରା କାନମୁଣ୍ଡା ଆଉଁଷି ଘରକୁ ମନ ଦୁଃଖରେ ଫେରିଲା-। କଅଣ କରିବ ଘଣା ବନ୍ଦ ହେଲା, ବେପାର ବୁଡ଼ିଯିବ । ଟଙ୍କା ପଇସା ସଜିଲ କରି ଗୋଟିଏ ବଡ଼ ଗଣ୍ଠି ମୋଟୁଆ ଦାମ୍ୱୁଡ଼ିଟିଏ କିଣି ଘଣା ପକାଇଲା । ତେଲୀ ଘର । ସେ ଦାମ୍ୱୁଡ଼ିଟି ପିଡ଼ିଆ ଖାଇ ଘରେ ହାତୀପରି ହୋଇଗଲା । ଦିନେ ତେଲୀ ପସରା ନେଇ ଗାଁକୁ ଯାଇଛି ସେ ଦାମ୍ୱୁଡ଼ିଯି ପଘାରୁ ଫିଟିଗଲା । ଯୋଗକୁ ନବାବଙ୍କ ଷଣ୍ଢ ତେଣୁ ଆସୁଥିଲା । ପିଲାମାନେ କୌତୁକ ଦେଖିବାକୁ ‘‘ଗିର୍ ଗିର୍’’ କହି ଦୁହିଁକୁ ଲଢ଼ାଇଲେ । ବଳୁଆ ଦାମ୍ୱୁଡ଼ିଟିଏ ଲଢ଼ି ଲଢ଼ି ଦେଲା ଭୁଷାଏ ଯେ ଷଣ୍ଢ ଗାଣ୍ଡି ମାଡ଼ି ପଡ଼ି ତା ପ୍ରାଣ ଠୋ କରି ଛାଡ଼ିଗଲା । ନବାବଙ୍କ ଲୋକ ଖବର ପାଇ ସାଙ୍ଗେ ସାଙ୍ଗେ ଆସି ସେ ଦାମ୍ୱୁଡ଼ିଟକ ବାନ୍ଧି ଘେନି ଚାଲିଗଲେ । ତେଲୀ ତେଲ ବିକି ଫେରି ଏ ହାଲ ଶୁଣି, ଆଉ ଖାଇବ କଅଣ, ରାଗରେ ଯାଇଁ ନବାବଙ୍କୁ ଜଣାଇଲା । ନବାବ ଉଜିରଙ୍କୁ ଡାକି ତା କଥା ବୁଜିବାକୁ ହୁକୁମ ଦେଲେ । ଉଜିରଙ୍କ ସାଙ୍ଗରେ ତେଲୀ ତାଙ୍କ ମିଶଲକୁ ଗଲା । ଉଜିର କହିଲେ, ‘‘ଆରେ ଏତ ମାଲିମକଦ୍ଦମା କଥା, ଆଇନ କିତାବ ଦେଖିବାକୁ ହେବ ।’’ କିତାବରେ ଯାହା ଅଛି ତେଲୀତ ଆରଥର ଶୁଣିଥିଲା କହିଲା, ‘‘ହଉ ହଜୁର କିତାବ ବାହାର କରନ୍ତୁ ।’’ କିତାବ ଅଣା ହେଲା । ଉଜିର ଘଡ଼ିଏ ଖଣ୍ଡେ ପାଟି ପାକୁ ପାକୁ କରି ଦଶ ପାଞ୍ଚ ପୃଷ୍ଠା ଲେଉଟାଇ କହିଲେ ଆରେ ତୋ କଥା ତ କିତାବରେ ବାହାରୁଛି ।’’ ତେଲୀ ଠୋସରେ କହିଲା, ‘‘ଆଜ୍ଞା କଅଣ ବାହାରୁଛି ପଢ଼ନ୍ତୁ-।’’ ଉଜିର ପଢ଼ି ଟୀକା କଲେ ‘‘କିତାବେନିକିଲା ଏୟୁଁ, ବହିରୁ ଏହି କଥା ବାହାରିଲା । ତେଲୀ ଶାଲା ବଏଲ ପାଲା କେଉଁ ? ଅର୍ଥାତ୍ ତେଲୀ ଏଡ଼େ ବଡ଼ ବଳଦଟାଏ କାହିଁକି ପାଳିଲା ? ନିଶ୍ଚେ ଷଣ୍ଢକୁ ମରାଇବ ବୋଲି ଏତେ ବଡ଼ ବଳଦଟାଏ କିଣିଲା । ଫେର୍ ପିଡ଼ିଆ ଖିଲାକେ ମରାୟା ଷଣ୍ଢ-। ଅର୍ଥାତ୍ ତାକୁ ପିଡ଼ିଆ ଖୁଆଇ ଅତି ବଳିଷ୍ଠ କରି ପୂର୍ବର ଅହନ୍ତା ଯୋଗୁଁ ଷଣ୍ଢକୁ ମରାଇଲା-। ବଏଲକୁ ବଏଲ ଗିଆ, ଷାଠିଏ ରୂପେୟା ତଣ୍ଡ୍, ବଳଦଟି ତ ଗଲା, ତା ସାଙ୍ଗରେ ତତେ ଆଉ ଷାଠିଏ ଟଙ୍କା ଜରିମାନା ଦେବାକୁ ହେବ ।’’ ତେଲୀ ବିଚାରା କରେ କଅଣ ମଲି ମଲି ହୋଇ ଷାଠିଏ ଟଙ୍କା ଜରିମାନା ଦାଖଲ କରି ଘର ଦ୍ୱାର ଭାଙ୍ଗି ଅନ୍ୟ ରାଜ୍ୟକୁ ପଳେଇଲା ।

Image

 

ଋଷି ବାଳ ଛିଣ୍ଡାଇ ମରିବା କଥା

 

ଭାଇଟିକୁ ପନ୍ଦର ବରଷ, ଭଉଣୀକୁ ବାର । ବାପ ମା କେହି ନାହାନ୍ତି । ଦୁଃଖକଷ୍ଟରେ ନିର୍ଭା ହୁଅନ୍ତି । କୋଳିଦିନେ କୋଳି, କାଙ୍କଡ଼ ଦିନେ କାଙ୍କଡ଼, ଓଉ ଦିନେ ଓଉ ଭାଇ ଭଉଣୀ ଦୁହେଁ ବଣକୁ ଯାଇ ତୋଳି ଆଣନ୍ତି । ଭଉଣୀ ଘରେ ରହେ, ଭାଇ ହାଟରେ ବିକି ଯାହା ପଇସା ପାଏ, ସେଥିରେ କୌଣସି ପ୍ରକାର କୃତ୍ୟ ଚଳିଯାଏ । ସାନ ସାନ ଗଛରୁ ଓଉ ସରିଗଲେ ଭାଇଟି ବଡ଼ ବଡ଼ ଡେଙ୍ଗା ଗଛରେ ଚଢ଼ି ଓଉ ପାରେ । ଭଉଣୀ ଗୋଟାଇ କରି ଟୋକେଇରେ ପୂରେଇ ଘରକୁ ଆଣେ । ତହିଁ ଆରଦିନ ସକାଳୁ ବିକିବାକୁ ଭାଇ ହାଟକୁ ଯାଏ । ଦିନେ ଭାଇ ବେତାଏ ଓଉ ନେଇଥିଲା, ମାତ୍ର ଅଳ୍ପ ପଇସା ଆଣି ଭଉଣୀ ହାତକୁ ଦେବାରୁ ସେ ପଚାରିଲା, ‘‘ଆଜି କାହିଁକି ଏତେ କମ୍ ପଇସା ହେଲା ?’’ ଭାଇ ମୁହଁ ଶୁଖାଇ କହିଲା, ‘‘କଅଣ କରିବା, ଡେଙ୍ଗାଗଛ, ଏତେ ଉଞ୍ଚରୁ ଓଉ ଗୁଡ଼ାକ ତଳେପଡ଼ି ଛେଚରା ହୋଇ ଯିବାରୁ ଗହକି ରାଜି ହୋଇ ନେଉ ନାହାନ୍ତି । ପଇସାକୁ ଗଣ୍ଡାଏ ପାଞ୍ଚଟା କରି ବିକିବାକୁ ହେଉଛି ।’’ ଭଉଣୀ ଆଉ କଅଣ କହିବ ତୁନି ହୋଇ ରହିଲା । ଦିନକୁ ଦିନ ପଇସା କମି କମି ଗଲା । ଦିନେ ସେ ଦୁହେଁ ବଣକୁ ଗଲେ । ଭାଇ ଡେଙ୍ଗା ଓଉ ଗଛରେ ଚଢ଼ିବା ସମୟରେ ଭଉଣୀ କହିଲା, ‘‘ମୁଁ ଏହି ଗଛ ମୂଳରେ ମୁହଁ ମାଡ଼ି କରି ଶୋଉଛି, ତୁ ଓଉ ତୋଳି ମୋ ପିଠିରେ ପକେଇବୁ ଯେ ଆଉ ଛେଚେରା ହେବ ନାହିଁ ।’ ଏକଥା ଶୁଣି ଭାଇ ମନାକଲା, ଭାବିଲା ‘‘ବାପ ମା ଛେଉଣ୍ଡ । ପିଠିରେ ଓଉ ପଡ଼ିଲେ ତାକୁ କେଡ଼େଘାଁଏ କାଟିବ, ନାହିଁ ନାହିଁ ଅଥାନ ଥାନରେ ବାଜି ପ୍ରାଣ ଛାଡ଼ି ଯିବ । ଭଉଣୀ ଏକା ଧୁମ୍ ଲଗାଇବାରୁ ଭାଇ ଗଛରେ ଚଢ଼ିଲା । ଭଉଣୀ ଗଛ ମୂଳରେ ମୁହଁ ମାଡ଼ି ଶୋଇଲା । ଭାଇ ଗୋଟିଏ ସାନ ଓଉ ତୋଳି ତଳ ଡାଳକୁ ଆସି ଥିରି କରି ଭଉଣୀ ପିଠିରେ ପକାଇ ପଚାରିଲା, ‘‘ଭାରି କାଟିଲା ନା’’ ଭଉଣୀ ସେହିପରି ମୁହଁ ମାଡ଼ି କରି କହିଲା ‘‘ନାହିଁମ ଆହୁରି ପକା ।’’ ଓଉ ତୋଳା ସରିଲା, ଘରକୁ ଫେରିଲେ । ଭାଇ ଭଉଣୀ ପିଠିରେ ଉଷୁମ ତେଲ ଭଲ କରି ମାଲିସ କରି ଦେଲା । ଓଉ ବି ଭଲ ବିକ୍ରି ହେଲା । ସେହି ଦିନଠାରୁ ସେହିପରି କଲେ ।

 

ସେହି ପାଖରେ ଗୋଟିଏ ବାବାଜୀ କୁଡ଼ିଆ ଖଣ୍ଡିଏ କରି ରହିଥାଏ । ଭାଇ ଭଉଣୀଙ୍କର ଏ ଦୁଃଖ ଦେଖି ସେମାନଙ୍କ ପାଖରେ ପହଞ୍ଚି କେଉଁଦିନ ଚୂଡ଼ା ଦିଇଟା କେଉଁଦିନ ଉଖୁଡ଼ା ପୋଷେ, ଯାହା ଭିଖମାଗି ଆଣିଥାଏ ବିକଳ ପାଇ ଦିଏ ।

 

ସହଜେ ତ ଭଉଣୀଟି ଭାରି ସୁନ୍ଦରୀ, ତହିଁରେ ପୁଣି ବୟସ ଲାଗି ଆସିବାରୁ ଆହୁରି ସୁନ୍ଦର ଦିଶିଲା । ସେ ଦେଶର ରଜା ପାରିଧିକୁ ଆସିଥିଲେ । ଭଉଣୀର ରୂପ ଦେଖି, ଭାଇ ଭଉଣୀ ଦୁହିଁଙ୍କୁ ନଅରକୁ ଘେନିଗଲେ । ଭଉଣୀ ରାଜଭୋଗରେ ରହି ସାକ୍ଷାତ ଅପ୍ସରି ପରି ଦେଖାଗଲା । ରଜା ତାକୁ ପାଟରାଣୀ କଲେ । କି ଦିନ କି ରାତି ପାଟରାଣୀଙ୍କ ଉଆସରେ ରହିଲେ ।

 

ବାବାଜୀ ପ୍ରତିଦିନ ଗଡ଼କୁ ଭିଖ ମାଗିବାକୁ ଆସେ । ଗଡ଼ ମୁଣ୍ଡରେ ଗୋଟିଏ ମାଳୀଘର-। ପ୍ରତିଦିନ ମାଲ୍ୟାଣୀ ଫୁଲ ମାଳ ନିକ କରି ଗୁନ୍ଥି ରାଣୀଙ୍କ ବେଶପାଇଁ ଦେଇ ଆସେ । ରଜାଘରୁ ଭୂଇଁ ଦଶମାଣ ଜାଗିରି ଖାଏ । ବାବାଜୀ ପ୍ରଥମରେ ଆସି ତାରି ଦୁଆରେ ଭିଖ ମାଗନ୍ତି, ମାଲ୍ୟାଣୀ ବଡ଼ ଆଦର ଗୌରବ କରି ଭିଖ ଆଣିଦିଏ ।

 

ଦିନେ ସକାଳୁ ବାବାଜୀ ଆସି ମାଳୀ ଦୁଆରେ ପହଞ୍ଚିଲା ବେଳକୁ ତା ଘରେ କାନ୍ଦ ବୋବାଳୀ ଲାଗିଛି । କିଏ ମରି ଯାଇଛି ବୋଲି ବିଚାରି ବାବାଜୀ ଫେରି ଯାଉଥିଲେ । ମାଲ୍ୟାଣୀ ତାଙ୍କୁ ପଛରୁ ଡାକିବାରୁ ସେ ଫେରିଲେ । ଗୋଟିଏ ପାଛିଆରେ ଚାଉଳ ପରିବା ଆଣି ମାଲ୍ୟାଣୀ ବାବାଜୀଙ୍କୁ ଦେଇ କାନ୍ଦି କାନ୍ଦି କହିଲା ‘‘ବାବା, ଆଜି ଏ ଶେଷ ଭିଖ । କାଲିଠାରୁ ଆଉ ଆମକୁ ଦେଖିବ ନାହିଁ ।’’ ବାବାଜୀ ଭାରି ବିକଳ ହୋଇ ପଚାରିଲେ, ‘‘କାହିଁକି ଲୋ ମା, କଅଣ ହେଲାକି-?’’ ମାଲ୍ୟାଣୀ କାନ୍ଦି କାନ୍ଦି କହିଲା, ‘‘ବାବା ଆମରତ ପୋଡ଼ା କରମ, କଅଣ କହିବି ? ପହରି ଦିନ ରାଣୀଙ୍କ ବଡ଼ ସିଂହାର ବେଶ ପାଇଁ ଯେଉଁ ମାଳତୀ ଫୁଲର ଗଜରା ହାର ଗୁନ୍ଥି କରି ଦେଇଥିଲି ସେଥିରେ କୁଆଡ଼େ ପାଣି ଲାଗିଥିଲା । ରାଣୀ ପିନ୍ଧିବାରୁ ଶରଦ ଜର ଘୋଟିଗଲା । ରଜା ରାଣୀଙ୍କଠାରୁ ଏକଥା ଶୁଣି କୋପାନଳ ହୋଇ ଆମ ବଂଶଯାକର ମୁଣ୍ଡ କାଟ ହେବ ବୋଲି ହୁକୁମ୍ ଦେଇଛନ୍ତି ।’’ ଏକଥା ଶୁଣୁ ଶୁଣୁ ବାବାଜୀ ଫୁରୁକୁଟି ପରି ଡେଇଁଲା । ରାଗରେ ଆଖି ନାଲ ପଡ଼ିଗଲା । ଦାନ୍ତ କାମୁଡ଼ି ମୁଣ୍ଡର ଜଟାକୁ ପୁଳାପୁଳା କରି ଛିଣ୍ଡାଇ ଗର୍ଜନ କଲାପରି କହିଲା, ‘‘କଅଣ ହେଲା, ପ୍ରତିଦିନ ଦଶଗଣ୍ଡା ଓଉ ପିଠିରେ ପଡ଼ୁଥିଲା, ଶରବ ଜର ଧରୁ ନ ଥିଲା, ଫୁଲମାଳରେ ପାଣି ରହି ଶରଦ ଜର ଧଇଲା ?’’ ବାଇଆଙ୍କ ପରି ନଅର ଆଡ଼େ ଧାଇଁଲା-। ସମସ୍ତେ ବିଚାରିଲେ ବାବାଜୀ ବାଇଆ ହୋଇ ଗଲା । ବାବାଜୀ କିଛି ଦୂର ଯାଇ ଗୋଟାଏ ଗଛମୂଳରେ ଠିଆ ହୋଇ ରାଗ ଶାନ୍ତି କରି ବିଚାରିଲା, ‘‘ରାଗ ରୋଷରେ କାମ ଚଳିବ ନାହିଁ-।’’ ତାପରେ ଗୋଟାଏ ଉପାୟ ପାଞ୍ଚି କରି ରଜାଙ୍କ ପାଖରେ ପହଞ୍ଚିଲା । ରାଣୀଙ୍କ ଦେହ ବ୍ୟସ୍ତ ଯୋଗୁଁ ରଜାଙ୍କର ଖିଆ ପିଆ ନାହିଁ । କେତେ କେତେ ବଇଦ ଲାଗିଛନ୍ତି, ମାତ୍ର ରାଣୀତ ଓଷଦ ଛୁଉଁ ନାହାନ୍ତି ଆଉ ହବ କଅଣ । ବାବାଜୀ ରଜାଙ୍କୁ କହିଲେ, ‘‘ମଣିମା ! ମୁଁ ଟିକିଏ ରାଣୀଙ୍କୁ ଝଡ଼ା ଫୁଙ୍କା କରି ଦେବି, ଦେଖିବେ ଘଡ଼ିକରେ ଉଠିକରି ପଥି କରିବେ ।’’ ରଜା ମୁଦୁସୁଲୀକୁ ଡାକି ରାଣୀଙ୍କ ପାଖକୁ ବାବାଜୀଙ୍କୁ ଘେନି ଯିବାକୁ ହୁକୁମ୍ ଦେଲେ । ବାବାଜୀ ଯାଇ ରାଣୀଙ୍କ ଶେଯ ପାଖରେ ପହଞ୍ଚିଲେ । ରାଣୀ ଆଖି ବୁଜି ବୋପା ଲୋ ମାଆ ଲୋ ହେଉ ଥାଆନ୍ତି । ବାବାଜୀ ସମସ୍ତଙ୍କୁ ରାଣୀଙ୍କ ପାଖରୁ ତଡ଼ି ଦେଇ ମନ୍ତ୍ର ବୋଲି ରାଣୀଙ୍କୁ ଝାଡ଼ିଲେ । ‘‘ଆଇଁଷି ମନ୍ତବ କାଇଁଶି ମନ୍ତର, ନାରୀ କି ମନ୍ତର ମରଦ । ଦଶଗଣ୍ଡା ଓଉ ପିଠିରେ ପଡ଼ିଲା, ଫୁଲରେ ଧଇଲା ଶରଦ; ଓଁ ରାମରାମ ଫୁ ଫୁ ଫୁ ।’’ ଏ ମନ୍ତ୍ର ଶୁଣି ରାଣୀ ଧଡ଼ପଡ଼ ହୋଇ ଉଠି ବାବାଜୀଙ୍କ ମୁହଁକୁ ଅନାଇଲେ-। ଗୋଡ଼ତଳେ ପଡ଼ି କହିଲେ ବାବା ମୁଁ ପଛେ ଉଠି କରି ଖିଆପିଆ କରିବି ତୁମେ ଏ ଗୁଡ଼ାକୁ ଆଉ ପଦାରେ ପକାଅନା । ମୋ ଉଜ୍ଜତ ଦି କଡ଼ାର ହୋଇଯିବ । ବାବାଜୀ କହିଲେ ‘‘ତୁମେ ଉଠି କରି ଖିଆପିଆ କରିବ ମାତ୍ର ସେ ମାଲ୍ୟାଣୀ କଥା କଅଣ ହେବ ?’’ ରାଣୀ କହିଲେ ‘‘ମୁଁ ସବୁ ଠିକ୍ କରି ଦେଉଛି; ଆପଣ ଦେଖନ୍ତୁ ।’’ ସାଙ୍ଗେ ସାଙ୍ଗେ ରଜାଙ୍କୁ ଡକାଇ କହିଲେ, ‘‘ବୁଝିଲନା, ସେ ମାଲ୍ୟାଣୀର ଜମାରୁ ଦୋଷ ନାହିଁ । ପହରି ଦିନ ସନ୍ଧ୍ୟାକୁ ମୁଁ ଶୂଳେଇ କି ବିଜେ କରିବା ସମୟରେ ଗୋଟାଏ ଚଢ଼େଇ ଉଡ଼ିଗଲା, ମୁଁ ଚମକି ପଡ଼ିଲି ଡାହାଣୀଆ ସନ୍ଧ୍ୟା ବେଳଟା ଭେଟଣା ହୋଇଗଲା-। ଏହି ବାବାଜୀ ମନ୍ତ୍ର ପଢ଼ି ଝାଡ଼ି ଦେବାରୁ ଡାହାଣୀ ଛାଡ଼ି ଗଲା । ମୋ ଦେହ ଭଲ ହୋଇ ଗଲାଣି; ସେ ମାଲ୍ୟାଣୀକୁ ଡକାଇ ତାକୁ ବହୁ ମାନ ଦିଅ, ଆଉ ଏ ବାବାଜୀଙ୍କର ବାଟିଏ ଜମି ସରଗହୀରରୁ ଦେଖିକରି ଖଞ୍ଜା କରି ଦିଅ ।’’ ରାଣୀଙ୍କ କହିବା ଅନୁସାରେ ସବୁ ହେଲା, ବାବାଜୀ ଖୁସି ହୋଇ ଫେରିଲେ ।

Image